ଚାଷଜମି ଫେରାନ୍ତୁ ଓଡ଼ିଶା ସରକାର

ଚାଷଜମି ଫେରାନ୍ତୁ ଓଡ଼ିଶା ସରକାର

ସରଳ କୁମାର ଦାସ ଛତିଶଗଡ଼ରେ ଶାସନକୁ ଆସିବାର ମାତ୍ର ମାସକ ମଧ୍ୟରେ ନିଜ ପ୍ରତିଶ୍ରୁତି ରକ୍ଷା କରି ନବ ନିର୍ବାଚିତ କଂଗ୍ରେସ ସରକାର ବସ୍ତର ଜିଲ୍ଲାର ଲୋହାଣ୍ଡିଗୁଡା ଅଂଚଳରେ ଏକ ଇସ୍ପାତ କାରଖାନା ପାଇଁ ଚାଷୀଙ୍କ ନିକଟରୁ ଅଧିଗୃହୀତ ପ୍ରାୟ ୧୭୬୫ ହେକ୍ଟର ଚାଷ ଜମିର ପଟ୍ଟା ଫେରସ୍ତ କରି ଅନେକଙ୍କୁ ଚକିତ କରାଇଲେ। ଏହା ଥିଲା ସାରା ଭାରତରେ ସରକାରଙ୍କ ଦ୍ୱାରା ଅଧିଗୃହୀତ ଜମିକୁ ନିଜ ତରଫରୁ ଚାଷୀଙ୍କୁ ଫେରାଇବାର ପ୍ରଥମ ଘଟଣା। ତେବେ ସରକାରଙ୍କ ଏ ନିଷ୍ପତିର ପୃଷ୍ଠଭୂମି ସମ୍ପର୍କରେ ଜାଣିଲେ ହୁଏତ ଅଧିଗୃହୀତ ଜମି ଫେରସ୍ତର ଓଡ଼ିଶାରେ କେତେ ସମ୍ଭାବନା ରହିଛି, ତାହା ତର୍ଜମା କରିହେବ। ଛତିଶଗଡ଼ର ବସ୍ତରସ୍ଥିତ ଲୋହାଣ୍ଡିଗୁଡ଼ାଠାରେ ଏକ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୨୦୦୫ ମସିହାରେ ତତ୍କାଳୀନ ବିଜେପି ସରକାର ଟାଟା କମ୍ପାନୀ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ। ତଦନୁସାରେ ୨୦୦୮ ମସିହାରୁ ଆଖପାଖ ୧୦ଟି ଗାଁର ଚାଷୀଙ୍କ ନିକଟରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା। ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ସମ୍ପୃକ୍ତ ଅଂଚଳର ଦ୍ରୁତ ଅର୍ଥନୈତିକ ବିକାଶ ହେବାର ଦ୍ୱାହି ଦେଇ ସରକାର ସେଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଡ଼ି ବସିଲେ ଓ ଜମି ଅଧିଗ୍ରହଣ ଜାରି ରହିଲା। ପ୍ରକଳ୍ପକୁ ବିରୋଧ କରୁଥିବା ଆଦିବାସୀଙ୍କୁ ନାନା ଭାବେ ହଇରାଣ ହରକତ କରାଗଲା। ଏ ସବୁ ମଧ୍ୟରେ ୨୦୧୬ ମସିହାରେ ଟାଟା କମ୍ପାନୀ ତାଙ୍କ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପରୁ ଓହରିଗଲେ ମଧ୍ୟ ସରକାର ସମ୍ପୃକ୍ତ ଚାଷୀଙ୍କୁ ସେମାନଙ୍କ ଜମି ଫେରାଇବାକୁ ଅରାଜି ହୋଇ ସେହି ଜମିକୁ ଏକ ଭୂ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତି ନେଲେ। ସରକାରଙ୍କ ଏହି ନିଷ୍ପତିର ମଧ୍ୟ ବିରୋଧ ହୋଇଥିଲା ଓ କଂଗ୍ରେସ ଦଳ ଆଦିବାସୀଙ୍କ ଦାବିକୁ ସମର୍ଥନ ଜଣାଇବା ସହିତ କ୍ଷମତାକୁ ଆସିଲେ ଜମି ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କଂଗ୍ରେସ କ୍ଷମତାସୀନ ହେବା ପରେ କେବଳ ଯେ ଚାଷୀମାନେ ସେମାନଙ୍କ ଜମି ପଟ୍ଟା ଫେରି ପାଇଲେ ତାହା ନୁହେଁ, ସେ ପର୍ଯ୍ୟନ୍ତ ଚାଷୀମାନେ ପାଇଥିବା ପ୍ରାୟ ୪୨ କୋଟି ଟଙ୍କାର କ୍ଷତିପୂରଣ ରାଶିକୁ ମଧ୍ୟ ସରକାର ସେମାନଙ୍କଠାରୁ ଆଦାୟ ନକରି ଛାଡ଼ କରି ଦେଇଥିଲେ। କେନ୍ଦ୍ରୀୟ ଜମି ଅଧିଗ୍ରହଣରେ ପାରଦର୍ଶିତା ଓ ଉଚିତ କ୍ଷତିପୂରଣ, ରିଲିଫ ଓ ପୁନର୍ବାସନ ଅଧିକାର ଆଇନ ୨୦୧୩ (ଆରଏଫସିଟିଏଲଏଆରଆର ଆକ୍ଟ, ୨୦୧୩)ର ପ୍ରାବଧାନ ଅନୁସାରେ ଅଧିଗୃହୀତ ଜମି ପାଂଚ ବର୍ଷ ମଧ୍ୟରେ ବ୍ୟବହୃତ ନହେଲେ ତାକୁ ସମ୍ପୃକ୍ତ ଜମି ମାଲିକଙ୍କୁ ଫେରାଇ ଦିଆଯିବ ବା ରାଜ୍ୟ ସରକାର