ଓଳକଣା ମେଲଣ, ଆଳି ରାଜା ଝୁଲଣ

ଓଳକଣା ମେଲଣ, ଆଳି ରାଜା ଝୁଲଣ

ଶୁଭେନ୍ଦୁ କୁମାର ଭୂୟାଁ ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ଚିନ୍ତା ଓ ଚେତନାରେ ଦୋଳପର୍ବର ଆବାହନୀ ନିଆରା ଓ ଅନନ୍ୟ ସାଧାରଣ। ସାରା ଭାରତରେ ଏହା ଏକ ସ୍ମରଣୀୟ ଗଣପର୍ବ ଭାବରେ ମଧ୍ୟ ସ୍ୱୀକୃତ। ପରମ ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ, ଏହି ଦୋଳୋତ୍ସବର ମୁଖ୍ୟ ଆଧାର। ଶ୍ରୀକ୍ଷେତ୍ରରେ ପାଳିତ ଦୋଳମିଳନ, ଧର୍ମଶାଳାରେ ଅନୁଷ୍ଠିତ ପୁରାତନ ମୁନ୍ସୀ ମେଲଣ, ନେମାଳପୀଠର ଦୋଳଯାତ୍ରା, ବ୍ରହ୍ମଗିରିରେ ହରିହର ଭେଟ, ଏରଚଂ ନୃସିଂହନାଥଙ୍କ ଦୋଳପର୍ବ, ବୟାଳିଶ ମୌଜାର ଗୋପୀନାଥ ଦୋଳ ଭଳି ଅବିଭକ୍ତ କଟକ ଜିଲ୍ଲାର ଓଳକଣା ମେଲଣ ଏକ ଅନନ୍ୟ ସାଧାରଣ ଦୋଳମିଳନ ଭାବରେ ସର୍ବଜନବିଦିତ। ସଚରାଚରେ ପାଳିତ ହେଉଥିବା ଦୋଳମିଳନ ଯାତ୍ରାଠାରୁ ଓଳକଣା ମେଲଣରେ କିଛିଟା ସ୍ୱାତନ୍ତ୍ର୍ୟ ତାକୁ ଅନ୍ୟ ଦୋଳଯାତ୍ରାଠାରୁ ଅଧିକ ମର୍ଯ୍ୟାଦା ପ୍ରଦାନ କରିଛି। ଲୋକମୁଖରେ ପ୍ରଚଳିତ ଅଛି-ଓଳକଣା ମେଲଣ, ଆଜିରାଜା ଝୁଲଣ, କୋଇଲର ରାମନବମୀ, ପୁରସ୍ତମ ଚନ୍ଦନ। ଗୀତିକଥାଟି ଏହି ଯାତ୍ରାର ପ୍ରାଚୀନତମ ପରମ୍ପରାକୁ ଉଜ୍ଜୀବିତ କରାଇଥାଏ। ପୁରୁଷୋତ୍ତମ କ୍ଷେତ୍ରର ଚନ୍ଦନଯାତ୍ରା, କୋଇଲ (ଅସୁରେଶ୍ୱର)ର ଶ୍ରୀରାମନବମୀ ଉତ୍ସବ ଓ ଆଳିର ଝୁଲଣ ଯାତ୍ରା ଭଳି ଓଳକଣା ମେଲଣ ମଧ୍ୟ ବେଶ୍ ପ୍ରସିଦ୍ଧିଲାଭ କରିଥିଲା- ଆମ ଜନମାନସରେ। ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଲଣ ଯାତ୍ରାଠାରୁ ଓଳକଣା ମେଲଣ ଅନ୍ୟ କେତୋଟି ଦୃଷ୍ଟିକୋଣରୁ ବି ବେଶ୍ ନିଆରା। ସ୍ୱାଭାବିକ ଭାବରେ ମେଲଣ ଯାତ୍ରାରେ ଆସୁଥିବା ଠାକୁରବାଡ଼ିଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାକି ସମ୍ମାନ ଦେବାର ପରମ୍ପରା ଥାଏ। କିନ୍ତୁ ଓଳକଣା ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦେଢ଼ଶହରୁ ଅଧିକ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନଥାଏ। ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି। ଠାକୁରମାନଙ୍କୁ ମଧ୍ୟ ବିଦାକି ଦିଆଯାଇନଥାଏ। ଥାଟବାଟ, ରଙ୍ଗରୋଷଣୀର ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିମାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଯାଇଥାଏ। ମେଲଣ ପରେ ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ହୋଇଥିବା ନବବସ୍ତ୍ର ବିପୁଳ ନୈବେଦ୍ୟର ସଂଭାରରେ ଭରିଯାଇଥାଏ। ଦୋଳମିଳନ ଶ୍ରୀରାଧା-କୃଷ୍ଣଙ୍କ ଚେତନାର ପ୍ରତୀକ। କିନ୍ତୁ ଓଳକଣା ମେଲଣର ପୃଷ୍ଠଭୂମି ସୃଷ୍ଟିକର୍ତ୍ତା ଶ୍ରୀହରି ଓ ସଂହାର କର୍ତ୍ତା ହରହର ମହାଦେବଙ୍କ ମିଳନର ବାର୍ତ୍ତା ପ୍ରଚାର କରିଥାଏ। କାରଣ ଓଳକଣା ମେଲଣର ଉପିତ୍ତି ‘ହରି-ହର ଦର୍ଶନ’ ମୂଳଭିତ୍ତି ଉପରେ ହିଁ ପ୍ରତିଷ୍ଠିତ। ପରମଭକ୍ତ ମହାତ୍ମା ବିଦୂରଙ୍କ ଭକ୍ତି ଓ ସମର୍ପଣ ଭାବରେ ସନ୍ତୁଷ୍ଟ ହୋଇ ଭକ୍ତର ମନୋବାଞ୍ଛା ପରିପୂରଣ ପାଇଁ ଶ୍ରୀକୃଷ୍ଣ ତାଙ୍କୁ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ହରିହର ରୂପରେ ଦର୍ଶନ ଦେବାକୁ ସମ୍ମତି ପ୍ରଦାନ କରିଥିଲେ। ଓଳକଣା ମେଲଣର ଅନ୍ତିମ ତିଥିରେ ସୂକ୍ଷ୍ମରୂପୀ ବିଦୂରଙ୍କ ସମେତ ସମାଗମ ସହସ୍ରାଧିକ ଭକ୍ତଜନ ଏହି ଦେବଦୁର୍ଲ୍ଲଭ ରୂପ ଦର୍ଶନ କରିଥାନ୍ତି। ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ଏକମାତ୍ର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଲଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ୱର ବିମାନ ଓଳକଣା ମେଲଣର ଅନ୍ୟତମ ଆକର୍ଷଣ। କାରଣ ସେ ହେଉଛନ୍ତି ମେଲଣପଡ଼ିଆର ଅଧିପତି। ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ। ମେଲଣକୁ ଆସିବା ଦିନ ଭଦ୍ରେଶ୍ୱର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି। ଇତିମଧ୍ୟରେ ବିମାନରେ ରାଧାକୃଷ୍ଣ ବିଗ୍ରହ ଗ୍ରାମରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ। ଏହାପରେ ବୀରଭଦ୍ରେଶ୍ୱରଙ୍କ ପାଖରୁ ଭଗବତୀଙ୍କୁ ଅବିର ଦିଆଯାଇଥାଏ। ରାଧାକୃଷ୍ଣଙ୍କ ବିଗ୍ରହ ସହ ଯାତ୍ରା ପାଇଁ ‘ହର’ଙ୍କର ପ୍ରତୀକ ଭାବରେ ଅର୍ପଣ କରାଯାଇଥିବା ଚୂଳମାଳ ଭଦ୍ରେଶ୍ୱରଙ୍କଠାରୁ ଛାଏଁ ଖସିଥାଏ। ଏହା ଖସିଲେ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ଆଦେଶ ବୋଲି ଗ୍ରହଣ କରାଯାଏ। ଏହାପରେ ଚୂଳମାଳକୁ ନେଇ ରାଧାକୃଷ୍ଣ ବସିଥିବା ପୁଷ୍ପକବିମାନରେ ସ୍ଥାପନ କରାଯାଇଥାଏ। ଏହି ଚୂଳମାଳକୁ ଜଗିବା ପାଇଁ ଦୁଇଟି ତମ୍ୱାନିର୍ମିତ ନାଗବିଗ୍ରହ ଦ୍ୱାରପାଳ ରୂପରେ ବିମାନରେ ସ୍ଥାପିତ ହୋଇଥାନ୍ତି। ସୂଚନାଯୋଗ୍ୟ ଯେ, ‘ଚୂଳମାଳ’ରେ ଫୁଲ, ଚୂଆ, ବେଲପତ୍ରୀ ସ୍ଥାପିତ ହୋଇଥାନ୍ତି। ପୁଷ୍ପକବିମାନ ମେଲଣକୁ ଯାତ୍ରାରମ୍ଭ କରିବା ପୂର୍ବରୁ ତାଙ୍କୁ ମଙ୍ଗଳ ଆରତୀ କରାଯାଇଥାଏ। ଏହାକୁ ‘ବିଜେ ଆଳତୀ’ ବା ‘ବିଜୟୀ ଆଳତୀ’ ମଧ୍ୟ କୁହାଯାଏ। ଆଳତୀ ସମୟରେ ଉପସ୍ଥିତ ଭକ୍ତବୃନ୍ଦ ନିଜର ଅଭୀଷ୍ଟ ପୂରଣ ପାଇଁ ମାନସିକ ମଧ୍ୟ କରିଥାନ୍ତି। ଲୋକମୁଖରେ ପ୍ରବାଦ ରହିଛି ଏହି ମେଲଣକୁ ବିମାନ ବାହାରିବା ସମୟରେ ଘୋର ଗର୍ଜନ ସହିତ ଘୁ ଘୁ ନାଦ ମଧ୍ୟ ଶୁଣାଯାଇଥାଏ। ରାଜସ୍ୱ ଗ୍ରାମ ଗୋବିନ୍ଦପୁରର ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କୁ ଅବିର ପ୍ରଦାନ କରି ସେଠାରୁ ଆଜ୍ଞାମାଳ ଆସିବା ପରେ ହିଁ ବିଜୟୀ ଆଳତୀ କରାଯାଇଥାଏ। ପୁଷ୍ପକବିମାନ ଭଦ୍ରେଶ୍ୱରଙ୍କ ମନ୍ଦିର ପରିକ୍ରମା କରିବା ପରେ ଯାଇ ଠାକୁରଙ୍କୁ ଚୂଳମାଳ ବିମାନରେ ବିଜେ ହୋଇଥାନ୍ତି। ଭଦ୍ରେଶ୍ୱରଙ୍କ ବିମାନ ଭଳି ଆଳିରାଜାଙ୍କ ବିମାନକୁ ମଧ୍ୟ ମେଲଣରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଏହି ସୁପ୍ରସିଦ୍ଧ ଦୋଳ ମେଲଣ, ପୂର୍ବରୁ ମୋଗଲବନ୍ଦୀ ଓ ରାଜଯୋଡ଼ା ଅଂଚଳର ସୀମା କ୍ଷେତ୍ରରେ ଆୟୋଜିତ ହେଉଥିବାରୁ ଆଳିର ସୂର୍ଯ୍ୟବଂଶୀ ରାଜା ଏହି ଦୁଇ ଶାସନାଧୀନ ଅଂଚଳରେ ସଂହତି ରକ୍ଷା ପାଇଁ ଏହି ଓଳକଣା ମେଲଣକୁ ପୃଷ୍ଠପୋଷକତା କରିଆସୁଥିଲେ। ପୂର୍ବରୁ ଓଳକଣା ମୋଗଲବନ୍ଦୀ ଓ ନିକଟସ୍ଥ ଅରାଖଣ୍ଡ ରାଜବନ୍ଦୀ ଅଂଚଳରେ ଥିଲା। ଡେରାବିଶର ରାଜନଗରଠାରେ ଆଳିରାଜାଙ୍କର ଦ୍ୱିତୀୟ ରାଜଧାନୀ ଥିଲା। ସେଠାରୁ ଆସୁଥିବା ବିମାନ ହିଁ ପ୍ରଥମେ ଓଳକଣା ପଡ଼ିଆକୁ ପ୍ରବେଶ କରିବା ପରେ ଅନ୍ୟ ସମସ୍ତ ବିମାନ ପ୍ରବେଶ କରିଥାନ୍ତି। ସେହିପରି ଏକମାତ୍ର ଆଳିରାଜାଙ୍କ ବିମାନ ଉପରେ ଚନ୍ଦ୍ରାତାପ ଟଙ୍ଗା ଯାଇଥାଏ। ରାଜାଙ୍କ ବିମାନ ସହିତ ଡେରାବିଶରୁ ରାଣୀଙ୍କ ବିମାନରେ ଲକ୍ଷ୍ମୀଠାକୁରାଣୀ ମଧ୍ୟ ଏହି ମେଲଣକୁ ବିଜେ କରିଥାନ୍ତି। ମେଲଣ ପଡ଼ିଆରେ ପ୍ରବେଶ ପାଇଁ ତିନି ଦିଗରେ ତିନୋଟି ପ୍ରବେଶ ଫାଟକ ରହିଛି। ପ୍ରତ୍ୟେକ ଫାଟକରେ ଥିବା ସ୍ତମ୍ଭ ଦୁଇଟିରେ ବୃଷଭ ଓ ଗରୁଡ଼ଙ୍କର ବିଗ୍ରହ ରହିଥିବା ପ୍ରକାଶ। ହରି ଓ ହରଙ୍କ ବାହନ ଭାବରେ ଏହି ପ୍ରତୀକ ବିଗ୍ରହ ସ୍ଥାନ ପାଇବା ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ମଧ୍ୟରାତ୍ରରୁ ଆରମ୍ଭ ହେଉଥିବା ଓଳକଣା ମେଲଣ ପ୍ରାତଃକାଳରେ ହିଁ ଶେଷ ହୋଇଥାଏ। କିନ୍ତୁ ଅପରାହ୍ନରୁ ଓଳକଣା ମେଲଣପଡ଼ିଆରେ ହାଟବଜାର ଖୋଲିଯାଏ। ଭଦ୍ରେଶ୍ୱରଙ୍କ ବିମାନ ସହିତ ୧୦୮ଟି ଘଂଟ ଓ ଦୁଇଟି ମଶାଲ ମଧ୍ୟ ଆସିଥାଏ। ଏହି ୧୦୮ ଜଣ ଘଂଟପାଟିଆ ମେଲଣର ଅନ୍ୟତମ ଆକର୍ଷଣ। ଭଦ୍ରେଶ୍ୱରଙ୍କ ୧୦୮ ଜଣ ଘଂଟବାଦକ ସହିତ ପବିତ୍ର ‘ଚୂଳମାଳ’ ମେଲଣ ପଡ଼ିଆର ଉତ୍ତର ଦିଗରେ ଥିବା ବିଦୂର ମନ୍ଦିର ନିକଟକୁ ଯାତ୍ରାରମ୍ଭ କରିଥାଏ। ବ୍ରାହ୍ମ ମୁହୂର୍ତ୍ତରେ ଏହି ଘଂଟବାଦ୍ୟର ଅପୂର୍ବ ଧ୍ୱନି ଭକ୍ତମାନଙ୍କ ମଧ୍ୟରେ ରୋମାଂଚ ସୃଷ୍ଟି କରିଥାଏ। ବିଦୂରଙ୍କ ବିଗ୍ରହର ନିକଟରେ ପୂଜାର୍ଚ୍ଚନା ପରେ ମୁଖ୍ୟ ପୂଜକ ମଙ୍ଗଳ ଆରତୀ ପ୍ରଦର୍ଶନ କରିଥାନ୍ତି। ଏହି ସମୟରେ ମେଲଣ ପଡ଼ିଆରେ ଥିବା ଭଦ୍ରେଶ୍ୱରଙ୍କ ବିମାନ ସମ୍ମୁଖରେ ମଧ୍ୟ ଆରତୀ କରାଯାଇଥାଏ। ଏହି ଉଭୟ ଆରତୀର ମହାମିଳନ ଘଟିବା ସହିତ ପୁରାଣ ପ୍ରସିଦ୍ଧ ଓଳକଣା ମେଲଣର ଅନ୍ତିମ ମୁହୂର୍ତ୍ତ ଉପଗତ ହୋଇଥାଏ। ମେଲଣର ଅଧିପତି ଭଦ୍ରେଶ୍ୱର ବିମାନ ଦେବସଭା ଭଙ୍ଗ କରି ପ୍ରଥମେ ଆସ୍ଥାନରୁ ଉଠିବା ପରେ ଅନ୍ୟ ବିମାନଗୁଡ଼ିକ ପ୍ରସ୍ଥାନ କରିଥାନ୍ତି। ବ୍ରାହ୍ମ ମୁହୂର୍ତ୍ତରେ ଉପସ୍ଥିତ ସହସ୍ରାଧିକ ଭକ୍ତ ଶୈବ ଓ ବୈଷ୍ଣବ ସଂସ୍କୃତିର ଯେଉଁ ମହାମିଳନ ଦର୍ଶନ ଲାଭ କରନ୍ତି ତାହା ଅବର୍ଣ୍ଣନୀୟ। ସଦସ୍ୟ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ପଲାଇ (ବାଲିଚନ୍ଦ୍ରପୁର) ଯାଜପୁର-୭୫୪୨୦୫ ଦୂରଭାଷ : ୯୪୩୭୨୨୬୭୯୭

Share :