ଦଳ ବଦଳରେ ରେକର୍ଡ଼ ହେବ!

ଦଳ ବଦଳରେ ରେକର୍ଡ଼ ହେବ!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୯ ନିର୍ବାଚନ ପୂର୍ବରୁ ଦଳ ବଦଳରେ ରେକର୍ଡ଼ କରିବ ଓଡ଼ିଶା। ଶାସକ ବିଜୁ ଜନତା ଦଳର ଅନ୍ୟ ଦଳ ବିରୋଧୀ ଷଡ଼ଯନ୍ତ୍ର ଓ ନିଜ ଦଳର ଆଭ୍ୟନ୍ତରୀଣ ସମୀକରଣରେ ପରିବର୍ତ୍ତନ ଯୋଗୁଁ ଦଳ ବଦଳର ଯେଉଁ ଧାରା ସୃଷ୍ଟି ହୋଇଛି ତାହା ପ୍ରାର୍ଥିପତ୍ର ଦାଖଲ ଦିନ ଯାଏଁ ଚାଲିବ ବୋଲି ଜଣାପଡ଼ୁଛି। ବିରୋଧୀ ବିଜେପିକୁ ଟକ୍କର ଦେବା ଏବଂ କଂଗ୍ରେସକୁ ଧୂଳିସାତ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଯେଉଁ ରାଜନୀତିକ କୌଶଳ ପ୍ରୟୋଗ କରିଛି ସେଥିରେ ଗୋଳେଇ ଘାଣ୍ଟି ହୋଇ ଇତିମଧ୍ୟରେ ବିରୋଧୀ କଂଗ୍ରେସ ଓ ବିଜେପିର ଅନେକ ନେତା ଦଳ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ଆଉ କେତେ ଜଣ ମଧ୍ୟ ବିଜେଡିରେ ମିଶିବାକୁ ଧାଡ଼ିରେ ଠିଆ ହୋଇଛନ୍ତି। ନବୀନବାବୁଙ୍କ ଲୋକପ୍ରିୟତାର ପ୍ରମାଣ ଦେବା ପାଇଁ ବିଜେଡି ନେତାମାନେ ୨୦୦୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆୟାରାମ ଗୟାରାମ ରାଜନୀତିକୁ ପ୍ରୋତ୍ସାହିତ କରିଚାଲିଛନ୍ତି। ନବୀନବାବୁଙ୍କ ଏପରି ଅନୈତିକ ରାଜନୀତି ପାଇଁ ୨୦୦୯ ପରଠୁଁ ଅନେକ ଦଳର ରାଜ୍ୟ ମୁଖ୍ୟ ଓ ବଡ଼ ନେତା ଦଳବଦଳ କରିଛନ୍ତି। ବିଜୟ ମହାପାତ୍ରଙ୍କୁ ଶକ୍ତିଶାଳୀ ନକରାଇବା ପାଇଁ ୨୦୧୨ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଚାରିକୁ ଚାରି ବିଧାୟକଙ୍କୁ ନବୀନବାବୁ ବିଜେଡିରେ ମିଶିବାକୁ ପ୍ରଲୁବ୍ଧ କରିଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ତତ୍କାଳୀନ ରାଜ୍ୟ ମୁଖ୍ୟ ସୁଦାମ ମାରାଣ୍ଡିଙ୍କ ସମେତ ଅନେକ ନେତା ବିଜେଡିରେ ମିଶିଥିଲେ। ସେହି ନିର୍ବାଚନ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ଭୂପିନ୍ଦର ସିଂହ, ବିଧାୟକ ଦଳ ସଂପାଦକ ଅନୂପ ସାଏ ଓ ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ପ୍ରମୁଖ ହଠାତ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଠିକ ସେହି ସମୟରେ ବିଜେପିର ପୂର୍ବତନ ରାଜ୍ୟ ମୁଖ୍ୟ ବିମ୍ବାଧର କୁଅଁର ମଧ୍ୟ ବିଜେଡିରେ ମିଶିଥିଲେ। ନିଜ ଗାଦୀ ସୁରକ୍ଷିତ ରଖିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହିପରି ବିଭିନ୍ନ ଦଳର ନେତାମାନଙ୍କୁ ବିଜେଡିକୁ ଟାଣିଛନ୍ତି। ତାଙ୍କର ଏହି କୌଶଳରେ ଛନ୍ଦି ହୋଇ ବାମପନ୍ଥୀ ନିତ୍ୟାନନ୍ଦ ପ୍ରଧାନଙ୍କଠାରୁ ଆରମ୍ଭ କରି ଦକ୍ଷିଣପନ୍ଥୀ ରାମଚନ୍ଦ୍ର ପଣ୍ଡାଙ୍କ ଯାଏଁ ଗଂଜାମ ଜିଲ୍ଲାର ଅନେକ ନେତା ବିଜେଡିରେ ସାମିଲ ହୋଇଛନ୍ତି। ଗଂଜାମର ହିଞ୍ଜିଳିରୁ ନବୀନବାବୁ ବିଧାନସଭାକୁ ନିର୍ବାଚିତ ହେଉଥିବାରୁ ସେହି ଜିଲ୍ଲାରେ ସେ ବିରୋଧୀ ଦଳ ଲୋପ କରିବାର ଗୋଟି ଚଳେଇଛନ୍ତି। ଏହି ଗୋଟି ଚାଳନାରେ ପରାସ୍ତ ହୋଇଛନ୍ତି ରାଜ୍ୟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ଜିଲ୍ଲା ନେତା ବିକ୍ରମ ପଣ୍ଡା। ୧୯୯୭ରେ ଜନତା ଦଳ ଭାଙ୍ଗି ବିଜୁ ଜନତା ଦଳ ଗଢ଼ିବା ସମୟରେ ନବୀନବାବୁ ଦଳ ବଦଳ କରିବା ପାଇଁ ରହି ଯାଇଥିବା ଅନେକ ଜନତା ନେତାଙ୍କୁ ପ୍ରଲୁବ୍ଧ କରିଥିଲେ। ଏହା ପରେ ୨୦୦୦ ମସିହାରୁ ୨୦୦୯ ମସିହା ଯାଏଁ ସେ ନିଜକୁ ନିଷ୍କଣ୍ଟକ କରିବା ପାଇଁ ନିଜ ଦଳର ଅନେକ ନେତାଙ୍କୁ ବହିଷ୍କାର କରି ସେମାନଙ୍କୁ ଅନ୍ୟ ଦଳରେ ଯୋଗଦେବାକୁ ବାଧ୍ୟ କରିଥିଲେ। ସେଭଳି କେତେକ ନେତା ହେଲେ ନଳିନୀ ମହାନ୍ତି, ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଶରତ କର, କମଳା ଦାସ, ବ୍ରଜ କିଶୋର ତ୍ରିପାଠୀ ଓ ଦିଲ୍ଲୀପ ରାୟ। ୨୦୦୯-୧୪ ମଧ୍ୟରେ ସେ ଅନ୍ୟ ଦଳର ନେତାମାନଙ୍କ ଲୋକପ୍ରିୟତାକୁ ନିଜ ଦଳର ପୁଞ୍ଜି ଭାବେ ବ୍ୟବହାର କରିଥିଲେ। ଏବେ ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ଥରେ ସେ ବିରୋଧୀ ଦଳଗୁଡ଼ିକର ଭଲ ଭଲ ନେତାମାନଙ୍କୁ ବାଛି ବାଛି ଶିକାର କରି ସେମାନଙ୍କ ଲୋକପ୍ରିୟତାକୁ ନିଜ ପୁଞ୍ଜି ଭାବେ ବ୍ୟବହାର କରୁଛନ୍ତି। ତାଙ୍କର ଏହି କୌଶଳର ଖାଳେଇରେ ରାଜ୍ୟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟ ନବ କିଶୋର ଦାସ ଓ କଂଗ୍ରେସ ବିଧାୟକ ଯୋଗେଶ ସିଂହ ଦଳ ବଦଳ କରି ବିଜେଡିରେ ମିଶିଛନ୍ତି। ପୂର୍ବତନ କଂଗ୍ରେସ ନେତା ତଥା ଆମ ଓଡ଼ିଶା ପାର୍ଟିର ମୁଖ୍ୟ ସୌମ୍ୟ ରଂଜନ ପଟ୍ଟନାୟକ ମଧ୍ୟ ନବୀନଙ୍କ ଖାଳେଇରେ ମାଛ ହୋଇଯାଇଛନ୍ତି। ତାଙ୍କରି ରାଜନୀତିକ ଫାଇଦା ସୁରକ୍ଷିତ ରଖିବାକୁ ଯେଉଁମାନଙ୍କୁ ବିଜେଡିରୁ ତଡ଼ି ଦିଆଯାଇଛି ସେମାନେ ମଧ୍ୟ ବିଭିନ୍ନ ଦଳରେ ମିଶିବାରେ ଲାଗିଛନ୍ତି। ଇତିମଧ୍ୟରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେସରେ ଯୋଗଦେଇଥିବାବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିକୁ ଡେଇଁଛନ୍ତି। ସେହିପରି ବିଜେଡି ଟିକେଟର ଲୋଭ ଦେଖାଇ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ବିଜେପିରୁ ଛଡ଼େଇ ନେଇଥିଲେ ବି ଏଯାଏଁ ସେମାନଙ୍କୁ ଝୁଲେଇ ରଖିଛନ୍ତି। ଦଳରୁ ବହିଷ୍କୃତ ହୋଇଥିବା ଡାକ୍ତର ଦମୋଦର ରାଉତ ନୂଆ ଦଳର ସନ୍ଧାନରେ ଅଛନ୍ତି। ୨୦୧୯ ନିର୍ବାଚନରେ ପଞ୍ଚମ ଥର ଜିତିବା ଲକ୍ଷ୍ୟରେ ନବୀନବାବୁ ନିଜ ସରକାରର ସମସ୍ତ ବିଫଳତାକୁ ବିଧାୟକ ଓ ସାଂସଦମାନଙ୍କ ଉପରେ ଲଦି ଦେବାକୁ ଯାଉଛନ୍ତି। ସେମାନେ ନିଜନିଜ ନିର୍ବାଚନ ମଣ୍ଡଳୀରେ ବଦନାମ ହୋଇଥିବା ଦର୍ଶାଇ ପ୍ରାର୍ଥିତ୍ବରୁ ବଞ୍ଚିତ କରିବାର ନିଷ୍ପତ୍ତି ହୋଇଛି। ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିବାରୁ ବିଧାୟକ ଓ ସାଂସଦମାନେ ଦୁର୍ନୀତି କରିଛନ୍ତି। ଦଳ ଓ ସରକାର ଅପାରଗ ବୋଲି ବିଧାୟକ ଓ ସାଂସଦମାନେ ନିଜ ଅଞ୍ଚଳ ପାଇଁ ନୂଆ କିଛି କରିପାରି ନାହାନ୍ତି। ନବୀନଙ୍କ ଆଶୀର୍ବାଦରେ ଅଫିସରମାନେ ରାଜୁତି କରିଥିବାରୁ ବିଧାୟକ ଓ ସାଂସଦମାନେ କ୍ଷମତା ଓ ମର୍ଯ୍ୟାଦା ହରେଇ ଲୋକଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଏବେ ସେଇ ଅଫିସରରାଜ୍‌ ଓ ନବୀନଙ୍କ ଗାଦୀ ପାଇଁ ସେମାନଙ୍କୁ ବଳି ପକାଇବାର ଯୋଜନା ହୋଇଛି। ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟ ଅନେକ ବିଧାୟକ ଓ ସାଂସଦଙ୍କୁ ପ୍ରାର୍ଥୀ ହେବାରୁ ବଞ୍ଚିତ କରିପାରେ। ଯାହା ଶୁଣାଯାଉଛି ଏଥର ବିଜେଡିର ପ୍ରାୟ ୪୦ ପ୍ରତିଶତ ବିଧାୟକ ଓ ଅଧା ଉପରେ ସାଂସଦ ଟିକଟ ପାଇବେ ନାହିଁ। ନବୀନଙ୍କ ବାବୁତନ୍ତ୍ରକୁ ମଜଭୁତ କରିବା ପାଇଁ ଇତିମଧ୍ୟରେ ଅନେକ ପୂର୍ବତନ ଅମଲା ବି ବିଜେଡିରେ ଯୋଗ ଦେଇଛନ୍ତି। ଅରୂପ ପଟ୍ଟନାୟକ, ସୁବ୍ରତ ବାଗଚୀ, ଅମର ପଟ୍ଟନାୟକ, ନଳିନୀ ପ୍ରଧାନ- ଏମିତି ଅନେକ, ଏମାନଙ୍କ ତାଲିକା ଅନେକ ଲମ୍ବା। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ମଧ୍ୟ ପ୍ରାର୍ଥୀ କରାଯିବ। ତେଣୁ କଂଗ୍ରେସ, ବିଜେପି ଓ ଅନ୍ୟ ଦଳରୁ ଆସିଥିବା ନେତାଙ୍କ ସମେତ ପୂର୍ବତନ ବାବୁମାନଙ୍କୁ ଯଦି ଟିକଟ ଦିଆଯାଏ ତେବେ ବିଜେଡିର ଅନେକ ବିଧାୟକ ଓ ସାଂସଦ ଟିକଟ ନପାଇବ ଥୟ। ଏଭଳି ପରିସ୍ଥିତିରେ ସେମାନେ ମଧ୍ୟ କେଉଁ ଦଳକୁ ଡେଇଁବାର ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ପ୍ରତିହତ କରିବା ପାଇଁ ନବୀନଙ୍କ ନୂଆ ମାର୍ଗଦର୍ଶକ ଶେଷ ମୁହୂର୍ତ୍ତରେ ପ୍ରାର୍ଥିତାଲିକା ପ୍ରକାଶ କରିବାକୁ କୌଶଳ କରିଛନ୍ତି। ଏମିତି ସମୟରେ ଦଳୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ଯେପରି ଦଳର କୌଣସି ଅସନ୍ତୁଷ୍ଟ ନେତା ଅନ୍ୟ ଦଳରେ ଯୋଗଦେଇ ପ୍ରାର୍ଥୀ ହୋଇପାରିବେ ନାହିଁ। ତେବେ ଦଳର ଏହି କୌଶଳ ଜଣାପଡ଼ିଗଲାଣି। ଯେଉଁ ବିଜେଡି ବିଧାୟକ ଓ ସାଂସଦମାନେ ଏଭଳି ଆଶଙ୍କା କରୁଛନ୍ତି ସେମାନେ ବିଜେପି ଓ କଂଗ୍ରେସ ସହିତ ଭିତିରିଆ ଯୋଗସୂତ୍ରରେ ଅଛନ୍ତି। ଜିଲ୍ଲାପାଳ, ଏସପି, କେତେକ ବିଭାଗର ସଚିବ, ତୃତୀୟ ମହଲା ଅଫିସର ଆଦି ବିଜେଡିର ମୁଖ୍ୟ କାର୍ପଟଦାରମାନଙ୍କ ଘର ପାଖେ ଏବେ ଅନେକ ନେତାଙ୍କ ଭିଡ଼। ସେମାନଙ୍କ ସୂତ୍ରରୁ କିଛି ଗୋଟେ ଖବର ମିଳିଲେ ଏହି ନେତାମାନେ ନିଜନିଜ ବାଟ ବାହାର କରିବେ।

Share :