ନେତାବାବୁ, ବାବୁନେତା-ନବୀନଙ୍କ ବାବୁତନ୍ତ୍ର

ନେତାବାବୁ, ବାବୁନେତା-ନବୀନଙ୍କ ବାବୁତନ୍ତ୍ର

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ଘଣ୍ଟ ଘୋଷଣା ହେଲା ମାର୍ଚ୍ଚ ୧୦ ତାରିଖରେ। ଏହାର ଦିନକ ପରେ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ପଦରେ ନିଯୁକ୍ତ ହେଲେ ଡକ୍ଟର ଗୋପବନ୍ଧୁ ଦାଶ। ଡକ୍ଟର ଦାଶ ହେଲେ ମୁଖ୍ୟତଃ ଜଣେ ବାବୁ ବା ଅମଲା। ୨୦୧୯ ଅକ୍ଟୋବର ମାସରେ ସେ ଅବସର ଗ୍ରହଣ କରିଥାନ୍ତେ। ଚାକିରି ଆଉ ମାତ୍ର ୭ ମାସ ଥିଲାବେଳେ ସେ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ରାଜନୀତିକ ସଚିବ ଭାବେ ଯୋଗ ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ତୃତୀୟ ମହଲାରେ ଏଇ କାମ ହିଁ କରୁଥିଲେ। ନବୀନ ପଟ୍ଟନାୟକଙ୍କ ଅମଳରେ ସଚିବାଳୟର ତୃତୀୟ ମହଲା ରାଜ୍ୟର ବିକାଶ ଓ ଶାସନ କାମକୁ ପଛକୁ ରଖି ନବୀନ ପଟ୍ଟନାୟକଙ୍କ ବିକାଶ ଓ ପରିଚାଳନା କାମକୁ ପ୍ରାଧାନ୍ୟ ଦେଇଆସିଛି। ଡକ୍ଟର ଗୋପବନ୍ଧ ଦାଶ ସେହି ତୃତୀୟ ମହଲା ଟିମ୍‌ର ଥିଲେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। କେବଳ ଡକ୍ଟର ଦାଶ ନୁହନ୍ତି, ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଏହିପରି ବହୁ ବାବୁ ପ୍ରାଶାସନିକ ଦାୟିତ୍ବ ଛାଡ଼ି ରାଜନୀତିକ ଭୂମିକା ନିର୍ବାହ କରିଛନ୍ତି। ବିପକ୍ଷ ଦଳଗୁଡ଼ିକ ତରଫରୁ ବାରମ୍ବାର ଏପରି ଅଭିଯୋଗ ହୋଇଆସିଛି। ତାଭୋକ ନିଜର ଦଳର ଅନେକ ନେତା ମଧ୍ୟ ମଝିରେ ମଝିରେ ଏନେଇ ବିଷୋଦଗାର କରିଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଅଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ। ସେ ଜଣେ ଆଇଏଏସ ଅଫିସର। କିନ୍ତୁ ସେ କାଳେ ନବୀନ ପଟ୍ଟନାୟକଙ୍କର ନୂଆ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି। କେବଳ ନବୀନବାବୁଙ୍କର ମାର୍ଗଦର୍ଶକ ନୁହନ୍ତି, ପାଣ୍ଡିଆନବାବୁ କାଳେ ବିଜୁ ଜନତା ଦଳର ମୁଖ୍ୟ କର୍ଯ୍ୟନିର୍ବାହୀ ବା ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି। ସେହି ତୃତୀୟ ମହଲାରେ ଥିବା ଆଇପିଏସ ଅଧିକାରୀ ଡିଏସ କୁଟ୍ଟେ, ଆଇଏଏସ ଅଫିସର ରୂପା ରୋଶନ ସାହୁ ମଧ୍ୟ ଓଡ଼ିଶାର ପ୍ରାଶାସନିକ କାର୍ଯ୍ୟ ଛାଡ଼ି ବିଜେଡିର ରାଜନୀତିକ କାର୍ଯ୍ୟ ପରିଚାଳନା କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳର ଅନେକ ନେତା ଅନେକ ଥର ଅଭିଯୋଗ କରିଛନ୍ତି। ସେହିପରି ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବ ମଧ୍ୟ ବିଜେଡିର ପାଣ୍ଠି ସଂଗ୍ରହ ଓ ପରିଚାଳନା ସହିତ ସଂପୃକ୍ତ ଥିବା ଅଭିଯୋଗ ହୋଇଥାଏ। ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ପୁଲିସ ଅଧିକ୍ଷକମାନେ ବିଜେଡିର ଜିଲ୍ଲା ସଭାପତି ଓ ସଂଗଠକ ଭାବେ କାର୍ଯ୍ୟ କରୁଥିବା ନେଇ ମଧ୍ୟ ଆଲୋଚନା ହୋଇଥାଏ। ନବୀନବାବୁଙ୍କ ବାବୁତନ୍ତ୍ରରେ ନେତାମାନଙ୍କର ଇଜ୍ଜତ ଓ କ୍ଷମତା କ୍ରମାଗତ ଭାବେ ସଂକୁଚିତ ହୋଇଚାଲିଥିବା ନେଇ ତାଙ୍କରି ଦଳର ଅନେକ ବିଧାୟକ ବିଧାନସଭାରେ ଅଭିଯୋଗ କରିଛନ୍ତି। ଏକ ଅଭିଯୋଗ ଅନୁଯାୟୀ ନବୀନବାବୁଙ୍କର କେତେକ ମନ୍ତ୍ରୀ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ କାମ କରନ୍ତି। କେତେକ ବିଭାଗୀୟ ସଚିବ ମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଆନ୍ତି ନାହିଁ, ବରଂ ମନ୍ତ୍ରୀ ସଚିବଙ୍କ ପ୍ରକୋଷ୍ଠକୁ ଯାଆନ୍ତି। ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିବା କେତେକ ଯୁବ ବିଜେଡି ନେତା ସଚିବଙ୍କୁ ସାର୍‌ ସାର୍‌ ବୋଲି ସମ୍ବୋଧନ କରନ୍ତି। ନବୀନବାବୁଙ୍କ ବାବୁତନ୍ତ୍ରରେ ସେବାରେ ଥିବା ଏହିପରି ଅନେକ ଅଫିସର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସେବା ନିବୃତ୍ତ ଅନେକ ଅଧିକାରୀ ବି ନବୀନଙ୍କ ବାବୁତନ୍ତ୍ରର ମଙ୍ଗୁଆଳ ଭୂମିକା ନିର୍ବାହ କରିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଆଇଏଏସ ଅଧିକାରୀ ପ୍ୟାରୀ ମୋହନ ମହାପାତ୍ର ଅବସର ନେବା ପରେ ବିଜେଡି ଓ ନବୀନବାବୁଙ୍କ ମାର୍ଗଦର୍ଶକ ଥିଲେ। ୧୯୯୮ରୁ ୨୦୧୨ ଯାଏଁ ସେ ନବୀନବାବୁଙ୍କ ପାଇଁ ଦଳ ଓ ସରକାର ପରିଚାଳନା କରୁଥିଲେ ବୋଲି ମନ୍ତ୍ରୀ ଓ ଅଫିସରମାନେ ଜାଣନ୍ତି। ଗଣମାଧ୍ୟମରେ ବି ଏକଥା ନେଇ ଅନେକ ଆଲୋଚନ ହୋଇଛି। ବିରୋଧୀ ଦଳର ଅଭିଯୋଗ ଅନୁଯାୟୀ ତୃତୀୟ ମହଲାରୁ ଅନେକ ଫାଇଲ୍‌ ୧୧୧, ଶହୀଦ ନଗର ଯାଉଥିଲା। ସେଠାରେ ପ୍ୟାରୀବାବୁ ଫାଇଲସବୁ ପଢ଼ି ଓକେ କରିବା ପରେ ନବୀନବାବୁ ଦସ୍ତଖତ କରୁଥିଲେ। ଏବେ ପାଣ୍ଡିଆନ ସେହି ଭୂମିକା ନିର୍ବାହ କରୁଛନ୍ତି। ପ୍ୟାରୀଙ୍କ ପରେ ଓ ପାଣ୍ଡିଆନଙ୍କ ପୂର୍ବରୁ ଏହି ଦାୟିତ୍ବ ନିର୍ବାହ କରୁଥିଲେ ବିଜୟ ପଟ୍ଟନାୟକ। ବିଜୟବାବୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ତାଙ୍କର ବିଶ୍ବାସଭାଜନ ହେବା ପରେ ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ପାଇଥିଲେ। ନବୀନବାବୁ ନେତାଙ୍କ ଅପେକ୍ଷା ବାବୁମାନଙ୍କୁ କେତେ ଗୁରୁତ୍ବ ଦିଅନ୍ତି ତାହାର ଉଦାହରଣ ଅନେକ। ୨୦୧୪ ସାଧାରଣ ନିର୍ବାଚନରେ ସେ ବରଗଡ଼ ଲୋକସଭା ଆସନରୁ ପ୍ରଭାସ କୁମାର ସିଂହଙ୍କୁ ପ୍ରାର୍ଥୀ କରିଥିଲେ। ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ ବିଜେଡି ପ୍ରାର୍ଥୀ ହୋଇଥିଲେ, ଜିତିଥିଲେ ମଧ୍ୟ। ସେହିପରି ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ ମଧ୍ୟ ଜଣେ ସରକାରୀ ଚାକିରିଆ ଥିଲେ। ବିଜେଡିର ରଣପୁର ବିଧାୟକ ରବି ମହାପାତ୍ର ଜଣେ ପୂର୍ବତନ ସରକାରୀ ଚାକିରିଆ। ମନ୍ତ୍ରୀ ଅନନ୍ତ ଦାସ ସରକାରୀ ଚାକିରିରୁ ଅବସର ନେବା ପରେ ବିଜେଡିରେ ସାମିଲ ହୋଇଥିଲେ। ଇତିମଧ୍ୟରେ ନବୀନଙ୍କ ବାବୁତନ୍ତ୍ର ଅଧିକ ଶକ୍ତିଶାଳୀ ହୋଇଛି। ତାଙ୍କ ଦଳରେ ମିଶିଛନ୍ତି ପୂର୍ବତନ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ, ପୂର୍ବତନ ଆଇଆରଏସ ଅଫିସର ଅମର ପଟ୍ଟନାୟକ, ପୂର୍ବତନ ପୂର୍ତ୍ତ ସଚିବ ଇଂଜିନିଅର ନଳିନୀ ପ୍ରଧାନ, ଉଚ୍ଚ ପ୍ରଶାସକ ରମେଶ ସାଇ। ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଥିବାବେଳେ ନଳିନୀ ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଏବଂ ସାଇବାବୁ ଆଠମଲ୍ଲିକର ବିଧାୟକ ପ୍ରାର୍ଥୀ ହେବା କଥା ଶୁଣାଯାଉଛି। ସେହିପରି ଅର୍ଥ ବିଭାଗର ଅଧିକାରୀ ଶର୍ମିଷ୍ଠା ସେଠୀଙ୍କ ନାମ ଯାଜପୁର ଲୋକସଭା ଆସନ ପାଇଁ ଚର୍ଚ୍ଚାରେ ରହିଛି। ୨୦୧୯ ନିର୍ବାଚନରେ ଏହିପରି କେତେକ ଅଫିସର, ଡାକ୍ତର, ଇଂଜିନିଆର ଓ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀଙ୍କୁ ନବୀନବାବୁ ଦଳୀୟ ପ୍ରାର୍ଥୀ କରିବାର ଯୋଜନା ରହିଥିବା ଆଞ୍ଚଳିକ ଗଣମାଧ୍ୟମରେ ଅନେକ ରିପୋର୍ଟ ପ୍ରକାଶ ପାଇଛି। ନବୀନବାବୁ ତାଙ୍କ ଶାସନ କାଳରେ ଶାମ ପିତ୍ରୋଡ଼ା, ଆରଏନ ଦାସ, ସୁଜିତ କୁମାର ପ୍ରମୁଖ ଅନେକ ବାବୁଙ୍କୁ ସରକାରରେ ସ୍ବତନ୍ତ୍ର ପଦପଦବୀ ସହିତ ମନ୍ତ୍ରୀ ପାହ୍ୟା ପ୍ରଦାନ କରିବାର ନଜୀର ରହିଛି। ତେବେ ରାଜ୍ୟର ଅନ୍ୟ ଦଳଗୁଡ଼ିକ ମଧ୍ୟ ଏପରି ବାବୁତନ୍ତ୍ରରୁ ମୁକ୍ତ ନୁହନ୍ତି। ତଫାତ ହେଉଛି, ଅନ୍ୟ ଦଳଗୁଡ଼ିକରେ ମିଶିଥିବା ବାବୁମାନେ ନେତାଙ୍କ ପରିଚାଳନାଧୀନ ଥିଲାବେଳେ ବିଜେଡିର ବାବୁମାନେ ପରିଚାଳକ ଭୂମିକା ନିର୍ବାହ କରୁଛନ୍ତି। ସଂପ୍ରତି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଅପରାଜିତ ଷଡ଼ଙ୍ଗୀ। ସେଥିପାଇଁ ସେ ପ୍ରାୟ ୧୧ ବର୍ଷର ଚାକିରି ଛାଡ଼ିଛନ୍ତି। ସେହିପରି ଏହି ଦଳରେ ଅଛନ୍ତି ପୂର୍ବତନ ପ୍ରଶାସକ ସୁଦର୍ଶନ ନାୟକଙ୍କ ସମେତ ଅନେକ ପୂର୍ବତନ ଅମଲା। ପୂର୍ବରୁ ପୂର୍ବତନ ଆଇପିଏସ ଅଫିସର ଅଶୋକ ସାହୁ ଏହି ଦଳର ସାଂସଦ ଥିଲେ। କଂଗ୍ରେସ ସାଂସଦ ରହିସାରିଥିବା ଅନାଦୀ ସାହୁଙ୍କ ପରି ବହୁ କଂଗ୍ରେସ ନେତା ମଧ୍ୟ ସରକାରୀ ଚାକିରି ସାରି ନେତାଗିରି କରିଥିଲେ।

Share :