ବ୍ରହ୍ମପୁର ବିଜେଡ଼ିରେ ବିଦ୍ରୋହ

ବ୍ରହ୍ମପୁର ବିଜେଡ଼ିରେ ବିଦ୍ରୋହ

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁରରେ ଦୁଇ ଦଶନ୍ଧି ଧରି ବିଧାୟକ ଭାବରେ ରହି ଆସିଥିବା ପୁରୁଖା ରାଜନେତା ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଯଦି ଏଥର ଟିକଟ ନମିଳେ ବିଜେଡ଼ିର ବିପର୍ଯ୍ୟୟ ସୁନିଶ୍ଚିତ ବୋଲି ସହରରେ ଜବରଦସ୍ତ ଚର୍ଚ୍ଚା ଧରିଛି। ଡ଼ାକ୍ତରୀ ପେସାରୁ ରାଜନୀତି କରି ଧୂରୀଣ ଖିଲାଡ଼ି ଭାବରେ ବିଧାୟକ ପଦକୁ ନେଇ ସନ୍ତୁଷ୍ଟ ରହିଥିବା ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅନୁଗତ ତଥା ବ୍ରହ୍ମପୁର ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରତ୍ୟକ୍ଷ ଭାବରେ ସ୍ୱର ଉଠାଇ ବିଜେଡ଼ି ସୁପ୍ରିମୋଙ୍କୁ ଚ୍ୟାଲେଞ୍ଜ ଦେବା ନିଶ୍ଚୟ କଂପନର ସ୍ପଷ୍ଟ ସଂକେତ। ସେହିପରି ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଡାକ୍ତର ଚ୍ୟାଉ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି। ଏକ ଘରୋଇ ଟିଭି ଚାନେଲକୁ ସେ କହିଛନ୍ତି ଯେ ୫ ଥର ଜିତି ଥିବା ନେତାଙ୍କୁ ପ୍ରାର୍ଥୀ ନକରି ୪ ଥର ହାରିଥିବା ନେତାଙ୍କୁ ପ୍ରାର୍ଥୀ କଲେ କି ପରିଣାମ ମିଳିବ? ସୁବାସ ଚନ୍ଦ୍ର ମହାରଣା ତିନି ତିନି ଥର ଜିଲ୍ଲା ସଭାପତି ଦାୟିତ୍ୱ ନେଇ ବିଜୁ ଜନତା ଦଳର ସ୍ନାୟୁତନ୍ତୁରେ ଗଂଜାମର ଅନେକ ଚରିତ୍ରକୁ ତଉଲି ଆସିଛନ୍ତି। ଆଜିର ସମୟରେ ବିଧାୟକ ଥିବା ତଥା ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ସେ ସିଧାସିଧା ବଜ୍ରବାଣ ମାରି ଯେଉଁ ଚେତାବନୀ ଦେଇଛନ୍ତି ଗଂଜାମରେ ବିଜେଡ଼ିର ପତନ ଥୟ। ଅନ୍ୟପକ୍ଷରେ ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁଙ୍କ ପରି ନେତାଙ୍କୁ ବିଜେଡ଼ି ଯଦି ମାତ୍ରାଧିକ ଅନୁକମ୍ପା ଦେଖାଇବ ଗଂଜାମରେ ନବୀନଙ୍କୁ ମାଷ୍ଟର ଷ୍ଟ୍ରୋକ୍ ଦେବାକୁ ପୁରୁଣା ନେତାଙ୍କ ସମର ସଜା ୨୦୧୯ ନିର୍ବାଚନରେ ପ୍ରତିଫଳିତ ହେବ। ବ୍ରହ୍ମପୁର ସହରରେ ବିକ୍ରମ ପଣ୍ଡା କଂଗ୍ରେସର ପରାଜିତ ପ୍ରାର୍ଥୀ ହେଲେ ହେଁ ତାଙ୍କର ଗୋଟିଏ ବିରାଟ ଗୋଷ୍ଠୀ ବିଜେଡ଼ି ଶିବିରକୁ ଲମ୍ଫ ମାରିଛନ୍ତି। ହେଲେ ବିକ୍ରମଙ୍କ ବିଧାୟକ ହେବାର ସ୍ୱପ୍ନ ପୂରଣ ପାଇଁ ଯଦି ନବୀନ ଇସାରା ଦିଅନ୍ତି ବିପତ୍ତି ଆସନ୍ନ। ଅନ୍ୟପଟରେ ନାରୀନେତ୍ରୀଙ୍କୁ ଯଦି ଅଗ୍ରାଧିକାର ଦିଆଯାଏ ବ୍ରହ୍ମପୁର ଆସନରୁ ସଂଘମିତ୍ରା, ମମତା, ମାଧବୀଙ୍କୁ ମଧ୍ୟ କାହିଁକି ଆଗକୁ ନ ଦିଆଯିବ ଏପରି ଗଣିତ ଅଛିଣ୍ଡା ସୂତା ପରି ଲମ୍ୱିଯିବ। ଅନୀଲ କୁମାର, ମାଧବୀଙ୍କ ମଧ୍ୟ ଲବି କିଛି କମ୍ ନୁହେଁ। ମୋଟାମୋଟି ଭାବରେ ଗଂଜାମରେ ବିଜୁ ଜନତା ଦଳର ପତନ ପାଇଁ ନୂଆ ପୁରୁଣା ନେତାମାନେ ଦାୟୀ ରହିବେ। ସୁବିଧା ଦେଖି ରାଜନୀତିରେ ରଙ୍ଗ ବଦଳାଉଥିବା ନେତାଙ୍କୁ ଶାସକ ଦଳ ଅଗ୍ରାଧିକର ଦେବାର ଦେଖି ପୁରୁଣାଙ୍କ ମୁହଁମାନେ ଅନ୍ୟପଟରେ ବିଦ୍ରୋହ କରିବା ସହ ବିଜେପିର ସହ ସଂପର୍କକୁ ଏଡ଼ାଇ ଦିଆଯାଇନପାରେ। ବ୍ରହ୍ମପୁର ଆସନରୁ ବିଜେପିର ମୁହଁ ପାଇବା ସହଜ ନୁହେଁ। ବିଜେପିର ଗୋଷ୍ଠୀ କନ୍ଦଳରେ ଏମାନେ ମଧ୍ୟ ନିଜ ନିଜ ଲବିରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ଥକିଗଲେଣି। କିନ୍ତୁ ଗଂଜାମ ଜିଲ୍ଲାକୁ ରାଜ୍ୟ ବିଜେପି ଫୋକସ୍‌ ରଖି ନବୀନଙ୍କ ଦୁର୍ଗ ପତନ ପାଇଁ ସକଳ ଉଦ୍ୟମ କରିବ। ଏଣୁ ବିଦ୍ରୋହୀଙ୍କୁ କୋଳେଇ ନେବାରେ ବିଜେପିର ଅସୁବିଧା ରହିନପାରେ। ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ରାଜ୍ୟ ବିଜେଡ଼ିର ମୁଖିଆ ଆଦୌ ବିଶ୍ୱାସକୁ ନନେଇ ବିଦ୍ରୋହୀଙ୍କୁ ଡ଼କାଇ ଆପୋଷ ସମାଧାନ କୁରୁକୁରୁ ସମୟ ହାତରୁ ଖସିଯିବ ଏବଂ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଶେଷରେ ବିଜେପିର ଟିକଟ ପାଇବା ପାଇ ପୁରୁଣା ବିଜେଡ଼ି ମୁହଁ ସକ୍ଷମ ହେବା ଥୟ। ଗଂଜାମକୁ ନିଜ ଦାୟିତ୍ୱ ନେଇ ନବୀନ ବାବୁ କ’ଣ ନେଇଛନ୍ତି କ’ଣ ହରେଇଛନ୍ତି ଭୋଟରମାନେ ହିସାବ ନକରି ବିଜେଡ଼ିର ଗୋଷ୍ଠୀ କନ୍ଦଳରୁ ସବୁ କଥା ହାଟରେ ପଡ଼ି ବାଟରେ ଗଡ଼ିବା ଦଳ ଭାଙ୍ଗିବା ବା କ୍ଷମତାର ମୂଳୋତ୍ପାଟନ ହେବ। ଯାହା କିଛିବି ହେବ ଗଂଜାମରୁ ନିଶ୍ଚୟ ଓଡ଼ିଶା ରାଜନୀତିର କ୍ଷମତା ଦୁର୍ଗକୁ ଦୋହଲାଇ ଦେବ।

Share :