ବଙ୍ଗୋପସାଗରରେ ଜଳବାୟୁ ପରିବର୍ତ୍ତନ

ବଙ୍ଗୋପସାଗରରେ ଜଳବାୟୁ ପରିବର୍ତ୍ତନ

Share :

ବଙ୍ଗୋପସାଗର ଉପକୂଳ ବର୍ତ୍ତମାନ ଗଭୀର ପରିବେଶୀୟ ସଙ୍କଟ ଦେଇ ଗତିକରୁଛି। ଦୀର୍ଘ ୪୮୦ କିମି ଉପକୂଳ ଅଂଚଳରେ ଯେପରି ଭାବେ ପରିବେଶୀୟ କ୍ଷତି ସହ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ବସତି ପ୍ରତି ଘୋର ବିପଦ ଉଭା ହେଲାଣି, ଜଣେ ବୈଜ୍ଞାନିକର ଦୃଷ୍ଟିଭଙ୍ଗୀରେ ଯେପରି ତାପୀୟ ହ୍ରାସ ଓ ବୃଦ୍ଧି ଘଟୁଛି, ସେ ନେଇ ଉଦ୍ବେଗ ପ୍ରକାଶ ସହ ତାର ନିରାକରଣ ମଧ ଆବଶ୍ୟକ ବୋଲି କୋଣାର୍କ ଯାତ୍ରୀନିବାସଠାରେ ୟଙ୍ଗ ଇଣ୍ଡିଆ ଓ ୱାଟର ଇନିସିଏଟିଭର ମିଳିତ ଆୟୋଜନରେ ଅନୁଷ୍ଠିତ ବଙ୍ଗୋପସାଗରରେ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଗଣମାଧ୍ୟମ କର୍ମଶାଳାରେ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ବୈଜ୍ଞାନିକ ତଥା ସମାଜସେବୀମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପରିବେଶ ପ୍ରଦୂଷଣ ଏବଂ ଉପକୂଳ କ୍ଷତିଗ୍ରସ୍ତ ଫଳରେ ଉପକୂଳୀୟ ଇଲାକାରେ ଏହାର କୁପରିଣାମ ସମସ୍ତେ ଭୋଗିବା ଏବଂ ଆଗାମୀ ଭବିଷ୍ୟତରେ ଏହା ଗୁରୁତର ଆକାର ଧାରଣ କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ୟଙ୍ଗ ଇଣ୍ଡିଆର ସଭାପତି ତଥା ଗୋଷ୍ଠୀ ଗଣମାଧ୍ୟମ ବିଶେଷଜ୍ଞ ଏନ୍.ଏ. ଶାହ ଆନସାରୀଙ୍କ ସ୍ୱାଗତ ସମ୍ଭାଷଣ ପରେ ୱାଟର ଇନିସିଏଟିଭ୍ର ଆବାହକ ରଞ୍ଜନ ପଣ୍ଡା ଗଣମାଧ୍ୟମ କର୍ମଶାଳାର ଆବଶ୍ୟକତା ସମ୍ପର୍କରେ ବ୍ୟକ୍ତ କରିଥିଲେ। ଆଇଆଇଟି ଭୁବନେଶ୍ୱରର ବୈଜ୍ଞାନିକ ଡଃ ସନ୍ଦୀପ ପଟ୍ଟନାୟକ ବଙ୍ଗୋପସାଗର ତଟୀୟ କ୍ଷେତ୍ରରେ ପରିବେଶ ପରିବର୍ତ୍ତନ ସଂକ୍ରାନ୍ତରେ ମତବ୍ୟକ୍ତ କରିଥିବା ବେଳେ କ୍ୟାଥୋଲିକ ରିଲିଫ୍ ସର୍ଭିସର କାର୍ଯ୍ୟକ୍ରମ ଅଧିକାରୀ ଶୈଳେନ୍ଦ୍ର ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନ ଏବଂ କୃଷି ଉପରେ ପ୍ରଭାବ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ। କନସର୍ଣ୍ଣ ୱାର୍ଲଡ୍‌ ୱାଇଡ଼୍ର ଅଧିକାରୀ ସରୋଜ ଦାଶ ସ୍ଥାନୀୟ ପରିବେଶୀୟ ସମସ୍ୟାଗୁଡ଼ିକୁ କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ସହିତ ଯୋଡ଼ାଯାଇପାରିବ ଏବଂ ଏହାର ନିରାକରଣ ଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇପାରିବ, ସେ ସମ୍ପର୍କରେ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ବସୁନ୍ଧରାର ଡଃ ହେମନ୍ତ କୁମାର ସାହୁ ହେନ୍ତାଳବଣର ଉପକାରିତା ସମ୍ପର୍କରେ ନିଜର ମତ ରଖିଥିବା ବେଳେ ଦ୍ୱିତୀୟ ଖୋଲା ଅଧିବେଶନରେ ରଞ୍ଜନ ପଣ୍ଡାଙ୍କ ଆବାହକତ୍ୱରେ ରାଜ୍ୟର ବିଭିନ୍ନ ଅଂଚଳର ଗଣମାଧ୍ୟମ ପ୍ରତିନିଧିବୃନ୍ଦ ପରିବେଶ ସନ୍ତୁଳନ ରକ୍ଷା ଦିଗରେ କିପରି ଗଣମାଧ୍ୟମ ଦାୟିତ୍ୱ ନିର୍ବାହ କରିବ, ସେ ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ। ଆଲୋଚକଭାବେ ବରିଷ୍ଠ ସାମ୍ୱାଦିକ ପ୍ରିୟରଞ୍ଜନ ସାହୁ, ବାସୁଦେବ ମହାପାତ୍ର ଏବଂ ବସୁନ୍ଧରାର ନିର୍ବାହୀ ନିର୍ଦ୍ଦେଶକ ମାନସ ରଞ୍ଜନ ମିଶ୍ର ଗଣମାଧ୍ୟମର ଦାୟିତ୍ୱ, ଭୂମିକା, ରିପୋର୍ଟିଂ ପ୍ରଣାଳୀ ଆଦି ସମ୍ପର୍କରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଇଂଟରନ୍ୟୁଜ ସହାୟତାରେ ସମାଜସେବୀ ସଂସ୍ଥା ୟଙ୍ଗଇଂଡିଆ ଓ ଓ୍ୱାଟର ଇନିସିଏଟିଭ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା। ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ରେଡ଼ିଓ ନମସ୍କାରର ପ୍ରତିନିଧି ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ବସୁନ୍ଧରାର ପ୍ରଗତି ପ୍ରଭା ଧନ୍ୟବାଦ ଅର୍ପଣ କରିଥିଲେ।

Share :