ସ୍ବତନ୍ତ୍ର ପ୍ରତିନିଧି ଏଥର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କର ସ୍ଥିତି ଠିକ ନାହିଁ। ସେଠାରୁ ସେ ପ୍ରତିଦ୍ବନ୍ଦ୍ବିତା କଲେ ଭୋଟରଙ୍କ ଅସନ୍ତୋଷର ମୁକାବିଲା କରି ଜିତିବା କଷ୍ଟକର ଥିଲା। ଏଭଳି ଏକ ଗୁଇନ୍ଦା ରିପୋର୍ଟ ସଂପର୍କରେ ଅବଗତ ହେଲା ପରେ ନବୀନବାବୁ ନିରାପଦ ଆସନ ବିଜେପୁରକୁ ବାଛିଛନ୍ତି। ଏହି ଗୁଇନ୍ଦା ରିପୋର୍ଟର ଏକ ନକଲ ଦେଖାଇ ବିଜେପି ଏଇ ଅଭିଯୋଗ କରିଛି। କିନ୍ତୁ ଏହା ଏକ ଜାଲ୍ ରିପୋର୍ଟ ବୋଲି ଟୁଇଟ୍ କରି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଆରପି ଶର୍ମା। ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏତଲା ରୁଜୁ ହେବ ବୋଲି ସେ ଘୋଷଣା କରିଛନ୍ତି। ଏହି ତଥାକଥିତ ଗୁଇନ୍ଦା ରିପୋର୍ଟ ଅନୁସାରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହିଞ୍ଜିଳିରେ ସ୍ଥିତି ଭଲ ନାହିଁ। ୨୦୧୯ ମାର୍ଚ୍ଚ ୧୫ ତାରିଖରେ ପୁଲିସ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜିଙ୍କର ଏକ ରିପୋର୍ଟ ସରକାରଙ୍କୁ ମିଳିଥିଲା। ସେହି ରିପୋର୍ଟ ଅନୁସାର ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କର ସ୍ଥିତି ଭଲ ନାହିଁ। ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଯଦିଓ ଅତୁଟ ରହିଛି ତଥାପି ମୌଳିକ ସୁବିଧା ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକ ଅସନ୍ତୁଷ୍ଟ ଅଛନ୍ତି। କାଳିଆ ଯୋଜନାରେ ଜାଲ ହିତାଧିକାରୀଙ୍କୁ ଟଙ୍କା ବଣ୍ଟାଯିବାର ଅନେକ ଉଦାହରଣ ଲୋକମାନଙ୍କୁ ଅଧିକ ଅସନ୍ତୁଷ୍ଟ କରିଛି। ତିତିଲ ବାତ୍ୟା ପରେ କେବଳ ବିଜେଡି କର୍ମୀଙ୍କୁ ରିଲିଫ ଓ ଅନ୍ୟାନ୍ୟ ସହାୟତା ମିଳିବା ମଧ୍ୟ ଜନ ଅସନ୍ତଷୋର ଅନ୍ୟ ଏକ କାରଣ। ଏଭଳି ସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାରିଟି ନିରାପଦ ଆସନର ପ୍ରସ୍ତାବ ଦେଇଥିଲଷ ସ୍ବତନ୍ତ୍ର ଡିଜି। ସେହି ଆସନଗୁଡ଼ିକ ହେଲା ସୁନ୍ଦରଗଡ଼ର ରାଉରେକଲା, ବରଗଡ଼ର ବିଜେପୁର, ବଲାଙ୍ଗୀରର ବଲାଙ୍ଗୀର ଓ ଟିଟିଲାଗଡ଼। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଯାଇଥିଲା। ଏହି ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଦଳୀୟ ନେତାମାନଙ୍କୁ ଡାକି ସେଠାରୁ ଲଢ଼ିବା ପାଇଁ ତାଙ୍କୁ ଅନୁରୋଧ କରିବାକୁ ନିର୍ଦ୍ଦେଶ ଦେଲେ। ତାଙ୍କ ନିର୍ଦ୍ଦେଶ ପାଇଲା ପରେ ପଶ୍ଚିମ ଓଡ଼ିଶାର ଅନେକ ଦଳୀୟ ନେତା ନବୀନ ନିବାସ ଯାଇଁ ତାଙ୍କୁ ପଶ୍ଚିମ ଓଡ଼ିଶାର ଯେକୌଣସି ଆସନରୁ ଲଢ଼ିବା ପାଇଁ ଅନୁରୋଧ କଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳର ସବୁ ବିଧାୟକ ନିଜନିଜ ଆସନ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ସେ ଯେଉଁଠୁ ଚାହିଁବେ ସେଠାରୁ ଲଢ଼ିବେ। ସେମାନେ ଏପରି ଅନୁରୋଧ କରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଲେ ଯେ ପଶ୍ଚିମ ଓଡ଼ିଶାବାସୀ ସେଠାରୁ ଲଢ଼ିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ସେ ଗମ୍ଭୀରତାର ସହିତ ସେହି ପ୍ରସ୍ତାବ ଉପରେ ଅନୁଧ୍ୟାନ କରୁଛନ୍ତି। ଏହାର ଦୁଇ ଦିନ ପରେ ସେ ଉଭୟ ହିଞ୍ଜିଳି ଓ ବିଜେପୁରରୁ ନିଜର ପ୍ରାର୍ଥିତ୍ବ ଘୋଷଣା କଲେ। ବିଜେପିର ଏ ରିପୋର୍ଟ ପ୍ରଦର୍ଶନ ପରେ ଡିଜି ଡକ୍ଟର ଶର୍ମା ଟୁଇଟ୍ କରି ଏହା ଜାଲ୍ ଓ କପୋଳକଳ୍ପିତ ରିପୋର୍ଟ ବୋଲି କହିଛନ୍ତି। ଏହା ବିରୋଧରେ ଏତଲା ଦିଆଯିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଦେଇଛନ୍ତି।