ଦଳ ନୁହେଁ ପ୍ରତିନିଧି ବାଛିବା

ଦଳ ନୁହେଁ ପ୍ରତିନିଧି ବାଛିବା

Share :

ଡି. ଶୁଭମ୍ ଏ ମହା ଜୀବନ ସୂର୍ଯ୍ୟ ସାରଥୀ ଅନ୍ଧ ତମସା ଫୁଲ। ତୁମରି ଛନ୍ଦେ ତୁମ ସୁଗନ୍ଧେ ଲଭିଛି ଏ ଜାତି ମୂଲ। ଆହେରେ ମଣିଷ ଭାଇ! ଗୋଟିଏ ପ୍ରଜ୍ଞା ପ୍ରଦୀପ ଜାଳିଛି ସମଗ୍ର ଓଡ଼ିଶା ପାଇଁ। ଏ ଉକ୍ତିଟିକୁ ଯଦି ଜଣେ ଜନପ୍ରତିନିଧି ସତ ମନ, ସତ ହୃଦୟ ଦେଇ ପାଳନ କରେ ସମଗ୍ର ଓଡ଼ିଶା ପାଇଁ ପ୍ରଦୀପ ଜାଳିପାରେ, ତାହେଲେ ସେ ହିଁ ପ୍ରକୃତ ଜନନେତା ହୋଇପାରିବେ। ନବୀନ ନିବାସ ହଉ କି କଂଗ୍ରେସ ଭବନ କି ବିଜେପି ରାଜ୍ୟ କାର୍ଯ୍ୟାଳୟ- ସବୁଠି ଏବେ ଓଜନଦାର ନେତାଙ୍କ ଭିଡ଼। ଟିକେଟ ଆଶାରେ ଏବେ ସବୁଦଳର ପ୍ରାର୍ଥୀ ନିଜ ରାଜନୈତିକ ବାୟୋଡ଼ାଟା ସହ ଡେ଼ରା ପକାଉଛନ୍ତି। ସବୁଆଡେ଼ ଏବେ ନିବାର୍ଚନର ଝଲକ। ମାଳମାଳ ପୋଷ୍ଟର ସହ ଏବେ ସବୁ ନିଜ ଦଳ ପାଇଁ ପ୍ରଚାର କରିବାରେ ବ୍ୟସ୍ତ। ଖବରକାଗଜ ହେଉ କି ପୋଷ୍ଟର ସବୁଠି ଏବେ ନିବାର୍ଚନର ମାହୋଲ। ଏସବୁ ଭିତରେ ଜନତାମାନେ ଏବେ ନିଜ ଉପଯୁକ୍ତ ପ୍ରତିନିଧିମାନଙ୍କୁ ଚୟନକରିବା ପାଇଁବି ପ୍ରସ୍ତୁତ ହୋଇଗଲେଣି। ରାଜ୍ୟ ରାଜନୀତି ଏବେ ପୁଣି ଥରେ ଏକ ନୂଆ ମୋଡ଼ ନେବାକୁ ଯାଉଛି। କଥା ହେଉଛି ନେତା ଓ ଜନତା ପରସ୍ପରର ପରିପୂରକ। ଜନତାଙ୍କର ସୁଖଦୁଃଖର ସାଥୀ ନେତା। ନିବାର୍ଚନ ପାଂଚ ବର୍ଷ ପାଇଁ ହୁଏ। କିନ୍ତୁ ସଭିଏଁଙ୍କୁ ମନେ ରଖିବାକୁ ହେବ ଯେ ଜନତାର ଏକ ଆଶାବାଡ଼ିର ଭୂମିକା ନେଇଥାନ୍ତି ନେତା। ଏ ନିବାର୍ଚନ ରଣାଙ୍ଗନର ସେନାପତି ବି ଜନତା ଆଉ ସାରଥୀ ବି ଜନତା। ତେବେ ଏସବୁ ଭିତରେ ଜନତାଙ୍କୁ ଦୃଷ୍ଟିଦେବାକୁ ପଡ଼ିବ ଯେ ଏ ନିବାର୍ଚନରେ ଯେପରି ଏକ ସ୍ୱଚ୍ଛ ଓ ଲୋକାଭିମୁଖୀ ପ୍ରତିନିଧି ଚୟନ କରିବାକୁ ପଡ଼ିବ। କେବଳ ଭୋଟ ପାଇଁ ପ୍ରଚାର କରି ବସିଗଲେ ହେବନି ବରଂ ସବୁସମୟରେ ଲୋକଙ୍କ ପାଇଁ କାମ କରିବାର ଅହେତୁକ ସ୍ପୃହା ଦେଖାଯିବା ଆବଶ୍ୟକ। ଏବେ ଦଳଡ଼ିଆଁ ରୋଗ ଏକ ପ୍ରମୁଖ ନଜିର ରୂପେ ଉଭା ହେଲାଣି। କିଏ ଶାସକ ଦଳରେ, କିଏ ବିରୋଧୀ ଦଳରେ ମିଶ୍ରଣ ପର୍ବର ଆୟୋଜନ କଲେଣି। ଯାହା ଲାଗୁଛି ଏଥରର ନିର୍ବାଚନ ଜଟିଳ ରୂପ ଧାରଣ କରିବାକୁ ଯାଉଛି। ଏବେଠୁ ଚାଲିଲାଣି ଜୋରଦାର ଅଙ୍କକଷା। କିଏ ହେବ ଲୋକଙ୍କର ପ୍ରିୟ ଜନନେତା ? ଏସବୁକୁ ନେଇ ଚାଲିଲାଣି ତର୍କବିତର୍କ। ଭୋଟରମାନେ ବି ଏବେ ସଜବାଜ ହେଲଣି ନିଜ ପ୍ରିୟ ପ୍ରତିନିଧିଙ୍କୁ ମାନଙ୍କୁ ଚୟନ କରିବାକୁ। ଦୀର୍ଘ ୫ ବର୍ଷ ପରେ ପୁଣି କିଏ ସରକାର ଗଢ଼ିବ ତାକୁ ନେଇ ଚାଲୁଛି ତର୍କ। ଏପଟେ ସରକାରରେ ଥିବା ବିଜେଡ଼ି ଠୁ ଆରମ୍ଭ କରି ବିରୋଧି ବିଜେପି ଓ କଂଗ୍ରେସ ବି ସଜବାଜ ହେଲେଣି। ସଭିଏଁ ନିଜ ଯୋଜନାକୁ ଶତ ପ୍ରତିଶତ ଲୋକଙ୍କ ପାଖରେ ପହଂଚେଇବାକୁ ଉଦ୍ୟମ ଚଲାଇଛନ୍ତି । ଜନତାଙ୍କୁ ମନେ ରଖିବାକୁ ହେବ ଯେ ନିବାର୍ଚନ କେବଳ ଭୋଟ ଦେଇଦେଲେ ସରିଯାଏନି। ବରଂ ଏହା ପୁଣି ଦୀର୍ଘ ୫ ବର୍ଷ ପାଇଁ ସେମାନଙ୍କୁ ସୁରକ୍ଷା ଯୋଗାଇବ। ତେଣୁ ଏମିତି ଏକ ଜନପ୍ରିତନିଧି ବାଛିବାକୁ ପଡ଼ିବ ଯିଏ ଲୋକଙ୍କୁ ସୁରକ୍ଷା ଯୋଗାଇପାରୁଥିବ। ମିଠାମିଠା କଥା କହି କେଇ ଦିନ ଲୋକଙ୍କ ମନ ଜିଣିନେଲେ ଆଉ କେଇଖଣ୍ଡ ଭୋଟ ପାଇ ଜିତିଗଲେ ନେତାଙ୍କର କାମ ସରିଯାଏନି। ଲୋକଙ୍କର ରକ୍ଷାକବଚ ସାଜିବାକୁ ପଡ଼ିବ। ଏ ନିରାଟ ସତ୍ୟକୁ ସ୍ୱୀକାର କରିବାକୁ ହେବ। କନକମୟୀ କାନନିକା କଳନିନାଦିନୀ ସ୍ରୋତସ୍ୱିନୀ ଗୁରୁ ଗମ୍ଭୀର ଗିରିରାଜକୁ ନେଇ ଗଠିତ ଓଡ଼ିଶାପ୍ରଦେଶ। ଯାହା ସୌନ୍ଦର୍ଯ୍ୟ ପ୍ରାଣ ମାନବ ଚ଼କ୍ଷୁରେ ଲେପନ କରେ ମାୟାଞ୍ଜନ। ମାନବ ଚିତ୍ତକୁ କରେ ଉଲ୍ଲସିତ, ଜନଜୀବନରେ ଭରିଦିଏ ମାଦକତା ଏବଂ ଯିଏ ପ୍ରକୃତି ରାଣୀର ନିତ୍ୟ ନୂତନ ନୃତ୍ୟାଙ୍ଗନା ତାହା ହିଁ ଓଡ଼ିଶା। ଏସବୁ ଭିତରେ ନିର୍ବାଚନ ରାଜନୀତି ଓଡ଼ିଶାର ଏକ ଅଭେଦ୍ୟ ପାର୍ଶ୍ୱ। ନିଜେ ଜାଣିବା ଆଉ ଅନ୍ୟକୁ ଜଣାଇବାର ସେ ମହାନତା ହିଁ ନିବାର୍ଚନ। ଏଥରର ସପ୍ତଦଶତମ ସାଧାରଣ ନିବାର୍ଚନକୁ ଶୃଙ୍ଖଳିତ କରିବାକୁ ସଭିଏଁ ଶତଚେଷ୍ଟା କରିବା ଆବଶ୍ୟକ। ଦଳମତ ନିର୍ବିଶେଷରେ ଆମେ ଆମର ଉପଯୁକ୍ତ ପ୍ରତିନିଧିଙ୍କୁ ବାଛିବା, ଏହାକୁ ମନଭିତରେ ରଖିବାକୁ ପଡ଼ିବ। ଏଥରର ନିବାର୍ଚନ ରଣାଙ୍ଗନ କିପରି ସ୍ବଚ୍ଛ ହେବ ସେ ଦିଗରେ ସମସ୍ତେ ଧ୍ୟାନଦେବା ଦରକାର। ଓଡ଼ିଶାକୁ ସେମିତି ଏକ ସରକାର ଦରକାର ଯିଏ ଓଡ଼ିଶାକୁ ବିଶ୍ବ ସ୍ତରରେ ପରିଚିତ କରେଇପାରୁଥିବ ଆଉ ଗର୍ବରେ ଆମେ ମୁଣ୍ଡଟେକି କହି ପାରୁଥିବା ଯେ ଆମେ ଓଡ଼ିଆ। ସମ୍ପାଦକ, ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର , ଭଦ୍ରକ ମୋ - ୯୪୩୮୪୬୭୦୭୯

Share :