ଭୂମିହୀନଙ୍କ ପାଇଁ ନାହିଁ, ଶିଳ୍ପ ପାଇଁ ଜମି ବ୍ୟାଙ୍କ

ଭୂମିହୀନଙ୍କ ପାଇଁ ନାହିଁ, ଶିଳ୍ପ ପାଇଁ ଜମି ବ୍ୟାଙ୍କ

Share :

ଓଡ଼ିଶାର ୪.୫ ଲକ୍ଷ ଲୋକ ଭୂମିହୀନ | ଏମାନଙ୍କର ରହିବା ପାଇଁ ଘର ନାହିଁ କି ଘରଡିହ | ଯା’ର ଘରଡିହ ନାହିଁ ତା’ର ଚାଷଜମି ଥିବ ବୋଲି କଳ୍ପନା କରିବା ବି ଗଅହଣୀୟ ନୁହେଁ | ଏଭଳି ଭୂମିହୀନ ଲୋକମାନଙ୍କୁ ଜମି ଯୋଗାଇବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସରକାର ପ୍ରତିଶ୍ରୁତି ଦେଇଛନ୍ତି | ଶାସକ ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାରରେ ଏ ବିଷୟ ଗତ ଚାରିଟି ଯାକ ସାଧାରଣ ନିର୍ବାଚନରେ ସ୍ଥାନ ପାଇଛି | କଂଗ୍ରେସ ଇସ୍ତାହାରରେ ତ ଏ ବିଷୟ ସ୍ବାଧୀନତା ପରଠୁଁ ରହି ଆସିଛି | ଭାରତୀୟ ଜନତା ପାର୍ଟି ମୂଳତଃ ଏକ ପୁଂଜିବାଦୀ ଦଳ ହେଲେ ମଧ୍ୟ ଭୋଟରଙ୍କୁ ଆକର୍ଷଣ କରିବା ପାଇଁ ଏହି ଦଳ ମଧ୍ୟ ଗଲା କେଇଟି ନିର୍ବାଚନରେ ଏଭଳି ପ୍ରତିଶ୍ରୁତି ଦେଇ ଚାଲିଛି | ତେବେ ଓଡ଼ିଶାରେ ସୃଷ୍ଟି ହୋଇଛି ଏକ ବିଚିତ୍ର ପ୍ରକାର ପରିସ୍ଥିତି | ଓଡ଼ିଶାରେ ଭୂମିହୀନଙ୍କୁ ଦେବା ପାଇଁ ଆଉ ଜମି ନାହିଁ ବୋଲି ସରକାରଙ୍କର ଏକ ଅଙ୍ଗ ଘୋଷଣା କରିଥିବାବେଳେ ଶିଳ୍ପପତିଙ୍କ ପାଇଁ ସରକାର ୧ ଲକ୍ଷ ଏକରର ଏକ ଜମି ବ୍ୟାଙ୍କ କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି | କହିବା ବାହୁଲ୍ୟ ରାଜ୍ୟର ଅଧିକାଂଶ ଶିଳ୍ପପତି ହେଲେ ଅଣଓଡ଼ିଆ | ଅର୍ଥାତ ଓଡ଼ିଶାର ଗରୀବ ଭୂମିହୀନ ଓଡ଼ିଆ ଲୋକଙ୍କୁ ଦେଲାବେଳକୁ ଓଡ଼ିଶା ସରକାର ଜମି ନାହିଁ ବୋଲି କହୁଥିବାବେଳେ ଶିଳ୍ପପତିଙ୍କୁ ଜମି ଦେବା ପାଇଁ ଗରୀବ ଚାଷୀଙ୍କଠାରୁ ସ୍ଥଳବିଶଷରେ ଜୋରଜବରଦସ୍ତ ଜମି ଛଡ଼େଇ ଅଣାଯାଉଛି | ସୂଚନା ଅଧିକାର ଆଇନ ବଳରେ ଜଣେ କର୍ମୀ ମାଗିଥିବା ତଥ୍ୟ ପ୍ରଦାନ କରି ସରକାର କହିଛନ୍ତି ଯେ ରାଜ୍ୟର ୧.୪୦ ଲକ୍ଷ ଭୂମିହୀନ ପରିବାରଙ୍କ ମଧ୍ୟରେ ଜମି ବଣ୍ଟନ କରିବା ପରେ ଆଉ ସରକାରଙ୍କ ନିକଟରେ ବଳକା ଜମି ନାହିଁ | ବଳକା ଜମି ମୁଖ୍ୟତଃ ଭୂମିହୀନ ଆଦିବାସୀ ଓ ଦଳିତଙ୍କ ମଧ୍ୟରେ ବଣ୍ଟନ କରାଯାଇଛି | ରାଜ୍ୟ ରାଜସ୍ବ ପର୍ଷଦ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ମୋଟ ଉପରେ ୧,୫୭,୪୧୫ ଏକର ବଳକା ଜମି ଭୂମିହୀନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି | ଏବେ ବଣ୍ଟନ ପାଇଁ ମାତ୍ର ୯୧.