ନିରୋଳା ଠକାମୀର ନାଁ ବିଜୁ ସ୍ୱାସ୍ଥ୍ୟ ଯୋଜନା

ନିରୋଳା ଠକାମୀର ନାଁ ବିଜୁ ସ୍ୱାସ୍ଥ୍ୟ ଯୋଜନା

Share :

ରାଜ୍ୟରେ ଅଗଷ୍ଟ ୧୫, ୨୦୧୮ରୁ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ମିଥ୍ୟା ଭ୍ରମାତ୍ମକ ଏବଂ ଠକାମୀପୂର୍ଣ୍ଣ ଯୋଜନା ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ କୁହାଯାଇଛି। ଅଗଷ୍ଟ ୧୫, ୨୦୧୧ରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରି ଏହି ଯୋଜନରେ ସରକାରୀ ଡ଼ାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଏହାଦ୍ୱାରା ୭୦ ଲକ୍ଷ ପରିାବର ଅର୍ଥାତ୍ ହାରାହାରି ୩.୫୦ ଗୋଟି ଲୋକ ଉପକୃତ ହେବେ ବୋଲି କହିଥିଲେ। ଉକ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ସୂଚନା ଅଧିକାର ଆଇନ୍ ବଳରେ ୪୦ଟି ଦରଖାସ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରାାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶାଳୟ, ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଇତ୍ୟାଦିକୁ ଆବେଦନ କରାଯାଇଥିଲା। ଆବେଦନ ଅନୁସାରେ ସୂଚନା ନଦେଇ ଅଧିକାରୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଯେଉଁ ତଥ୍ୟ ପଦାକୁ ଆସିଛି, ତାହା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବାସ୍ତବ ଚରିତ୍ର ଖୋଲି ଦେଇଛି। ଉକ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଅଧିକାର ଆଇନ୍ ବଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନଭେମ୍ୱର ୧୦ରୁ ଜାନୁୟାରୀ, ୨୦୧୯ ମଧ୍ୟରେ ତଥ୍ୟ ମଗାଯାଇଥିଲା। ଏହି ତଥ୍ୟରୁ ମିଳିଥିବା ସୂଚନା ନିମ୍ନମତେ ଉପସ୍ଥାପନ କରାଗଲା। ୧. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କୌଣସି ଅର୍ଥ ବ୍ୟବସ୍ଥା କରିନାହାଁନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉ ଆସୁଥିବା ଯୋଜନାଗୁଡ଼ିକ ଅଧୀନରେ ରୋଗୀମାନେ ପାଉଥିବା ସ୍ୱାସ୍ଥ୍ୟ ସେବାକୁ କେତେକ କ୍ଷେତ୍ରରେ ଦେୟମୁକ୍ତ ବା ମାଗଣା କରାଯାଇଛି। ୨. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କର ଏକ ଚିଠିକୁ ୭୦ ଲକ୍ଷ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ୧.୧୨ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଯାଇଛି। ୩. ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଚାର ପ୍ରସାର ପାଇଁ ବିଜ୍ଞାପନ ବାବଦ ୩.୧୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୪. ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସମସ୍ତଙ୍କୁ ସରକାରୀ ଡ଼ାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୫୦ ଭାଗ ଡ଼ାକ୍ତର ପଦବୀ ଖାଲିପଡ଼ିଛି। ଉଦାହରଣସ୍ୱରୂପ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମସ୍ତ ଡ଼ାକ୍ତର ପଦବୀ ଖାଲି ପଡ଼ିଛି। ତେଣୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା ଚରମ ବାଧାପ୍ରାପ୍ତ ହୋଇଛି। ୫. ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯୟୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୌଣସି ରୋଗୀ ସେବା ପାଇନାହାଁନ୍ତି ବୋଲି ଦର୍ଶାଇଛନ୍ତି। ଅର୍ଥାତ ରାଜ୍ୟ ସରକାର ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ଯୋଜନାରେ ଲୋକମାନେ ପାଉଥିବା ସ୍ୱାସ୍ଥ୍ୟସେବାକୁ ସରକାର ବିଜୁ ସ୍ୱାସ୍ଥ୍ୟ ସେବା ବୋଲି ଦର୍ଶାଇଛନ୍ତି। ୬. ସରକାର ୭୦ ଲକ୍ଷ ହିତାଧିକାରୀ ପରିବାର କିପରି ନିର୍ଦ୍ଧାରଣ କଲେ ଏହାର ଉତ୍ତରରେ ମିଳିଥିବା ତଥ୍ୟ ଅନୁଯାୟୀ ଆଗରୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ୨୫,୬୧,୬୦୨ ହିତାଧିକାରୀ ମାଗଣା ସ୍ୱାସ୍ଥ୍ୟସେବା ପାଉଥିଲେ। ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୪୦.୦୮,୦୭୦ ଲୋକ ସ୍ୱାସ୍ଥ୍ୟ ସେବା ପାଉଥିଲେ। ଏହି ଦୁଇ ସ୍କିମ୍‌କୁ ମିଶାଇ ରାଜ୍ୟ ସରକାର ସମୁଦାୟ ୭୦ ଲକ୍ଷ ପରିବାର ହିତାଧିକାରୀ ବୋଲି ଘୋଷଣା କରିଛନ୍ତି। ୩୧, ଡ଼ିସେମ୍ୱର, ୨୦୧୮ ମଧ୍ୟରେ ଆରଏସବିୱାଇ ବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଅବଧି ପୂରିଯାଇଥିବାରୁ, ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା-୨ ମାଧ୍ୟମରେ ସମସ୍ତ ଆରଏସବିୱାଇ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ଦେବେ। କିନ୍ତୁ ଏପର୍ଯ୍ୟନ୍ତ ଏହି ଆରଏସବିୱାଇ ହିତାଧିକାରୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହା କେବଳ ସରକାରୀ ଘୋଷଣାରେ ସୀମିତ ରହିଛି। ୭. ରାଜ୍ୟରେ ୨୦୮ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନା କେତେ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର କେତେ ଅର୍ଥ ପାଇଠ କରିଛନ୍ତି, ଏହାର କୌଣସି ତଥ୍ୟ ସରକାରଙ୍କ ନିକଟରେ ନାହିଁ। ବହୁ ସରକାରୀ ହସ୍ପିଟାଲ ଯଥା ସମ୍, ହସ୍ପିଟାଲ ସରକାର କୌଣସି ସ୍ପଷ୍ଟ ନୀତି କରିନଥିବାରୁ, ଏହି ଯୋଜନାକୁ ସେମାନେ କାର୍ଯ୍ୟକାରୀ କରାଉନାହାଁନ୍ତି ବୋଲି କହିଥିଲେ। ୮. ବିକେକେୱାଇରେ ରାଜ୍ୟ ସରକାର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ କେତେ ରୋଗୀ ଏହି ସେବା ପାଇଲେଣି ପ୍ରଶ୍ନର ତଥ୍ୟ ରାଜ୍ୟ ସ୍ବାସ୍ଥ୍ୟ ନିଶ୍ଚିତିକରଣ ସମିତି ବା ଏସଏଚଏଏସ ପାଖରେ ନାହିଁ। ସେ ଆବେଦନ ଦରଖାସ୍ତଟିକୁ ୨୨.୧.୧୯ରେ କେତେଗୁଡ଼ିଏ ବୀମା କମ୍ପାନୀମାନଙ୍କୁ ପଠାଇ ଉତ୍ତର ଅପେକ୍ଷାରେ ରହିଛନ୍ତି। ତେଣୁ ରାଜ୍ୟରେ ବସ୍ତୁତଃ ଏହି ଯୋଜନା କେବଳ ଲୋକଙ୍କୁ ମିଛ କହି ଭୋଟ ହାତେଇବା ପାଇଁ ଉଦ୍ଦିଷ୍ଟ ଏବଂ ସରକାରଙ୍କ ଏହି ମିଥ୍ୟା ପ୍ରଚାର ପ୍ରତି ସତର୍କ ରହିବାକୁ ଓସା ତରଫରୁ ନିବେଦନ କରାଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ, ସୁଧୀର ମହାନ୍ତି, କେଦାରନାଥ ସାହୁ, ପ୍ରତାପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share :