ନିୟମଗିରିକୁ ଗିରଫ କରିବେ ସରକାର!

ନିୟମଗିରିକୁ ଗିରଫ କରିବେ ସରକାର!

Share :

ସ୍ବତନ୍ତ୍ର ପ୍ରତିନିଧି ନିୟମଗିରି ସୁରକ୍ଷା ସମିତିର ନେତା ଲିଙ୍ଗରାଜ ଆଜାଦଙ୍କୁ ଗିରଫ କରିନେଲୁ। ତେଣୁ ନିର୍ବାଚନ ଲଢ଼ିବାକୁ ଚାନ୍ଦା ଦିଅ। ଲଦୋ ସିକାକାକୁ ହଇରାଣ କଲୁ। ତେଣୁ ଚାନ୍ଦା ଦିଅ। ନିୟମଗିରିରେ ସ୍କୁଲ ଓ ଡାକ୍ତରଖାନା ନବସାଇ ସିଆରପିଏଫ ଶିବିର କଲୁ। ତେଣୁ ଚାନ୍ଦା ଦିଅ। ନିୟମଗିରିପୁ ପୁଲିସ କର୍ଡନ ଭିତରେ ରଖିଲୁ। ତେଣୁ ଚାନ୍ଦା ଦିଅ। ନିୟମଗିରିକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ବୋଧହୁଏ ଏଇଆ। ଅନ୍ତର୍ଜାତୀୟ ସ୍ତରରେ ବିପନ୍ନ ଓ ବିରଳ ଜନଜାତି ତାଲିକାରେ ଥିବା ଡଙ୍ଗରିଆ କନ୍ଧମାନଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରଖିବା ପରିବର୍ତ୍ତେ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ସେମାନଙ୍କ ଜୀବନ ସଂସ୍କୃତିର ଏକମାତ୍ର ସମ୍ବଳ ଓ ସାଧନ ନିୟମଗିରିକୁ ଧ୍ବଂସ କରିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି ଯେମିତି। କେହି କିଛି ଜାଣିବା ଆଗରୁ ନବୀନ ସରକାର ବେଦାନ୍ତ କମ୍ପାନୀକୁ ଏଇ ପାହାଡ଼ ଟେକି ଦେଇଥିଲେ, ସଂପୂର୍ଣ୍ଣ ଗୋପନୀୟ ଭାବେ। ଦୁନିଆ ଏକଥା ଜାଣିବା ପରେ ମକଦ୍ଦମା ହେଲା। ଶେଷରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଗ୍ରାମସଭା ହେଲା। ଗ୍ରାମସଭାରେ ନିୟମଗିରିର ୧୨ଟି ପ୍ରତିନିଧିମୂଳକ ଗାଁର ଲୋକମାନେ ନିୟମଗିରିରେ ବକ୍ସାଇଟ୍‌ ଖଣି ପ୍ରକଳ୍ପ ବିରୋଧରେ ମତ ଦେବାରୁ ତାହା ରଦ୍ଦ ହୋଇଯାଇଛି। ତଥାପି ଓଡ଼ିଶା ସରକାର ଏଇ ପାହାଡ଼କୁ ବେଦାନ୍ତ କମ୍ପାନୀ ବା ତା’ ପାଇଁ କାମ କରିବାକୁ ଚୁକ୍ତିବଦ୍ଧ ହୋଇଥିବା ଓଡ଼ିଶା ଖଣି ନିଗମକୁ ଛାଡ଼ିଦେବା ପାଇଁ ଡଙ୍ଗରିଆ କନ୍ଧମାନଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରୁଛନ୍ତି। ସେମାନଙ୍କୁ ନକ୍ସଲ ଆଖ୍ୟା ଦେଇ ଡରେଇ ଧମକେଇ ପାହାଡ଼ ଖାଲି କରିବାକୁ ପୁଲିସ ଓ ସିଆରପିଏଫକୁ ଲଗେଇ ଦିଆଯାଇଛି। ନିୟମଗିରିକୁ ବେଦାନ୍ତ କମ୍ପାନୀକୁ ଦେବାକୁ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି ହିଁ ସେଠାରେ ଲୋକଙ୍କ ପାଇଁ ସ୍କୁଲ ଓ ଡାକ୍ତରଖାନା ନିର୍ମାଣ କରାଯାଉ ନାହିଁ। ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ସେମାନଙ୍କୁ ମଧ୍ୟ ଜମି ପଟ୍ଟା ଦିଆଯାଉ ନାହିଁ। ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ତିନି ପୁରୁଷ ବା ୭୫ ବର୍ଷ ଧରି ବସବାସ କରୁଥିଲେ ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ମାଲିକାନା ସ୍ବତ୍ବ ଦିଆଯିବ। କିନ୍ତୁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ନିୟମଗିରି ପାହାଡ଼ର ଚାରି ପଟେ ରହିଥିବା କୌଣସି ଗାଁର ଡଙ୍ଗରିଆ କନ୍ଧମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ଦିଆଯାଇ ନାହିଁ। ସେମାନଙ୍କ ସମସ୍ତ ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି। ଉଦ୍ଦେଶ୍ୟ ହେଉଛି ନିୟମଗିରି ଉପରେ ଡଙ୍ଗରିଆ କନ୍ଧଙ୍କ ଅଧିକାରକୁ ଆଇନଗତ ମାନ୍ୟତା ନଦେଇ ପକେଇ ରଖିବା ଓ ପରେ ସୁଯୋଗ ପାଇଲେ ବେଦାନ୍ତ କମ୍ପାନୀକୁ ଟେକିଦେବା। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିୟମଗିରି ସୁରକ୍ଷା ଆନ୍ଦୋଳନ ସହିତ ଜଡ଼ିତ ସାମାଜିକ କର୍ମୀମାନଙ୍କୁ ମଝିରେ ମଝିରେ ଗିରଫ କରନ୍ତି ଓ ଗାଁରେ ପୁଲିସ ପୂରାଇ ଆତଙ୍କରାଜ ସୃଷ୍ଟି କରନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ନିୟମଗିରି ସୁରକ୍ଷା ସମିତିର ନେତା ଲିଙ୍ଗରାଜ ଆଜାଦଙ୍କୁ କଳାହାଣ୍ଡି ପୁଲିସ ଗିରଫ କରିବା। ୨୦୧୯ ମାର୍ଚ୍ଚ ୬ ତାରିଖ ସକାଳେ ଲିଙ୍ଗରାଜ ଆଜାଦଙ୍କୁ ତାଙ୍କ ଘରୁ ପ୍ରଥମେ ଆଲୋଚନା ପାଇଁ କେସିଙ୍ଗା ଥାନାକୁ ଡାକି ନିଆଗଲା ଓ ପରେ ସେଠାରୁ ଗିରଫ କରାଗଲା ବୋଲି ସୂଚନା ଜାରି ହେଲା। ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୧୪୩, ୧୪୭, ୧୪୮, ୧୮୮, ୧୨୦ଙ, ୫୦୬ ଏବଂ ଅସ୍ତ୍ରଶସ୍ତ୍ର ଆଇନର ୨୭ ଧାରାରେ ଦୁଇ ଦୁଇଟି ମାମଲା ରୁଜୁ କରାଯାଇଛି। ଏହି ଗିରଫଦାରିକୁ ତୀବ୍ର ନିନ୍ଦା କରି ଗଣତାନ୍ତ୍ରିକ ମାନବାଧିକାର ସମିତି ତରଫରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଓଡିଶା ସରକାର ବେଶ କିଛି ମାସ ହେଲା ନିୟମଗିରି ସନ୍ନିକଟ ତ୍ରିଲୋଚନପୁର ଠାରେ ସିଆରପିଏଫ ଶିବିର ପ୍ରତିଷ୍ଠା ପାଇଁ ଉଦ୍ୟମ କରିବାକୁ ‘ନିୟମଗିରି ସୁରକ୍ଷା ସମିତି’ ବିରୋଧ କରିଆସୁଥିଲା। ‘କ୍ୟାମ୍ପ ନୁହେଁ ଡାକ୍ତରଖାନା ଆବଶ୍ୟକ’, ‘ସିଆରପିଏଫ ଯବାନ ନୁହେଁ ଅଞ୍ଚଳ ପାଇଁ ଶିକ୍ଷକ ଓ ଡାକ୍ତର ଆବଶ୍ୟକ’ ସ୍ଲୋଗାନ ଦେଇ ଲିଙ୍ଗରାଜ ଆଜାଦ ସମେତ ସମିତିର ସଦସ୍ୟମାନେ ଗ୍ରାମସଭାରେ ସରକାରଙ୍କ ଶିବିର ପ୍ରତିଷ୍ଠାକୁ ବିରୋଧ କରିବା ହେତୁ ଓଡିଶା ସରକାର ଆକ୍ରୋଶମୂଳକ ଭାବରେ ଲିଙ୍ଗରାଜଙ୍କୁ ଗିରଫ କରାଯାଇଛି। ଏହା ଜନସାଧାରଣଙ୍କ ନାଗରିକର ଅଧିକାରର ଉଲ୍ଲଂଘନ। ଏହି ଶିବିର ସ୍ଥାପନକୁ ବିରୋଧ କରିବା କାରଣରୁ ଅତୀତରେ ବହୁବାର ଜିଲ୍ଲା ପୁଲିସ ସ୍ଥାନୀୟ କର୍ମକର୍ତ୍ତାଙ୍କୁ ଗିରଫ କରିବାର ଧମକ ଦେଇଆସିଛି। ଓଡିଶା ସରକାର ଗୋଟେପଟରେ କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳୀରୁ ଗ୍ରାମସଭାର ବିନା ଅନୁମତିରେ ସଂପୂର୍ଣ୍ଣ ବେଆଇନ ଭାବରେ ବକ୍ସାଇଟ ଉତ୍ତୋଳନ ପାଇଁ ବେଦାନ୍ତ କମ୍ପାନୀକୁ ପରୋକ୍ଷ ଲିଜ ଦେଇଛନ୍ତି। ସେହିପରି ଲାଞ୍ଜିଗଡ଼ଠାରେ ପ୍ରତିଷ୍ଠିତ ଆଲୁମିନା କରାଖାନାର ଅନତିଦୂରରେ ସରକାର ଗ୍ରାମସଭାର ବିନା ଅନୁମତିରେ ତ୍ରିଲୋଚନପୁର ଠାରେ ସିଆରପିଏଫ କ୍ଯାମ୍ପ ପ୍ରତିଷ୍ଠା କରୁଛନ୍ତି। ଉଭୟ କୋଡିଙ୍ଗାମାଳୀ ଓ ଲାଞ୍ଜିଗଡ ଅଞ୍ଚଳ ଅନୁସୂଚିତ ତାଲିକାରେ ଆସୁଥିବା ହେତୁ ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟ ‘ପେସା’ ଆଇନର ଉଲ୍ଲଂଘନ। ଓଡିଶା ସରକାରଙ୍କ ଏହି କାର୍ଯ୍ୟ ବେଦାନ୍ତ କମ୍ପାନୀକୁ ସୁହାଇବ। ଏହାକୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ବା ଗ୍ୟାସ୍‌ ଦୃଢ ନିନ୍ଦା କରିବା ସହିତ ଆଜାଦଙ୍କୁ ଶୀଘ୍ର ମୁକ୍ତ କରିବା ଲାଗି ଦାବି କରିଛନ୍ତି ସଂଗଠନର ସଭାପତି ଗୋଲକ ବିହାରୀ ନାଥ ଓ ସଂପାଦକ ଦେବ ରଂଜନ। ନିର୍ବାଚନ ସମୟରେ ଓଡ଼ିଶା ସରକାର ନିୟମଗିରି ସୁରକ୍ଷା କର୍ମୀମାନଙ୍କୁ ଗିରଫ କରିବା ପଛରେ ବେଦାନ୍ତକୁ ଖୁସି କରି ନିର୍ବାଚନୀ ଚାନ୍ଦା ଆଦାୟ କରିବାର ଉଦ୍ଦେଶ୍ୟ ରହିଥିବା ସନ୍ଦେହ କରାଯାଏ।

Share :