ଓଡ଼ିଆ ଭାଷା ନିର୍ବାଚନୀ ପ୍ରସଙ୍ଗ ହେବ କି?

ଓଡ଼ିଆ ଭାଷା ନିର୍ବାଚନୀ ପ୍ରସଙ୍ଗ ହେବ କି?

Share :

ରବି କାନୁନ୍‌ଗୋ କେବଳ ଭାବ ନୁହେଁ, ଭେଦ ବି କାରଣକୁ ଆଶ୍ରା କରି ବେଞ୍ଚ ଏବଂ ବଢ଼େ। ମା’-ବାପାଙ୍କ ନାଁ ନେଇ ଗାଳି ଦେବା ବା ଶୁଣିବା ଯେମିତି ବିପଦ୍ଜନକ, ‘ଭାଷା’ ସଂପର୍କରେ କିଛି କହିବା ତହୁଁ ବଳି ମାରାତ୍ମକ। ତହୁଁ ବଡ଼ ବଳିବର୍ଦ୍ଧ ଅଟେ ‘ଭାରତ’। କାରଣ ତା ହାତରେ ଆଇନ ଅଛି। ତହୁଁ ବଳି ବଡ଼ ରହିଛି ‘ଭାବୁକତା’ ଯେ, କିନ୍ତୁ ତାହା ଅତ୍ୟନ୍ତ ଅର୍ଥହୀନ। ଏଥିରେ ଗପ, ସାହିତ୍ୟ ଓ କବିତା ଆଦି ଲେଖାଯାଏ। କେବେ କେମିତି ଦଲିଲ ତମସୁକ ଆଦି ରାଜନ୍ୟ କାର୍ଯ୍ୟରେ ପ୍ରୟୋଗ ହେଲେ ଭାଷା ଦି’ ପଇସା ରୋଜଗାର କଲା ପରି ଲାଗେ। ନହେଲେ, ପିଢ଼ି ପରେ ପିଢ଼ି ଆଗକୁ ଗଡ଼ି ଯାଉଥାଏ ନିସ୍ପୃହ କିନ୍ନର ପରି, ଭୋଟର ଆଇକାର୍ଡ ସମ ଏକ ସାମାନ୍ୟ ପରିଚୟ ସହିତ। ଭାଷା ଲୋପ ହେଲେ ଦୁଶ୍ଚିନ୍ତା ନାହିଁ କି ବଢ଼ି ଗଲେ ବି ଚିନ୍ତା ନଥାଏ ଯେମିତି। ଭାଷା କାହାକୁ କୁହାଯାଏ? ଏପରି ସମ୍ୱେଦନଶୀଳ ଓ ଅତି-ବୌଦ୍ଧିକ ପ୍ରଶ୍ନ ଆଡେ଼ ଆମେ ଯାଉନୁ। ପଛେଇ ଅନେଇଲେ ଆମକୁ ଦେଖା ଯାଏ, ମହାରାଷ୍ଟ୍ର ନବ ନିର୍ମାଣ ସେନାର ନେତା ରାଜ ଥାକରେଙ୍କ ଡାକ : ଅଣ-ମାରାଠୀମାନଙ୍କୁ ମୁମ୍ୱାଇରୁ ତଡ଼ି ଦିଅ। ମହାରାଷ୍ଟ୍ର ସରକାରଙ୍କ ଆଦେଶ ସମୃଦ୍ଧ ମୁମ୍ୱାଇ ଟ୍ୟାକ୍ସି ଡ୍ରାଇଭର୍ଙ୍କଠାରୁ ଆଶା କରାଯାଉ ଥିବା ଭାଷା। ଉତ୍ତର ଭାରତୀୟମାନେ ଯେଉଁ ଭାଷା କହି ତାହାକୁ ‘ମୁମ୍ୱାୟା ହିନ୍ଦୀ’ କହିବା ତାମସା ଚଳିବନି। ଯାହାହେଉ, ଏଥିରେ ରାଜନୀତି ଯାହା ଥାଉ ନା କାହିଁକି, ସରଳ ପ୍ରସଙ୍ଗଟିଏ ବି ଅଛି। କେଉଁ ଭାଷା କହିଲେ ଜଣେ ନିଜ ପେଟ ପୋଷି ପାରିବ? ବା, ପେଟ ପୋଷି ସାରିଲା ପରେ ସେ କେଉଁ ଭାଷା କହିବ? ଭାଷାକୁ ଆମେ ଯେତେ ଆବଶ୍ୟକ ବା ରୋମାଣ୍ଟିକ କହୁ ପଛେ ତାହା ସର୍ବଦା ଭୋକର ବଶମ୍ୱଦ ଭୃତ୍ୟ। ନଭେମ୍ୱର ୨୬, ୧୯୪୯। କନ୍ଷ୍ଟିଚୁଏଣ୍ଟ ଆସେମ୍ବ୍ଲିରେ ସମ୍ୱିଧାନ ଡ୍ରାଫ୍ଟ ପେଶ କରି ରାଷ୍ଟ୍ରପତି ବାବୁ ଶ୍ରୀ ରାଜେନ୍ଦ୍ର ପ୍ରସାଦ କହିଥିଲେ, ‘ତିନି ବର୍ଷ ଧରି ଆମେ କି କଷ୍ଟ କରିଛୁ ସେତିକି ଉଲ୍ଲେଖ କରିବି। ଏ ଆସେମ୍ୱ୍ଲି ଯେତିକି ଲୋକଙ୍କୁ ନିଜ ପରିସରଭୁକ୍ତ କରିଛି ସେ ସଂଖ୍ୟା ରୁଷିଆ ବ୍ୟତୀତ ସମଗ୍ର ୟୁରୋପର ଲୋକସଂଖାରୁ ବି ଅଧିକ। ଗୋଟିଏ ସରକାର ହେବା ତ ଦୂରର କଥା, ସମଗ୍ର ୟୁରୋପ କେତେ ବି ସହମତିସଂପନ୍ନ ଭାବେ ଗୋଟିଏ ସମଷ୍ଟି (କନ୍ଫେଡେରେସନ)ରେ ପରିଣତ ହୋଇପାରିନି। ବ୍ରିଟିଶ ଯେଉଁ ଦେଶକୁ ଖଣ୍ଡ ଖଣ୍ଡ ଅକ୍ତିଆର କରିଥିଲା ଆମେ ତାହାକୁ ଥରକରେ ପାଇ ଅବିଚଳିତ ଭାବେ ବିବିଧତାପୂର୍ଣ୍ଣ ଜନସମଷ୍ଟି, ବହୁ ଗୋଷ୍ଠୀ (କମୁନିଟି), ଭାଷାଭାଷୀ, ଶାସନିକ ଅଭ୍ୟାସର ସମସ୍ତଙ୍କୁ ନେଇ ଏ ବିରାଟ ଭୂଖଣ୍ଡ ପାଇଁ ଗୋଟିଏ ସମ୍ୱିଧାନ ସୃଷ୍ଟି କରିବାକୁ ସଫଳ ହୋଇଛୁ। ... ପରବର୍ତ୍ତୀ ଘଟଣାଗୁଡ଼ିକ ଅତି ନିକଟର। ବିସ୍ତାରିତ ବ୍ୟାଖ୍ୟା ଦରକାର ନାହିଁ। ତେବେ ଏତିକି ଜାଣି ରଖିବା ଯେ ପରିଣାମ ସ୍ୱରୂପ ଦେଶକୁ ପୂର୍ବ-ଉତ୍ତର ଏବଂ ପଶ୍ଚିମ-ଉତ୍ତରରେ ଦୁଇଟି ବୃହତ୍ ଅଂଶ ହରାଇବାକୁ ପଡ଼ିଛି।’ ସମ୍ୱିଧାନ ପାଇଁ ତିନି ବର୍ଷ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ ଭାରତରୁ ପଶ୍ଚିମ-ପୂର୍ବ ପାକିସ୍ତାନ ଦୁଇ ଖଣ୍ଡ ଖସି ଗଲା ଧର୍ମ ନାଁରେ। ୧୯୫୦ ସମ୍ୱିଧାନ ପ୍ରଣୟନ କାଳରୁ ଆଜି ଷାଠିଏ ବର୍ଷ ଯାଏ କିଛି ଆଉ ଖସି ନାହିଁ। ତେଣୁ ଧରିନେବା ଯେ ଭାରତ ମଜବୁତ ଏବଂ ଗୋଟାଏ। ଏହାର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ‘ନାଗରିକ’ ପରିଚୟ ହାସଲ କରିଥିବା ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ବସବାସ କରିବା, ଯେକୌଣସି ଧର୍ମାଚରଣ କରିବା ବା କରେଇବା, କୌଣସି ଜାଗାରେ ସଂପତ୍ତି କିଣିବା, କୌଣସି ବୃତ୍ତି କରିବା ବା କୌଣସି ଭାରତୀୟକୁ ବିବାହ କରିବା ପାଇଁ ଅଧିକାରପ୍ରାପ୍ତ। ମହାରାଷ୍ଟ୍ର ସରକାରଙ୍କ ଟ୍ୟାକ୍ସି-ଭାଷା ଆଦେଶ ମହାମହିମ ସମ୍ୱିଧାନର ଦ୍ରୋହ କରେ। ଏ ଅବାସ୍ତବତା। ଏପରି ପରିଚୟ ହାସଲ ପାଇଁ ପରିଚାଳନାର ଯେଉଁ ସୂତ୍ରମାନ ଚାଲିଛି ସେଥିରେ ‘ଭାରତୀୟତା’ର ଗନ୍ଧବର୍ଣ୍ଣ ନାହିଁ। ପ୍ରତିବାଦର ଭାଷା ବି ସ୍ପଷ୍ଟ। ମୁମ୍ୱାଇରେ ଗ୍ରେଟ୍-ଇଣ୍ଡିଆ ପଶି ଯାଇଛି ବୋଲି ‘ମରାଠୀ ମାନୁଷ’ ନିଜ ଭୂଇଁରେ ଖାଇବାକୁ ପାଇବ ନାହିଁ। ତାମିଲମାନେ ‘ନାଡ଼ୁ’ କରି ରହିବେ, ତେଲଗୁ କରିବେ ‘ରାଷ୍ଟ୍ର’। ଏମିତିକା ଇଣ୍ଡିଆ ନ ହୋଇଥିଲେ ତା ପାଇଁ କି ପ୍ରଣବ ଅଶୁଦ୍ଧ ହୋଇ ଯାଇଥା’ନ୍ତା ଯେ? ଏ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଯିଏ ଯୋଗ୍ୟ ସିଏ ଗୋଟିଏ ଭାଷା ବା ଏକ ପରିଚୟକୁ ଅସ୍ତ୍ର କରି ସମ୍ୱିଧାନକୁ ନିଲ୍-ଡାଉନ୍ କରାଇ ପାରିଛନ୍ତି। ଯିଏ ବୁଦ୍ଦୁ (ଓଡିଆଙ୍କ ପରି), ସେମାନେ ‘ମହାନ୍ ଭାରତୀୟ’ ହୁଅନ୍ତୁ! ମୋ : ୯୪୩୭୧-୯୪୬୦୦.

Share :