ବିନା ସଂଯୋଗରେ ବିଜୁଳି!

ବିନା ସଂଯୋଗରେ ବିଜୁଳି!

Share :

ସତ୍ୟଜିତ ସାମନ୍ତରାୟ କେନ୍ଦୁଝର ଉପଖଣ୍ଡରେ ନିବାର୍ଚନକୁ ଆଖି ଆଗରେ ରଖି କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ନେସ୍କୋର ନିଦ ଭାଙ୍ଗୁଥିବା ଭଳି ମନେ ହେଉଛି। ଦୁର୍ନୀତି ଭିତରେ ବୁଡି ରହିଥିବା ନେସ୍କୋ କେନ୍ଦୁଝର ଜିଲାରେ ଅନେକ ସମୟରେ ଚର୍ଚ୍ଚାର ପରିସର ଭିତରେ ରହିଆସିଛି। ପ୍ରାୟ ଅଧିକାଂଶ ସମୟରେ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ନେସ୍କୋ କିନ୍ତୁ ଏବେ ବିନା ସଂଯୋଗରେ ଘରେ ଘରେ ବିଦ୍ୟୁତ ଜଳାଇବାର ପ୍ରୟାସ ଆରମ୍ଭ କରିଛି। ଏହାର ଦୃଷ୍ଟାନ୍ତ ନଜରକୁ ଆସିଛି କେନ୍ଦୁଝର ଉପଖଣ୍ଡ ଚକ ଗ୍ରାମରେ। ସେହି ଗ୍ରାମର ଚରଣ ନାଏକଙ୍କ ଘର ଛାତରେ ୨ ମାସ ହେବ ତାର ଓ ପାଇପ ଥୋଇ ଦେଇ ଆଉ କେହି ଦେଖା ଦେଉ ନାହାନ୍ତି। ମୂଲ ଲାଗି ପେଟ ପୋଷୁଥିବା ଚରଣ ହାତଗୁଞ୍ଜା ଦେଇ ନପାରିବାରୁ କୁଆଡେ ତାଙ୍କ ବିଦ୍ୟୁତ ସଂଯୋଗକୁ ସେହିପରି ଥୋଇ ଦେଇ ନେସ୍କୋ କର୍ତ୍ତୃପକ୍ଷ ଚାଲି ଯାଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖାଲି ଚରଣ କାହିଁକି ପ୍ରାୟ ଅନେକଙ୍କ ଘରେ ଏହିଭଳି ଚାଳ ଉପରେ ତାର ଓ ପାଇପ ଥୁଆ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସରକାରୀ ଯୋଜନାକୁ ବାଟବଣା କରିବାରେ ମାହିର ନେସ୍କୋ କର୍ତ୍ତୃପକ୍ଷ ବାରମ୍ୱାର ନିଜ ଦୋଷ ଲୁଚାଇବାକୁ ଯାଇ ଏହିଭଳି କାର୍ଯ୍ୟକୁ କମ୍ପାନୀର କ୍ଷତି ଦଶାର୍ଇ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ବିଲ୍‌ର ବୋଝ ଲଦି ଦେଉଛନ୍ତି। ସରକାରୀ କର୍ମଚାରୀମାନେ ମଧ୍ୟ ଶାସକ ଦଳକୁ ଆଗାମୀ ନିବାର୍ଚନରେ ଜିତାଇବାକୁ କାଳିଆ, ପିଠା ପରି ବିଭିନ୍ନ ଯୋଜନାର ସଫଳ ରୁପାୟନ ଦିଗରେ ସମୟ ଦେଇ ଲୋକଙ୍କ ସମସ୍ୟା ସମାଧାନରେ ତତ୍ପରତା ଦେଖାଉ ନଥିବା ଅଭିଯୋଗ ହେଉଛି।

Share :