ପ୍ରାୟୋଜିତ ପ୍ରଚାର କାର୍ଯ୍ୟକ୍ରମ ମେକ୍‌ ଇନ୍‌ ଓଡ଼ିଶା

ପ୍ରାୟୋଜିତ ପ୍ରଚାର କାର୍ଯ୍ୟକ୍ରମ ମେକ୍‌ ଇନ୍‌ ଓଡ଼ିଶା

Share :

ସ୍ବତନ୍ତ୍ର ପ୍ରତିନିଧି ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଡାକି ରାଜ୍ୟରେ ପ୍ରଚୁର ପୁଞ୍ଜିନିବେଶ କରି ବଡ଼ ବଡ଼ କଳ କାରାଖାନା ବସାଇ ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ମେକ୍ ଇନ୍ ଓଡ଼ିଶା ସ୍ଲୋଗାନ ଦେବା ସହ ୨୦୧୬ ଏବଂ ୨୦୧୮ ମସିହାରେ ଦୁଇଟି ବଡ଼ ସମ୍ମିଳନୀ ଆୟୋଜନ କରିଥିଲେ। ସରାକର ୨୦୧୬ ମସିହା ଅକ୍ଟୋବର ଏବଂ ନଭେମ୍ୱର ମାସରେ ଦେଶର ବିଭିନ୍ନ ସ୍ଥାନ ଯଥା ହାଇଦ୍ରାବାଦ, କଲିକତା ଏବଂ ନୂଆଦିଲ୍ଲୀରେ ରୋଡ଼ ଶୋ ଆୟୋଜନ କରି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଏବଂ ଆଭିମୁଖ୍ୟ ସମ୍ପର୍କରେ ପ୍ରଚାର କରାଇଥିଲେ। ଏହିସବୁ କାର୍ଯ୍ୟକ୍ରମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଓ ବହୁ ଶିଳ୍ପପତି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ତିନିବର୍ଷ ବିତି ଗଲାଣି। ରାଜ୍ୟରେ କେତେ ପୁଞ୍ଜିନିବେଶ ହୋଇଛି, କେତେ ଶିଳ୍ପ କାର୍ଯ୍ୟକ୍ଷମ ହୋଇଛି ଏବଂ କେତେ ରୋଜଗାର ସୃଷ୍ଟି ହୋଇଛି, ଏହା ବୁଝିବା ପାଇଁ ସୂଚନା ଅଧିକାରା ଆଇନ୍ ବଳରେ ଡିସେମ୍ୱର, ୨୦୧୮ରୁ ଫେବୃୟାରୀ, ୨୦୧୯ ମଧ୍ୟରେ ବିଭିନ୍ନ ସରକାରୀ ଦପ୍ତର ଯଥା ଶିଳ୍ପ ବିଭାଗ, ଇପିଲ, ଇଡ଼୍କୋ, ୧୦ଟି ଜିଲ୍ଳାର ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପକେନ୍ଦ୍ରଗୁଡ଼ିକୁ ତଥ୍ୟ ମଗାଯାଇଥିଲା। ବିଭିନ୍ନ ଦପ୍ତରରୁ ମିଳିଥିବା ତଥ୍ୟକୁ ମିଳାଇଲେ ଏହା ସ୍ପଷ୍ଟ ସାବିତ ହୁଏ ଯେ ସରକାରଙ୍କର ଏହି କାର୍ଯ୍ୟକ୍ରମ କେବଳ ଲୋକଦେଖାଣିଆ ଥିଲା। ଏହା ଏକ ସରକାରୀ ଇଭେଣ୍ଟ ଥିଲା ଯାହା ଜରିଆରେ ମୁଖ୍ୟମନ୍ତ୍ରୀ ତାଙ୍କର ବ୍ରାଣ୍ଡ ପ୍ରମୋଶନ ବା ଭାବମୂର୍ତ୍ତିକ ପ୍ରଚାର କରିଥିଲେ। ଏଥିରୁ ଶିଳ୍ପ ଓ ନିଯୁକ୍ତି ବାହାରିଲା ନାହିଁ। ସରକାର ଯୋଗାଇଥିବା କେତେକ ତଥ୍ୟ ଏଠାରେ ପ୍ରଦାନ କରାଗଲା। (୧) ଗତ ୫.୧୨.୨୦୧୮ରିଖରେ ଇପ୍କଲ ଦ୍ୱାରା ଯୋଗାଇ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଜାନୁୟାରୀ ୨୦୧୬ରୁ ଜୁଲାଇ ୨୦୧୮ ମଧ୍ୟରେ ୧୩୧ଟି କମ୍ପାନୀ ରାଜ୍ୟରେ ଶିଳ୍ପରେ ସମୁଦାୟ ୨୭,୩୯,୨୧୩.