ପିଇବା ପାଣି ଦିଅନ୍ତୁ ଆଜ୍ଞା!

ପିଇବା ପାଣି ଦିଅନ୍ତୁ ଆଜ୍ଞା!

Share :

ସତ୍ୟଜିତ ସାମନ୍ତରାୟ ଖରା ଯେତିକି ବଢୁଛି ଭୂତଳ ଜଳସ୍ତର ସେତିକି କମୁଛି। ଆଉ ତା’ ସହ ତାଳ ଦେଇ ଡରାଉଛି ଜଳକଷ୍ଟ। କେନ୍ଦୁଝର ଉପଖଣ୍ଡର ନରଣପୁର ଗ୍ରାମରେ ପାନୀୟ ଜଳର ସେମିତି କିଛି ସୁବିଧା କରାଯାଇ ନଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ ହେବାକୁ ବାଧ୍ୟ ହେଉଛନ୍ତି। ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ଏହି ଅଂଚଳରେ ଜଳର ଘୋର ସମସ୍ୟା ଦେଖା ଗଲାଣି। ଏଠାରେ ଥିବା ନଳକୂପର ନିକଟରେ ଲମ୍ୱା ଲାଇନ ଦେବାକୁ ପଡୁଛି। ଲୋକଙ୍କ ଅନୁପାତରେ ଏଠାରେ ନଳକୂପର ବ୍ୟବସ୍ଥା ନାହିଁ। ତେଣୁ ଲୋକେ ପାଣି ପାଇଁ ହଇରାଣ ହେଉଛନ୍ତି। ମାର୍ଚ୍ଚ ୧୧ ତାରିଖ ସୋମବାର ଜଳଙ୍ଗଡିହା, ଘୁଟୁକେଶରୀ ହଳଦିଆଟାଙ୍ଗିରି ଆଦି ସାହିର ମହିଳା ରାସ୍ତା ଅବରୋଧ କରିଥିବା ବେଳେ ମଙ୍ଗଳବାର ସକାଳୁ ଗ୍ରାମର ସମସ୍ତ ମହିଳା ପିଲାଛୁଆ ନେଇ ରାସ୍ତା ଉପରେ ନିଜ ନିଜର ହାଣ୍ଡି ଡେକଚି, ଗରା, ମାଠିଆ ଥୋଇ ରାସ୍ତାରେ ବସିରହିଥିଲେ। କେନ୍ଦୁଝରରୁ ଭୂବନେଶ୍ୱର, କଟକ, ଘଟଗାଁ, ଆନନ୍ଦପୁର ଆଦି ସ୍ଥାନକୁ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ସେହି ରାସ୍ତାଦେଇ ମହିଳାମାନେ କାହାରିକୁ ଛାଡ଼ି ନଥିଲେ। ଶହଶହ ଯାନବାହନ ରାସ୍ତା ଉପରେ ଅଟକି ରହିଥିଲା। ପୁଲିସ ଘଟଣା ସ୍ଥଳରେ ପହଁଚିଥିଲେ ମଧ୍ୟ ସେମାନେ ଗୋଟିଏ କଥା କହିଥିଲେ, ଆମକୁ ପାଣି ଦିଅନ୍ତୁ ଆଜ୍ଞା! ଏପରିକି ହରିଚନ୍ଦନପୁର ବିଡିଓଙ୍କ ଗାଡ଼ି ମଧ୍ୟ ବହୁ ସମୟ ଅଟକି ରହିବାକୁ ବାଧ୍ୟ ହୋଇଥିଲା। ପ୍ରାୟ ଦିନ ୩ଟାରେ ପୁଲିସ ନରଣପୁର ସରପଞ୍ଚଙ୍କ ସହାୟତାରେ ସ୍ଥାନୀୟ ମହିଳାଙ୍କୁ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା କରି ଏହି ସମସ୍ୟାର ସ୍ଥାୟୀ ସମାଧାନର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ଖୁବ ଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରା ନଗଲେ ସେମାନେ ପୁଣି ରାସ୍ତା ଅବରୋଧ କରିବାର ଧମକ ଦେଇଛନ୍ତି। ଜିଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ୟୟକରି ସହରକୁ ଏହି ରାସ୍ତା ଦେଇ ପାନୀୟ ଜଳ ଯୋଗଣ କରାଯାଉଥିଲେ ମଧ୍ୟ, ନରଣପୁର ଗ୍ରାମବାସୀଙ୍କୁ ଜଳ ଯୋଗାଣ ନକରିବା ଘୋର ପରିତାପର ବିଷୟ। କେନ୍ଦୁଝର ଉପଖଣ୍ଡର ନରଣପୁର ପଂଚାୟତବାସୀ ଏହିପରି ଜଳକଷ୍ଟ ଭୋଗାୁଥିବା ବେଳେ କେନ୍ଦୁଝର ସହର ମଧ୍ୟରେ ପାଣି ଆବଶ୍ୟକତାଠାରୁ ଅଧିକ ହେଉଥିବା କୁହାଯାଉଛି। ସହରରେ ଅନେକ ସମୟରେ ପାଣି ଅପଚୟ ହେଉଥିବା ଦୃଷ୍ଟିକୁ ଆସୁଛି। ସୋମବାର ସଦର ବ୍ଲକ ଏବିଡିଓ ଭାଗବତ ନାୟକ ପହଁଚି ମହିଳାମାନଙ୍କୁ ବୁଝାସୁଝା କରି ତାଙ୍କ ସମସ୍ୟା ସମାଧାନ କରିବାର ପ୍ରତିଶୃତି ଦେଇଥିବା ବେଳେ ମଙ୍ଗଳବାର କେହି ନପହଁଚିବା ନରଣପୁରବାସୀଙ୍କୁ ବ୍ୟଥିତ କରିଥିଲା। କାନଝରୀ ନଦୀରୁ କେନ୍ଦୁଝର ସହରକୁ ପାଇପ ଲାଇନ ଯୋଗେ କରାଯାଉଥିବା ଜଳ ଯୋଗାଣ ବ୍ୟବସ୍ଥା ଏହି ରାସ୍ତା କଡ଼ ଗ୍ରାମଗୁଡିକୁ ଯୋଗାଇବା ବାରମ୍ୱାର ଦାବୀ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସେମାନେ ପ୍ରକାଶ କରିଛନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଲେ ଅନେକ ଅଂଚଳ ଆଗାମୀ ଦିନରେ ଜଳକଷ୍ଟ ଭୋଗିବାରୁ ରକ୍ଷା ପାଆନ୍ତା

Share :