କୋଉଠି ମିଳିବେ ଜିଲା ଶିକ୍ଷା ଅଧିକାରୀ?

କୋଉଠି ମିଳିବେ ଜିଲା ଶିକ୍ଷା ଅଧିକାରୀ?

Share :

ସତ୍ୟଜିତ ସାମନ୍ତରାୟ କେନ୍ଦୁଝର ଉପଖଣ୍ଡର ସହର ଚାରିପାଖର ବିଭିନ୍ନ ସ୍ଥାନରୁ ସ୍କୁଲମାନଙ୍କରୁ ସୂଚନା ପାଇବା ପରେ ସତ୍ୟାସତ୍ୟ ଜାଣିବା ପାଇଁ କେନ୍ଦୁଝର ସଦର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ବ୍ଲକ ଗ୍ରାଣ୍ଟ ସ୍କୁଲ, ଘରୋଇ ବିଦ୍ୟାଳୟ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହୋଇଥିଲୁ। ଯାହା ଦେଖିଲୁ ଅନୁଭବ ହେଲା ଏହି କାର୍ଯ୍ୟାଳୟ ଜିଲାରେ ଶିକ୍ଷାର ବିକାଶ ପାଇଁ ନୁହେଁ, ବରଂ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛି। ଏଠାରେ ଅବସ୍ଥାପିତ ଜିଲା ଶିକ୍ଷା ଅଧିକାରୀ ଅନେକ ସମୟରେ କାର୍ଯ୍ୟାଳୟରେ ଦେଖାଯାଆନ୍ତି ନାହିଁ। ସ୍କୁଲ ପରିଦର୍ଶନର ଦ୍ୱାହି ଦେଇ ଦିନବେଳେ କାର୍ଯ୍ୟାଳୟରେ ରହନ୍ତି ନାହିଁ। ବୁଧବାର କାର୍ଯ୍ୟାଳୟ ଭିତରେ ମଧ୍ୟାହ୍ନ ସମୟରେ ରୁମ ଖୋଲା ଥିବା ବେଳେ ଚଉକି ମଧ୍ୟ ଫାଙ୍କା ଥିଲା। କେତେକ ରୁମରେ ଶିକ୍ଷକମାନେ ଅଫିସ ରାକ୍‌ରୁ ଫାଇଲ ଆଣି ଖେଳାଉଥିବା ଦୃଷ୍ଟିକୁ ଆସିଥିଲା। ଅଫିସ ଭିତରେ ସମୁଦାୟ ଛଅ ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଆଉ କେହି ଦେଖା ନଥିଲେ। ଯୋଉଁ ଅଫିସରେ ମୁଖିଆ କାର୍ଯ୍ୟକୁ ଠକିବା ଲକ୍ଷ୍ୟରେ ଦିନ ତମାମ ଅଫିସରେ ରହୁ ନାହାନ୍ତି କର୍ମଚାରୀ ବା ରହିବେ କେମିତି। ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ବାରମ୍ୱାର ସଚିବାଳୟ ଘେରାଉ ପରେ ଓଡିଶା ସରକାର ୧.୧.୨୦୧୮ରୁ ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଯେତେବେଳେ ଶିକ୍ଷକମାନେ ଅଧିକ ଦରମା ପାଇବେ ସେଥିରୁ ଅଫିସରେ ବସିଥିବା କର୍ମଚାରୀ ଓ ଅଧିକାରୀଙ୍କ ଭାଗବି ରହିବା ଦରକାର। ସ୍କୁଲ ପିଛା ୬ ହଜାରରୁ ୧୦ ହଜାର ଦେଲେ ବର୍ଦ୍ଧିତ ଦରମା ହୋଇ ଯିବାକଥା କହି ଅର୍ଥ ଆଦାୟରେ ବ୍ୟସ୍ତ ରହିଛନ୍ତି ପ୍ରକାଶ ବାବୁ ନାମକ ଜନୈକ କର୍ମଚାରୀ। ଅନେକ ଏଥିପାଇଁ ବାଧ୍ୟ ବାଧକତାରେ ଅର୍ଥ ଆଦାୟ କରି ଦେବାକୁ ବାଧ୍ୟ ହେଉଛନ୍ତି। ଯେଉଁ ସ୍କୁଲ ଏହି ଅର୍ଥ ପ୍ରଦାନ କରିଛନ୍ତି ସେମାନଙ୍କ ବର୍ଦ୍ଧିତ ଦରମା ମ଼ିଳିଥିବା କହିଛନ୍ତି ଅନେକ ଶିକ୍ଷକ। ଆମ ଜିଲାରେ ୨୦୬ଟି ସରକାରୀ ହାଇସ୍କୁଲ ଥିବା ବେଳେ ୧୫୭ଟି ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ, ସହ ୪୦ଟି ଏଡେଡ ହାଇସ୍କୁଲ ରହିଛି। ଏହା ସହ କେତୋଟି ଘରୋଇ ବିଦ୍ୟାଳୟ ଜିଲାରେ ରହିଛି ତାର କିଛି ହିସାବ ନାହିଁ। ଦିନକୁ ଦିନ ଛତୁ ଫୁଟିବା ଭଳି ଘରୋଇ ବିଦ୍ୟାଳୟ ଖୋଲି ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନର ଦ୍ୱାହି ଦେଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କିଛି ଭୁଲ କରୁନିତ? ଅଧିକାଂଶ ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଫି ଆଦୟ କରୁଥିବା ନଜରକୁ ଆସିଛି ଏନେଇ ଅଭିଯୋଗ ପାଇବା ପରେ କିପରି ଓ କେଉଁ ମାପଦଣ୍ଡରେ ଅନୁମତି ପ୍ରଦାନ କରାଯାଏ ଜାଣିବାକୁ ଚାହିଁଥିଲୁ। ସରକାର ଘରୋଇ ସ୍କୁଲ ଅନୁମତି ପ୍ରଦାନ ପାଇଁ ଅନେକ ସର୍ତ୍ତ ରଖିଥାନ୍ତି। ଏହି ସର୍ତ୍ତ ସଠିକ ଭାବେ ପାଳନ କରିଥିବା ଅନୁଷ୍ଠାନକୁ ହିଁ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ ପ୍ରଦାନ କରାଯାଏ। ଘରୋଇ ସ୍କୁଲରେ ୨୫ ପ୍ରତିଶତ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା ସରକାର କରିଥିବା ବେଳେ କୌଣସି ସ୍କୁଲ ଏହାକୁ ପାଳନ କରୁନଥିବା ଦୃଷ୍ଟିକୁ ଆସିବା ପରେ ଏହି ସର୍ତ୍ତ ଠିକ ଭାବେ ପାଳନ ହେଉନଥିବାରୁ ଅନେକ କ୍ଷେତ୍ରରେ ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହେଉଥିବା ବେଳେ ଘରୋଇ ସ୍କୁଲଗୁଡିକ ମାଲେମାଲ ହେଉଛନ୍ତି। ସରକାରୀ ନିୟମ ଠିକ ଭାବେ ପାଳନ କରାଯାଇଛି କି ନାହିଁ ସେଥିନେଇ ଆମେ ଉପସ୍ଥିତ ଥିବା ଓ ଏ ବିଷୟରେ ବୁଝାବୁଝି କରୁଥିବା କର୍ମଚାରୀ ଧୀରେନ କୁମାର ବେଜଙ୍କୁ ଭେଟିଥିଲୁ। ଯିଏ ନେଇ ଆଣି ଥୋଇ ପାରିବାର ବିଦ୍ୟାକୁ ବି ଭଲଭାବେ ଜାଣିଛନ୍ତି। ତାଙ୍କ ସହ ଭେଟକରି ତଥ୍ୟ ହାସଲ କରିବାକୁ ଚାହିଁଥିଲୁ କିନ୍ତୁ ସବୁ ଦୋଷ ବ୍ଲକ ଶିକ୍ଷା ଅଧିକାରୀଙ୍କ ଆଡକୁ ଟାଳି ଦେଇ ଚଉକି ଛାଡ଼ି ଚାଲି ଯାଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଯେଉଁମାନଙ୍କ ସୁପାରିସ କରିଥାନ୍ତି କେବଳ ସେହିମାନଙ୍କୁ ଯୋଗ୍ୟତା ଭିତ୍ତିରେ ଅନୁମତି ପ୍ରଦାନ କଥା କହୁଥିବା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏହି ବେଜ ବାବୁ ପ୍ରକାରାନ୍ତରେ ଟଙ୍କା ନେଇ ଫାଇଲ ପାସ କରାଉଥିବା ଅନେକ ଅଭିଯୋଗ କରୁଛନ୍ତି। ଶିକ୍ଷକମାନେ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଜୀବନ ବୀମା କରିଥାନ୍ତି। ଜୀବନ ବୀମା ଦରମାରୁ କଟିବାର ସୁବିଧା ଥିବା ବେଳେ ଏହି କାର୍ଯ୍ୟାଳୟର ଜନୈକ କର୍ମଚାରୀ ବିଭିନ୍ନ ଜୀବନ ବୀମା ଏଜେଣ୍ଟଙ୍କୁ ବୀମା କରାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି। ନହେଲେ ଶିକ୍ଷକଙ୍କ କାମକୁ ବିଳମ୍ୱ କରାଉଛନ୍ତି। ନଚେତ ସେମାନଙ୍କ ଠାରୁ ଗୋତିଏ ମାସର କଟିବାକୁ ଥିବା ଅର୍ଥ ଦାବୀ କରୁଥିବା ଅନେକ ଶିକ୍ଷକ ଅଭିଯୋଗ କରୁଛନ୍ତି। ପ୍ରତିଦିନ ଦୂର ଦୂରାନ୍ତରୁ ଆସୁଥିବା ଅନେକ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏହି ସ୍କୁଲରେ ଚପରାସିଠାରୁ ବି ଅପମାନିତ ହେଉଥିବା ଅନେକ ସମୟରେ ଦୃଷ୍ଟି ଗୋଚର ହୋଇଥାଏ। ଯୋଉଁଠାରେ ଶିକ୍ଷକ ନିଜେ ଅପମାନିତ ହେଉଛି ତାର ନ୍ୟାଯ୍ୟ ହକ ପାଇଁ ଟଙ୍କା ଦେବା ପରେ ସୁଫଳ ପାଉଛି ସେ ପିଲାଙ୍କୁ କିପରି ଭଲ ଶିକ୍ଷା ପ୍ରଦାନ କରିପାରିବ। କାର୍ଯ୍ୟାଳୟର ଅନେକ ସମୟରେ ଅନୁପସ୍ଥିତ ରହୁଥିବା ତଥା ଦୁର୍ନୀତି ଭିତରେ ବୁଡ଼ି ରହିଥିବା ଜିଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଗଲେ ମଧ୍ୟ ସେ ଫୋନ ଧରିନଥିଲେ। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଏହି କାର୍ଯ୍ୟାଳୟର ବିଭିନ୍ନ ପଦାଧିକାରୀଙ୍କ ଦ୍ୱାରା ସରପ୍ରାଇଜ ଚେକିଂର ବ୍ୟବସ୍ଥା କରାଇପାରିଲେ ବାରମ୍ୱାର ହେଉଥିବା ଅଭିଯୋଗର ସତ୍ୟାସତ୍ୟ ପଦାକୁ ଆସିବା ସହ ଅନେକ ଶିକ୍ଷକ ଓ ଛାତ୍ର ଛାତ୍ରୀ ଉପକୃତ ହେବେ।

Share :