ସବୁ ସେଇ ଫଟୋ ପାଇଁ ସିନା !

ସବୁ ସେଇ ଫଟୋ ପାଇଁ ସିନା !

Share :

ସତ୍ୟଜିତ ସାମନ୍ତରାୟ ପ୍ରତି ବର୍ଷ ବିଭିନ୍ନ ସମୟରେ ସରକାର ଲୋକମାନଙ୍କ ହିତକୁ ଆଖିଆଗରେ ରଖି ମାଳମାଳ ଯୋଜନା କରୁଛନ୍ତି। ଏହି ଯୋଜନା ସବୁ କାର୍ଯ୍ୟକାରୀ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ବିଭିନ୍ନ ଘରୋଇ କମ୍ପାନୀରେ ଆଉଟସୋର୍ସିଙ୍ଗ କଲା ଭଳି, ସଭା ସମିତି ମାଧ୍ୟମରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ସଭାସ୍ଥଳକୁ ଆଣିବା ପାଇଁ ମଧ୍ୟ ସରକାରୀ ସ୍ତରରେ ଅଧିକାରୀଙ୍କ ଦ୍ୱାରା କିଛି ଲୋକଙ୍କୁ ଓ ଠିକାଦାରଙ୍କୁ ନିଯୁକ୍ତି କରାଯାଉଛି। ଯୋଜନା ପରେ ଯୋଜନା କର୍ଯ୍ୟକାରୀ ହେବାର ରିପୋର୍ଟ ପଠାଇବାରେ ସରକାରୀ ଅଧିକାରୀମାନେ ସବୁବେଳେ ବ୍ୟସ୍ତ। କିଏ କେତେ ଚଂଚକତା କରି ରିପୋର୍ଟକୁ କମ ବେଶି କରିପାରିଲେ ରାଜ୍ୟ ସ୍ତରରେ ବା ଜାତୀୟ ସ୍ତରରେ ପୁରଷ୍କାର ମିଳିଯିବ। ଏହି ପୁରଷ୍କାର ନିଆଯିବା ବେଳର ଫଟୋକୁ ହ୍ୱାଟସ୍ଆପ, ଫେସବୁକ ଓ ଗଣ ମାଧ୍ୟମରେ ଭାଇରାଲ କରି ବେଶ ପ୍ରଶଂସା ଗୁଡାଏ ସାଉଁଟା ଯାଇପାରିବ। ଯେକୌଣସି ସରକାରୀ ଅଧିକାରୀ ବର୍ତ୍ତମାନ ପ୍ରକୃତ ପରିସ୍ଥିତି ଅନୁଧ୍ୟାନ ନକରି ସରକାରୀ ଡାକପିଅନ ପରି କିରାଣୀମାନେ ପ୍ରସ୍ତୁତ କରିଥିବା ଏହି ରିପୋର୍ଟକୁ ମୁଖ୍ୟାଳୟକୁ ପଠାଇବାରେ ସମୟ କାଟୁଛନ୍ତି। ନହେଲେ କୁଆଡ଼େ ଚାକିରୀ ଚାଲିଯିବା ସମସ୍ତଙ୍କୁ କହୁଥିବା ଦେଖାଯାଉଛି। ତେଣେ ଲୋକଙ୍କ ବାସ୍ତବିକ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ସମୟ ବଳିବ କୁଆଡୁ। ବହୁ ଆଡମ୍ୱରେ ଲଘୁକ୍ରିୟା ଭଳି କିଛିଦିନ ପରେ ଲୋକଙ୍କ ପାଇଁ ହୋଇଥିବା ଏହି ଯୋଜନାସବୁର ବାସ୍ତବିକତା ଜଣାପଡିଯାଉଛି। ପ୍ରତିବର୍ଷ ବନମହୋତ୍ସବ ସମୟରେ ଫଟୋ ଉଠାଇ ବାଃ ବାଃ ନେଉଥିବା ବନ ବିଭାଗ ଲଗାଯାଉଥିବା ଗଛ ଭିତରୁ ପର ବର୍ଷ କେତୋଟି ବଂଚିଛି ସେ ଫଟୋ ମଧ୍ୟ ସାଙ୍ଗରେ ଦେଲେ ଲୋକମାନେ ଜାଣିବାର ସୁଯୋଗ ପାଆନ୍ତେ, ଆମ ସରକାର ଆମପାଇଁ ସତରେ କେତେ ପରିଶ୍ରମ କରି ଦିନରାତି ଏକ କରି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଛନ୍ତି। ଚାଷୀଙ୍କ ଚାଷଜମିକୁ ଖରାପ କରିଥିବା ପଲିଥିନକୁ ବ୍ୟାନ କରିବା ଦିଗରେ ବିଭିନ୍ନ ଅନୁଷ୍ଠାନର ରାଲିର ଫଟୋ ଆପଣ ଦେଖିଥିବେ। କିନ୍ତୁ ରାଲି ପରଦିନ ପୁଣି ପରିବା ଦୋକାନରୁ ସେହି ବ୍ୟକ୍ତି ପରିବାର ନେବାକୁ ପଲିଥିନ ପାଇଁ ଜିନ୍‌ଝଟ କରୁଥିବାର ବି ଦେଖିଥିବେ।

Share :