ବିଜେଡିରେ ଏଥର ବିଦ୍ରୋହ ନିଶ୍ଚିତ!

ବିଜେଡିରେ ଏଥର ବିଦ୍ରୋହ ନିଶ୍ଚିତ!

Share :

ରାଜନୀତିକ ପ୍ରତିନିଧି ବିଦାୟୀ ଲୋକସଭାର କେନ୍ଦ୍ରାପଡ଼ା ସଦସ୍ୟ ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ି ଏବେ ବିଜେପିରେ। ଢେଙ୍କାନାଳ ସଦସ୍ୟ ତଥାଗତ ସତପଥୀ ନିର୍ଭୀତ ଓ ନିରପେକ୍ଷ ସାମ୍ବାଦିକତା ପାଇଁ ରାଜନୀତି ଓ ବିଜେଡି ଛାଡ଼ିଛନ୍ତି। ଆସ୍କା ସଦସ୍ୟ ଲଡ଼ୁ କିଶୋର ସ୍ବାଇଁଙ୍କର ଦେହାନ୍ତ ହୋଇଯାଇଛି। ମୟୂରଭଂଜ ସଦସ୍ୟ ରାମଚନ୍ଦ୍ର ହାଁସଦା ଚିଟ୍‌ ଫଣ୍ଡ ଦୁର୍ନୀତି ଅଭିଯୋଗରେ ଦି’ ବର୍ଷ ଉପରେ ଜେଲ୍‌ରେ ଥିଲେ। ତେଣୁ ତାଙ୍କୁ ବି ଏଥର ନବୀନ ଟିକେଟ ଦେବେନି ବୋଲି ଚର୍ଚ୍ଚା ହେଉଛି। ତେବେ କେବଳ ଏହି ୪ ଲୋକସଭା ଆସନରେ ନୁହେଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୧୯ ମାର୍ଚ୍ଚ ୧୦ ତାରିଖ କେନ୍ଦ୍ରାପଡ଼ାରେ କରିଥିବା ଘୋଷଣା ଅନୁଯାୟୀ ଏଥର ଲୋକସଭା ଆସନ କ୍ଷେତ୍ରରେ ଦଳର ୩୩ ପ୍ରତିଶତ ଟିକଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଅର୍ଥାତ ଏଥର ଲୋକସଭା ନିର୍ବାଚନରେ ରାଜ୍ୟର ୨୧ ଆସନ ପାଇଁ ଅତି କମରେ ୭ ଜଣ ମହିଳା ପ୍ରାର୍ଥୀ ଦେବ ବିଜୁ ଜନତା ଦଳ। ମହିଳାଙ୍କ ପାଇଁ ଏହା ନିଶ୍ଚୟ ଏକ ଖୁସି ଖବର। ତେବେ, ୭ ମହିଳାଙ୍କୁ ପ୍ରାର୍ଥୀ କଲେ ଉପରୋକ୍ତ ୪ ଆସନ ସମେତ ଅନ୍ୟ କେତେକ ଆସନରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ ହେବ। ଗତ ଥର ବିଜେଡିର ୨୦ ଜଣ ଲୋକସଭା ପ୍ରାର୍ଥୀ ଜିତିଥିଲେ। ଏଥର ଯଦି ପ୍ରାର୍ଥୀ ପରିବର୍ତ୍ତନ କରାଯାଏ ତେବେ ଅନେକ ସାଂସଦଙ୍କର ଟିକଟ କଟିବା ସୁନିଶ୍ଚିତ। ଇତିମଧ୍ୟରେ ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି ନଳିନୀ ପ୍ରଧାନ। ତାଙ୍କୁ ନଗେନ୍ଦ୍ର ପ୍ରଧାନଙ୍କ ବଦଳରେ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ଶୁଣାଯାଉଛି। ସେହିପରି କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସାଂସଦଙ୍କ ଟିକଟ ମଧ୍ୟ କଟିବ ବୋଲି ଶୁଣାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି। ସେପରି ହେଲେ ସେଠାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ ହେବ। କାରଣ ଗତ ଥର ସେଠାରୁ ବିଜେଡି ପ୍ରାର୍ଥୀ ଥିଲେ ଦିଲ୍ଲୀପ ତିର୍କୀ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, କଟକ ଓ ଭୁବନେଶ୍ବର ସାଂସଦଙ୍କର ମଧ୍ୟ ଟିକଟ କଟିବ ବୋଲି ଶୁଣାଯାଉଛି। ଯେଉଁ ସାଂସଦମାନଙ୍କର ଟିକଟ କଟିବ ସେମାନଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ସନ୍ତୁଷ୍ଟ କରିବାକୁ ଦଳୀୟ ସୁପ୍ରିମୋ ମନସ୍ଥ କରିଥିବା ଶୁଣାଯାଉଛି। ସେହିପରି ଗତ ଥର ଶଙ୍ଖ ଚିହ୍ନରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ପ୍ରତିଶତ ପରିବର୍ତ୍ତନ କରାଯିବ ବୋଲି ମଧ୍ୟ ଶୁଣାଯାଉଛି। କେତେକ ବିଧାୟକଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ସନ୍ତୁଷ୍ଟ କରାଯାଇ ପାରେ। ବାକିମାନଙ୍କୁ ଘରେ ବସିବାକୁ କୁହାଯିବାର ସମ୍ଭାବନା ଯଥେଷ୍ଟ। ଏହା ଦଳ ପାଇଁ ଏକ ବିପଜ୍ଜନକ ଅବସ୍ଥା ସୃଷ୍ଟି କରିବାର ଆଶଙ୍କା ରହିଛି। କାରଣ ଆରମ୍ଭରୁ ନିଜକୁ ନିଷ୍କଣ୍ଟକ ରଖିବା ପାଇଁ ନବୀନ ପଟ୍ଟନାୟକ ରାଜ୍ୟର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳିରେ ସମାନ୍ତରାଳ ନେତୃତ୍ବକୁ ପ୍ରୋତ୍ସାହିତ କରିଥିଲେ। ଗୋଟିଏ ନିର୍ବାଚନ ମଣ୍ଡଳିର ଶକ୍ତିଶାଳୀ ଓ ଲୋକପ୍ରିୟ ନେତା ଯେପରି ଅଧିକ ଶକ୍ତିଶାଳୀ ନେହେବେ ସେଥିପାଇଁ ପ୍ରାୟ ପ୍ରତି ନିର୍ବାଚନ ମଣ୍ଡଳିରେ ସମାନ୍ତରାଳ ନେତୃତ୍ବ ସୃଷ୍ଟି କରାଯାଇଥିଲା। ଏହି ଧାରାରେ ପ୍ରାୟ ସବୁ ନିର୍ବାଚନ ମଣ୍ଡଳିରେ ଏବେ ବିଜେଡି ପ୍ରାର୍ଥୀ ହେବାକୁ ଏକାଧିକ ଆଶାୟୀ। ଗୋଟେ ନିର୍ବାଚନ ମଣ୍ଡଳିରେ ୪-୫ ଜଣ ଟାଣୁଆ ଆଶାୟୀ। ସେମାନଙ୍କ ମଧ୍ୟରୁ ବିଧାନସଭା ଓ ଲୋକସଭ ପାଇଁ ସର୍ବାଧିକ ଦୁଇ ଜଣ ପ୍ରାର୍ଥୀ ହେବେ। ବାକି ଆଶାୟୀମାନେ ହତାଶ ହେବାକୁ ବାଧ୍ୟ। ଟାଣୁଆ ନେତା ହତାଶ ହେଲେ ଦଳର ଶୃଙ୍ଖଳିତ କର୍ମୀ ବା ନବୀନଙ୍କ ଆଜ୍ଞାଧୀନ ଚାକର ଭାବେ ଚୁପ ରହିବେ କି ସ୍ବାଭିମାନ ପ୍ରତିଷ୍ଠା ଓ ବଳ ପରୀକ୍ଷା ପାଇଁ ଲଢ଼େଇ କରିବେ ତାହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହେବ। ସମସ୍ତେ ବିଜେଡିର ଆଜ୍ଞାଧୀନ କର୍ମଚାରୀ ହେବେ ତାହାର କିଛି ଗ୍ୟାରେଣ୍ଟି ନାହିଁ। ନବୀନ ନିବାସକୁ ଯେପରି ଅନ୍ୟ ଦଳଗୁଡ଼ିକରୁ ନେତାମାନଙ୍କୁ ଲାଲ ଗାଲିଚା ପକେଇ ସ୍ବାଗତ କରାଯାଉଛି ସେଥିରେ ଅନେକ ଅଞ୍ଚଳର ପୁରୁଣା ବିଜେଡି ନେତା ଅସ୍ଥିର ବୋଧ କରିବା ସ୍ବାଭାବିକ। ଯେଉଁମାନେ ବର୍ଷବର୍ଷ ଦଳ ପାଇଁ କାମ କରିଛନ୍ତି ସେମାନଙ୍କ ହକ୍‌ କାଟି କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକରୁ ଆଣୁଥିବା ନେତାମାନଙ୍କୁ ପ୍ରାର୍ଥୀ କରାଗଲେ ଦଳ ଭିତରେ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଗୁଂଜରଣ ଶୁଭିଲାଣି। ଦଳର କେତେକ ପୁରୁଣା ବିଧାୟକ ଓ ସଚେତନ ନେତା ଏହା ମଧ୍ୟ ଆଶଙ୍କା କରୁଛନ୍ତି ଯେ ଏଥର ନବୀନବାବୁ ଦୁଇଟି ଯାକ ଜାତୀୟ ଦଳ ସହିତ ଅଲଗା ଅଲଗା ଡିଲ୍‌ କରିଛନ୍ତି। କଂଗ୍ରେସ ଓ ବିଜେପିର ନିର୍ଦ୍ଦିଷ୍ଟ କେତେ ଜଣ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେବେ। ସିବିଆଇ ପଞ୍ଝାରୁ ମୁକୁଳିବା ତଥା ନିଜର ରାଜନୀତିକ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ସେ ଏପରି ଡିଲ୍‌ କରିଥିବା ଦଳ ଭିତରେ ଚର୍ଚ୍ଚା ହେଉଛି। ତେବେ ଦଳର କେତେକ ଆଶାୟୀ କହିଛନ୍ତି ଯେ ବିଜେପିକୁ ଯେଉଁ ଆସନରେ ଜିତାଇବାକୁ ଡିଲ୍‌ ହୋଇଛି ସେଠାରେ କଂଗ୍ରେସର ଆମଦାନୀ ହୋଇଥିବା ନେତା କିମ୍ବା ଦଳର ଦୁର୍ବଳ ପ୍ରାର୍ଥୀ ଦିଆଯିବ। ଠିକ ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାର କୌଶଳ। ଯଦି ସତରେ ଏଭଳି କୌଶଳ ହୋଇଥାଏ ତେବେ ଦଳର କେତେକ ଆଶାୟୀ ଅଧିକ ଅସନ୍ତୁଷ୍ଟ ହେବା ଥୟ।

Share :