୪୨ କୋଟି ଟଙ୍କାର ପୁଞ୍ଜିନେବଶ କରିବା ପାଇଁ ସରକାରଙ୍କୁ ଜଣାଇଛନ୍ତି। (୨) ଏହାପରେ ଇପ୍କଲ୍, ଇଡ଼୍କୋ ଏବଂ ବିଭିନ୍ନ ଜିଲ୍ଲାକୁ କେଉଁ କେଉଁ କମ୍ପାନୀକୁ କେତେ ପରିମାଣରେ ଜମି ଦିଆଯାଇଛି କି ନାହିଁ ଏବଂ କେଉଁ ଶିଳ୍ପ କାର୍ଯ୍ୟକାରୀ ହୋଇଛି, ଏହାର ତଥ୍ୟ ମଗାଯାଇଥିଲା। ବହୁ ଜିଲ୍ଲାପାଳଙ୍କ ଦପ୍ତର ଯଥା ଭଦ୍ରକ, କଟକ, ଯାଜପୁର ପ୍ରମୁଖ ତଥ୍ୟ ନଥିବା ଦର୍ଶାଇ ଇପିକଲ ଏବଂ ଇଡ୍କୋକୁ ତଥ୍ୟ ଦେବା ପାଇଁ ଦରଖାସ୍ତଗୁଡ଼ିକୁ ପଠାଇ ଦେଇଥିଲେ। ଇପ୍କଲ ଏବଂ ଇଡ଼୍କୋରୁ ମିଳିଥିବା ଅନୁଯାୟୀ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇନାହିଁ କି ଜଣେ ବ୍ୟକ୍ତି ରୋଜଗାର ପାଇନାହାଁନ୍ତି। (୩) କଟକ ଜିଲ୍ଲାରେ ସମୁଦାୟ ୮ଟି କମ୍ପାନୀ ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱୀକୃତି ଦେଇଥିଲେ। ସେଥିମଧ୍ୟରୁ ଏଲଏଲ ଲଜିଷ୍ଟିକ୍ସ ପ୍ରା. ଲି. ଏବଂ ଗୀତାଞ୍ଜଳି ଜେମସ୍ ଲିମିଟେଡ଼କୁ ଯୋଗାଇ ଦିଆଯାଇଥିବା ଜମି ଲିଜ୍କୁ ସରକାର ଖାରଜ କରିଦେଇଛନ୍ତି। ପେଜ୍ ଇଣ୍ଡଷ୍ଟ୍ରିଜ ଲିଃକୁ ଜମି ଯୋଗାଇ ଦିଆଯାଇଥିଲେ ମଧ୍ୟ ଉକ୍ତ ଅର୍ଥ ପଇଠ ନକରିବାରକୁ ଜମି ଦିଆଯାଇ ପାରିନାହିଁ। ସେହିପରି ଟେଷ୍ଟପୋଷ୍ଟ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼କୁ ଜମି ଦିଆଯାଇ ପାରିନାହିଁ। ଜୟ ଭାରତ ସ୍ପାଇସେସ୍ ଲିଃକୁ ୧୪ ଏକର ଜମି ବାରଙ୍ଗ ତହସିଲ ଅଧୀନରେ ରାଜ୍ୟ ରାମଦାସପୁର ଗ୍ରାମରେ ଦିଆଯାଇଅଛି। କିନ୍ତୁ ଶିଳ୍ପ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅଲ୍ଟ୍ରାଟେକ୍କୁ ୯୦ ଏକର ଜମି ଆଠଗଡ଼ ତହସିଲ୍ ଅଧୀନସ୍ଥ କୋଳଥପାଙ୍ଗି ଗ୍ରାମରେ ଯୋଗାଇ ଦିଆଯାଇଛି। କିନ୍ତୁ ଶିଳ୍ପ ଏପର୍ଯ୍ୟନ୍ତ କରାଯାଇନାହିଁ। ଲାଲଚାନ୍ଦ ରିସର୍ଟ ଲିଃ ଏବଂ ଇନ୍‌ଫ୍ଲୁଏନ୍ସ ହେଲ୍ଥ କେୟାର ଲିମିଟେଡ଼କୁ ଜମି ଦିଆଯାଇପାରି ନାହିଁ। (୩) ଢେଙ୍କାନାଳ ଜିଲ୍ଳାରେ ହାରାହାରି ୮ଟି କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱୀକୃତି ଦେଇଥିଲେ। ସେଥିମଧ୍ୟରୁ ପି. ଆଣ୍ଡ ଏ ବଟ୍‌ଲର୍ସକୁ ମଦ କାରଖାନା ବସାଇବା ପାଇଁ ବଳରାମପୁରରେ ୧୨.