କିଭଳି ମହିଳା ପ୍ରାର୍ଥୀ ନବୀନଙ୍କ ପସନ୍ଦ?

କିଭଳି ମହିଳା ପ୍ରାର୍ଥୀ ନବୀନଙ୍କ ପସନ୍ଦ?

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୪ ମସିହାରେ ରୀତା ତରେଇଙ୍କୁ ଯାଜପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ। ତା’ପୂର୍ବରୁ ସେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ମାତ୍ର ୨ ବର୍ଷ କାମ କରିଥିଲେ। ୨୦୧୨ ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନରେ ପ୍ରଥମ ଥର ପାଇଁ ଜିତିଥିଲେ ରୀତା। ସେହି ଦୁଇ ବର୍ଷର କାର୍ଯ୍ୟକାଳ ଭିତରେ ସେପରି କୌଣସି ଉଲ୍ଲେଖନୀୟ କାର୍ଯ୍ୟ କରିବାର ସୁଯୋଗ ଆଦୌ ନଥିଲା। ତଥାପି ୨୦୧୪ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଯାଜପୁର ଲୋକସଭା ଆସନର ପ୍ରାର୍ଥୀ କଲା। ସେହି ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ବହନ କରିଥିଲେ କଳ୍ପତରୁ ଦାସ। ରୀତା ତରେଇ ତାଙ୍କ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳିର ବାସିନ୍ଦା। ନିଜର ଜଣେ ଅନୁଗତଙ୍କୁ ସଂସଦ ପଠେଇ ଦଳୀୟ ରାଜନୀତିରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଥିଲେ କଳ୍ପତରୁ। ତେବେ ରୀତା ତରେଇ ଲୋକସଭା ସଦସ୍ୟ ଭାବେ କି ଯଶଖ୍ୟାତି ଅର୍ଜନ କଲେ? ସାଂସଦ ଭାବରେ ତାଙ୍କର ସଫଳତା କ’ଣ? ପ୍ରଦର୍ଶନ କ’ଣ? ପୂରା ପାଞ୍ଚ ବର୍ଷ ଧରି ସେ ଲୋକସଭା ସଦସ୍ୟ ରହିଥିଲେ। ପିଆରଏସ ବ୍ୟବସ୍ଥାପକ ଗବେଷଣା ସଂସ୍ଥାର ରିପୋର୍ଟ ଅନୁସାରେ ଲୋକସଭାରେ ରୀତାଙ୍କର ଉପସ୍ଥାନ ଥିଲା ୮୫ ପ୍ରତିଶତ। ସମୁଦାୟ ୫ ବର୍ଷରେ ମାତ୍ର ୧୮ଟି ବିତର୍କରେ ଅଂଶଗ୍ରହଣ କରିଥିଲେ। ସେସବୁ ଆଦୌ ପ୍ରଭାବଶାଳୀ ହୋଇନଥିଲା। ବରଂ କେତେକ ହାସ୍ୟୋଦ୍ଦିପକ ହୋଇଥିଲା। ସଂସଦରେ ଓଡ଼ିଆ କହିଲେ ଚଳିବ। କିନ୍ତୁ ସେ ହିନ୍ଦୀରେ କହିବାକୁ ଚେଷ୍ଟା କରି ଓଡ଼ିଆ ଭଳି ହିନ୍ଦୀ ପଢ଼ିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ। ଠିକ ସେହିପରି ଅନ୍ୟ ଜଣେ ମହିଳା ଶକୁନ୍ତଳା ଲାଗୁରୀଙ୍କୁ କେନ୍ଦୁଝର ଆସନରୁ ଲୋକସଭାକୁ ପଠାଇଥିଲା ବିଜୁ ଜନତା ଦଳ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ। ତାଙ୍କର ଉପସ୍ଥାନ ଥିଲା ୮୦%। ସେ ମାତ୍ର ୧୦ଟି ବିତର୍କରେ ଭାଗ ନେଇଥିଲେ। ପ୍ରଶ୍ନ ପଚାରିଥିଲେ ୨୫୪। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କର ଉପସ୍ଥାନ ୮୭% ଥିଲେ ବି ବିତର୍କ ସଂଖ୍ୟା ଥିଲା ୧୮ ଓ ପ୍ରଶ୍ନ ସଂଖ୍ୟା ୧୯୬। ଏ ତିନି ଜଣ ମହିଳାଙ୍କର ପୂର୍ବରୁ ବିଧି ପ୍ରଣୟନ ଅଭିଜ୍ଞତା ନଥିଲା। ସାଧାରଣ ସଭାରେ ଭାଷଣ ଦେବା, ପ୍ରାଶାସନିକ କାର୍ଯ୍ୟରେ ସଂପୃକ୍ତ ରହିବା, ତତ୍ତ୍ବାବଧାନ ଓ ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ସେମାନଙ୍କର ଅଭିଜ୍ଞତା ଶୂନ ଥିଲା। ଏଭଳି ମହିଳାଙ୍କୁ ଲୋକସଭା କିମ୍ବା ରାଜ୍ୟସଭା ପଠେଇ ଓଡ଼ିଶାର କି ଲାଭ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ? ଦଳେ ଅଜ୍ଞ ଓ ଅନଭିଜ୍ଞଙ୍କୁ ବିଧାନସଭା ଓ ସଂସଦ ପଠେଇ ନିଜର ଅନୁଗତ ସୃଷ୍ଟି କରିବା ହିଁ ଥିଲା ତାଙ୍କର ମୂଳ ଓ ମୁଖ୍ୟ ଉଦ୍ଦେଶ୍ୟ। ନବୀନବାବୁଙ୍କଠାରୁ ଅଧିକ ଜ୍ଞାନୀଗୁଣୀ, ଶିକ୍ଷାଦୀକ୍ଷାରେ ପ୍ରବୀଣ, ରାଜନୀତିକ ଓ ପ୍ରାଶାସନିକ ପରିଚାଳନାରେ ଅଭିଜ୍ଞ ନେତା ବିଜେଡି ବିଧାୟକ ଓ ସାଂସଦ ହେଲେ ନେତୃତ୍ବ ପ୍ରତି ବିପଦ। ସେ ଏଇଆ ବୁଝିଛନ୍ତି। ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି ପରି ଅନେକ କ୍ଷେତ୍ରରେ କମୋ ଦକ୍ଷ ଓ ଯୋଗ୍ୟ ଲୋକ ପଦପଦବୀରେ ଥିଲେ ଦକ୍ଷ ଓ ଯୋଗ୍ୟ ଲୋକମାନଙ୍କୁ ଉପଯୁକ୍ତ ସୁଯୋଗ ଓ ସୁବିଧା ମିଳେ ନାହିଁ। ତଳ ଲୋକ ଅଧିକ ଜ୍ଞାନୀ ଓ ପାରଙ୍ଗମ ହେଲେ ଉପର ଲୋକ ଅପମାନ ବୋଧ କରିବା ହୀନମନ୍ୟତାର ଲକ୍ଷଣ। ଓଡ଼ିଆ ଜାତିର ଏ ଅବିଗୁଣ ସର୍ବଜନବିଦିତ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କାରଣରୁ ନିଜ ମନ୍ତ୍ରିମଣ୍ଡଳରେ ଜ୍ଞାନୀ ଓ ଅଭିଜ୍ଞମାନଙ୍କୁ ଗୁରୁତ୍ବ ନଦେଇ ଅଜ୍ଞ ଓ ଅନଭିଜ୍ଞମାନଙ୍କୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଥାନ୍ତି। ବିଧାନସଭାକୁ ଯେପରି ତାଙ୍କଠାରୁ ଅଧିକ ଜ୍ଞାନୀ, ଗୁଣୀ ଓ ଦକ୍ଷ ଲୋକ ବିଜେଡି ସଦସ୍ୟ ଭାବେ ନିର୍ବାଚିତ ନହୁଅନ୍ତି ପ୍ରାର୍ଥୀଚୟନ ସମୟରେ ସେ ତାହା ନିଶ୍ଚିତ କରିଥାନ୍ତି। ଏ କୌଶଳ କେବଳ ତାଙ୍କର ନୁହେଁ। ଭାରତବର୍ଷର ଅଧିକାଂଶ ରାଜନୀତିକ ଦଳର ନେତା ସବୁବେଳେ ତାଙ୍କଠାରୁ କମ୍‌ ଯୋଗ୍ୟ ଓ ଦକ୍ଷ ପ୍ରାର୍ଥୀଙ୍କୁ ପସନ୍ଦ କରିଥାନ୍ତି। ସଂପ୍ରତି ମହିଳା ଭୋଟକୁ ଆଖି ଆଗରେ ରଖି ବିଜେଡି ସଭାପତି ଲୋକସଭା ପ୍ରାର୍ଥୀ ଚୟନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବେ ବୋଲି ଘୋଷଣା କରି ବାହାବା ନେଇଛନ୍ତି। କିନ୍ତୁ ସେ କେତେ ଦକ୍ଷ ଓ ଯୋଗ୍ୟ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରିବେ? ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ସେବା, ଶିଳ୍ପ, ଉଦ୍ୟୋଗ, କୃଷି ଓ ବ୍ୟବସାୟ ଆଦି କ୍ଷେତ୍ରରେ ସଫଳତା ଓ ପ୍ରତିଷ୍ଠା ଅର୍ଜନ କରିଥିବା ମହିଳାମାନଙ୍କୁ ସେ ଦଳୀୟ ପ୍ରାର୍ଥୀ କରିବେ ନା ଅଜଣାଅଶୁଣା ମହିଳାଙ୍କୁ ପ୍ରାର୍ଥୀ କରି ସେମାନଙ୍କ ରିମୋଟ୍‌ ନିଜ ହାତରେ ରଖିବେ? ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ଯେପରି ସରପଞ୍ଚ ସ୍ବାମୀ ଓ ଦିଅରମାନେ କ୍ଷମତା ଭୋଗ କରନ୍ତି ସଂସଦରେ ମଧ୍ୟ ସେହିପରି ହେଉ ବୋଲି କେହି ଚାହିଁବେ କି? ସତରେ ଯଦି ମହିଳା ସଶକ୍ତିକରଣ ପାଇଁ ନବୀନବାବୁଙ୍କ ପ୍ରାଣ କାନ୍ଦୁଛି ତେବେ ସେ ଆଗ ବିଧାନସଭା ନିର୍ବାଚନରେ ନିଜ ଦଳର ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ମୁତୟନ କରନ୍ତୁ। କିଛି ନହେଲେ ଆନୁଗତ୍ୟ ବିଚାରରେ ସେ ଯେଉଁମାନଙ୍କୁ ବାଛିବେ ସେମାନେ ବିଧାନସଭାରେ ଇଂରାଜୀରେ ନହେଲେ ମଧ୍ୟ ଓଡ଼ିଆ ଭାଷାରେ କିଛି କହିପାରିବେ, ପ୍ରଶ୍ନ ପଚାରିପାରିବେ। ଯେଉଁମାନେ ପଂଚାୟତ ଓ ବିଧାନସଭା ଦେଖି ନାହାନ୍ତି ସେମାନଙ୍କୁ ଲୋକସଭା ପଠେଇଲେ ସେମାନେ କି ପ୍ରକାର ଦକ୍ଷତା ପ୍ରଦର୍ଶନ କରିବେ ତାହା ସମସ୍ତଙ୍କ ପାଇଁ ବିଚାରଯୋଗ୍ୟ।

Share :