ପଂଚାନବେର ପୁନରାବୃତ୍ତି ହେବ!

ପଂଚାନବେର ପୁନରାବୃତ୍ତି ହେବ!

Share :

ସ୍ୱତନ୍ତ୍ର ପ୍ରତିନିଧି ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ୧୯୯୫ ପରିଣାମର ପୁନରାବୃତି ହେବ! ଶାସକ ବିଜୁ ଜନତା ଦଳରେ ବୃଦ୍ଧି ପାଉଥିବା ଅସନ୍ତୋଷ ଓ ବିଦ୍ରୋହର ନିଆଁ ଦେଖି ଏହିପରି ସମ୍ଭାବନାର ଅଙ୍କ କଷୁଛନ୍ତି ରାଜନୀତିକ ସମୀକ୍ଷକ। ବାବୁରାଜ, ଦୁର୍ନୀତି ଓ ଅପାରଗତା ଯୋଗୁଁ ନବୀନ ପଟ୍ଟନାୟକ ସରକାରଙ୍କ ଭାବମୂର୍ତି ତୃଣମୂଳ ସ୍ତରରେ ମଳିନ ପଡ଼ିଯାଇଛି। କ୍ଷମତା ନଥିବାରୁ ବିଧାୟକମାନେ ଜନସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି। ବ୍ଲକ, ପୌରସଂସ୍ଥା, ଜଳସେଚନ ଓ ପୂର୍ତ ଆଦି ପ୍ରଶାସନରେ ପିସି ସଂସ୍କୃତି ବନ୍ଦ ହେବା ପରିବର୍ତେ ବ୍ୟାପ୍ତିଲାଭ କରିଛି। ଏଥିଯୋଗୁଁ ବିଜେଡି ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରଙ୍କର ଏହି ଦୋଷକୁ ବିଧାୟକ ଓ ସାଂସଦଙ୍କ ମୁଣ୍ଡରେ ଅଜାଡ଼ି ଦେଇ ପ୍ରାର୍ଥୀ ବଦଳାଇବା କୌଶଳ କରିଛନ୍ତି। ତାଙ୍କର ମୂଳ ନିଷ୍ପତି ଅନୁସାରେ ୧୫ ସାଂସଦ ଓ ୬୫ ବିଧାୟକ ପ୍ରାର୍ଥୀ ବଦଳିବା କଥା। ତାଙ୍କ ନିର୍ଦ୍ଦେଶରେ ଦଳର ପରିଚାଳକମାନେ ବିକଳ୍ପ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଥିଲେ। ଏନେଇ ସଂକେତ ମିଳିବା ପରେ ଅନେକ ସ୍ଥାନରେ ବିଧାୟକମାନଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ପରସ୍ପର ବିରୋଧରେ ଅଭିଯାନ ଚଳେଇଲେ। କଟକ ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ବିରୋଧରେ ସ୍ଥାନୀୟ ବିଜେଡି କର୍ମୀମାନେ ଖୋଲାଖୋଲି ବିଦ୍ରୋହ କରି ନବୀନ ନିବାସରେ ଅର୍ଜି ଦାଖଲ କଲେ। ବିଧାୟକ ବିଧବା ଭତ୍ତା ଓ ପାଇଖାନାରୁ ମଧ୍ୟ ପିସି ନିଅନ୍ତି ବୋଲି ଅଭିଯୋଗ ହେଲା। ସେହିପରି ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକଙ୍କ ସପକ୍ଷରେ ଏବଂ ସମ୍ୱଲପୁର ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ବିଜେଡି କର୍ମୀମାନେ ବିଦ୍ରୋହ କଲେ। ଏଭଳି ବିଦ୍ରୋହ ସମ୍ଭାବନା ଦେଖି ସୁପ୍ରିମୋ ତାଙ୍କ କୌଶଳ ପରିବର୍ତ୍ତନ କରି ୬୫ ଜାଗାରେ ୪୦ ପ୍ରାର୍ଥୀ ବଦଳାଇବେ ବୋଲି ଗଣମାଧ୍ୟମ ଜରିଆରେ ସଂକେତ ଦେଲେ। କିନ୍ତୁ ପ୍ରଥମ ଦଫାରେ ଯେଉଁ ୯ ଲୋକସଭା ଆସନ ଓ ୫୪ ବିଧାନସସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ତନ୍ମଧ୍ୟରେ ୮ ସାଂସଦ ପ୍ରାର୍ଥୀ ଓ ୧୫ ବିଧାୟକ ପ୍ରାର୍ଥୀ ସଂପୂର୍ଣ୍ଣ ନୂଆ। ଏ ତାଲିକା ଘୋଷଣା କରାଯିବା ପରଠୁଁ ନେତୃତ୍ବ ବିରୋଧରେ ବିଦ୍ରୋହ ନିଆଁ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ସୁନ୍ଦରଗଡ଼ର ବିଜେଡି ନେତ୍ରୀ କୁସୁମ ଟେଟେ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କୁ ଚାକର ଭଳି ଖଟାଇ ପ୍ରତାରିତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମଧ୍ୟ ୬୦ କର୍ମକର୍ତ୍ତାଙ୍କ ସହି ଦଳ ଛାଡ଼ିଛନ୍ତି। ସେ କହିଛନ୍ତି ଯେ ବର୍ଷ ଯାକ ମାନ୍ଦ୍ରାଜରେ ରହୁଥିବା କଲ୍ୟାଣୀ ଗଜପତିଙ୍କୁ ଆଣି ପ୍ରାର୍ଥୀ କରାଯାଇଛି। ସେ ବ୍ଲକରେ କେତେଟା ପଂଚାୟତ ବି ଜାଣି ନାହାନ୍ତି। ରାଜନୀତିକ ସହିତ ପୂର୍ବରୁ କୌଣସି ସଂପର୍କ ନଥିବା ଏଭଳି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଦଳ ପାଇଁ କୋଡ଼ିଏ ବର୍ଷ ହେଲା ଖଟିଥିବା ଲୋକଙ୍କ ଦାବିକୁ ଅଣଦେଖା କରାଯାଇଛି। ଠିକ ସେହିପରି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ମଧ୍ୟ ନବୀନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ସେ କହିଛନ୍ତି ଯେ ପ୍ରାର୍ଥିତ୍ବ ସଂପର୍କରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଡାକି ନବୀନ ନିବାସରେ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ। ତାଙ୍କୁ ବା ତାଙ୍କ ପତ୍ନୀଙ୍କୁ ଯଦି ଟିକଟ ଦେବାର ନଥିଲା ସେ ସେତେବେଳେ ସିଧାସଳଖ କହିପାରିଥାନ୍ତେ। କହିପାରିଥାନ୍ତେ ଯେ ଏଥର ତୁମେ ଲଢ଼ନା, ଦଳ ପାଇଁ କାମ କର। ସେ ସତ୍‌ସାହସ ତାଙ୍କର ନଥିଲା। କିନ୍ତୁ ଆଲୋଚନା କରିବା ଫେରିବାର ଦି’ ଦିନ ପରେ ତାଙ୍କ ସ୍ଥାନରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଲୋକସଭା ପ୍ରାର୍ଥୀ କରାଗଲା। ଏହା ବିଶ୍ବାସଘାତ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ପରି କଳାହାଣ୍ଡିର ବିଜେଡି ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ ସମାନ ଅଭିଯୋଗ କରି ଦଳ ଛାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବି ଦଳ ଛାଡ଼ିବାକୁ ଚରମ ବାଣୀ ଶୁଣାଇଛନ୍ତି। ତାଙ୍କ ସ୍ଥାନରେ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ପ୍ରାର୍ଥୀ କରାଯିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ଦଳ ଯଦି ତାଙ୍କୁ ନୟାଗଡ଼ ବିଧାନସଭା ପ୍ରାର୍ଥୀ ନକରେ ତେବେ ସେ ନିଶ୍ଚୟ ଲଢ଼ିବେ ବୋଲି ପ୍ରତ୍ୟୁଷା ଘୋଷଣା କରିଛନ୍ତି। ପୂର୍ବରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଟିକଟ କଟିବ ବୋଲି ଜଣାପଡ଼ିବାରୁ ସେ ଦଳଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଏହି ପରିସ୍ଥିତି ଝାରସୁଗୁଡ଼ା, ଲାଞ୍ଜିଗଡ଼, ସୁନ୍ଦରଗଡ଼, ରାଉରକେଲା, ଚିଲିକା, ଖୋର୍ଦ୍ଧା, ବେଗୁନିଆ ଆଦି ନିର୍ବାଚନ ମଣ୍ଡଳୀରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦଳୀୟ ସୂତ୍ର ଅନୁସାରେ ବିଜେଡି ମୁଖିଆଙ୍କ ନଜରରେ ପ୍ରାର୍ଥୀ ପରିବର୍ତ୍ତନ ନେଇ ଯେଉଁସବୁ ଆସନ ରହିଛି ସେଗୁଡ଼ିକ ହେଲା ବଡ଼ସାହି, ଉଦଳା, କରଞ୍ଜିଆ, ସାରସକଣା, ବାରିପଦା, ମୋରଡ଼ା, ଜଳେଶ୍ୱର, ବସ୍ତା, ନୀଳଗିରି, ଚାନ୍ଦବାଲି, ବାସୁଦେବପୁର, ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ଯାଜପୁର, କୋରେଇ, ବରି, ବିଞ୍ଝାରପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ପାଟକୁରା, ପାରାଦୀପ, ନିଆଳି, କଟକ-ବାରବାଟୀ, ବାଙ୍କି, ପିପିଲି, କାକଟପୁର, ବେଗୁନିଆ, ଦଶପଲ୍ଲା, ରଣପୁର, ଛେଣ୍ଡିପଦା, ହିନ୍ଦୋଳ, କାକଟପୁର, ବ୍ରହ୍ମପୁର, ଆସ୍କା, ଲାଞ୍ଜିଗଡ଼, ଜୁନାଗଡ଼, ଭବାନୀପାଟଣା, ରେଙ୍ଗାଲି, ଝରିଗାଁ, ମାଲକାନଗିରି। ଏହିସବୁ ଆସନରେ ଯେଉଁମାନଙ୍କୁ ପ୍ରାର୍ଥୀ କରାଯିବ ସେମାନଙ୍କୁ ଦଳ ତରଫରୁ ସଂକେତ ଦିଆସରିଛି। ଏହା ଜଣାପଡ଼ିବା ପରେ ଯେଉଁ ଅସନ୍ତୋଷର ଜୁଆର ସୃଷ୍ଟି ହୋଇଛି ତାହା ପ୍ରଶମିତ କରିବା ପାଇଁ ଦଳୀୟ ପରିଚାଳକମାନେ ଅସମର୍ଥ ଥିବା ଜଣାପଡ଼ୁଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ ବିଦ୍ରୋହର ଉପଯୁକ୍ତ ମୁକାବିଲା କରାନଗଲେ ୫୦ ଉପରେ ବିଧାନସଭା ଆସନରେ ବିଦ୍ରୋହୀ ପ୍ରାର୍ଥୀ ଲଢ଼େଇ କରିବା ଅସମ୍ଭବ ନୁହେଁ। ଶକ୍ତିଶାଳୀ ସ୍ୱାଧୀନ ପ୍ରାର୍ଥୀମାନେ ଗୋଟେ ଗୋଟେ ନିର୍ବାଚନ ମଣ୍ଡଳୀରେ ୨-୧୦ ହଜାର ଭୋଟ କାଟିଦେଲେ ବି ପରିଣାମ ସଂପୂର୍ଣ୍ଣ ଓଲଟପାଲଟ ହୋଇଯିବ। ତ୍ରିକୋଣୀୟ ପ୍ରତିଯୋଗିତାରେ ସ୍ୱାଧୀନ ପ୍ରାର୍ଥୀଙ୍କ ଭୋଟ ନିର୍ଣ୍ଣାୟକ ହେଲେ ଅଳ୍ପ ଭୋଟରେ ଜୟ-ପରାଜୟ ନିର୍ଦ୍ଧାରିତ ହେବ। ସେହି ପରିସ୍ଥିତିରେ ଶାସକ ଦଳର ବିପୁଳ କ୍ଷତି ହେବାର ଆଶଙ୍କା ରହିଛି। ୧୯୯୫ ମସିହାରେ ଠିକ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଥର ମଧ୍ୟ ଟିକଟରୁ ବଂଚିତ ଅନେକ ଆଶାୟୀ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼େଇ କରିଥିଲେ। ସେମାନେ କିଛି କିଛି ଭୋଟ ଏପଟସେପଟ କରିଦେବାରୁ ପୂର୍ବ ନିର୍ବାଚନରେ ୧୨୩ ଆସନ ପାଇଥିବା ବିଜୁବାବୁଙ୍କ ଜନତା ଦଳର ବିଧାୟକ ସଂଖ୍ୟା ୪୬କୁ ଖସି ଆସିଥିଲା। ଦଳର ପ୍ରାୟ ଦୁଇ ଡଜନ ପ୍ରାର୍ଥୀ ୧୫୦୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ।

Share :