କିଏ ପିନ୍ଧିବ ୨୦୧୯ ମୁକୁଟ?

କିଏ ପିନ୍ଧିବ ୨୦୧୯ ମୁକୁଟ?

Share :

ଉପସ୍ଥାପନା- ଡି. ଶୁଭମ ସବୁଆଡ଼େ ପ୍ରଚାରର ମାହୋଲ। ସହର ମଧ୍ୟରେ ମାଳମାଳ ହୋର୍ଡ଼ିଂ। ସମସ୍ତେ ନିଜନିଜ ଦଳର ବିଜୟ ପାଇଁ ବ୍ୟସ୍ତ। ଖବରକାଗଜ ହେଉ କି ଟିଭି ସବୁଠି ଏବେ ନିବାର୍ଚନର ଝଲକ। ଜନତା ଅନେଇ ବସିଛନ୍ତି ସେମାନଙ୍କ ନୂତନ ପ୍ରତିନିଧିଙ୍କୁ ସ୍ୱାଗତ କରିବା ପାଇଁ। ତେବେ ଏହା ଦେଖିବାର ବେଳ କାହା ମୁଣ୍ଡକୁ ସୁନାକଳସ ଖସୁଛି? କିଏ ଜିତୁଛି ଜନତାଙ୍କ ହୃଦୟ। ଓଡ଼ିଶାର ତ୍ରିକୋଣୀୟ ନିର୍ବାଚନ ପରିବେଶରେ କାହାର ହେବ ଜିତାପଟ? ଏସବୁ ଭିତରେ ବାଜିଲାଣି ସପ୍ତଦଶ ସଂସଦ ପାଇଁ ସାଧାରଣ ନିବାର୍ଚନର ଦୁନ୍ଦୁଭି। ସବୁ ଦଳ ନିଜ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ କରିବାରେ ବ୍ୟସ୍ତ। ଗାଁ ଗାଁ ବୁଲି ଜନତାଙ୍କ ଘରେଘରେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି ନେତାମାନେ। ରାସ୍ତାଘାଟ ହଉ କି ସୋସିଆଲ ମିଡ଼ିଆ ସବୁଆଡ଼େ ଏବେ ଅଙ୍କ କଷା ଆରମ୍ଭ ହୋଇଗଲାଣି। କିଏ ପିନ୍ଧିବ ରାଜମୁକୁଟ ତାକୁ ନେଇ ଚାଲିଲାଣି କଳ୍ପନାଜଳ୍ପନା। ଗଣମାଧ୍ୟମରେ ବି ଚାଲୁଛି ଜୋରଦାର ସର୍ଭେ। ସବୁ ଆଶାୟୀ ଏବେ ଟିକଟ ମଳିବା ନ ମିଳିବାକୁ ନେଇ ଦ୍ୱନ୍ଦରେ। ଇତି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ବିଗୁଲ ବଜେଇଦେଇଛନ୍ତି। ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ କରିବାକୁ ଘାଷଣା କରାଯାଇଛି। ଆଉ ଏହା ପରେପରେ ଏବେ ସବୁଆଡ଼େ ନିର୍ବାଚନର ବାସ୍ନା। ଓଡ଼ିଶାର ମୁଖ୍ୟତ ବିଜେଡ଼ି, ବିଜେପି ଓ କଂଗ୍ରେସ ଶିବିରରେ ଏବେ ଆଶାୟାଙ୍କ ଭିଡ଼ ବି ଦେଖିବାକୁ ମିଳିଲାଣି। ଦୀର୍ଘ ୫ ବର୍ଷ ପରେ ପୁଣି କିଏ ସରକାର ଗଢ଼ିବ ତାକୁ ନେଇ ଚାଲୁଛି ତର୍କ। ଏପଟେ ସରକାରରେ ଥିବା ବିଜେଡ଼ିଠୁ ଆରମ୍ଭ କରି ବିରୋଧି ବିଜେପି ଓ କଂଗ୍ରେସ ବି ସଜବାଜ ହେଲେଣି। ସଭିଏଁ ନିଜ ଯୋଜନାକୁ ଶତ ପ୍ରତିଶତ ଲୋକଙ୍କ ପାଖରେ ପହଂଚେଇବାକୁ ଉଦ୍ୟମ ଚଲାଇଛନ୍ତି। ତେବେ ନିର୍ବାଚନକୁ ନେଇ ଏବେ ଯୁବବର୍ଗ ବି ଆଲୋଚନା ଆରମ୍ଭ କରିଦେଲେଣି। ଏ ସର୍ମ୍ପକରେ ଆମେ ଯୁବବର୍ଗଙ୍କ ମତାମତ ନେବାକୁ ଚାଂହିଥିଲୁ। ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଆମ ଯୁବଗୋଷ୍ଠୀ? କେମିତି ରହିବ ନିର୍ବାଚନ ପାଣିପାଗ? କିଏ ପିନ୍ଧିବ ମୁକୁଟ? ଏ ସଂପର୍କରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରୀତିଲଗ୍ନା ଧଳ କୁହନ୍ତି, ୨୦୧୯ ନିବାର୍ଚନରେ ଏଥର ଲଢ଼େଇ ଜୋରଦାର ହେବ ବୋଲି ମୋର ଆଶା। ମୋ ମତରେ ଏକ ସ୍ୱଚ୍ଛ ଓ ଜନପ୍ରିୟ ନେତା ଆମର ପ୍ରତିନିଧି ହେବା ଆବଶ୍ୟକ। ଯିଏ ଲୋକଙ୍କ ସୁଖଦୁଖର ଭାଗିଦାରୀ ହୋଇପାରୁଥିବ ସେମିତି ଜଣେ ପ୍ରତିନିଧି ଆମେ ଚାଂହୁଛୁ। ଏବେ କେବଳ ମେ ୨୩କୁ ଅପେକ୍ଷା ଆମ ସମସ୍ତଙ୍କର। ଯାଜପୁରର ବିକାଶ ଚନ୍ଦ୍ର ଧଳଙ୍କ ମତରେ, ମୋତେ ଯାହା ଲାଗୁଛି ପୁଣି ଥରେ ବିଜେଡ଼ି ସରକାର ଗଠନ କରିବ। କିନ୍ତୁ ସିଟ୍ ସଂଖ୍ୟା କମିବ ଏବଂ ବିରୋଧୀଙ୍କ ଭୋଟ କିଛି ମାତ୍ରାରେ ବଢ଼ିବ। ତେବେ ପ୍ରାର୍ଥୀ ଚୟନ ଏଥର ନିର୍ବାଚନର ମୁଖ୍ୟ ଭୂମିକା ନେବ ବୋଲି ମୋର ଆଶା। ବ୍ରହ୍ମପୁରର ସତୀଶ କୁମାର ପଣ୍ଡା କୁହନ୍ତି, ମୋ ମତରେ ଏଥରର ନିବାର୍ଚନରେ କଡ଼ା ଟକ୍କର ହେବ। ଏଥର ବିଜେପି ଓ ବିଜେଡ଼ି ଭିତରେ ଜୋରଦାର ମୁକାବିଲା ହେବ। ଆମକୁ ଏମିତି ସରକାର ଦରକାର ଯିଏ ଓଡ଼ିଶାକୁ ବିଶ୍ୱସ୍ତରରେ ପରିଚିତ କରେଇପାରିବ। ଜଗତସିଂହୁପରର ବିଜ୍ଞାନ ମିହିର ରାଉତଙ୍କ ମତରେ, ୨୦୧୯ ନିବାର୍ଚନରେ ବିଜେପି ଆଗ ଅପେକ୍ଷା ଅଧିକ ସିଟ୍ ଲାଭ କରିବ ବୋଲି ମୁଁ ଭାବୁଛି। ତେବେ ମୁକାବିଲା ବି ସେମିତି ଜୋରଦାର ହେବ। ଏଥର ପରିବର୍ତ୍ତନର ସମୟ ଆସିବ ବୋଲି ମୋ ଆଶା। ମୋଟ ଉପରେ କହିବାକୁ ଗଲେ ଏଥରର ନିର୍ବାଚନରେ ଜୋରଦାର ଲଢ଼େଇ ହେବ। ତେବେ ସମସ୍ତଙ୍କର ଅପେକ୍ଷା ସେଇ ପ୍ରତୀକ୍ଷିତ ମୁହୂର୍ତ୍ତକୁ। ଦେଖିବାର ସମୟ କିଏ ପିନ୍ଧିବ ୨୦୧୯ର ମୁକୁଟ।

Share :