କେଉଁ ପ୍ରତିଶ୍ରୁତି ପୂରଣ କଲେ ନବୀନବାବୁ?

କେଉଁ ପ୍ରତିଶ୍ରୁତି ପୂରଣ କଲେ ନବୀନବାବୁ?

Share :

ଭୁବନେଶ୍ବର ପ୍ରତିନିଧି ଓଡ଼ିଶାବାସୀଙ୍କୁ ଦେଇଥିବା ସବୁ ପ୍ରତିଶ୍ରୁତି ପାଳନ କରିଛି ବୋଲି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଦାବି କରୁଥିଲାବେଳେ ମୁଖ୍ୟମନ୍ତ୍ରୀ ଶତାବ୍ଦୀର ସବୁଠୁଁ ବଡ଼ ମିଚୁଆ ବୋଲି ଅଭିଯୋଗ କରିଛି ବିଜେପି। ବିଜେପି କହିଛି ଯେ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଓଡିଶା ଲୋକଙ୍କୁ ପ୍ରତାରଣ କରିଆସିଛନ୍ତି। କେବଳ ମିଛ ପ୍ରତିଶୃତିର ପାହାଡ ଉପରେ ଓଡିଆ ଲୋକଙ୍କୁ ଠିଆ କରାଇ ଠକିଛନ୍ତି। ୨୦୧୪ରେ ବିଜୁ ଜନତା ଦଳ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି କେବଳ ପ୍ରତାରଣା କରିଛି। ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ସବୁ ପ୍ରତିଶ୍ରୁତି ପୂରଣ ହୋଇଛି କହି ମୁଖ୍ୟମନ୍ତ୍ରୀ ଶତାଦ୍ଦୀର ସବୁଠୁ ବଡ଼ ପ୍ରତାରଣା କରିଛନ୍ତି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଶାସକ ବିଜେଡି ୨୦୧୪ ମସିହାରେ ଚିଟ ଫଣ୍ଡ ପଇସା ଫେରାଇବ ବୋଲି କହିଥିଲା। କିନ୍ତୁ ସେହି ଅର୍ଥ ଜମାକାରୀ ପାଇଲେ ନାହିଁ। ୨୦୦୯ ଇସ୍ତାହାରରେ ବିଜୁ ଜନତା ଦଳ କହିଥିଲା ଗ୍ରାମାଞ୍ଚଳରେ ପ୍ରତି ୫ ହଜାର ପରିବାର ପାଇଁ ଏକ ସ୍ୱୟଂ ସଂପୂର୍ଣ୍ଣ ଚିକିତ୍ସାଳୟ ପ୍ରତିଷ୍ଠା ହେବ। ରାଜ୍ୟରେ ପ୍ରତି ୨୪,୦୬୯ ଜନସଂଖ୍ୟାରେ ଗୋଟିଏ ଡାକ୍ତରଖାନା ଅଛି। ଏହି ଡାକ୍ତରଖନାଗୁଡିକ କେତେ ସ୍ୱୟଂ ସଂପୂର୍ଣ୍ଣ ତାହା ଓଡିଶାବାସୀ ଜାଣନ୍ତି। ସେହିପରି ସରକାର କହିଥିଲେ ସବୁଜିଲ୍ଲା ଓ ବ୍ଲକ ସ୍ତରରେ ରକ୍ତଭଣ୍ଡାର ଖୋଲାଯିବ। ପ୍ରତି ବ୍ଲକରେ ଭ୍ରାମ୍ୟମାଣ ଡାକ୍ତରଖାନା ପ୍ରତିଷ୍ଠା ହେବ। ହେଲେ କୁଆଡ଼େ ଗଲା ସେ ପ୍ରତିଶ୍ରୁତି? ଶାସକ ବିଜେଡି ପ୍ରତିଶ୍ରୁତି ଦେଇଥିଲା ସବୁ ଡାକ୍ତର ପଦବୀ ପୂରଣ ହେବ। ହେଲେ ରାଜ୍ୟରେ ବର୍ତ୍ତମାନ ୬୫୩୬ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୩୪୦୩ଟି ପଦବୀରେ ଡାକ୍ତର ଅଛନ୍ତି। ବାକି ୩୧୩୩ଟି ପଦବୀ ଏଯାବତ୍ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗକୁ ଦୀର୍ଘ ବର୍ଷ ଧରି ନିଜ ଅଧୀନରେ ରଖି ମଧ୍ୟ ସବୁ ଜମିକୁ ଜଳସେଚିତ କରିପାରିଲେ ନାହିଁ। ୨୦୦୦ରେ ୨୫%, ୨୦୦୪ରେ ଆହୁରି ଅଧିକ ୨୫%, ୨୦୧୪ରେ ୧୦ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଦେବେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ। ଏ ସବୁକୁ ମିଶେଇ ଦେଲେ ଓଡିଶାର ଜଳସେଚନ ଆଜି ୮୦% ରେ ପହଞ୍ଚିଥାନ୍ତା। ରାଜ୍ୟରେ ମୋଟ ଚାଷଜମିର ୨୯% ଚାଷଜମି ହେଉଛି ମୁଖ୍ୟ ଫସଲ ଜଳସେଚିତ ଜମି। ୧୯୮ ବ୍ଲକରେ ମାତ୍ର ୩୫% ଜଳସେଚନ ଲକ୍ଷ୍ୟ ପୂରଣ ହୋଇଛି। ୨୦୧୪ ନିର୍ବାଚନ ଇସ୍ତାହାରରେ ଶାସକ ବିଜେଡି ପିପିପି ମୋଡ଼ରେ କୃଷି ଉତ୍ପାଦନର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୋଟ ୩୩ଟି କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ଅଛି ଏବଂ ଯେଉଁ ୬ଟି ଅଧିକ ଶୀତଳ ଭଣ୍ଡାରକୁ ୨୦୧୬ ମସିହାରେ ଚାଲୁ କରାଗଲା ସେସବୁ ହେଉଛି ବେସରକାରୀ। ଶୀତଳ ଭଣ୍ଡାର ବସାଇଥିବା ଉଦ୍ୟୋଗମାନେ ଏବେ ଋଣ ଭାରରେ ଅଛନ୍ତି। ମୁଖ୍ୟମନ୍ତ୍ରୀ କେତେ ଶୀତଳ ଭଣ୍ଡାର ନିର୍ମାଣ କରିଛନ୍ତି ତାହାର ହିସାବ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ୨୦୧୪ରେ ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ ବୋଲି ବିଜେଡି ପ୍ରତିଶ୍ରୁତି ଦେଇଥିଲା। କେତେ ଲୋକଙ୍କୁ ପକ୍କା ଘର ମିଳିଛି ତାର ହିସାବ ଦିଅନ୍ତୁ। ଜନପରାମର୍ଶ ଯାତ୍ରା ବେଳେ ଆମେ ଯୁଆଡେ ଯାଉଥିଲୁ ସବୁଠି ଗୋଟିଏ କଥା ଶୁଣିବାକୁ ପାଇଲୁ କି ଆମକୁ ପକ୍କା ଘର ମିଳିନି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାର୍ଷୀକ ୩୦୦୦ କୋଟିରୁ ଅଧିକ ଅର୍ଥ ମିଳୁଥିବାବେଳେ ସରକାର କିନ୍ତୁ ତାକୁ କାର୍ଯ୍ୟାନ୍ୱୟନ କରିବାରେ ସମ୍ପୃର୍ଣ୍ଣ ବିଫଳ ହୋଇଛନ୍ତି। ସରକାର ୨୦ ଲକ୍ଷ ପକ୍କା ଘର କରିଛନ୍ତି ବୋଲି ଯାହା କୁହାଯାଉଛି ସେଥିରେ ୧୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ବୋଲି ବିଜେପି ଦାବି କରିଛି। ସେହିପରି ବିଜେଡିର ୨୦୧୪ ନିର୍ବାଚନ ଇସ୍ତାହାରରେ କହିଥିଲେ ସହରରେ ଗୋଟିଏ ବି ପରିବାର ବିନା ପକ୍କା ଘରରେ ରହିବେ ନାହିଁ। ଯାହାର ନିଜସ୍ୱ ଜାଗା ନାହିଁ ସେହି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ଏତେ ସବୁ ଘୋଷଣା ସତ୍ୱେ ବି ଏ ସରକାର ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ। ଘୋଷଣା କରିଥିଲେ ୨ ଲକ୍ଷ ବସ୍ତି ପରିବାରକୁ ଜମି ପଟ୍ଟା ଦେବେ। ଏବେ ସୁଦ୍ଧା ମାତ୍ର ୬୫୦୦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ମିଳିଛି। ମୁଖ୍ୟମନ୍ତ୍ରୀଙ୍କର ବସ୍ତିବାସିନ୍ଦାଙ୍କ ପାଇଁ କରିଥିବା ଘୋଷଣାର ସଫଳତା ହାର ହେଉଛି ମାତ୍ର ୩ ପ୍ରତିଶତ। ବିଜୁ ଜନତା ଦଳ ପ୍ରତିଶ୍ରୁତି ଦେଇଥିଲା ସବୁ ପରିବାରକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ରାଜ୍ୟରେ ଗ୍ରାମାଞ୍ଚଳରେ ମୋଟ ବାସଗୃହ ସଂଖ୍ୟାର ମାତ୍ର ୨% ପରିବାରକୁ ପାଇପ ସଂଯୋଗ ହୋଇପାରିଛି। ଚାଷୀଙ୍କ ପାଇଁ ନବୀନବାବୁ ଧାନ କ୍ୱିଂଟାଲ ପିଛା ୧୦୦ ଟଙ୍କାର ବୋନସ ଦେବେ ବୋଲି ବରଗଡ଼ ଜିଲ୍ଲା ସୋହେଲାରେ କହିଥିଲେ। ସେ ପ୍ରତିଶ୍ରୁତି ପୂରଣ ହୋଇନି ବୋଲି ବିଜେପି କହିଛି।

Share :