ହମ୍ପସ ମାଳ ମାଳ ଦୁର୍ଘଟଣା ପ୍ରବଳ

ହମ୍ପସ ମାଳ ମାଳ ଦୁର୍ଘଟଣା ପ୍ରବଳ

ସତ୍ୟଜିତ ସାମନ୍ତରାୟ ଦିନକୁ ଦିନ ବଢୁଛି ଦୁର୍ଘଟଣା। ଅକାଳରେ ଝଡି ପଡୁଛି ଅନେକ ଜୀବନ। ଏହା ଏକ ଗୁରୁତର ଚିନ୍ତାଜନକ ବିଷୟ ନିଶ୍ଚୟ। ଦ୍ରୁତ ଗତିରେ ଚଳାଉଥିବା ଗାଡ଼ି ଚାଳକଙ୍କୁ ଲଗାମ ଲଗାଇବା ପାଇଁ ବିଭିନ୍ନ ସ୍ଥାନରେ ସ୍ପିଡବ୍ରେକର ବା ହମ୍ପସ୍ ତିଆରି କରାଯାଇଥାଏ। କିନ୍ତୁ ଏହି ସ୍ପିଡ୍ ବ୍ରେକର ଆଜିକାଲି ଦୁର୍ଘଟଣାର ମୂଖ୍ୟ ମାଧ୍ୟମ ପାଲଟୁଛି। ଆଜିକାଲି ଘରୁ ବାହାରିଲେ ରାସ୍ତା ଘାଟଠାରୁ ଆରମ୍ଭ କରି ଛୋଟ ଛୋଟ ସାହି ରାସ୍ତା ସବୁଠାରେ ବଡ ବଡ ହମ୍ପସ ନିମାର୍ଣ କରାଯାଉଛି। ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ବି କେହି ପାଳନ କରୁଥିବା ଦେଖା ଯାଉନାହିଁ। କେଉଁଠି ଗୋଟିଏ ଦୁର୍ଘଟଣା ଘଟିଲେ ସଙ୍ଗେ ସଙ୍ଗେ ଦୁର୍ଘଟଣାର କାରଣ କିମ୍ୱା ସାମାନ୍ୟ କଥା ବି ଜାଣି ନଥିବା କିଛି ଲୋକ ଏକାଠି ହୋଇ ରାସ୍ତା ରୋକ ଆରମ୍ଭ କରିଦିଅନ୍ତି। ଆଉ ପୁଲିସ ପହଁଚିବା ପରେ ଅନ୍ଦୋଳନକାରୀଙ୍କୁ ବୁଝାଇବାର ମାଧ୍ୟମ ହମ୍ପସ ବୋଲି ଧରି ନିଅନ୍ତି। କୌଣସି ବି ମୁଖ୍ୟ ରାସ୍ତା କଡ଼ରେ ଗୋଟିଏ ଛୋଟ ଘର କି ସାହି ଥିଲେ ରାସ୍ତା ଉପରେ ହମ୍ପସ କରିଦିଆଯାଏ। ଏବେ ତ ଠିକାଦାର ରାସ୍ତା କରିବା ସମୟରେ କିଛି ସ୍ଥାନୀୟ ସବଜାନତା ଅଡ଼ି ବସୁଛନ୍ତି ଆଗ ହମ୍ପସ ପରେ ରାସ୍ତା। କେନ୍ଦୁଝରର ପ୍ରତ୍ୟେକ ଛୋଟବଡ଼ ରାସ୍ତାରେ କେହି ବି ଏହି ହମ୍ପସର ରୂପ ଦେଖିଲେ ଡରିବ ନିଶ୍ଚୟ। ଏହି ସ୍ପିଡବ୍ରେକର ଗୁଡିକ ଏତେ ବଡ଼ ଆକାରର କରାଯାଉଛି ଯେ କୌଣସି ବି ଛୋଟ ଗାଡି ଗଲେ ତାର ତଳ ବାଡେଇ ହେବ। ଯେମିତି ଏହି ରାସ୍ତା ସବୁ କେବଳ ବଡ ବଡ ଗାଡି ଯିବାପାଇଁ ହୋଇଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହମ୍ପସ ସବୁକୁ ଉଠାଇ ସେହି ସ୍ଥାନରେ ରମ୍ୱଲରସ ସହ ସାଇନ ବୋର୍ଡ ରହିବା ବାଧ୍ୟତା ମୂଳକ। ୨୦୧୬ ମସିହାରେ ସରକାରଙ୍କ ତରଫରୁ ଏନେଇ ବିଜ୍ଞାପ୍ତି ମାଧ୍ୟମରେ ଜାତୀୟ ରାଜପଥ ପ୍ରଧିକରଣ, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଦୁର୍ଘଟଣା ପାଇଁ ୯୮ ପ୍ରତିଶତ ଚାଳକଙ୍କୁ ଦାୟୀ କରାଯାଉଥିବା ବେଳେ ୬୩ ପ୍ରତିଶତଙ୍କ ବୟସ ୨୧ ରୁ ୪୪ ବର୍ଷ ମଧ୍ୟରେ ଜଣାପଡିଛି। ସରକାରଙ୍କ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି, ସ୍ପିଡବ୍ରେକର ଦ୍ୱାରା ଦୁର୍ଘଟଣା ଜନିତ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ସବାର୍ଧିକ। ଏଥିଯୋଗୁ ପ୍ରତିଦିନ ୩୦ଟି ଦୁର୍ଘଟଣା ଘଟୁଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟୁଛି। ଭାରତରେ ଏଥିଯୋଗୁ ପ୍ରତିବର୍ଷ ୩୫୦୦ ଲୋକଙ୍କ ମୃତ୍ୟୁ ଘଟୁଛି। ଏହାର କାରଣ ହେଉଛି ଭୁଲଭାବେ ହମ୍ପସ ତିଆରି ସହ ନିମ୍ନ ମାନର ସାମଗ୍ରୀର ବ୍ୟବାହାର। ଲକ୍ଷ୍ୟ କରାଯାଉଛି ହମ୍ପସ ରହିଥିବା ସ୍ଥାନରେ ରାସ୍ତା ଖୁବ ଶୀଘ୍ର ଖରାପ ହୋଇଯାଇଥାଏ ଏବଂ ସେ ସ୍ଥାନରେ ଅଧିକ ସଂଖ୍ୟାରେ ଦୁର୍ଘଟଣା ଘଟିଥାଏ। ରାଜ୍ୟ ସରକାର ଅନେକ ଦୁର୍ଘଟଣା ପ୍ରବଣ ଅଂଚଳକୁ ବ୍ଲାକସ୍ପଟ ଭାବେ ଚିହ୍ନିତ କରିଥିଲେ ମଧ୍ୟ ଲୋକଙ୍କ ମନରେ ସଚେତନତା ଅଭାବରୁ ଦୁର୍ଘଟଣା ହେଉଛି। ଏଥିଯୋଗୁ ଆମ୍ୱୁଲାନ୍ସ, ପୁଲିସ ଗାଡି, ଦମକଳ ଆଦି ଯିବାରେ ଅସୁବିଧା ସୃଷ୍ଟି ହେବା ସହ ଛୋଟ ଗାଡି ଚାଳକ ଗାଡିର କ୍ଷତିଯୋଗୁ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଶବ୍ଦ ପ୍ରଦୂଷଣ ବଢିବା ସହ ଅତ୍ୟଧିକ ଇନ୍ଧନ ଅପଚୟ ହେଉଛି। ବୟସ୍କ ଓ ବୃଦ୍ଧ ବ୍ୟକ୍ତିମାନେ ଗାଡି ଚାଳନା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ସହ ୨ ଚକିଆ ଯାନର ଦୁର୍ଘଟଣା ଘତୁଛି। ତେବେ କଣ ହମ୍ପସ ରହିବା ଉଚିତ ନୁହେଁ ? ହମ୍ପସ ରହିବାର ସ୍ଥାନ ଅଲଗା। ଖଣି ଅଂଚଳ, ବିଭିନ୍ନ କଲୋନୀ ଭିତରେ, ସ୍କୁଲ କଲେଜ ପାଖରେ, ଅଣଓସାରିଆ ପୋଲର ଦୁଇ ପାଖରେ କିମ୍ୱା ଅସ୍ଥାୟୀ ରାସ୍ତା ନିର୍ମାଣ ନିକଟରେ ହମ୍ପସ ରଖାଯିବାକୁ ମାନ୍ୟବର ସୁପ୍ରିମ କୋର୍ଟ ଅନୁମତି ଦେଇଥିବା ବେଳେ ଏହାର ଉଚ୍ଚତା ୧୦ ସେମି ଓ ଲମ୍ୱ ୩୭୦୦ ସେମି ରଖିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ବିନା ଅଭିଜ୍ଞତାରେ କରାଯାଉଥିବା ହମ୍ପସ ସବୁ ଏହି ମାନ ଉପରେ ଗୁରୁତ୍ୱ ଦେଉନଥିବାରୁ ଦୁର୍ଘଟଣା ଘଟୁଛି। ତେଣୁ ବିଭିନ୍ନ ବ୍ୟକ୍ତି ତଥା ବିଭାଗମାନେ ହମ୍ପସ ନିର୍ମାଣ କରାଇବା ବେଳେ ଆବଶ୍ୟକୀୟ ନିର୍ଦ୍ଦେଶକୁ ପାଳନ କଲେ ଦୁର୍ଘଟଣା ହୁଅନ୍ତା ନାହିଁ କିମ୍ୱା ଅକାଳରେ ଧନ ଜୀବନ ହାନୀ ଘଟନ୍ତାନାହିଁ।

Share :