ଗଂଜାମ ବିଜେଡ଼ିରେ ବିଦ୍ରୋହ, ନବୀନଙ୍କ ପାଇଁ ଘାତକ

ଗଂଜାମ ବିଜେଡ଼ିରେ ବିଦ୍ରୋହ, ନବୀନଙ୍କ ପାଇଁ ଘାତକ

Share :

ହେମାଙ୍ଗ ପ୍ରସାଦ ରାଉଳ ଅନେକ କଳ୍ପନାଜଳ୍ପନାର ଅବସାନ ଘଟାଇ ନବୀନବାବୁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଚୟନ ପେଡ଼ି ଖୋଲି ନିଜ ଜିଲ୍ଲା ଗଂଜାମର ବିଧାନସଭା ଓ ଦୁଇ ସାଂସଦ କ୍ଷେତ୍ରର ବିଧାନସଭା ଓ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ବିଜୁ ଜନତା ଦଳ ଘୋର ସଂକଟ ଆଡ଼କୁ ଠେଲି ହୋଇଯିବାର ଦେଖାଦେଇଛି। ବିଗତ ଦୁଇ ଦଶନ୍ଧି ଭିତରେ ଏପରି ଚିତ୍ର କେବେ ଦେଖିବାକୁ ମିଳିନଥିଲା। ଆରମ୍ଭ ହୋଇଛି ଆକ୍ରମଣ ନବୀନଙ୍କ ନିଷ୍ପତ୍ତି ବିରୁଦ୍ଧରେ। ନବୀନଙ୍କ ନାମ ନେଇ ସେ କେତେ ସ୍ୱଚ୍ଛ ବୋଲି ଦଳ ଭିତରୁ ସ୍ୱର ଉଠିଲାଣି। ବିଶେଷକରି ପୋଲସରା ଓ ବ୍ରହ୍ମପୁର ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଯିବାର ସଂକେତ ମିଳିଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଯେତିକି ସ୍ୱର ଉଠିଲାଣି ସେଠାରେ ସ୍ୱାଧୀନ ଭାବରେ ଲଢ଼ିବାକୁ ମଧ୍ୟ କିଛି ନେତା ଅଣ୍ଟା ଭିଡ଼ିଲେଣି। ରୋଚକପୂର୍ଣ୍ଣ କଥା ହେଲା ଆସିକା ସାଂସଦୀୟ କ୍ଷେତ୍ରର ପ୍ରାର୍ଥୀ ପ୍ରମିଳା ବିଷୋୟୀ। ଯାହାର ଶିକ୍ଷାଦୀକ୍ଷା ଯୋଗ୍ୟତା ସହ କହିବାର ଭଂଗୀ ଦେଖି ଏବେଠାରୁ ଭୋଟରମାନେ ମୁହଁମୋଡ଼ି ନବୀନଙ୍କ ନିଷ୍ପତ୍ତିକୁ ତୀବ୍ର ଭର୍ତ୍ସନା କରି କହିଛନ୍ତି ଗଂଜାମ ଜିଲ୍ଲାକୁ ଅସଭ୍ୟ ଅପାଠୁଆ ଅଶିକ୍ଷିତଙ୍କ ଗଡ଼ର ପ୍ରମାଣ ଦେବାକୁ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର। ବିଜୁ ପଟ୍ଟନାୟକ, ରାମଚନ୍ଦ୍ର ରଥ ଓ ସ୍ୱୟଂ ନବୀନ ପଟ୍ଟନାୟକଙ୍କ ପାଇଁ ଆସିକା ସଂସଦୀୟ କ୍ଷେତ୍ର ସମଗ୍ର ଭାରତବର୍ଷରେ ଗରୀମା ବଢ଼ାଇଛି। କିନ୍ତୁ ପ୍ରମିଳା ବିଷୋୟୀଙ୍କ ପରି ଗୋଟିଏ ବ୍ୟକ୍ତିତ୍ୱକୁ ନବୀନ ଗୋଟାଇ ଆଣି ୨୦୧୯ରେ ଭୋଟରଙ୍କ ଉପରେ ଲଦିଦେବା ଏକ ଅପରିଣାମଦର୍ଶୀ ଓ ଦାୟିତ୍ୱହୀନ ପ୍ରମାଣ। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଠିକଣା ହେଲେ ସମୁଚିତ ନିର୍ଣ୍ଣୟ ହେଲେ ହୁଏତ ବିଜେଡ଼ି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ବ୍ରହ୍ମପୁର ବିଜେଡ଼ି ବିଦ୍ରୋହ ତୀବ୍ର ସୁବାସ ମହାରଣା ଦୁଇପାଦ ଆଗକୁ ଆସି ଦୁଇଦିନ ତଳେ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପାଇଁ ଯୁକ୍ତି ବାଢ଼ି ଯାହା ସଂକେତ ଦେଲେ ନିଶ୍ଚୟ ବିପର୍ଯ୍ୟୟ ଡାକିଆଣିବ। ଚନ୍ଦ୍ରଶେଖର ସାହୁ ସାଂସଦ ପ୍ରାର୍ଥୀ ଓ ବିକ୍ରମ ପଣ୍ଡା ବିଧାନସଭା ପ୍ରାର୍ଥୀ ଚୟନ ପରେ ପୁରୁଣାମାନେ ଗୋଟିଏ ମଂଚରେ ନୂଆଁଙ୍କୁ ସଂପୂର୍ଣ୍ଣ ବଏକଟ୍ କରି ପ୍ରତ୍ୟକ୍ଷରେ ନବୀନଙ୍କୁ ସକ୍ ଟ୍ରିଟ୍ମେଣ୍ଟ କରିବା ପାଇଁ ତପିର। ଛତ୍ରପୁର ଡାକ୍ତର ପ୍ରିୟାଂଶୁ ପ୍ରଧାନ କଟି ସୁବାସ ଚନ୍ଦ୍ର ବେହେରା ପାଇଲେ ଟିକେଟ୍। ଯାହା ସମ୍ଭାବନା ଥିଲା ତାହା ହେଲା। ଏଠି ସୁରକ୍ଷିତ ବିଜେଡ଼ି, କିନ୍ତୁ ରାମ ପଣ୍ଡା କରିବେ କ’ଣ? ତାଙ୍କର ରାଜନୈତିକ କ୍ୟାରିୟର ନିଶ୍ଚୟ ପତନର ସଂକେତ। ଗୋପାଳପୁରର ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ୨୦୧୯ ନିର୍ବାଚନ ଅସହଜ କେବଳ ହେବନି ବରଂ ତାଙ୍କୁ ଶକ୍ତ ଆଘାତ ଦେବାକୁ ବିଜେଡ଼ିର ଅନ୍ତର୍କନ୍ଦଳ କାଳ ହେବ ଏବଂ ବିପଦ ଆସନ୍ନ। ସାନଖେମୁଣ୍ଡି ରମେଶ ଚନ୍ଦ୍ର ଜେନା କଂଗ୍ରେସରେ ସୁରକ୍ଷିତ। ବିଜେପିର ବିଜୟ ସ୍ୱାଇଁ ଓ ବିଜେଡ଼ିର ନନ୍ଦିନୀ ଦେବୀ ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଲେ ମଧ୍ୟ ରମେଶ ଜେନାଙ୍କ ପଲା ଭାରି। କବିସୂର୍ଯ୍ୟନଗରରେ ଲତିକା ପ୍ରଧାନ, ଭଂଜନଗରରେ ବିକ୍ରମ ଆରୁଖ, ଚିକିଟି ଉଷାଦେବୀ, ଦିଗପହଣ୍ଡି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଆତ୍ମବିଶ୍ୱାସ ବଢ଼ିଛି ଏବଂ ଏମାନଙ୍କ ସପକ୍ଷରେ ମଳୟ ବୋହୁଛି ବୋଲି ସାଧାରଣରେ ଚର୍ଚ୍ଚା। ଆସିକାରେ ମନୋଜ ଜେନାଙ୍କୁ କଂଗ୍ରେସ ଟିକଟ ଦେଇଛି ଏବଂ ମଂଜୁଳା ସ୍ୱାଇଁ, ସ୍ୱର୍ଗତ ଲଡ଼ୁ ସ୍ୱାଇଁଙ୍କ ପତ୍ନି ଭାବରେ ସହାନୁଭୂତିକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବ। ତେବେ ହରପ୍ରସାଦ ସାହୁଙ୍କ ପରି ଅଭିଜ୍ଞ ରାଜନେତାଙ୍କ ପାଇଁ ନିର୍ବାଚନରେ ସ୍ଥାନରେ ନିରୁଦ୍ଦିଷ୍ଟ ହେଲେବି ତାଙ୍କ ସାଙ୍ଗଠନିକ ଦକ୍ଷତାର ମାପକାଠି ତାଙ୍କୁ ଯଦି ନିର୍ବାଚନରେ ପ୍ରଶ୍ରୟ ଦିଏ, ଖଲିକୋଟ କିମ୍ୱା କବିସୂର୍ଯ୍ୟନଗର ବିଜେଡ଼ି ହାତରୁ ଚାଲିଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଗଂଜାମ ଜିଲ୍ଲାରେ ମୁଖ୍ୟତଃ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଆସିକା ସଂସଦୀୟ କ୍ଷେତ୍ର ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସମ୍ମୁଖୀନ ହେବେ ସମସ୍ତ ଶାସକ ଦଳର ପ୍ରାର୍ଥୀ। ଦୁଇ ଦଶନ୍ଧିର ବିଜେଡ଼ି ଗଡ଼ରେ ବିଜେଡ଼ିର ବିଦ୍ରୋହରେ ନବୀନ ବାବୁଙ୍କ ଆତ୍ମବିଶ୍ୱାସକୁ ଶକ୍ତ ଆଘାତ ଲାଗିବ। ବିଜେପିର ଠିକଣା ଟିକଟ୍ ବଣ୍ଟନ ହେଲେ ଖେଳ ଆଉରି ଜମିବ ନଚେତ୍ ସ୍ୱାଧୀନ ପ୍ରାର୍ଥୀ ଭାବରେ ପୁରୁଣା ବିଜେଡ଼ି ମୁହଁମାନେ ମିଳିମିଶି ନବୀନଙ୍କୁ ହରଡ଼ଘଣଣାରେ ପକାଇ ଏଇ ଗଂଜାମରୁ ଏକ ତିକ୍ତ ଅନୁଭବ ଦେବେ। ନବୀନଙ୍କ ହିଂଜିଳିର ସ୍ୱର ଶାଣିତ। ଏହା ବ୍ୟତୀତ ସବୁଠି ବିଦ୍ରୋହୀମାନେ ବିଜେଡ଼ିର ଟାଣପଣ ଭାଙ୍ଗିବେ। ଅପେକ୍ଷା ରହିଲା ମେ ୨୩ର ଫଳାଫଳକୁ।

Share :