୦୫ ଏକର ଜମି ପ୍ରଦାନ କରାଯାଇଥିଲା। କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ଇଡ଼୍କୋ ଜମିଲିଜ୍‌ ବାତିଲ୍ କରିଦେଇଛି। ସେହିପରି ନାରଭେରାମ ପାୱାର ଆଣ୍ଡ ଷ୍ଟିଲ ଲିଃ ସମେତ ଅନ୍ୟାନ୍ୟ କମ୍ପାନୀମାନେ ଏପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା କରିନାହାଁନ୍ତି। (୪) ଯାଜପୁର ଜିଲ୍ଲାରେ କେବଳ ଇମାମୀ ସିମେଣ୍ଟ ଲିଃକୁ କଳିଙ୍ଗନଗର ମାଣତିରାରେ ଏ୬୬.୨୫ ଡ଼ିସିମିଲ୍ ଜାଗା ଦିଆଯାଇଛି। କମ୍ପାନୀର କାର୍ଯ୍ୟ ଚାଲୁରହିଛି। ଏତଦ୍ବ୍ୟତୀତ ଅନ୍ୟାନ୍ୟ ସମସ୍ତ କମ୍ପାନୀ ଯଥା କେଜ୍ରିୱାଲ କାଷ୍ଟିଂ ଲିଃ, ମେସର୍ସ କନ୍‌କୋର୍‌, ମେସର୍ସ ତିରୁପତି କନ୍‌ଟେନର ପ୍ରାଃ ଲିଃ, ମେସର୍ସ ବିଏମଡବ୍ଲ୍ୟୁ ଇଣ୍ଡଷ୍ଟ୍ରିଜ ଲିଃ ଇତ୍ୟାଦି କୌଣସି କାର୍ଯ୍ୟ ଆରମ୍ଭ କରିନାହାଁନ୍ତି। କେବଳ ସ୍ବସ୍ତିକ ଚିଲିକା ରିସୋର୍ଟସ ଯାଜପୁରରେ ତା’ର ଭିତ୍ତିଭୂମି ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛି। (୫) ୭.୩.୧୯ରେ ଇପିକଲ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରାୟ ୧୩ଟି କମ୍ପାନୀ ଜମି ନେଇ ସେମାନଙ୍କର ନିର୍ମାଣ କାମ ଆରମ୍ଭ କରିଛନ୍ତି। ଜମି ନେଇଥିବା କମ୍ପାନୀଗୁଡ଼ିକ ଏପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା କରିନାହାଁନ୍ତି କି ଉତ୍ପାଦନ ଆରମ୍ଭ କରିନାହାଁନ୍ତି। ରାଜ୍ୟରେ ୩ ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରରେ କୌଣସି ରୋଜଗାର ସୃଷ୍ଟି ହୋଇନାହିଁ। ତେଣୁ ମେକ୍ ଇନ୍ ଓଡ଼ିଶା ଅଭିଯାନ କେବଳ ଏକ ପ୍ରଚାର ଅଭିଯାନ ଥିଲା ଓ ଏହା ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କେବଳ ଠକିଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ। ମୁଖ୍ୟମନ୍ତ୍ରୀଙ୍କର ଏହି ଠକାମୀ ଏବଂ ମିଛ ପ୍ରଚାର ପ୍ରତି ସଚେତନ ରହିବାକୁ ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି। ଏହି ସାମ୍ୱାଦିକ ସୂଚନାଧିକାର କର୍ମୀ ତଥା ସମାଜସେବୀ ସଂଯୁକ୍ତା ପାଣିଗ୍ରାହୀ, ଆଇନଜୀବି ସୁଧୀର ମହାନ୍ତି ଓ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share :