ଖାଦ୍ୟ ଓ ପୁଷ୍ଟି ସଂପର୍କୀତ ଜନ ଇସ୍ତାହାର

ଖାଦ୍ୟ ଓ ପୁଷ୍ଟି ସଂପର୍କୀତ ଜନ ଇସ୍ତାହାର

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ, କଲେକ୍ଟିଭ୍ ଆକ୍ସନ୍ ଫର୍ ନ୍ୟୁଟ୍ରିସନ୍, ଭଏସ୍ ଫର୍ ଚାଇଲ୍ ରାଇଟ୍ସ, ଜନସ୍ବାସ୍ଥ୍ୟ ଅଭିଯାନ-ଓଡ଼ିଶା ଏବଂ ୱାଟର୍ ଇନିସିଏଟିଭ୍ସ୍-ଓଡ଼ିଶା ପ୍ରସ୍ତୁତ କରିଛନ୍ତି ନିମ୍ନୋକ୍ତ ଜନ ଇସ୍ତାହାର। ପୁଷ୍ଟିଗତ ବୈଷମ୍ୟଗୁଡ଼ିକ ରାଜନୀତିକ, ଆର୍ଥିକ, ଭୌଗୋଳିକ ଏବଂ ସାମାଜିକ ବିଷୟଗୁଡ଼ିକ ଦ୍ବାରା ପରିଚାଳିତ ହୋଇଥାଏ ଏବଂ କୁପୋଷଣର କୁପ୍ରଭାବ ବିଶେଷକରି ମହିଳା ଓ ଶିଶୁମାନଙ୍କୁ ପ୍ରଭାବିତ କରିଥାଏ। ଅନୁପଯୁକ୍ତ ଆହାର ପ୍ରଥା, ଜୀବନର ବିଭିନ୍ନ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ସେବା ଓ ଯତ୍ନର ଅଭାବର ପରିଣାମ ହେଉଛି କୁପୋଷଣ। ଏହାର ଫଳାଫଳ ହେଉଛି ଅସମାନତା, ଦାରିଦ୍ର୍ୟ ଓ ଅସୁସ୍ଥତା। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ ପାଇଁ କୁପୋଷଣର ସମସ୍ତ ରୂପକୁ ରୋକିବା ନିହାତି ଆବଶ୍ୟକ। ଗ୍ରାମୀଣ ଦୁରବସ୍ଥା, କୃଷି ସଙ୍କଟ, କର୍ମନିଯୁକ୍ତିର ଅଭାବ ଏବଂ ଜୀବିକା ପନ୍ଥା ସୃଷ୍ଟିର ଅଭାବ ଯୋଗୁଁ ରାଜ୍ୟରେ ଅନାହାର ଜନିତ ମୃତ୍ୟୁ ଘଟଣା ଭଳି ସମସ୍ୟା ସାମ୍ନାକୁ ଆସୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)ର ସୁଯୋଗକୁ ବିସ୍ତାରିତ କରିବା ସଙ୍ଗେ ସଙ୍ଗେ ଏହାକୁ ସର୍ବାଦୌ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଓଡ଼ିଶାରେ କୁପୋଷଣ - ଓଡ଼ିଶାର ଶିଶୁ ମୃତ୍ୟୁହାର (୧ ବର୍ଷ ମଧ୍ୟରେ) ୧୦୦୦ ଜନ୍ମରେ ୪୦ ଜଣ; - ଓଡ଼ିଶାର ଶିଶୁ ମୃତ୍ୟୁହାର (୧ରୁ ୫ବର୍ଷ ମଧ୍ୟରେ) ୧୦୦୦ ଜନ୍ମରେ ୪୯ ଜଣ; - ୫ ବର୍ଷ ବୟସରୁ କମ୍ ବୟସର ୩୪.୪ ପ୍ରତିଶତ ଶିଶୁ କମ୍ ଓଜନ ବିଶିଷ୍ଟ; - ୫ ବର୍ଷ ବୟସରୁ କମ୍ ବୟସର ୩୪.୧ ପ୍ରତିଶତ ଶିଶୁ, ବୟସ ଅନୁସାରେ ଉଚ୍ଚତା କମ୍; - ୫ ବର୍ଷ ବୟସରୁ କମ୍ ବୟସର ୨୦.୪ ପ୍ରତିଶତ ଶିଶୁ, ଉଚ୍ଚତା ଅନୁସାରେ ଓଜନ କମ୍; - ୫ ବର୍ଷ ବୟସରୁ କମ୍ ବୟସର ୬.୪ ପ୍ରତିଶତ ଶିଶୁ ଉଚ୍ଚତା ଅନୁସାରେ ଅତିମାତ୍ରାରେ ଓଜନ କମ୍; - ୬ରୁ ୨୩ ମାସ ମଧ୍ୟରେ ସମୁଦାୟ ଶିଶୁଙ୍କ ମଧ୍ୟରୁ ୮.୫ ପ୍ରତିଶତ ଶିଶୁ ପର୍ଯ୍ୟା ଆହାର ପାଇଥାଆନ୍ତି; - ୬ରୁ ୫୯ ମାସ ମଧ୍ୟରେ ସମୁଦାୟ ଶିଶୁଙ୍କ ମଧ୍ୟରୁ ୪୪.୬ ପ୍ରତିଶତ ଶିଶୁ ରକ୍ତହୀନତାରେ ପୀଡ଼ିତ; - ଗର୍ଭ ଧାରଣ କରିନଥିବା ୧୫-୪୯ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ୫୧.୨ ପ୍ରତିଶତ ରକ୍ତହୀନ; - ଗର୍ଭ ଧାରଣ କରିଥିବା ୧୫-୪୯ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ୪୭.୬ ପ୍ରତିଶତ ରକ୍ତହୀନ; (ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୪ର୍ଥ, ୨୦୧୫-୧୬) ୨୦୧୯ ସାଧାରଣ ନିର୍ବାଚନ ପାଇଁ ଯେତେବେଳେ ରାଜନୀତିକ ଦଳଗୁଡ଼ିକ ନିଜନିଜର ଘୋଷଣାପତ୍ର ପ୍ରସ୍ତୁତ କରୁଛନ୍ତି, ସେତେବେଳେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ, କଲେକ୍ଟିଭ୍ ଆକ୍ସନ୍ ଫର୍ ନ୍ୟୁଟ୍ରିସନ୍, ଭଏସ୍ ଫର୍ ଚାଇଲ୍ ରାଇଟ୍ସ, ଜନସ୍ବାସ୍ଥ୍ୟ ଅଭିଯାନ-ଓଡ଼ିଶା ଏବଂ ୱାଟର୍ ଇନିସିଏଟିଭସ୍-ଓଡ଼ିଶା, ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ବିଚାର ପାଇଁ ଉପସ୍ଥାପନ କରୁଛନ୍ତି। ଖାଦ୍ୟ ଓ ପୁଷ୍ଟି ପାଇଁ ଜନ ଇସ୍ତାହାର ଗୋଷ୍ଠୀ, ବିଶେଷଜ୍ଞ ଦଳ ଏବଂ ସାମାଜିକ ସଙ୍ଗଠନଗୁଡ଼ିକ ସହିତ ପରାମର୍ଶ କଲାପରେ ଏହିସବୁ ପ୍ରସ୍ତାବଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଆମେ ଆଶା ରଖିଛୁ, ନିର୍ବାଚନୀ ପ୍ରତିଶ୍ରୁତି ରୂପେ ଏସବୁ ପ୍ରସ୍ତାବଗୁଡ଼ିକୁ ପାଳନ କଲେ କ୍ଷୁଧା ଏବଂ କୁପୋଷଣମୁକ୍ତ ନୂତନ ଓଡ଼ିଶା ଗଠନ ହୋଇପାରିବ। ପୋଷଣ ସମନ୍ବିତ ଶିଶୁ ବିକାଶ ସେବା ଯୋଜନାକୁ ସାର୍ବଜନୀନ କରାଯାଉ ଓଡ଼ିଶାରେ ଯଦିଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକକର ସଂଖ୍ୟା ବଢ଼ିଛି, ତଥାପି ସବୁ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ବିଶେଷକରି ଆଦିବାସୀ ଓ ପାହାଡ଼ିଆ ଅଂଚଳରେ ଏପରି ଅନେକ ଗାଁ ରହିଛି ଯାହାକୁ ଟ୍ୟାଗ୍ ଭିଲେଜ୍ କୁହାଯାଉଛି, ଏହି ଟ୍ୟାଗ୍ ଭିଲେଜଗୁଡ଼ିକ ଅନ୍ୟ ଗାଁ’ର ଅଙ୍ଗନବାଡ଼ି କେନ୍ଦ୍ର ସହିତ ଯୋଡ଼ି ହୋଇ ରହିଛି। ଗମନାଗମନ ଓ ଯାତାୟତର ସୁବିଧା ନଥିବା ହେତୁ ଏହିସବୁ ଟ୍ୟାଗ୍ ଭିଲେଜର ହିତାଧିକାରୀମାନେ ନିୟମିତ ଏବଂ ଠିକ ଭାବେ ଆଇସିଏସ୍ ସେବାଗୁଡ଼ିକ ପାଇପାରୁ ନାହାନ୍ତି। ସାର୍ବଜନୀନକରଣ କ୍ଷେତ୍ରରେ ଅଧିକାର ଉଲ୍ଲଙ୍ଘନର ମୁଖ୍ୟ କାରଣ ହେଉଛି, ଟ୍ୟାଗ୍ ଭିଲେଜ୍ ଚିନ୍ତାଧାରା। ତେଣୁ ଏହାକୁ ସମାପ୍ତ କରିବା ଆବଶ୍ୟକ। ସମସ୍ତ ଛୋଟ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତୀ ମାଆ ଏବଂ କିଶୋରୀ ବାଳିକାମାନଙ୍କୁ ପ୍ରାକ୍ ବିଦ୍ୟାଳୟ ଓ ପରିପୂରକ ପୁଷ୍ଟି ସମେତ ଆଇସିଡିଏସ୍ ସେବାଗୁଡ଼ିକ ଶୃଙ୍ଖଳିତ ଭାବେ ଉପଲବ୍ଧ ହେବା ନିହାତି ଦରକାର। ସମସ୍ତ ଆଇସିଡିଏସ୍ ପାଇଁ ପର୍ଯ୍ୟାପ୍ତ, ନିରାପଦ ଏବଂ ବିପର୍ଯ୍ୟୟ ପ୍ରତିରୋଧକାରୀ ଭିତ୍ତିଭୂମି ପ୍ରାୟ ୪୭ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଭିତ୍ତିଭୂମି (ଘର, ଶୌଚାଳୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା), ପୁଷ୍ଟି ସେବା ପାଇଁ ମୌଳିକ ଆବଶ୍ୟକ। ଭାରତ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ସମସ୍ତ ଆଇସିଡିଏସ୍ କେନ୍ଦ୍ରଗୁଡ଼ିକ ପାଇଁ ସଂପୂର୍ଣ୍ଣ, ନିରାପଦ ଏବଂ ବିପର୍ଯ୍ୟୟ ପ୍ରତିରୋଧକାରୀ ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ, ତିନିବର୍ଷ ମଧ୍ୟରେ ଏପରିକି ଜରୁରୀ ପରିସ୍ଥିତି ସମୟରେ ମଧ୍ୟ ସେବାଗୁଡ଼ିକୁ ଉପଲବ୍ଧ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ। ପରିପୂରକ ପୁଷ୍ଟି ଓ ମଧ୍ୟାହ୍ନ ଭୋଜନର ଗୁଣମାନ ବୃଦ୍ଧି ଆଇସିଡିଏସ୍ ଏବଂ ମଧ୍ୟାହ୍ନ ଭୋଜନ ଅଧୀନରେ ଅଣ୍ଡା, କ୍ଷୀର, ମିଲେଟ୍ ଯାହାକି କ୍ଷୁଦ୍ରଦାନା ଶସ୍ୟ ଏବଂ ସ୍ଥାନୀୟ ରୂପେ ଉପଲବ୍ଧ ଖାଦ୍ୟ ପଦାର୍ଥଗୁଡ଼ିକର ଉପଯୋଗ ମାଧ୍ୟମରେ ଗୁଣମାନ ବୃଦ୍ଧି କରାଯିବା ଉଚିତ। ଜିଲ୍ଲାସ୍ତରରେ ଖାଦ୍ୟ ପଦାର୍ଥର ଗୁଣବତ୍ତା ପରୀକ୍ଷଣ ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ। ଗୋଷ୍ଠୀ ତଦାରଖ ବ୍ୟବସ୍ଥାକୁ ଲାଗୁ କରିବା ଉଚିତ ଏବଂ ତଦାରଖର ଫଳାଫଳକୁ ଅନୁସରଣ କରିବା ମଧ୍ୟ ଉଚିତ। ଭୋଜନର ପୋଷକ ତତ୍ତ୍ବ ବୃଦ୍ଧି ପାଇଁ ବିଦ୍ୟାଳୟ ଏବଂ ଆଇସିଡିଏସ୍ କେନ୍ଦ୍ରଗୁଡ଼ିକରେ ପୁଷ୍ଟି ବଗିଚା ପରିଚାଳନା କରିବା ଉଚିତ। ପରିପୂରକ ପୁଷ୍ଟି ଓ ମଧ୍ୟାହ୍ନ ଭୋଜନର ଦର ବର୍ଷକୁ ଥରେ ସମୀକ୍ଷା କରି ମୁଦ୍ରାସ୍ଫୀତି ଅନୁସାରେ ସଂଶୋଧନ କରାଯିବା ଉଚିତ। ମାତୃତ୍ ସହାୟତା ବୃଦ୍ଧି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ମାତୃତ୍ବ ସହାୟତା ରୂପେ ଅତି କମରେ ୬୦୦୦ ଟଙ୍କାର ମାତୃତ୍ବ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ତେବେ, ରାଜ୍ୟ ମମତା ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ମାତୃତ୍ବ ସହାୟତା ଯୋଜନା ବୈଧ ପ୍ରତିଶ୍ରୁତି ପାଳନ କରୁନାହାନ୍ତି। ଯେତେବେଳେ କି ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଯଥାକ୍ରମେ ୧୮,୦୦୦ ଟଙ୍କା ଏବଂ ୧୬,୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ମାତୃତ୍ବ ସହାୟତା ପରିମାଣକୁ ଯଥାଯଥ ଭାବେ ବୃଦ୍ଧି କରିବା, ଠିକ୍ ସମୟରେ ଅର୍ଥ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଓ ୱେବସାଇଟରେ ହିତାଧିକାରୀମାନଙ୍କ ନାମ ଓ ଅର୍ଥ ହସ୍ତାନ୍ତରଣର ସମୟକୁ ପ୍ରଦର୍ଶୀତ କରିବା ଜରିଆରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ପଦକ୍ଷେପ ନେବା ଦରକାର। ହିତାଧିକାରୀମାନଙ୍କ ପାଇଁ ପରିଚାଳନା ପ୍ରକ୍ରିୟା ସହଜ ଓ ସରଳ ହେବା ଆବଶ୍ୟକ। ସହଜ ପହୁଞ୍ଚ ପାଇଁ ଡାକଘରେ ମମତା ଖାତା ଖୋଲିବା ପାଇଁ ଅନୁମତି ଦେବା ଆବଶ୍ୟକ। ଶିଶୁମାନଙ୍କ ପାଇଁ କ୍ରେଚ୍ କାର୍ଯ୍ୟରତ ମହିଳାମାନଙ୍କ ଉପରେ ବୋଝକୁ କମ୍ କରିବା ଏବଂ ଶିଶୁମାନଙ୍କ ପୋଷଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କ୍ରେଚ୍ ରୂପେ କାର୍ଯ୍ୟ କରିବା ଉଚିତ। ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ଓ ଅତିରିକ୍ତ ସୁବିଧାଗୁଡ଼ିକୁ ଉପଲବ୍ଧ କରାଯିବା ଆବଶ୍ୟକ। ଆହୁରି ମଧ୍ୟ ପ୍ରତ୍ୟେକ ସରକାରୀ ପ୍ରତିଷ୍ଠାନରେ କ୍ରେଚ୍ ସୁବିଧା ଉପଲବ୍ଧ ହେବା ପାଇଁ ବ୍ୟବସ୍ଥା ରହିବା ଉଚିତ। ପୁଷ୍ଟି ଥଇଥାନ କେନ୍ଦ୍ରରେ ସୁବିଧା ବଢ଼ାଇବା ଓଡ଼ିଶା ରାଜ୍ୟରେ ଗୁରୁତର ଭାବେ କୁପୋଷିତ ଶିଶୁମାନଙ୍କ ପ୍ରତିଶତକୁ ଦେଖି, ପ୍ରତ୍ୟେକ ପୁଷ୍ଟି ଥଇଥାନ କେନ୍ଦ୍ରରେ ବର୍ତ୍ତମାନ ଥିବା ୧୦ ଶଯ୍ୟା ବିଶିଷ୍ଟ କ୍ଷମତାକୁ ଦୁଇଗୁଣା କରିବାର ଆବଶ୍ୟକତା ରହିଛି। ପୁଷ୍ଟି ଥଇଥାନ କେନ୍ଦ୍ରରେ ଶିଶୁମାନଙ୍କ ସହିତ ରହୁଥିବା ସେମାନଙ୍କର ମା’ମାନଙ୍କ ପାଇଁ ମଜୁରୀ ଭରଣା ନିମନ୍ତେ ଆର୍ଥିକ ସହାୟତା ଦୈନିକ ୧୦୦ ଟଙ୍କାର ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଦୈନିକ ସର୍ବନିମ୍ନ ମଜୁରୀ ସହ ସମାନ କରାଯିବା ଜରୁରୀ। ଶିଶୁମାନଙ୍କ ପାଇଁ ଅଣ୍ଡା ଶିଶୁମାନଙ୍କର ପୁଷ୍ଟି ଆହରଣକୁ ବଢ଼ାଇବା ପାଇଁ ସମସ୍ତ ଆଇସିଡିଏସ୍ କେନ୍ଦ୍ର ଏବଂ ବିଦ୍ୟାଳୟଗୁଡ଼ିକରେ ସପ୍ତାହକୁ ୬ ଦିନ ଅଣ୍ଡା ପ୍ରଦାନ କରାଯାଉ। ଘରୋଇ ଠିକାଦାରଙ୍କୁ ନା ଆଇସିଡିଏସ୍ ଏବଂ ମଧ୍ୟାହ୍ନ ଭୋଜନ ଅଧୀନରେ ହକ୍ ବଣ୍ଟନ ନିମନ୍ତେ କୌଣସି ଘରୋଇ ଠିକାଦାର/ଯୋଗାଣକାରୀଙ୍କୁ ନିଯୁକ୍ତ କରିବା ଉଚିତ ନୁହେଁ। ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟକ୍ରମରେ ନିଯୁକ୍ତ କରାଯିବା ଉଚିତ। ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ପାଇଁ ଗରମ ଓ ରନ୍ଧା ମଧ୍ୟାହ୍ନ ଭୋଜନ ସମସ୍ତ ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କ ପୋଷଣ ଉପରେ ଭଲ ପ୍ରଭାବ ପକାଇବା ପାଇଁ ଆଇସିଡିଏସ୍ କେନ୍ଦ୍ର ସ୍ତରରେ ଗରମ ଓ ରନ୍ଧା ଭୋଜନ ପ୍ରଦାନ କରାଯିବା ଉଚିତ। କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ଏପରି କାର୍ଯ୍ୟକ୍ରମକୁ ସଫଳତାପୂର୍ବକ କରିଆସୁଛନ୍ତି। ଖାଦ୍ୟ ଓ ବଣ୍ଟନ ସମସ୍ତ ଯୋଗ୍ୟ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିିଏସ୍) ଅଧୀନକୁ ଅଣାଯାଉ ଓ ବିବିଧ ସାମଗ୍ରୀ ପ୍ରଦାନ କରାଯାଉ। ଯଦିଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ସହିତ ପରିବାର ବହିଃସ୍କରଣକୁ ଅଧିକତମ ସୀମା ପର୍ଯ୍ୟନ୍ତ ସଂଯୋଜନା କରାଯାଉଛି ତଥାପି ପରିବାର ଭିତରେ ସଦସ୍ୟ/ସଦସ୍ୟା ବାଦ ପଡ଼ିବା ଭଳି ସ୍ବତନ୍ତ୍ର ସମସ୍ୟା, ବିଶେଷକରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରହିଛି। ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିିଏସ୍)କୁ ଗତିଶୀଳ କରିବାକୁ ପଡ଼ିବ ଏବଂ ସମସ୍ତ ଯୋଗ୍ୟ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ସାମିଲ୍ କରିବାକୁ ହେବ। ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିିଏସ୍)ରେ ବିଶେଷକରି ଆଦିବାସୀ/ପାହାଡ଼ିଆ ଅଞ୍ଚଳରେ ଏବଂ ଅନଗ୍ରସର ଅଞ୍ଚଳରେ, ମାଣ୍ଡିଆ ଓ ଅନ୍ୟ ଶସ୍ୟ, ଡାଲି, ତେଲ, ଲୁଣ ଆଦିକୁ ସାମିଲ୍ କରି ବିବିଧତାପୂର୍ଣ୍ଣ କରିବାକୁ ପିଡ଼ବ। ପ୍ରବାସୀ ଶ୍ରମିକମାନେ ଯେପରି ସେମାନଙ୍କ କାର୍ଯ୍ୟସ୍ଥଳରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀ ପାଇପାରିବେ, ସେଥିପାଇଁ ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିିଏସ୍)କୁ ଚଳମାନ କରିବାକୁ ହେବ। ଅନ୍ତ୍ୟୋଦୟ ଅନ୍ନ ଯୋଜନା ପରିସରକୁ ବୃଦ୍ଧି କରାଯାଇ ଏହା ଅଧୀନରେ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ (୨ ମଇ, ୨୦୦୩) ଅନୁସାରେ ସମସ୍ତ ଯୋଗ୍ୟ ପରିବାରଗୁଡ଼ିକୁ ସାମିଲ କରାଯାଉ। ସବୁଠୁ ଦୁର୍ବଳ ବର୍ଗଙ୍କ ଚିହ୍ନଟ ଓ ସହାୟତା ଅନାହାରରେ ପୀଡିତ ଲୋକଙ୍କୁ ନିୟମିତ ଚିହ୍ନଟ କରିବା ପାଇଁ ଏକ ପ୍ରକ୍ରିୟା ନିଶ୍ଚିତ ରୂପେ ବିକଶିତ କରାଯିବା ଦରକାର ଏବଂ ଗରମ ରନ୍ଧା ଭୋଜନ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ। ଏହି ଉଦ୍ଦେଶ୍ୟରେ କେବିକେ ଅଞ୍ଚଳରେ ପୂର୍ବରୁ ଚାଲୁଥିବା ଜରୁରୀକାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମକୁ ଲକ୍ଷ୍ୟଯୁକ୍ତ ଭାବେ ପୁନର୍ବାର ଚାଲୁ କରିବା/ପୁନଃଜୀବିତ କରିବା ଉଚିତ। ଆଦିବାସୀ, ଆଦିମ ଆଦିବାସୀ, ଦଳିତ, ବୃଦ୍ଧ ଏବଂ ବିକଳାଙ୍ଗଙ୍କ ସମେତ ସମସ୍ତ ଦୁର୍ବଳ ବର୍ଗଙ୍କୁ ଖାଦ୍ୟ ଓ ପୁଷ୍ଟି ଅଧିକାର ସମାନଭାବେ ଉପଲବ୍ଧ ହେବା ଆବଶ୍ୟକ। ଖାଦ୍ୟର ଉତ୍ସ ହିସାବରେ ଜଙ୍ଗଲକୁ ସୁରକ୍ଷା କରାଯାଉ ଆଦିବାସୀମାନଙ୍କ ସମେତ ବନବାସୀମାନେ ଜଙ୍ଗଲରୁ ପ୍ରଚୁର ପୌଷ୍ଟିକ ଖାଦ୍ୟପଦାର୍ଥ, ଫଳ, ପନିପରିବା, କନ୍ଦା, ଶାଗ ପାଇଥାଆନ୍ତି। ତେଣୁ ବାଣିଜ୍ୟିକ ଏକକସଂସ୍କୃତି/ଏକାପ୍ରକାର ବୃକ୍ଷରୋପଣ ପରିବର୍ତ୍ତେ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଓ ବାଇବାର ଆବଶ୍ୟକତା ରହିଛି। ଜୈବ ବିବିଧତାର ସଂରକ୍ଷଣ ଓ ଉନ୍ନତିକରଣ ଖାଇବା ଯୋଗ୍ୟ ଖାଦ୍ୟ ପଦାର୍ଥଗୁଡ଼ିକର ଚିହ୍ନଟ ପାଇଁ ଏକ ସ୍ଥାନୀୟ ଡାଟାବେସ୍ ବିକଶିତ କରାଯିବା ଦରକାର। ସ୍ଥାନୀୟ ଜୈବ ବିବିଧତାକୁ ସଂରକ୍ଷଣ କରାଯିବା ଉଚିତ। ବିଦ୍ୟାଳୟ ଶିକ୍ଷାରେ ପ୍ରାକୃତିକ ଖାଦ୍ୟ ଓ ସେଗୁଡ଼ିକର ଗୁରୁତ୍ବକୁ ସାମିଲ କରିବାର ଆବଶ୍ୟକତା ରହିଛି। ଯଥାଯଥ ଭାବେ ବଜେଟର ଉପଯୋଗ ସିଏଏମ୍‌ପିଏ (କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା) ଏବଂ ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପାଣ୍ଠି)ର ଉପଯୋଗ ସ୍ଥାନୀୟ ବିକାଶ ପାଇଁ ଗ୍ରାମସଭାର ସହମତିରେ ଯଥାଯଥଭାବେ ଉପଯୋଗ କରାଯିବା ଉଚିତ। ଏହି ପାଣ୍ଠିର ଉପଯୋଗ ଲୋକଙ୍କୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟ ବିବିଧତା ଓ ଜୈବ ବିବିଧତାକୁ ଉନ୍ନତ କରିବା ପାଇଁ ବ୍ୟବହାର କରାଯିବା ଉଚିତ। ସାମାଜିକ ନିରାପତ୍ତା ପେନ୍‌ସନକୁ ସାର୍ବଜନୀନ ଓ ବୃଦ୍ଧି କରିବା ସାମାଜିକ ନିରାପତ୍ତା ପେନ୍‌ସନକୁ ସାର୍ବଜନୀନ କରାଯାଉ ଏବଂ ଅର୍ଥ ପରିମାଣ ୨୦୦୦ ଟଙ୍କାକୁ ବୃଦ୍ଧି କରାଯାଉ କିମ୍ବା ସରକାରଙ୍କ ଦ୍ବାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀର ଅଧା ଏବଂ ଏହାକୁ ମୁଦ୍ରାସ୍ଫୀତି ସୂଚକାଙ୍କ ସହ ଯୋଡ଼ାଯାଉ। ଚାଷ-ବାସ ସର୍ବନିମ୍ନ ସହାୟକ ମୂଲ୍ୟ- ସମସ୍ତ କୃଷିଜାତ ଦ୍ରବ୍ୟ ପାଇଁ ବର୍ଦ୍ଧିତ ଦର ସହିତ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ଏକ ଆଇନ ପ୍ରଣୟନ କରାଯାଉ। ନିରାପଦ ପୁଷ୍ଟିକାରକ ଓ ସାଂସ୍କୃତିକଭାବେ ଗ୍ରହଣଯୋଗ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନ ପାଇଁ ସ୍ଥାୟୀ ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ- ସମନ୍ବିତ ଚାଷ ଓ ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯାଉ। ନିରାପଦ ଖାଦ୍ୟ ଉତ୍ପାଦନ ପାଇଁ, ସ୍ଥାୟୀ ଜୈବିକ କୃଷି ପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଉ। କୃଷି ପାଇଁ ମନରେଗା- ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନରେଗା) ଜରିଆରେ କୃଷି ବିକାଶ ଉପରେ ଗୁରୁତ୍ବ ଦିଆଯାଉ ଏବଂ ଯଥା ସମୟରେ ଶ୍ରମ ମଜୁରୀ ପ୍ରଦାନକୁ ସୁନିଶ୍ଚିତ କରାଯାଉ। କୃଷି ଓ ଜଳସେଚନ କାର୍ଯ୍ୟକ୍ରମ ସହିତ ଏକାଭିମୁଖୀକୁ ପ୍ରାଥମିକତା ଦେବା ଉଚିତ। ଭୂମିହୀନକୁ ଜମି- ସମସ୍ତ ଭୂମିହୀନ ଲୋକଙ୍କୁ ଚାଷଜମି ପ୍ରଦାନ କରାଯାଉ, ଅବୈଧ ରୂପେ ବିଚ୍ଛିନ୍ନ ଆଦିବାସୀଙ୍କ ଜମିକୁ ରକ୍ଷା ଓ ପୁନରୁଦ୍ଧାର କରାଯାଉ। ଜଙ୍ଗଲ ଜମି ଅଧିକାରକୁ ସୁନିଶ୍ଚିତ କରାଯାଉ- ଅନ୍ୟ ପାରମ୍ପରିକ ବନବାସୀଙ୍କ ସମେତ ସମସ୍ତଙ୍କୁ ବ୍ୟକ୍ତିଗତ ଅଧିକାର ଏବଂ ସମସ୍ତ ଯୋଗ୍ୟ ଗ୍ରାମକୁ ଗୋଷ୍ଠୀ ଅଧିକାର ପ୍ରଦାନ କରିବା ପାଇଁ ଜଙ୍ଗଲ ଅଧିକାର ଆଇନ 2006ର ଯଥାଯଥ କାର୍ଯ୍ୟାନ୍ବୟନକୁ ସୁନିଶ୍ଚିତ କରାଯାଉ। ଜଙ୍ଗଲ ଜମିରୁ ଲୋକଙ୍କୁ ଉଚ୍ଛେଦ କରାନଯାଉ- ଜଙ୍ଗଲ ଅଧିକାର ଆଇନ ଅଧୀନରେ ସ୍ବୀକୃତ ଚୂଡ଼ାନ୍ତ ପ୍ରକ୍ରିୟାକୁ ଅନୁସରଣ କରି ଅନ୍ତିମ ରୂପ ଦେବା ପୂର୍ବରୁ ଜଙ୍ଗଲ ଜମିରୁ ଲୋକଙ୍କୁ ବେଦଖଲ କରାନଯାଉ। ଗ୍ରାମପଞ୍ଚାୟତ ସ୍ତରରେ ସୂଚନା କେନ୍ଦ୍ର- ପ୍ରତ୍ୟେକ ଗ୍ରାମପଞ୍ଚାୟତରେ କୃଷି ସୂଚନା କେନ୍ଦ୍ର ଖୋଲାଯାଉ, ଯେଉଁଠାରୁ କୃଷକମାନେ କୃଷି ସମ୍ବନ୍ଧିତ ସମସ୍ତ ପ୍ରକାର ସୂଚନା ଯଥା ସର୍ବନିମ୍ନ ସହାୟତା ମୂଲ୍ୟ, କୃଷି ପ୍ରଣାଳୀ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ କିସମ, ସରକାରୀ ଯୋଜନା/କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ସଠିକ୍ ସୂଚନା ପାଇପାରିବେ। ପାଣି ନିରାପଦ ପାନୀୟ ଜଳ ଅଧିକାରକୁ ସୁନିଶ୍ଚିତ କରାଯାଉ- ସମସ୍ତ ବାସସ୍ଥାନ ଏବଂ ବିଦ୍ୟାଳୟ ଓ ଆଇସିିଏସ୍ କେନ୍ଦ୍ରଗୁଡ଼ିକ ନିକଟରେ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରାଯିବା ଉଚିତ। ଫ୍ଲୋରାଇଡ଼, ଲୁଣିପାଣି ଏବଂ ଅନ୍ୟ ଭୂତାତ୍ତ୍ବିକ ଓ ରାସାୟନିକ ପ୍ରଦୂଷଣ କାରଣ ଯୋଗୁଁ ପ୍ରଦୂଷଣ ଭୂଜଳ ପ୍ରଦୂଷଣ ପ୍ରଭାବିତ ଅଞ୍ଚଳରେ ଜନବସତି ଓ ସଂସ୍ଥାଗୁଡ଼ିକ ପାଇଁ ନିରାପଦ ପାନୀୟ ଜଳକୁ ସୁନିଶ୍ଚିତ କରିବା ନିମନ୍ତେ ବିଶେଷ ଉପାୟ ଅବଲମ୍ବନ କରାଯିବା ଆବ୍ୟକ। ସମସ୍ତ ଉପରିଭାଗ ଓ ଭୂତଳ ଜଳ ସଂପଦର ସମସ୍ତ ପ୍ରକାର ପ୍ରଦୂଷଣକୁ ରୋକିବା ପାଇଁ ପ୍ରଭାବୀ ଉପାୟଗୁଡ଼ିକ ଅବଲମ୍ବନ କରାଯିବା ଆବଶ୍ୟକ। ସମସ୍ତ କୃଷକଙ୍କୁ ଜଳସେଚନ ସୁନିଶ୍ଚିତ କରିବା- ସେଚାଞ୍ଚଳ ଓ ବର୍ଷାପୁଷ୍ଟ ଅଞ୍ଚଳ ଆଧାରିତ ଜଳସେଚନକୁ ଗ୍ରୀଷ୍ମ ଓ ବର୍ଷା ଋତୁରେ ଫସଲଗୁଡ଼ିକ ବଞ୍ଚି ରହିବା ପାଇଁ ଅଗ୍ରାଧିକାର ଦିଆଯିବା ଦରକାର। ନଦୀ ଜଳ, ଉପରିଭାଗ ଜଳାଶୟ ଏବଂ ଭୂ-ତଳ ଜଳ ଉପରେ ପ୍ରଥମ ଅଧିକାର କୃଷକମାନଙ୍କର ହେବା ଆବଶ୍ୟକ, ଶିଳ୍ପର ନୁହେଁ। ସଂପୂର୍ଣ୍ଣ ଲୋକ ସହଭାଗିତାରେ ଜଳ ସୁରକ୍ଷା ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା- ଉଭୟ ସ୍ବାଭାବିକ ସମୟରେ ଓ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ପ୍ରତ୍ୟେକ ଜଳ ଛାୟା ସ୍ତରରେ ଓ ନଦୀ ଅବବାହିକା ସ୍ତର ପର୍ଯ୍ୟନ୍ତ ଏବଂ ଗରିବ ଓ ଦୁର୍ବଳ ସମୁଦାୟଙ୍କ ପାଇଁ ଜଳ ଓ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା। ଶାସନ ଓ ସ୍ବଚ୍ଛତା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପାଇଁ ନିୟମାବଳୀ- ଏନ୍ଏଫ୍ଏସ୍ଏ ଅଧୀନରେ ଚାରି ଗୋଟି ଅଧିକାର (ଆଇସିିଏସ୍; ଏମ୍ିଏମ୍; ପିିଏସ୍ ଏବଂ ମମତା) କାର୍ଯ୍ୟାନ୍ବୟନ ପାଇଁ ଏକ ବିସ୍ତୃତ ନିୟମାବଳି ତିଆରି କରାଯାଉ, ଯେଉଁଥିରେ ସାମାଜିକ ସମୀକ୍ଷା ପାଇଁ ନିୟମ ରହିଥିବ। ଗୋଷ୍ଠୀ ସଂସ୍ଥାଗୁଡ଼ିକ ପାଇଁ ଦକ୍ଷତା ବୃଦ୍ଧି- ପ୍ରତ୍ୟେକ ଗ୍ରାମରେ, ମାତୃ କମିଟି, ଯାଞ୍ଚ କମିଟି ଏବଂ ବିଦ୍ୟାଳୟ ପରିଚାଳନା କମିଟି ରହିଛି। ଗ୍ରାମପଞ୍ଚାୟତ ସ୍ତରରେ ଗଠିତ ସାଧାରଣ ବଣ୍ଟନ ବ୍ୟବସ୍ଥା ପରାମର୍ଶଦାତା କମିଟି ଏବଂ ଶିକ୍ଷା ସ୍ଥାୟୀ କମିଟି ରହିଛି। ଏହିସବୁ କମିଟିଗୁଡ଼ିକୁ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ ସେସବୁ କମିଟିର ଦକ୍ଷତା ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏହାକୁ ଅଗ୍ରାଧିକାର ଦିଆଯିବା ଉଚିତ। ଏକ ସାମାଜିକ ଉତ୍ତରଦାୟିତ୍ବ ଆଇନ ଅଣାଯାଉ- ଖାଦ୍ୟ ଓ ପୋଷଣ ଶାସନକୁ ଶକ୍ତିଶାଳୀ କରିବା ପାଇଁ ଉତ୍ତରଦାୟିତ୍ର ଆବଶ୍ୟକତା ରହିଛି। ଏହାକୁ ପରିଭାଷିତ କରିବାର ଆବଶ୍ୟକତା ରହିଛି ଏବଂ ଖାଦ୍ୟ ଓ ପୋଷଣ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା, ସ୍ବଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ସାମାଜିକ ଉତ୍ତରଦାୟିତ୍ବ ଆଇନ ଅଣାଯିବା ଏବଂ ବିଭିନ୍ନ ସ୍ତରରେ ଉତ୍ତରଦାୟିତ୍ବ ସ୍ଥିର କରିବା ଜରୁରୀ ହୋଇପିଡ଼ଛି। ଖାଦ୍ୟ ଓ ପୋଷଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନରେ କୌଣସି ବି ପ୍ରକାର ଅନିୟମିତତା ଓ ଅପ-ପରିଚାଳନା ପାଇଁ ଶୂନ୍ୟ ସହନଶୀଳତା ହେବା ଆବଶ୍ୟକ। ପଞ୍ଚାୟତିରାଜ ପ୍ରତିନିଧି ଓ ଗ୍ରାମସଭାକୁ ସଶକ୍ତ କରିବା- ଓଡ଼ିଶା ଗ୍ରାମପଞ୍ଚାୟତ ଆଇନକୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା ଗଠନ କରିବା ପାଇଁ ସଂଶୋଧନ କରାଯାଉ। ପଞ୍ଚାୟତରେ ଅତିପୁଷ୍ଟିହୀନ ଶିଶୁ ଓ ମହିଳାମାନଙ୍କୁ ସହାୟତା କରିବା ପାଇଁ ଗ୍ରାମସଭା ଓ ପଞ୍ଚାୟତରେ ସ୍ବତନ୍ତ୍ର ପାଣ୍ଠି ରହିବା ଆବଶ୍ୟକ। ଖାଦ୍ୟ ଓ ପୋଷଣ ସୁରକ୍ଷା ଉପରେ ଚର୍ଚ୍ଚା ପାଇଁ ବିଶେଷ ଗ୍ରାମସଭା ଆୟୋଜନ କରିବା ନିମନ୍ତେ ଅନିବାର୍ଯ୍ୟ ବ୍ୟବସ୍ଥା ହେବା ଦରକାର। ସ୍ବାସ୍ଥ୍ୟ ଓ ପୋଷଣ ସମ୍ବନ୍ଧିତ ସମସ୍ତ ଯୋଜନାଗୁଡ଼ିକର ନିର୍ଣ୍ଣୟ ଓ କାର୍ଯ୍ୟାନ୍ବୟନରେ ଗ୍ରାମସଭା ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ରହିବା ଆବଶ୍ୟକ। ଅଭିଯୋଗ ଶୁଣାଣି- ଏକ ସଶକ୍ତ ଲୋକ ଅନୁକୂଳ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ବ୍ଲକ୍ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସ୍ଥାପନା କରାଯିବା ଉଚିତ। ଏନ୍ଏଫ୍ଏସ୍ଏ ଏବଂ ଖାଦ୍ୟ ଓ ପୋଷଣ ସମ୍ବନ୍ଧିତ ଅଭିଯୋଗଗୁଡ଼ିକ ପାଇଁ ଜିଲ୍ଲାସ୍ତରରେ ସ୍ବାଧୀନ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ନିଯୁକ୍ତ କରାଯାଉ। ଆଧାର ଭିତ୍ତି ବିଲୋପ ହେଉ- ସାମାଜିକ ସୁରକ୍ଷା ଏବଂ ଖାଦ୍ୟ ଓ ପୋଷଣ ସୁରକ୍ଷା ଯୋଜନାଗୁଡ଼ିକ କ୍ଷେତ୍ରରେ ବାଦ ପଡ଼ିବା ପାଇଁ ଆଧାରକୁ ମାପଦଣ୍ଡ ହିସାବରେ ନିଆଯିବା ଉଚିତ ନୁହେଁ। ସମସ୍ତ ସାମାଜିକ ସୁରକ୍ଷା ଯୋଜନାରେ ଆଧାରକୁ ପୂର୍ଣ୍ଣମାତ୍ରାରେ ହଟାଯାଉ। ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ୧୨୩, ଭିଆଇପି ଏରିଆ, ଭୁବନେଶ୍ବର

Share :