ଶିବାଶିଷ ମହାପାତ୍ର ଚୌଦ୍ବାର ଜେଲ ସାମନାରେ ଛୋଟିଆ ବେଲ ଗଛଟେ। କିଏ ଲଗେଇଥିଲେ କି ଆପେ ଆପେ ଉଠିଛି ମୁଁ ଜାଣେନା। କେହି ଜଣେ ସେ ଗଛଟାରେ କପଡ଼ା ଖଣ୍ଡେ ବାନ୍ଧିଦେଇ ନାଲି ସିନ୍ଦୁର ଟୋପାଟେ ଲଗେଇଦେଇଛି। ଜେଲରେ ଥିବା କଏଦୀଙ୍କୁ ଆତ୍ମୀୟସ୍ବଜନମାନେ ଦେଖା କରିବାକୁ ଆସିଲେ ସେ ବେଲଗଛକୁ ମୁଣ୍ଡିଆଟେ ମାରିବାକୁ ଭୁଲନ୍ତିନି। ଦିନେ ଜଣେ କଏଦୀ ସହ କିଛି କଥା ହବାକୁ ମୁଁ ସେ ଜେଲ ଗେଟକୁ ଯାଇଥାଏ। ମୋ ନଜର ପଡ଼ିଲା ପିଲାଟିଏ ସେହି ଗଛ ମୁଳରେ ମନ ଦୁଃଖରେ ବସି କଣ ଭାବୁଥାଏ। ମୁଁ ତାକୁ କିଛି ସମୟ ଲକ୍ଷ୍ୟ କଲି। ଦେଖିଲି ପିଲାଟି ଜେଲ ଆଡ଼କୁ ଏକ ଲୟରେ ଅନେଇଛି। ଆଖିରେ ବୋଧେ ଲୁହ ଆସିଗଲା କି କ’ଣ ପକେଟରୁ ରୁମାଲଟେ କାଢି ଆଖି ଦୁଇଟାକୁ ପୋଛି ପକେଇଲା। ତା’ ବିଷୟରେ ଜାଣିବାକୁ ବହୁତ ଇଛା ହେଲା। ପିଲାଟି କିଏ? ଏଠି କାହିଁକି ବସିଛି? କ’ଣ ଭାବୁଛି? କାନ୍ଦୁଛି କାହିଁକି? କ’ଣ ଦୁଃଖ ତା’ର? ମନରେ ସାହସ ବାନ୍ଧି ତା’ ସାଙ୍ଗେ କଥା ହେଲି। ତା’ଠୁ ତା’ର ଲୋମଟାଙ୍କୁରା ଦୁଃଖ ଶୁଣିଲି। ତା’ ପିଲାବେଳର କଥା। ତା’କୁ ମାତ୍ର ବର୍ଷେ ହେଇଥାଏ। ସତର ବର୍ଷ ତଳେ ଦିନେ ରାତିରେ ବାପା ମଦ ପିଇ ଟୁଳ୍ ଟୁ୍ଳ୍ ହେଇ ଘରକୁ ଆସିଲେ। ଗୋଟେ ଛୋଟିଆ କଥାକୁ ନେଇ ବୋଉ ସହ ଝଗଡ଼ା ହେଲା। ବାପା ହଠାତ୍ ରାଗିଯାଇ ମଦ ନିଶାରେ କୁରାଢୀରେ ବୋଉକୁ ଦି’ ଗଡ଼ କରିଦେଇଥିଲେ ବୋଲି ସିଏ ଲୋକଙ୍କଠୁ ଶୁଣିଛି। ବୋଉ ମରିଗଲା। ବାପାଙ୍କ ନିଶା ବି ଖସିଗଲା। ବାପା କାନ୍ଦୁଥାଆନ୍ତି। କେମିତି କ’ଣ ଖବର ପାଇ ପୋଲିସ ଆସିଲା। ବାପା ବୋଉ ଶବ ପାଖରେ ବସି କାନ୍ଦୁ ଥାଆନ୍ତି। ତାଙ୍କୁ ବାନ୍ଧିନେଲା। ତା’ପରେ ବାପା ଜେଲ ହାଜତରେ ରହିଲେ। କିଏ ତାଙ୍କୁ ମୁକୁଳେଇବ! ଚାହୁଁ ଚାହୁଁ ସତର ବର୍ଷ ହେଲାଣି ବାପା ଜେଲରେ ଅଛନ୍ତି। ମଝିରେ ମଝିରେ ଆସି ବାପାଙ୍କୁ ଦେଖା କରେ। ବାପା ତାର ଜାଲି ସେପଟୁ ଥାଇ ଲୁହ ଗଡ଼ାନ୍ତି। ପିଲାମାନଙ୍କ କଥା ପଚାରନ୍ତି। ପିଲାଟିକୁ ଏବେ ଅଠର ବର୍ଷ। ଘରେ କୋଡିଏ ବର୍ଷର ବଡ଼ ଭଉଣୀ। କଟକରେ ଗୋଟେ ପ୍ରାଇଭେଟ କମ୍ପାନୀରେ କାମ କରେ। ଛୋଟିଆ ମୋଟିଆ କାମ କରି କିଛି ପଇସା ରଖିଛି। ଭଉଣୀ ବାହାଘର କରିବ। ବାପା ଟିକେ ବାହାରକୁ ଆସିବା ନିହାତି ଦରକାର। ଓକିଲ ଲକ୍ଷେ ଟଙ୍କା ଫିସ୍ ମାଗୁଛନ୍ତି। କୁଆଡୁ ଆଣିବ ଏତେ ଗୁଡ଼ିଏ ପଇସା? ବାପାଙ୍କୁ କେମିତି ମୁକୁଳେଇବ? ହାଇକୋର୍ଟରେ ଗୁହାରୀ କରିଛି। ତାରିଖ ପଡୁନି। କେଶ ଉଠୁନି। କେତେବେଳେ ଓକିଲ ଷ୍ଟ୍ରାଇକ ତ ପୁଣି କେତେବେଳେ ବଡ଼ଦିନ ଛୁଟି। ଭଉଣୀର ବାହାଘର ହେଇପାରୁନି। କେଇ ମାସ ତଳେ ଏକୋଇଶ ଦିନିଆ ଛୁଟିରେ ବାପା ବାହାରକୁ ଆସିଥିଲେ। ପୁଅଘର ଦେଖା ଦେଖି କରି ସବୁ ଠିକ୍ ଠାକ୍ କରିଦେଇଗଲେ। ଏବେ ବାହାଘର ହବ। ପୁଅ ପକ୍ଷ ବାପାଙ୍କୁ ଖୋଜୁଛନ୍ତି। ଆଜି ପିଲାଟି ବାପାଙ୍କୁ ଦେଖିବାକୁ ଆସିଥିଲା। ଜାଲି ଆର ପଟେ ଥାଇ ବାପା ଲୁହ ଛଳ ଛଳ ଆଖିରେ ତାକୁ କେଇ ପଦ କଥା ହେଲେ। ଗୋଟେ ଭୁଲ୍ ପାଇଁ କେମିତି ସୁଖ ସଂସାରଟା ଭାଙ୍ଗି ଚୁରମାର୍ ହେଇଗଲା! ନୁଖୁରା ବାଳ। ମୁହଁରେ ଦାଢୀ। ବାପା ବି ପୁରା ଭାଙ୍ଗି ପଡିଲେଣି। ସମୟ ହେଇଗଲା। ପୋଲିସବାବୁ ତା ବାପାଙ୍କୁ ଭିତରକୁ ଯିବାକୁ ତାଗିଦ୍ କଲେ। ବାପା ଭିତରକୁ ପଳେଇ ଆସିଲେ। ପିଲାଟି ନିରାଶ ହେଇ ଜେଲ ଗେଟ ବାହାରକୁ ପଳେଇଆସିଲା। ଗେଟ ପାଖରେ ଠିଆ ହେଇ ଜେଲ ଆଡ଼େ ଟିକେ ଘୂରିଚାହିଁଲା। ଆଖିରେ ଆଖିଏ ଲୁହ। ବେଲ ଗଛ ମୁଳେ ମୁଣ୍ଡିଆଟେ ମାରି ବସିପଡିଛି। ମନରେ ଅସୁମାରୀ ପ୍ରଶ୍ନ, କିଏ ତା’କୁ ନ୍ୟାୟ ଦବ? ତା’ ବାପା କେମିତି ଜେଲରୁ ବାହାରିବେ?ତା’ ଭଉଣୀ କେମିତି ବାହା ହବ? ତା’ ଦୁଃଖ ଶୁଣୁ ଶୁଣୁ ମୋ ଆଖିରେ ବି ଲୁହ ଆସିଗଲା। ମନେ ମନେ ଭଗବାନଙ୍କୁ କହିଲି, ହେ ଭଗବାନ, ତୁମେ ହିଁ ପିଲାଟିର ଶେଷ ଭରସା। କିଛି କର ନହେଲେ ତୁମେ ଇସ୍ତଫା ଦେଇଦିଅ। ଲୋଡ଼ା ନାହିଁ ତୁମର ଭଗବାନପଣିଆ। ପିଲାଟିକୁ ସାହାଯ୍ୟ କରିବି ବୋଲି