କାନ୍‌ଭାସ୍‌ ଏକ ସୀମାହୀନ ସ୍ବପ୍ନର!

କାନ୍‌ଭାସ୍‌ ଏକ ସୀମାହୀନ ସ୍ବପ୍ନର!

ସାଂସ୍କୃତିକ ପ୍ରତିନିଧି ଶିଳ୍ପୀ ଓ ଶିଳ୍ପୋଦ୍ୟୋଗୀ। ଏକାଧାରରେ ଦୁଇ ପ୍ରତିଭାର ଅଧିକାରୀ। ଖୁବ କମ୍ ଲୋକଙ୍କ କ୍ଷେତ୍ରରେ ଦେଖାଯାଏ ଏଭଳି ବିରଳ ବ୍ୟକ୍ତିତ୍ବ। ଏ ହେଲ ସୀମା ଅଗ୍ରୱାଲ। ଜଣେ ଚିତ୍ରଶିଳ୍ପୀ। ଚିତ୍ରକଳା ତାଙ୍କର ସହଜାତ ଗୁଣ। ସେ କେଉଁ ଗୁରୁ କିମ୍ବା ଶିକ୍ଷା ପ୍ରତିଷ୍ଠାନରୁ ଏହି କଳା ଶିଖି ନାହାନ୍ତି। ଏହା ସେ ହାସଲ କରିଛନ୍ତି ଈଶ୍ବରଙ୍କଠାରୁ। ଘରେ ବସି ବୋର୍‌ ହେବା ସମୟରେ ଚିତ୍ର ଆଙ୍କୁ ଆଙ୍କୁ ହୋଇଯାଇଛନ୍ତି ଚିତ୍ରଶିଳ୍ପୀ। ଆଉ ଏହି ପ୍ରତିଭାକୁ ସମାଜର ସକାରାତ୍ମକ ସେବାରେ ଲଗାଇବା ପାଇଁ ସେ ହୋଇଯାଇଛନ୍ତି ଶିଳ୍ପୋଦ୍ୟୋଗୀ। ଚାରୁ ଓ କାରୁ କଳାର ପଣ୍ୟ କେନ୍ଦ୍ରଟିଏ ଖୋଲିଛନ୍ତି ସୀମା। ଓଡ଼ିଶାରେ ଏକ ନୂଆ ଉଦ୍ୟମ। ଏଠି ସବୁକିଛି ପାଇପାରିବେ। ରଙ୍ଗ ଓ ତୁଳୀଠାରୁ ଆରମ୍ଭ କରି କାନ୍‌ଭାସ୍‌, ବିଭିନ୍ନ ରକମର ଡ୍ରଇଂ ପେନ୍‌ସିଲ୍‌, ଝୋଟ, ବାଉଁଶ, କାଗଜ ଓ କାଗଜର ମଣ୍ଡ- ଏମିତି କେତେ କ’ଣ? କୁହାଯାଏ, ପ୍ରତିଭାକୁ ପଥର ତଳେ ଚାପି ରଖିଲେ ବି ସେ କେମିତି ହେଲେ ପ୍ରକାଶ ପାଏ, ଦୁନିଆର ଲୋକଙ୍କ ନଜରକୁ ଆସେ। ସୀମାଙ୍କ ପାଇଁ ଏହା ଅଙ୍ଗେନିଭା କଥା। ତାଙ୍କ ପ୍ରତିଭାକୁ କେହି ଚାପିରଖି ନଥିଲେ। ସାମାଜିକ ପ୍ରଥା, ପରମ୍ପରା, ପରିବେଶ ଓ ଶିକ୍ଷାର ଚାପରେ ତାହା ଚାପି ହୋଇଯାଇଥିଲା। କିନ୍ତୁ ବିବାହ ପରେ ଶ୍ବଶୁର ଘରେ ସ୍ବାମୀଙ୍କ ପ୍ରୋତ୍ସାହନ ପାଇ ତାଙ୍କର ଅନ୍ତର୍ନିହିତ କଳା ଆତ୍ମପ୍ରକାଶ କଲା। ସେ ଜଣେ ଚିତ୍ରଶିଳ୍ପୀ ଭାବେ ପୁନର୍ଜନ୍ମ ପାଇଲେ। ସୀମା ପୁଣି କଳାର ଛାତ୍ରୀ ନଥିଲେ। ସେ ଥିଲେ ବିଜ୍ଞାନର ଛାତ୍ରୀ। ଘର ମୟୂରଭଞ୍ଜର କରଞ୍ଜିଆରେ। ଓଡ଼ିଶାର ପ୍ରାୟ ସବୁ ମାରୱାଡ଼ି ପରିବାର ପରି ତାଙ୍କ ପରିବାରର ମଧ୍ୟ ଏକ ବ୍ୟାବସାୟିକ ଇତିହାସ ଅଛି। ବାପା ଓ ଦାଦାମାନେ ସଫଳ ବ୍ୟବସାୟୀ, ଶିଳ୍ପୋଦ୍ୟୋଗୀ। ସୀମା ସରକାରୀ ଓଡ଼ିଆ ସ୍କୁଲରୁ ମେଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ। ଯୁକ୍ତ ୩ ବିଜ୍ଞାନରେ ତାଙ୍କର ସମ୍ମାନ ଥିଲା ଗଣିତ। ସେଥିରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ଗଣିତ ଅଧ୍ୟୟନ କ୍ଷେତ୍ରରେ ଆଉ ଆଗକୁ ବଢ଼ିପାରି ନଥିଲେ ସୀମା। କରଞ୍ଜିଆରେ ସୁବିଧା ନଥିଲା। ଅନ୍ୟତ୍ର ସୁଯୋଗ ନଥିଲା। ତେଣୁ ସେ ସ୍ନାନତକୋତ୍ତର ଡିଗ୍ରୀ ପାଇଁ ବିଷୟ ବାଛିଲେ ରାଜନୀତି ବିଜ୍ଞାନ। ତେବେ ତାହା ସଂପୂର୍ଣ୍ଣ ହେଲା ନାହିଁ। ମାତ୍ର ୨୪ ବର୍ଷ ବୟସରେ ତାଙ୍କର ବିବାହ ହୋଇଗଲା। ଶ୍ବଶୁର ଘର ଓଡ଼ିଶାର ଅନ୍ୟ ଏକ ପ୍ରାନ୍ତରେ, ବରଗଡ଼ ଜିଲ୍ଲା ପଦ୍ମପୁରରେ। ଶ୍ବଶୁର ଘର ମଧ୍ୟ ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାର। ତେବେ ସ୍ଥାନୀୟ ଅଞ୍ଚଳରେ ଏକ ବୃହତ୍‌ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପୃଷ୍ଠପୋଷକ ଓ ପ୍ରାୟୋଜକ ଭାବେ ମଧ୍ୟ ଓ ତାଙ୍କ ପରିବାରର ଖ୍ୟାତି ରହିଛି। ଧନୀ ଓ ସମ୍ଭ୍ରାନ୍ତ ପରିବାର। ଘରେ କିଛି କାମ କରିବାକୁ ପଡ଼ୁନଥିଲା। ସ୍ବାମୀ, ଶ୍ବଶୁର, ଶାଶୁ ପ୍ରମୁଖଙ୍କ ଭଲ ପାଇବା ଭିତରେ ନିଜ ପ୍ରତିଭାର ଆବିଷ୍କାର କରିଥିଲେ ସୀମା। ହାତରେ ସମୟ ଥିଲା ପ୍ରଚୁର। ଘରେ ଖାଲି ବସିବସି ବୋର୍‌ ହେବାକୁ ଚାହୁଁ ନଥିଲେ ସେ। ଟିଭି ଦେଖି ସମୟ ନଷ୍ଟ କରିବାକୁ ବି ତାଙ୍କର ଇଚ୍ଛା ନଥିଲା। ଫେସବୁକ୍‌ରେ ଅଧିକ ସମୟ ଲାଗି ରହି ବିଭ୍ରାନ୍ତ ହେବାକୁ ବି ଚାହିଁଲେ ନାହିଁ। ନିଜ ପ୍ରତିଭାର ଆବିଷ୍କାର କରିବାକୁ ସେ ଧରିଲେ ରଙ୍ଗ ଓ ତୂଳୀ। ପ୍ରକୃତିର ପ୍ରକାଶରୁ ଆରମ୍ଭ କରି ସମାଜର ସଂସ୍କାର ଯାଏଁ ତାଙ୍କ ଚିତ୍ରର ବିଷୟ ଅନେକ ବ୍ୟାପ୍ତ ଓ ବିସ୍ତୀର୍ଣ୍ଣ। କେବଳ ଚିତ୍ରକଳା ନୁହେଁ ହସ୍ତଶିଳ୍ପରେ ମଧ୍ୟ ରୁଚି ଓ ଆଗ୍ରହ ରଖିଛନ୍ତି ସୀମା। ସ୍ଥାୟୀ ଗୃହସଜା, ପାରିବାରିକ ପର୍ବ ସଜା