୫୫ ଏକର ବଳକା ଜମି ରହିଛି | ବଳକା ରହିଥିବା ଆଉ କିଛି ଜମି ମଧ୍ୟରୁ ୧୦ ହଜାର ଏକର ଜମି ନେଇ ବିଭିନ୍ନ କୋର୍ଟକଚେରୀରେ ମକଦ୍ଦମା ଲାଗି ରହିଛି | ଏଥିରୁ ୨୩୦୦ ଏକର ଜମି ଚାଷୋପଯୋଗୀ ନୁହେଁ | ସେହିପରି ୬୩୦୦ ଏକର ଜମି ଅନ୍ୟ ଉଦ୍ଦେଶ୍ୟ ପାଇଁ ସଂରକ୍ଷିତ ରହିଛି ବୋଲି ରାଜସ୍ବ ପର୍ଷଦର ସୂଚନା ଅଧିକାରୀ ତଥ୍ୟ ପ୍ରକାଶ କରିଛନ୍ତି | ସରକାର କେନ୍ଦ୍ରାପଡ଼ାରେ ସର୍ବନିମ୍ନ ୨୩୪ ଏକର ଏବଂ ରାୟକଗଡ଼ାରେ ସର୍ବାଧିକ ୨୩,୮୪୧ ଏକରର ବଳକା ଜମି ଭୂମିହୀନଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି| ତେବେ ଜମି ପାଇଥିବା ଅନେକ ଲୋକ ମଧ୍ୟ ଜମିର ପ୍ରକୃତ ଦଖଲ ପାଇ ନାହାନ୍ତି | ତାହା ପୂର୍ବପରି ପୂର୍ବତନ ମାଲିକଙ୍କ ଦଖଲରେ ରହିଛି | ଜମି ସିଲିଂ ଆଇନ ଏବଂ ଭୂଦାନ ଆନ୍ଦୋଳନ ପ୍ରଭାବରେ ଜମି ଛାଡ଼ିଥିବା ଅନେକ ଲୋକ ଭଲ ଜମି ପାଖରେ ରଖି ଖରାପ ଜମି ଛାଡ଼ିଛନ୍ତି | ସେହି ଖରାପ ଜମି ବା ଚାଷ ପାଇଁ ଅନୁପଯୁକ୍ତ ଜମିକୁ ପାଇଥିବା ଭୂମିହୀନ ଲୋକମାନେ କାଗଜପତ୍ରରେ ଜମି ମାଲିକ ହୋଇଥିଲେ ହେଁ ବାସ୍ତବରେ ସେମାନଙ୍କ ପାଇଁ ସେମାନଙ୍କ ଜମିର କଔଣସି ମୂଲ୍ୟ ନାହିଁ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାର ୧୯୭୪ ମସିହାରେ ଜମି ସିଲିଂ ଆଇନ ପ୍ରଣୟନ କରିଥିଲେ | ସେତେବେଳେ ଏହାକୁ ସମଗ୍ର ଭାରତବର୍ଷରେ ଭୂସଂସ୍କାର ଦିଗରେ ଏକ ବୈପ୍ଳବିକ ଆଇନ ଭାବେ ଗ୍ରହଣ କରାଯାଇଥିଲା | ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନନ୍ଦିନୀ ଶତପଥି | ତା’ ପୂର୍ବରୁ ନବକୃଷ୍ଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିଲା ସମୟରେ ୧୯୫୪ ମସିହାରେ ରାଜ୍ୟରେ ଭୂସଂସ୍କାର ଆଇନ ପ୍ରଣୀତ ହୋଇଥିଲା | ତାହା ମଧ୍ୟ ଥିଲା ଏକ ବୈପ୍ଳବିକ ଆଇନ | ଏ ଦୁଇଟ ଆଇନ ଯଦି କାର୍ଯ୍ୟକାରୀ ହୋଇଥାନ୍ତା ତେବେ ଓଡ଼ିଶାର ଦାରିଦ୍ର୍ୟ କେଉଁ କାଳୁ ଲୋପ ପାଇସାରନ୍ତାଣି | କିନ୍ତୁ ବିଭିନ୍ନ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଆଜିଯାକେ ଏହି ଦୁଇଟି ଆଇନକୁ ରାଜ୍ୟରେ ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରାଇ ଦେଇ ନାହାନ୍ତି | ସ୍ବାଧୀନତା ସମୟର ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ୫୩ ପ୍ରତିଶତ ପ୍ଲଟର ମାଲିକ ହେଉଛନ୍ତି ମାତ୍ର ୭ ପ୍ରତିଶତ ଲୋକ | ଏବେ ମଧ୍ୟ ରାଜ୍ୟର ୨୦ ପ୍ରତିଶତ ଲୋକଙ୍କ ହାତରେ ୮୦ ପ୍ରତିଶତ ଉପରେ ଜମି ରହିଥିବା ସରକାରୀ ରେକର୍ଡ଼ରୁ ଜଣାପଡ଼େ | ଏହା ହିଁ ଓଡ଼ିଶାରେ ଧନୀ-ଗରୀବ ତାରତମ୍ୟର ମୂଳଭିତ୍ତି | ରାଜ୍ୟର ଅଧିକାଂଶ ଚାଷୋପଯୋଗୀ ଜମି ଅନୁପସ୍ଥିତ ଜମିଦାରଙ୍କ ପାଖରେ ରହିଛି | ଏଭଳି ଲୋକମାନେ ଅନ୍ୟ ବୃତ୍ତିରେ ନିଯୁକ୍ତ ଥିଲେ ମଧ୍ୟ ବାଟିବାଟି ଜମି ରଖିଛନ୍ତି | ଲ୍ୟାଣ୍ଡ ସିଲିଂ ଆଇନ ଅନୁସାରେ ଲୋକଙ୍କ ନିକଟରେ ନିର୍ଦ୍ଧାରିତ ପରିମାଣର ଜମି ରଖି ବାକି ସରକାର ନେଇଯିବେ ଓ ତାହାକୁ ଭୂମିହୀନଙ୍କ ମଧ୍ୟରେ ବଣ୍ଟନ କରିବେ | ଉପକୂଳ ଅଂଚଳର କେତେକ ଜିଲ୍ଶାରେ ଏହି ଆଇନ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି | କିନ୍ତୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଏ ଆଇନ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ | ରାଜନୀତିକ ସ୍ବାର୍ଥ ଏ ଦିଗରେ ମୁଖ୍ୟ ପ୍ରତିବନ୍ଧକ | ରାଜ୍ୟର ଭୂସଂସ୍କାର କମିଶନର ନିକୁଂଜ କିଶୋର ସୁନ୍ଦରରାୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିକଟରେ ଯେତିକି ଜମି ଥିଲା ତାହାକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି | ଏକ୍ଷେତ୍ରରେ ସରକାରଙ୍କର ସଫଳତାର ହାର ହେଉଛି ୯୬ ପ୍ରତିଶତ | ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ଅନ୍ୟ କେତେ ଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଇନ ହେବାର ପ୍ରଥମ କେଇ ବର୍ଷ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ଉତ୍ସାହ ଓ ଉଦ୍ଦିପନା ଦେଖାଦେଇଥିଲା | କିନ୍ତୁ ତା’ପରଠୁଁ ଏନେଇ ଆଉ କେହି ଚିନ୍ତା ପ୍ରକଟ କରୁ ନାହାନ୍ତି | ବିଶେଷକରି ଗତ ଦୁଇ ଦଶନ୍ଧି ହେଲା ଲ୍ୟାଣ୍ଡ ସିଲିଂ ଆଇନ ନେଇ କେହି ମୁଣ୍ଡ ଖେଳାଉ ନାହାନ୍ତି | ଅଥଚ ଏହି ସମୟ ମଧ୍ୟରେ ରାଜ୍ୟ ସରକାର ବାହାର ରାଜ୍ୟର ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଲକ୍ଷାଧିକ ଏକର ଜମି ଦେଇ ସାରିଛନ୍ତି | ତଥାପି ସେମାନଙ୍କ ପାଇଁ ଜମି ନିଅଣ୍ଟ ହେଲା ବୋଲି ଅନୁଭବ କରି ରାଜ୍ୟ ସରକାର ଆଉ ୧ ଲକ୍ଷ ଏକରର ଏକ ଜମି ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି | ରାଜ୍ୟରେ ଜଣେ ଜଣେ ଶିଳ୍ପପତି ଗୋଟେ ଗୋଟେ ଜାଗାରେ ୧୦ ହଜାର ଏକର ଯାଏଁ ଜମିର ମାଲିକାନା ରଖିଛନ୍ତି | ଏଭଳ ଲୋକଙ୍କ ପାଇଁ ଲ୍ୟାଣ୍ଡ ସିଲିଂ ଆଇନ ଲାଗୁ ହୋଇନାହିଁ | ଅନେକ ଧନୀ ଲୋକ ମଧ୍ୟ ନିଜ ପାଇଁ ଲ୍ୟାଣ୍ଡ ସିଲିଂ ଆଇନରେ ଧାର୍ଯ୍ୟସୀମା ଲଙ୍ଘନ କରି ଫାର୍ମ ହାଉସ ବନେଇଛନ୍ତି | ଏଭଳି ଅନେକ ଫାର୍ମ ହାଉସ କଟକ ଓ ଭୁବନେଶ୍ବର ପରି ସହରର ତଳି ଅଂଚଳରେ ଥିଲେ ମଧ୍ୟ ସରକାରଙ୍କର ତା’ ଉପରେ ନଜର ନାହିଁ |

Share :