ମନରେ ଶପଥ କଲି। ତା’ ଓକିଲଙ୍କ ସାଙ୍ଗେ କଥା ହବାକୁ ଚାହିଁଲି। ଯୋଗକୁ ମୋର ଜଣେ ଅତି ଘନିଷ୍ଠ ବନ୍ଧୁ ବିଜୟବାବୁ ତା’ର ଓକିଲ। ଦିହେଁ କଥା ହେଲୁ। ଫେସବୁକରେ ସେହି ପିଲାଟି ବିଷୟରେ ଲେଖାଟିଏ ଜାନୁୟାରୀ ଅଠର ତାରିଖରେ ପୋଷ୍ଟ କଲି। ସୋସିଆଲ ମିଡିଆରେ ଲେଖାଟିକୁ ପଢି ଶତାଧିକ ଲୋକ ଭଗବାନଙ୍କୁ ପ୍ରାର୍ଥନା କଲେ। ସେହି ଲେଖାଟି ଅଶୀରୁ ଅଧିକ ସେୟାର ବି ହେଲା। ସେୟାର କରିଥିବା ବନ୍ଧୁମାନଙ୍କ ପୋଷ୍ଟ ବି ବହୁଳ ମାତ୍ରାରେ ସେୟାର ହେଲା। ଭଉଣୀ ବାହାଘର ମାର୍ଚ୍ଚ ୭ ତାରିଖକୁ ଠିକ ହେଇଥାଏ। ପିଲାଟିର ଦୁଃଖ ବଢି ବଢି ଚାଲିଥାଏ। ବୋଧେ ଆମ ସମସ୍ତଙ୍କ ପ୍ରାର୍ଥନା ଭଗବାନଙ୍କ ପାଖରେ ପହଞ୍ଚିଲା। ଭଗବାନ ତା’ ଦୁଃଖ ଶୁଣିଲେ। ସେ ଦିନ ଥାଏ ମାର୍ଚ୍ଚ ୧ ତାରିଖ। ଭଉଣୀ ବାହାଘର ଆଉ ମାତ୍ର ଛଅ ଦିନ ଥାଏ। ତା’ ବାପାଙ୍କୁ ଅନ୍ତରୀଣ ଜାମିନ ମିଳିଲା। ହେଲେ ମାର୍ଚ୍ଚ ୨ରୁ ୫ ତାରିଖ ଚାରିଦିନ ହାଇକୋର୍ଟ ଛୁଟି। ମାର୍ଚ୍ଚ ଛଅ ତାରିଖ ହାତରେ ଗୋଟେ ଦିନ। ହାଇକୋର୍ଟରୁ ଅର୍ଡର ବାହାରୁ ବାହାରୁ ଦିନ ଗୋଟାଏ ବାଜିଗଲା। ହାଇକୋର୍ଟ ଅର୍ଡର ନେଇ ତଳ କୋର୍ଟରେ ଦାଖଲ ହେଲେ ତା’ର ରିଲିଜ୍ ଅର୍ଡର ବାହାରିବ। ମାତ୍ର ଚାରିଘଣ୍ଟା ହାତରେ। ପାଞ୍ଚଟା ବାଜିଲେ ସବୁ କୋର୍ଟ ବନ୍ଦ ହେଇଯିବ। ଯାହାହେଉ ଭଗବାନଙ୍କ ଆଶୀର୍ବାଦରୁ ରିଲିଜ ଅର୍ଡର ବାହାରିପଡିଲା। ପିଲାଟି ତା’ ବାପାଙ୍କୁ ନେଇ ଗାଁକୁ ଗଲା। ତା ଭଉଣୀ ବାହାଘର ମାର୍ଚ୍ଚ ୭ ତାରିଖ। ଭଗବାନ ତୁମେ ବଡଲୋକ। ଧନ୍ୟବାଦ ଦେବି ବନ୍ଧୁ ବିଜୟବାବୁଙ୍କୁ, ଧନ୍ୟବାଦ ଦେବି ବିଚାରପତି ମହୋଦୟଙ୍କୁ, ଧନ୍ୟବାଦ ଦେବି ସୋସିଆଲ ମିଡିଆକୁ, ଧନ୍ୟବାଦ ଦେବି ମୋର ସୋସିଆଲ ମିଡିଆ ବନ୍ଧୁମାନଙ୍କୁ। ଶେଷରେ ଅଶେଷ ଧନ୍ୟବାଦ ଦେବି ସେହି ଛୋଟ ପିଲାଟିକୁ। ଯିଏ ଏତେ କମ୍ ବୟସରେ ଚାକିରୀ କରି କିଛି ପଇସା ସଞ୍ଚି ତା’ ବାପାଙ୍କୁ ଜେଲରୁ ମୁକୁଲାଇଲା ଓ ତା’ ବଡ଼ ଭଉଣୀଙ୍କୁ ବାହା କରେଇଲା।