ଓ ଇଭେଣ୍ଟ ଡେକୋର ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଅନୁଷ୍ଠାନର ସାଜସଜା ପାଇଁ ଦରକାର ହେଉଥିବା ସମସ୍ତ କାରୁ ଓ ଚାରୁ କଳାର ଭଣ୍ଡାର ଖୋଲିଛନ୍ତି ସୀମା ଏକ ଉଦ୍ୟୋଗୀ ଭାବରେ। ଏହା ବ୍ୟତିତ ଗୃହ ପ୍ରବେଶ ଓ ବିବାହ ଅନୁଷ୍ଠାନ ସହିତ ବଡ଼ ବଡ଼ ସରକାରୀ ଓ ବେସରକାରୀ ଇଭେଣ୍ଟର ଡେକୋର ଦାୟିତ୍ବ ନେବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶା ଉତ୍କର୍ଷ କଳାର ଦେଶ ହେଲେ ମଧ୍ୟ ଏଠାକାର ଶିଳ୍ପୀ ଓ ସ୍ଥପତିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପାଉଣା ପାଉ ନଥିବାର ଦୁଃଖ ବୁଝିଥିବା ସୀମା ସେମାନଙ୍କ ପାଇଁ ମଧ୍ୟ କିଛି କରିବାର ସଂକଳ୍ପ ରଖିଛନ୍ତି। ସେ କୁହନ୍ତି, ଓଡ଼ିଶାର ଶିଳ୍ପୀମାନେ ନିଜର ମୂଲ୍ୟ ବୁଝି ନାହାନ୍ତି। ସେଥିପାଇଁ ଅନେକ ସମୟରେ ଶସ୍ତାରେ ବିକ୍ରି ହେଉଛି ସୃଜନଶୀଳତା। ଶିଳ୍ପୀମାନେ ନିଜର ମୂଲ୍ୟ ବୁଝିଲେ ହିଁ ଅନ୍ୟମାନଙ୍କଠାରୁ ତାହା ଆଦାୟ ହୋଇପାରିବ। ସୀମାଙ୍କ ଆର୍ଟ ହଲ୍ଟ ତାଙ୍କର ଶିଳ୍ପୀ ଓ ଶିଳ୍ପୋଦ୍ୟୋଗୀ ଜୀବନର ଏକ ଛୋଟିଆ ପାହାଚ। ଏଠି ସେ ଚାରୁ ଓ କାରୁ କଳାର ଶିକ୍ଷା ଓ ତାଲିମ ମଧ୍ୟ ଦିଅନ୍ତି। ତାଙ୍କଠାରୁ ଏହି କଳା ଶିକ୍ଷା କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ପ୍ରାଥମିକ ସ୍ତରରେ ପାଠ ପଢ଼ୁଥିବା କୁନିକୁନି ପିଲାଙ୍କଠାରୁ ଆରମ୍ଭ କରି ସତୁରୀ ବର୍ଷରୁ ଅଧିକ ବର୍ଷର ମହିଳା। ସୀମା କୁହନ୍ତି ମାତ୍ର ୩ ମାସ ଭିତରେ ତାଙ୍କ ପାଖରେ କଳାର ପ୍ରଥମ ପ୍ରକଳ୍ପ ଶେଷ କରିଛନ୍ତି ଅନେକ ପିଲା। ଏବେ ସୁଦ୍ଧା ତାଙ୍କ ନିକଟରୁ ଶତାଧିକ ପିଲା ଓ ବୟସ୍କ ବ୍ୟକ୍ତି ଚାରୁ ଓ କାରୁ କଳାର ତାଲିମ ନେଇ ସାରିଲେଣି। ଆଗକୁ ସୀମାଙ୍କ ସ୍ବପ୍ନ ସାକାର ହେଉ ଓ ଓଡ଼ିଶାର ଶିଳ୍ପୀ ଜଗତ ଆର୍ଥିକ ଭାବେ ଲାଭବାନ ହୁଅନ୍ତୁ- ସାମାନ୍ୟକଥନ.କମ୍ ତରଫରୁ ଏଇ ଶୁଭେଚ୍ଛା।

Share :