ବିଜେପି ‘ଶକ୍ତି’ ପାଇଁ ଦଳ ଭାଙ୍ଗିଥିଲେ ନବୀନବାବୁ

ବିଜେପି ‘ଶକ୍ତି’ ପାଇଁ ଦଳ ଭାଙ୍ଗିଥିଲେ ନବୀନବାବୁ

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୮ ମେ ମାସରେ ବିଜୁ ଜନତା ଦଳ ଛାଡ଼ିଥିବା ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୯ ମାର୍ଚ୍ଚ ୪ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ବରରେ ବିଜେଡି ଗଠନର ଇତିହାସରୁ କେଇ ଫର୍ଦ୍ଦ ପଢ଼ିଥିଲେ। ମାର୍ଚ୍ଚ ୭ ତାରିଖରେ ତାଙ୍କ ବକ୍ତବ୍ୟକୁ ଖଣ୍ଡନ କରି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର ସ୍ବାସ୍ଥ୍ୟ ତଥା ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଯେନା ଯାହା କହିଛନ୍ତି ତାହା ସତ୍ୟର ଅପଳାପ ଛଡ଼ା ଅନ୍ୟ କିଛି ହୋଇ ନପାରେ। ଏଭଳି ମିଛ କହି ପ୍ରତାପବାବୁ ନବୀନବାବୁଙ୍କ ପ୍ରତାପର ପ୍ରଶଂସା କରିବାକୁ ଉଦ୍ୟମ କରିଛନ୍ତି ସତ, ହେଲେ ଗଲା କୋଡ଼ିଏ ବର୍ଷ ଭିତରେ ପ୍ୟାରୀ, ପଟ୍ଟନାୟକ ଓ ପାଣ୍ଡିଆନ ପ୍ରମୁଖ ତାହାର ସଠିକ ଆକଳନ କରିସାରିଛନ୍ତି। ପୋଥି ପୂଜା କରୁଥିବା ଲୋକେ ପୋଥି ଫିଟେଇ ପଢ଼ୁ ନଥିବାରୁ ତାହା ଜାଣିପାରୁ ନାହାନ୍ତି, ତାହା ଅବଶ୍ୟ ଅଲଗା କଥା। ନୂଆଦିଲ୍ଲୀରେ ଭାଜପାରେ ମିଶି ଭୁବନେଶ୍ବର ଫେରିବା ପରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବାଗତ ସଭାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ ଯେ ବିଜୁ ଜନତା ଦଳ ଗଢ଼ିବା ପାଇଁ ୧୯୯୭ ମସିହାରେ ବିଜେପି ସହାୟତା କରିଥିଲା। ସେତେବେଳେ ଯେଉଁ ନୀତି, ଆଦର୍ଶ ଓ ଉଦ୍ଦେଶ୍ୟ ନେଇ ଏ ଦଳ ଗଠିତ ହୋଇଥିଲା ସେଥିରୁ ବହୁ ଦୂରକୁ ଚାଲିଯାଇଛି ବିଜେଡି। ଏଥିପାଇଁ ସେ ଦଳ ଛାଡ଼ିଛନ୍ତି ବୋଲି ବୈଜୟନ୍ତ କହିଥିଲେ। ଏହା ପୂର୍ବରୁ ଦିଲ୍ଲୀରେ ଭାଜପାରେ ଯୋଗଦେବା ଅବସରରେ ମଧ୍ୟ ଗଣମାଧ୍ୟମ ଆଗରେ ସେ ଏହି କଥା କହିଥିଲେ। ସେତେବେଳେ ସେ ବିଜେପିରେ ମିଶିବାକୁ ଚାହିଁଥିଲେ, କିନ୍ତୁ ଦୁଃଖର କଥା ସେଥିପାଇଁ ୨୨ ବର୍ଷ ଲାଗିଗଲା ବୋଲି ସେ କହିଥିଲେ। ବିଜେପିରେ ମିଶିବା ପରେ ନୁହେଁ, ତା’ ପୂର୍ବରୁ ମଧ୍ୟ ନିଜର ଅନେକ ଟୁଇଟ୍‌ ଓ ଲେଖା ମାଧ୍ୟମରେ ବୈଜୟନ୍ତ ପଣ୍ଡା ବିଜେଡିର ଗଠନ ସଂପର୍କରେ ଏପରି ଅନେକ କଥା ପ୍ରକାଶ କରିଛନ୍ତି। କେବଳ ପଣ୍ଡା ନୁହନ୍ତି ବିଜେଡିର ଅନେକ ନେତା ମଧ୍ୟ ଏହା ଜାଣିଛନ୍ତି। ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳର କେତେ ଜଣାଣ ନେତାଙ୍କ ମହତ୍ବାକାଙ୍‌କ୍ଷା ପାଇଁ ତତ୍କାଳୀନ ଜନତା ଦଳରେ ବିଭାଜନ ଘଟାଇ ବିଜୁ ଜନତା ଦଳ ଗଠନ କରାଯାଇଥିଲା। ତାହା ଥିଲା ଏକ ବଡ଼ ଧରଣର ରାଜନୀତିକ ଷଡ଼ଯନ୍ତ୍ର। ସେ ଘଟଣା ଆଜିକୁ ୨୨ ବର୍ଷ ହୋଇଗଲାଣି। ୧୯୯୬ ଏପ୍ରିଲ ୧୭ ତାରିଖରେ ବିଜୁବାବୁଙ୍କର ଦେହାନ୍ତ ହେଲା। ଏକଥା କାହାକୁ ଅଛପା ନୁହେଁ ଯେ ବିଜୁବାବୁଙ୍କ ଜୀବନର ଶେଷ ବର୍ଷ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ, ଝିଅ ଗୀତା ମେହେଟ୍ଟା, ବଡ଼ପୁଅ ପ୍ରେମ ପଟ୍ଟନାୟକ ଓ ସାନପୁଅ ନବୀନ ପଟ୍ଟନାୟକଙ୍କ ସେବା ଓ ଯତ୍ନ ମଧ୍ୟରେ କଟି ନଥିଲା। ଷଣ୍ଢର ସବୁ ଥାଇ କେହି ନଥିଲା ପରି ଜୀବନର ଶେଷ ଭାଗ ସେ ଭୁବନେଶ୍ବରର ନବୀନ ନିବାସ ଏବଂ ଦିଲ୍ଲୀରେ ସାଂସଦ ଦିଲ୍ଲୀପ ରାୟଙ୍କ ଘରେ ସହଯୋଗୀ ଓ ସେବକମାନଙ୍କ ଗହଣରେ ବିତାଇଥିଲେ। ସେତେବେଳେ ସେ ଲୋକସଭା ସଦସ୍ୟ ଥିଲେ। ଦିଲ୍ଲୀ ଗଲେ ନିଜ ଘରେ ନରହି ଦିଲ୍ଲୀପ ରାୟଙ୍କ ଘରେ ରହୁଥିଲେ। ଶେଷ ଥର ବିମାନ ବନ୍ଦରରୁ ଓହ୍ଲାଇବା ସମୟରେ ଅସୁସ୍ଥ ହୋଇପଡ଼ିବାରୁ ଦିଲ୍ଲୀପଙ୍କ ସହଯୋଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଠିକ ଚାଲିଥିଲା। କିନ୍ତୁ ପୁଅମାନେ ତାଗିଦ କରିବା ପରେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନିଆଗଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା। ଏହା ପରେ ଜନତା ଦଳର ରାଜ୍ୟ ନେତାମାନେ ନିଜୁ ବାପଛେଉଣ୍ଟ ବୋଧ କଲେ। ବିଜୁବାବୁଙ୍କ ବିନା ସେମାନଙ୍କର ସ୍ଥିତି ଓ ପରିଚୟ କିଛି ନାହିଁ ବୋଲି ବିଶ୍ବାସ କରୁଥିବା ନେତାମାନେ ନବୀନବାବୁଙ୍କୁ ତେଲେଇ ବୁଝେଇ ଓଡ଼ିଶା ରାଜନୀତିକୁ ଟାଣିଲେ। ଦଳରୁ ବିଦା ହୋଇଥିବା ଦାମବାବୁଙ୍କ ଭାଷାରେ ସେଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ସହାୟତା ନେବାକୁ ପଡ଼ିଥିଲା। ନବୀନବାବୁ ପ୍ରଥମେ ଜନତା ଦଳର ପ୍ରାର୍ଥୀ ଭାବେ ଆସ୍କା ଲୋକସଭା ଉପନିର୍ବାଚନ ଲଢ଼ି ବିଜୟୀ ହେଲେ। ଏହାର ମାତ୍ର ଅଳ୍ପ କେଇଦିନ ଭିତରେ ୧୯୯୭ ଡିସେମ୍ବର ମାସରେ ନବୀନବାବୁଙ୍କ ନେତୃତ୍ବରେ ଜନତା ଦଳ ବିଭାଜିତ ହେଲା। ସେତେବେଳେ ଯେଉଁମାନେ ଓଡ଼ିଶାର ରାଜନୀତିକ ଖବର ସଂଗ୍ରହ ଓ ପ୍ରକାଶ କରୁଥିଲେ ସେମାନେ ସମସ୍ତେ ବିଜେଡି ଗଠନ ପ୍ରକ୍ରିୟା ସଂପର୍କରେ ଅବହିତ। ଏକଥା ସତ ଯେ ସେତେବେଳେ ଜନତା ଦଳ ଭାଙ୍ଗି ବିଜେପି ସହିତ ମିଶିବାକୁ ବା ବିଜେପି ସହ ମେଣ୍ଟ କରିବାକୁ ତତ୍କାଳୀନ ଜନତା ଦଳର ଅନେକ ଓଡ଼ିଆ ନେତା ଚାହୁଁଥିଲେ। କାରଣ ସେମାନେ ଜାଣିଥିଲେ ଯେ ବିଜୁବାବୁଙ୍କ ଅବର୍ତ୍ତମାନରେ ଓଡ଼ିଶାରେ କଂଗ୍ରେସକୁ ପରାସ୍ତ କରିବାକୁ ହେଲେ ବିଜେପିର ସହାୟତା ଦରକାର। ସେତେବେଳକୁ ଜାତୀୟ ସ୍ତରରେ ମୂଳ ଜନତା ଦଳ ଦୁର୍ବଳ ହୋଇସାରିଥିଲା। ଜନତା ଦଳରୁ ଅଲଗା ହୋଇ ମୁଲାୟମ ସିଂହ ଯାଦବ ସମାଜବାଦୀ ପାର୍ଟି ଓ ଲାଲୁ ଯାଦବ ରାଷ୍ଟ୍ରୀୟ ଜନତା ଦଳ ଗଠନ କରିସାରିଥିଲେ। ଏଭଳି ପରିସ୍ଥିତିରେ ଜନତା ଦଳର ଅନାଥ ନେତାମାନେ ବିଜେପି ସହଯୋଗ ଲୋଡ଼ୁଥିଲେ। ସେଥିପାଇଁ ଜନତା ଦଳର କେତେକ ନେତା ବିଜେପି ସହିତ ସଂପର୍କରେ ଥିଲେ। ଏହି ପ୍ରକ୍ରିୟାରେ ନବୀନବାବୁଙ୍କ ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା ପ୍ରମୁଖ ବିଜେପି ନେତାମାନଙ୍କ ସହିତ ଆଲୋଚନା କରୁଥିଲେ। ବିଜେପି ତରଫରୁ ପ୍ରମୋଦ ମହାଜନ ଓଡ଼ିଶାରେ ଜନତା ଦଳ ବିଭାଜନ ପାଇଁ କଥାବାର୍ତ୍ତା କରୁଥିଲେ। ମହାଜନ ଚାହୁଁଥିଲେ ବିଭାଜନ ପରେ ଜନତା ଦଳର ବିଧାୟକ ଓ ସାଂସଦମାନେ ସିଧାସଳଖ ବିଜେପିରେ ମିଶନ୍ତୁ। କିନ୍ତୁ ନବୀନବାବୁ ଓ ବିଭାଜନ ସପକ୍ଷରେ ଥିବା ଦଳର କେତେ ଜଣ ପୁରୁଖା ବିଜୁଭକ୍ତ ତାହା ଚାହୁଁ ନଥିଲେ। ନବୀନବାବୁ ଆଞ୍ଚଳିକ ଦଳ ଗଠନ ସପକ୍ଷରେ ଥିଲେ ବୋଲି ତତ୍କାଳୀନ ଜନତା ଦଳର ଅନ୍ୟତମ ତୁଙ୍ଗ ନେତା ଭବାନୀ ଶଙ୍କର ହୋତା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଶେଷରେ ନବୀନ ପଟ୍ଟନାୟକଙ୍କ ଇଚ୍ଛା ବା ସମ୍ମତିରେ ବିଜୁ ଜନତା ଦଳ ଗଠନ କରାଗଲା। ଦଳ ଗଠନ ଓ ପରିଚାଳନା ପାଇଁ ପ୍ରମୋଦ ମହାଜନ ମୂଳ ପାଣ୍ଠି ଭାବେ ୫୦ କୋଟି ଟଙ୍କାର ଚାନ୍ଦା କରାଇ ଦେଇଥିଲେ ବୋଲି ସେତେବେଳେ ରାଜନୀତିକ ସ୍ତରରେ ଚର୍ଚ୍ଚା ହୋଇଥିଲା। ନବୀନବାବୁ ରାଜନୀତି ଓ ଦଳ ପରିଚାଳନାରେ ସଂପୂର୍ଣ୍ଣ ଅନଭିଜ୍ଞ ହୋଇଥିବାରୁ ବିଜେପି ନେତା ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀ ତାଙ୍କୁ ଅନେକ ଉପଦେଶ ଦେଇଥିଲେ। କହିବାକୁ ଗଲେ ବାଜପେୟୀ ଓ ଆଡ଼ଭାନୀ ହିଁ ନବୀନଙ୍କ ହାତଧରି ବାଟ ଚଲେଇଥିଲେ। ବିଜେଡି ସହିତ ମେଣ୍ଟ କରିବା ଫଳରେ ଓଡ଼ିଶାରେ ବିଜେପିର ପ୍ରଚୁର ଲାଭ ହୋଇଥିଲା। ରାଜ୍ୟ ରାଜନୀତିରେ ଏହି ଦଳର ସେତେବେଳେ କୌଣସି ଆଖିଦୃଶିଆ ଉପସ୍ଥିତି ନଥିଲା। କିନ୍ତୁ ମେଣ୍ଟ ପରେ ୧୯୯୮ ଲୋକସଭା ନିର୍ବାଚନରେ ୭ ଓ ୧୯୯୯ରେ ୯ ଆସନ ଜିତିବାକୁ ସମର୍ଥ ହେଲା ବିଜେପି। ସେହିପରି ୨୦୦୦ ବିଧାନସଭା ନିର୍ବାଚନରେ ମଧ୍ୟ ୩୮ ଆସନ ହାସଲ କରିଥିଲା। ୨୦୦୯ ନିର୍ବାଚନ ଯାଏଁ ନବୀନବାବୁ ବିଜେପିର ଜାତୀୟ ନେତାମାନଙ୍କ ଉପଦେଶ ଓ ପରାମର୍ଶରେ ଦଳ ପରିଚାଳନା କରୁଥିଲେ। କିନ୍ତୁ ସେହି ନିର୍ବାଚନରେ ସେ ହିଁ ବିଜେପି ସହିତ ମେଣ୍ଟ ଭାଙ୍ଗିଦେଲେ। ତା’ପରେ ରାଜ୍ୟରେ ବିଜେପିର କ୍ଷତି ହେଲା ଓ ବିଜେଡି ପରକୁ ପର ଅଧିକ ଆସନ ଜିତିଲା। ତେବେ ନବୀନ ସରକାରର ମନ୍ତ୍ରୀ ପ୍ରତାପ ଯେନା କହିଛନ୍ତି ଯେ ବିଜୁବାବୁଙ୍କ ଆଶୀର୍ବାଦ ଓ ନବୀନବାବୁଙ୍କ ନେତୃତ୍ବ ଭିତ୍ତିରେ ବିଜୁ ଜନତା ଦଳ ଗଠିତ ହୋଇଥିଲା। ସେଥିରେ ବିଜେପିର କିଛି ଭୂମିକା ନାହିଁ। ବରଂ ବିଜେଡିଠାରୁ ଅଲଗା ହେବା ପରେ ବିଜେପି ରାଜ୍ୟରେ ସତ୍ତା ହରେଇଛି। ପ୍ରତାପଙ୍କର ଶେଷ କଥାଟି ଠିକ। ବିଜେଡି ଅଲଗା କରିବା ପରେ ବିଜେପି କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ପ୍ରଥମ କଥାଟି ଭୁଲ। ସେତେବେଳେ ଯଦି ବିଜୁବାବୁଙ୍କ ପରଲୋକ ଗମନ ଜନିତ ଅନୁକମ୍ପା ଥିଲା ଓ ନବୀନ ପଟ୍ଟନାୟକ ଦଳ ପରିଚାଳନାରେ ଦକ୍ଷ ଥିଲେ ତେବେ କାହିଁକି ଜନତା ଦଳ ଭାଙ୍ଗି ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବାର ଆବଶ୍ୟକତା ପଡ଼ିଲା? ସେ ଚାହିଁଥିଲେ ତ ଜନତା ଦଳ ନାମରେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ? ମାତ୍ର, ତାହା ହୋଇନଥିଲା। ସତ କଥା ହେଉଛି ସେତେବେଳେ ବିଜୁବାବୁଙ୍କର ପ୍ରଚଣ୍ଡ ଭକ୍ତ ଜନତା ଦଳର ରାଜ୍ୟ ସଭାପତି ଅଶୋକ ଦାସ, ଡାକ୍ତର ଦାମୋଦର ରାଉତ, ନଳିନୀ ମହାନ୍ତି ଓ ସୁରେନ୍ଦ୍ର ନାଥ ନାୟକ ପ୍ରମୁଖ ଉପକୂଳ ଓଡ଼ିଶାର ଅନେକ ନେତା ଦଳ ବିଭାଜନକୁ ବିରୋଧ କରୁଥିଲେ। ସେଥିପାଇଁ ସେମାନେ ମୂଳରୁ ବିଜେଡିରେ ଯୋଗଦେଇ ନଥିଲେ। ନବୀନବାବୁ ଦଳର ନେତା ହୋଇଥିଲେ ମଧ୍ୟ ଅଶୋକ ଦାସ ସଭାପତି ପଦ ଛାଡ଼ି ନଥିଲେ। ସେଥିପାଇଁ ଅନ୍ୟମାନେ ଅସନ୍ତୁଷ୍ଟ ଥିଲେ। ନଳିନୀ, ଦାମ ଓ ସୁରେନ୍ଦ୍ରଙ୍କୁ ଛାଡ଼ିଦେଲେ ଅନ୍ୟ ବଡ଼ ନେତାମାନେ ଅଶୋଙ୍କ ସହିତ ନଥିଲେ। ଏହି ପରିସ୍ଥିତିରେ ପୂର୍ବ ଓଡ଼ିଶାର ବିଜୟ ମହାପାତ୍ର, ଦକ୍ଷିଣ ଓଡ଼ିଶାର ରାମକୃଷ୍ଣ ପଟ୍ଟନାୟକ, ପଶ୍ଚିମ ଓଡ଼ିଶାର ଅନଙ୍ଗ ଉଦୟ ସିଂହଦେଓ ଓ ସାଂସଦ ଦିଲ୍ଲୀପ ରାୟଙ୍କ ଉଦ୍ୟମରେ ଜନତା ଦଳର ୨୯ ଜଣ ବିଧାୟକ ଦଳ ବିଭାଜନ ପାଇଁ ବାଟ ଫିଟାଇଥିଲେ। ଏହା ପୂର୍ବରୁ ଅସନ୍ତୁଷ୍ଟ ବିଶ୍ବଭୂଷଣ ହରିଚନ୍ଦନ, ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓ ବେଦ ପ୍ରକାଶ ଅଗ୍ରୱାଲ ପ୍ରମୁଖ ବିଜେପିରେ ଯୋଗଦେଇ ସାରିଥିଲେ। ଦଳ ବିଭାଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନବୀନବାବୁ ଦଳର ସଭାପତି ହେବାକୁ ଚାହୁଁଥିଲେ। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ ଦଳୀୟ ବ୍ୟାପାରରେ ଅଧିକ ଗୁରୁତ୍ବ ପାଇବାକୁ ଚାହୁଁଥିଲେ ଓ ଅନ୍ୟ ନେତାମାନେ କ୍ଷମତାର ବାସ୍ନା ବାରୁଥିଲେ। ଶେଷରେ ଇନ୍ଦ୍ର କୁମାର ଗୁଜରାଲ, ମଧୁ ଦଣ୍ଡବତେ ଓ ଶରଦ ଯାଦବଙ୍କ ପରାମର୍ଶ ପ୍ରତ୍ୟାଖ୍ୟାନ କରି ନବୀନବାବୁଙ୍କ ନେତୃତ୍ବରେ ଦଳ ଭାଙ୍ଗିଥିଲା। ନବୀନବାବୁ ଅବଶ୍ୟ ଏହି ବିଭାଜିତ ଦଳକୁ ବିଜେପିରେ ମିଶିବାରୁ ରୋକିଥିଲେ କିନ୍ତୁ ମେଣ୍ଟରେ ସାମିଲ ହୋଇଥିଲେ।

Share :