ଜଙ୍ଗଲ ଜମି ବିତରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ବୋଲି ସରକାର ଦାବୀ କରୁଥିବା ବେଳେ ଏବେ ମଧ୍ୟ ବହୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ଅଧିବାସୀ ଭୂମିହୀନ ହୋଇ ରହିଛନ୍ତି। ଜଙ୍ଗଲ ଅଧିକାର ସମ୍ପର୍କରେ ଲୋକ ସଚେତନତା କରିବା ସରକାରଙ୍କ ଦାୟିତ୍ୱ ରହିଥିଲେ ସୁଦ୍ଧା ତାହା କରାଯାଉ ନାହିଁ। ଜଙ୍ଗଲ ଜମି ପାଇଁ ଆବେଦନ କରିଥିଲେ ସୁଦ୍ଧା ତାହା ଗ୍ରହଣ କରାଯାଉ ନାହିଁ। ନିଜେ ରହୁଥିବା ଜମିର ପଟ୍ଟା ଏପର୍ଯ୍ୟନ୍ତ ମିଳିନାହିଁ। ଭାରତ ସରକାର, ଆଦିବାସୀ ମନ୍ତ୍ରଣାଳୟର ନଭେମ୍ୱର-୨୦୧୮ ମାସିକ ରିପୋର୍ଟ ଅନୁଯାୟୀ ଓଡ଼ିଶାର ମୋଟ ଜଙ୍ଗଲ ଜମି ଆବେଦନ (ବ୍ୟକ୍ତିଗତ) ୬,୧୨,୫୫୯ ରୁ ୪,୨୯,୧୧୨ ବ୍ୟକ୍ତିଙ୍କୁ ଜଙ୍ଗଲ ଜମିପଟ୍ଟା ଦିଆଯାଇଛି। ଅର୍ଥାତ ପ୍ରାୟ ଦୁଇ ଲକ୍ଷ ଆବେଦନକାରୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିପାରି ନାହିଁ। ସଚେତନତା ଅଭାବରୁ ବହୁ ଆଦିବାସୀ ପରିବାର ଆବେଦନ କରିବାରୁ ମଧ୍ୟ ବଂଚିତ ହୋଇଛନ୍ତି। ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ଅଧିବାସୀଙ୍କ କଥା ନ କହିବା ଭଲ। ଏମାନଙ୍କ ତଥ୍ୟ କୌଣସି ସରକାରୀ ରିପୋର୍ଟରେ ମିଳେ ନାହିଁ। ଏମାନଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପାଇଁ ସରକାର ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି। ଅକ୍ସଫାମ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି କି ଅଧିକାଂଶ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ଅଧିବାସୀଙ୍କ ଆବେଦନକୁ ନାକଚ କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାର କେବଳ ୫୪ ଜଣ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମି ପ୍ରଦାନ କରାଯାଇଛି। ସେହିପରି ବସୁନ୍ଧରା ଘରଡିହ ପାଇଁ ଆବେଦନ କରିଥିବା କନ୍ଧମାଳ, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କୁମ୍ଭାରିଗାଁ ଓ ଗଦାପୁର ପଂଚାୟତର ବିଭିନ୍ନ ଗ୍ରାମର ଯଥା ଲାଣ୍ଡାଗୁଡ଼ି-୬୫, ଗୁଡ଼ିକିଆ-୮୯, ସାନ୍ଦିମାହା-୩୨, ଗୋବରକୁଟି-୨୩, ପାଡ଼ିକିଆ-୧୨,ମାଣ୍ଡିପଙ୍କା-୩୬, ଗଦାପୁର-୨୭ ଓ ତାରାମାହାର ୨୮ ଭୂମିହୀନ ପରିବାରଙ୍କୁ ଘରଡ଼ିହ ଜମି ମିଳିପାରି ନାହିଁ। ଗଂଜାମ ଜିଲ୍ଲା, ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସରଭୀମପୁର, ନିମପଲି, ନନ୍ଦପଣ୍ଡାପଲି ପଂଚାୟତର ପ୍ରାୟ ୩୮୮ ଭୂମିହୀନ ପରିବାର ଘରଡିହ ପାଇଁ ଆବେଦନ କରି ବର୍ଷବର୍ଷ ଧରି ଅପେକ୍ଷା କରିଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଚକ୍ରଧରପୁରର ୧୦ଟି ଆଦିବାସୀ ଗ୍ରାମର ପ୍ରାୟ ୫୦୦୦ ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ମିଳୁ ନଥିବା ହେତୁ ସେମାନେ ସମସ୍ତ ସୁବିଧାସୂଯୋଗରୁ ବଂଚିତ ହେବା ସହ ଜାତି ପ୍ରମାଣ ପତ୍ର ଓ ଶିକ୍ଷାରୁ ବାଦ କରାଯାଇଛି। ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ଅଧିବାସୀଙ୍କ ପାଇଁ ଅନ୍ୟୁନ୍ୟ ୭୫ ବର୍ଷର ପ୍ରମାଣ ପତ୍ର ଦେବାର ସର୍ତ୍ତ ରଖାଯାଇ ଥିବାରୁ ଜଙ୍ଗଲ ଅଧିବାସୀମାନେ ଅଧିକାରରୁ ବଂଚିତ ହେଉଛନ୍ତି। ଏଣୁ ଜଙ୍ଗଲ ଅଧିକାର ଆଇନରେ ସଂଶୋଧନ କରିବା ମୂଳନିବାସୀ ଛାତ୍ର ଓ ଯୁବ ପରିଷଦ, ଏବଂ ଏସସି, ଏସଟି, ଓବିସି ଏଣ୍ଡ ମାଇନୋରିଟି ଜଂଏଟ ଆକ୍ସନ କମିଟି ତରଫରୁ ଦାବି କରାଯାଇଛି।