କ’ଣ କରିଛନ୍ତି କେନ୍ଦୁଝର ନେତା?

କ’ଣ କରିଛନ୍ତି କେନ୍ଦୁଝର ନେତା?

Share :

ସତ୍ୟଜିତ ସାମନ୍ତରାୟ ଆଜ୍ଞା ଆମେତ ମଳି ମୁଣ୍ଡିଆ ଚାଷୀ। ମୁଖ୍ୟମନ୍ତ୍ରୀ ପଚାରୁଛନ୍ତି ଆପଣମାନେ ଖୁସି ତ, ମୁଁ ବହୁତ ଖୁସି? ସେ ତ ଖୁସି ହବା କଥା- ହେଲିକପ୍ଟରରେ ବୁଲୁଛନ୍ତି, ଏୟାରକଣ୍ଡିସନ୍‌ଡ ଘରେ ରହୁଛନ୍ତି, ମାଗଣାରେ ବୁଲୁଛନ୍ତି, ତାଙ୍କର ସମସ୍ତ କାର୍ଯ୍ୟ ଅନ୍ୟମାନେ କରି ଦେଉଛନ୍ତି। କିନ୍ତୁ ଆମେ କେମିତି ଖୁସି ହେବୁ? କାହିଁ ଆମକୁ ତ ପଚାରୁ ନାହାନ୍ତି? ପାଂଚ ବର୍ଷପରେ ପୁଣି ଆସିଛି ନିବାର୍ଚନ। ନିବାର୍ଚନ ଆସିଗଲେ ନେତା ଓ ବଜାରର ଚଳଚଂଚଳ ସାଧାରଣ କଥା। ନିର୍ବାଚନ ଯେତିକି ପାଖେଇ ଆସୁଛି ଲୋକଙ୍କ ଭିତରେ ଆଗ୍ରହ ସେତକି ବଢୁଛି। କିଏ ହେବ ତାଙ୍କର ପସନ୍ଦ ଯୋଗ୍ୟ ପ୍ରାର୍ଥୀ? କାହାକୁ ଦଳ ପ୍ରର୍ଥୀ କରିବ? ଯିଏ ପ୍ରର୍ଥୀ ହେବ ପୂର୍ବ ବର୍ଷମାନଙ୍କ ଭଳି କିଛି କାର୍ଯ୍ୟ କରିବାର ବା କେନ୍ଦୁଝରର ସର୍ବାଙ୍ଗୀନ ଉନ୍ନତିରେ ଧାର ଧାରୁନଥିବା ଭଳି ହେବନିତ? ଏସବୁ ପ୍ରଶ୍ନ ଏବେ ସାଧାରଣ ଜନତାଙ୍କ ଭିତରେ ଉଙ୍କି ମାରୁଥିବା ବେଳେ ନେତା ସବୁ ଚନ୍ତାରେ ଓ ପ୍ରବଳ ଚାପ ଭିତରେ ଭୁବନେଶ୍ୱର ଚକ୍କର କାଟୁଥିବା ଦେଖିବାକୁ ମିଳୁଛି। ଆଶାୟୀ ଅନେକ। ଟଙ୍କାର ଖେଳ ବି ଭିତରେ ଭିତରେ ଘନଉଥିବା ଚର୍ଚ୍ଚା ଚାଲିଛି। ଏଥର ତାଙ୍କ ପଦ ରହିବ ତ? ଆଉ ମାତ୍ର କେଇ ଦିନ ଭିତରେ ସବୁ ଘୋଷଣା ପରେ କେବଳ ସେହି ସମୟ କହିବ। ସମସ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରାର୍ଥୀ ତାଲିକା ଘୋଷଣା ହେବ। କିନ୍ତୁ କେନ୍ଦୁଝରବାସୀ କ’ଣ ଚାହୁଁଛନ୍ତି? ପ୍ରାର୍ଥୀ ଚୟନରେ ତାଙ୍କ ପରାମର୍ଶ କ’ଣ ନିଆଯାଉଛି? ତାଙ୍କ ସମସ୍ୟା ସମାଧାନ ଦିଗରେ କ’ଣ ପ୍ରାର୍ଥୀ କାର୍ଯ୍ୟ କରିବେ? ନା କେବଳ ପାର୍ଟିର ଉନ୍ନତି କଳ୍ପେ କାର୍ଯ୍ୟ କରି ହାଇକମାଣ୍ଡଙ୍କୁ ସନ୍ତୁଷ୍ଟ କରିବେ? ଏମିତି ଅନେକ ପ୍ରଶ୍ନ ଏବେ ଗାଁ ଦାଣ୍ଡରୁ ଆରମ୍ଭ କରି ଚା ଦୋକାନ ପର୍ଯ୍ୟନ୍ତ ଘନେଇବାରେ ଲାଗିଛି। ଗତ ଦୁଇ ଦୁଇଟି ନିର୍ବାଚନନରେ କେନ୍ଦୁଝର ଜିତେଇଥିବା ପ୍ରତିନିଧି କେବଳ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସେମଧ୍ୟରୁ ଅଧିକାଂଶ ଅନିଶ୍ଚିତତା ଭିତରେ। କେବଳ କିଛି ଠିକାଦାରଙ୍କ ସନ୍ତୁଷ୍ଟିକୁ ଛାଡି ଦେଲେ ଓ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକଙ୍କ ଆର୍ଥିକ ଉନ୍ନତି ବହୁଗୁଣିତ ହୋଇଥିବା ବେଳେ କେନ୍ଦୁଝରର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ଖଣି ଅଂଚଳର ବିକାଶ ଅନ୍ୟ ନିବାର୍ଚନ ମଣ୍ଡଳୀ ତୁଳନାରେ ବହୁ ପଛରେ ପଡି ରହିଛି। କେବଳ ଜଣେ ଦୂରଦୃଷ୍ଟି ସଂପନ୍ନ ନେତା ହିଁ କେନ୍ଦୁଝରର ବିକାଶରେ ସହାୟକ ହେବ, ଏହା ବିଭିନ୍ନ ରାଜନୈତିକ ଦଳ ଭୁଲି ଯାଉଛନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଦୂରଦୃଷ୍ଟି ଥିବା ନେତା କେବେ ହେଲେ କୌଣସି ଦଳ କିମ୍ୱା ହାଇକମାଣ୍ଡଙ୍କୁ ଆର୍ଥିକ ଦିଗରେ ଖୁସି କରାଇ ପାରିବନାହିଁ। ହୁଏତ କେବଳ କେନ୍ଦୁଝର ପ୍ରସିଦ୍ଧ ଫୁଲବଡି ଦେଇ ସନ୍ତୁଷ୍ଟ କରାଇ ପାରେ। କେନ୍ଦୁଝରର ସାଧାରଣ ଲୋକେ ଖଣି ଅଂଚଳରେ ରାସ୍ତାଘାଟର ବିକାଶ ସହ ସେହି ଅଂଚଳରେ ପିଇବା ପାଣିର ସୁବିଧା, ସ୍କୁଲରେ ପିଲାଙ୍କ ଉତ୍ତମ ଶିକ୍ଷାର ସୁଯୋଗ ସୃଷ୍ଟି, ସ୍ଥାନୀୟ ଲୋକଙ୍କ ନିଯୁକ୍ତିର ସମ୍ଭାବନା, ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ସୁବିଧା ଯେଉଁ ନେତା କରିବାର ସାମର୍ଥ୍ୟ ରଖିଥିବେ କେନ୍ଦୁଝର ସେହିପରି ଜଣେ ନେତାଙ୍କୁ ପ୍ରତ୍ୟେକ ରାଜନୈତିକ ଦଳ ପ୍ରର୍ଥୀ କରାଇବାର ଆବଶ୍ୟକତା ରହିଛି। କେନ୍ଦୁଝରରେ ରାଜରାସ୍ତା ଅଧାପନ୍ତରିଆ ହୋଇ ପଡି ରହିଥିବା ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। କାନପୁରୁ ଡ୍ୟାମର ବିସ୍ଥାପିତଙ୍କ ସମସ୍ୟା ଏଯାଏ ତୁଟିନାହିଁ। ଡାକ୍ତରଖାନାରେ ଡାକ୍ତରଙ୍କ ଦେଖା ମିଳୁନି। ସ୍କୁଲରେ ଶିକ୍ଷକ ନାହାନ୍ତି। ଚାଷୀ ଚାଷ ପାଇଁ ପାଣି ପାଉନାହିଁ। ଯୋଗ୍ୟ ହିତାଧିକାରୀ ଘର କିମ୍ୱା ଭତ୍ତା ପାଇନାହିଁ। କିନ୍ତୁ ଆମ ନେତାଙ୍କ ପାଖରେ ଏପରି ସମସ୍ୟା ବିଷୟରେ ବୁଝିବାକୁୁ ନା ରହିଛି ସମୟ ନା ରହିଛି ପ୍ରତିବାଦର ସ୍ୱର। ତେବେ ଏଭଳି ପ୍ରର୍ଥୀଙ୍କୁ ଦଳ କାହିଁକି ଚୟନ କରୁଛନ୍ତି? କ’ଣ ଭୋଟରଙ୍କୁ ମିଥ୍ୟା ପ୍ରତିଶୃତି ଦେବା ପାଇଁ ଏମାନେ ନେତା? ନେତାଏ କିପରି ଭୁଲି ଯାଉଛନ୍ତି ଯେ ଜନତାଙ୍କ ହାତରେ ସେମାନଙ୍କ ଭାଗ୍ୟ। କେନ୍ଦୁଝର ଲୋକଙ୍କ ପାଇଁ ଗୁଡାଏ ମିଛ ପ୍ରତିଶୃତି ଦେଇଦେଲେ ଲାଭ କ’ଣ ? ସମସ୍ତ ରାଜନୈତିକ ଦଳମାନଙ୍କୁ ଅନୁରୋଧ ପୂର୍ବରୁ ନହେଲା ନାହିଁ, ଏଥର କିନ୍ତୁ ଜଣେ ସଚ୍ଚୋଟ ଓ ଦୂରଦ୍ରଷ୍ଟା ନେତାଙ୍କୁ ପ୍ରତିନିଧି ଭାବେ ଚୟନ କରନ୍ତୁ। ଯିଏ ସଠିକ ସମୟରେ ଜମିରେ ପାଣିର ସୁବିଧା କରାଇ ପାରିବ। ଖଣି ଉତ୍ତୋଳନକୁ କେନ୍ଦୁଝର ବାସୀ ବିରୋଧ କରୁନାହାନ୍ତି, କିନ୍ତୁ କେନ୍ଦୁଝରେର ଖଣିଜ ଭିତ୍ତିକ ବୃହତ ଶିଳ୍ପ କାରଖାନା ହେଉ। ସେଥିରେ କେବଳ କେନ୍ଦୁଝରବାସୀଙ୍କୁ ତାଲିମ ପ୍ରଦାନ କରି ନିଯୁକ୍ତ କରାଯାଉ। କେନ୍ଦୁଝରରେ ସମ୍ବଳର ଅଭାବ ନାହିଁ। କିନ୍ତୁ କେନ୍ଦୁଝରରୁ ଯାଇ ଭୁବନେଶ୍ୱରରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ରୋକିବାର ନେତା ନାହାନ୍ତି। ଏଠାରେ କେବଳ ହାଁଜି ସରକାର କହିବା ଆଶାୟୀ ଅନେକ। ଏଭଳି ନେତାଙ୍କଠାରୁ ଯେ କେନ୍ଦୁଝରର ବିକାଶ ଆଶା କରିହେବ ତାହା ସନ୍ଦେହ।

Share :