ସେହି ଜମିକୁ ଭୂ ବ୍ୟାଙ୍କକୁ ହସ୍ତାନ୍ତର କରିପାରିବେ। ଏହି ଆଇନ ଆଧାରରେ ଓଡ଼ିଶାରେ ୨୦୧୬ରେ ପ୍ରସ୍ତୁତ ନିୟମ ଅନୁସାରେ ଅଧିଗୃହୀତ ଜମିକୁ କେବଳ ଔଦ୍ୟୋଗିକ ଭୂ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇପାରିବ। ଅର୍ଥାତ, ଜମି ମାଲିକଙ୍କୁ ଜମି ଫେରାଇବା ପ୍ରାବଧାନଟିକୁ ରାଜ୍ୟ ସରକାର ଜାଣିଶୁଣି ବାଦ ଦେଇଛନ୍ତି। କୌଣସି ବଡ଼ ରାଜ୍ୟ ଲୋକଙ୍କୁ ସେମାନଙ୍କ ଜମି ଫେରି ପାଇବାର ଅଧିକାରରୁ ବଂଚିତ କରିନାହାନ୍ତି। ଏହାଦ୍ୱାରା ରାଜ୍ୟ ସରକାର କେନ୍ଦ୍ରୀୟ ଆଇନର ଭାବନାର ପ୍ରତିକୂଳରେ ନିୟମ ପ୍ରଣୟନ କରି ପୁଞ୍ଜି ନିବେଶକାରୀଙ୍କ ସ୍ୱାର୍ଥରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ-ଜୀବିକାର ପ୍ରଶ୍ନକୁ ଅଣଦେଖା କରିଥିବା ଭଳି ଜଣା ପଡୁଛି। ଓଡିଶାରେ ସରକାର ଶିଳ୍ପୋଦ୍ୟୋଗୀଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏକ ଔଦ୍ୟୋଗିକ ଭୂ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି। ନୂଆ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଜମି ଆହରଣ ପ୍ରକ୍ରିୟା ମୁଖ୍ୟ ବାଧକ ସାଜୁଥିବାରୁ ସରକାର ଭୂ ବ୍ୟାଙ୍କରେ ୧.୨୦ ଲକ୍ଷ ଏକର ଜମି ଠୁଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯଦ୍ଦ୍ୱାରା ନିବେଶକଙ୍କୁ ସୁରୁଖୁରୁରେ ଜମି ମିଳି ପାରିବ। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଅବ୍ୟବହୃତ ସରକାରୀ ଜମି ଚିହ୍ନଟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ହେଲେ ସଂଲଗ୍ନ ଘରୋଇ ଜମିକୁ ମଧ୍ୟ ଅଧିଗ୍ରହଣ କରି ହେବ। ଜମି ଅଧିଗ୍ରହଣ ପାଇଁ ଇଡକୋକୁ ନୋଡାଲ ସଂସ୍ଥା ଭାବେ ଚିହ୍ନିତ କରାଯାଇଛି। ଶିଳ୍ପ ପାଇଁ ଜମି ଅଧିଗ୍ରହଣର ତୀବ୍ର ସ୍ଥାନୀୟ ବିରୋଧ ପରେ ମିତ୍ତଲ ଓ ପସ୍କୋ ଭଳି ବଡ଼ ବଡ଼ ଶିଳ୍ପାନୁଷ୍ଠାନମାନେ ଓଡ଼ିଶା ଛାଡ଼ି ଚାଲିଯିବା ପରେ ଚାଷ ଜମି ଚାଷୀଙ୍କୁ ଫେରାଇବା ପାଇଁ ଦାବି ଉଠିଥିଲେ ବି ସରକାର ତାହା ଇଡକୋ ପରିଚାଳିତ ଭୂ ବ୍ୟାଙ୍କକୁ ହସ୍ତାନ୍ତର କରିବାକୁ ନିଷ୍ପତି ନେଲେ। ଶିଳ୍ପକୁ ପ୍ରୋତ୍ସାହନ ଦେଇ ଗତିଶୀଳ କରିବା ପାଇଁ ଓଡିଶା ସରକାର ୨୦୦୪ ମସିହାରେ ଏକକ ଝରକା ମଞ୍ଜୁରୀ ପ୍ରଣାଳୀ (ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ସିଷ୍ଟମ)ର ପ୍ରଚଳନ କଲେ। ଏହି କ୍ରମରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଆକୃଷ୍ଟ କରିବା ପାଇଁ ମୁକ୍ତ ହସ୍ତରେ ଜମି ଯୋଗାଇ ଦିଆଗଲା। ସିଏଜି ରିପୋର୍ଟ ଅନୁଯାୟୀ ୨୦୦୧ରୁ ୨୦୧୨ ମଧ୍ୟରେ ଇଡକୋ ମାଧ୍ୟମରେ ଏମଓୟୁ କରିଥିବା ୮୯ଟି ମଧ୍ୟରୁ ୫୨ଟିକୁ ଓ ଏମଓୟୁ କରି ନଥିବା ୧୧୩ଟି ମଧ୍ୟରୁ ୫୪ଟି ଶିଳ୍ପ ସଂସ୍ଥାକୁ ୨୯୭୬୯ ଏକର ଘରୋଇ ଜମି ଓ ୧୬୯୬୩ ଏକର ସରକାରୀ ଜମି ଯୋଗାଇ ଦିଆଗଲା। ଏହି ଜମି ଅଧିଗ୍ରହଣ ସମୟରେ ଅନେକ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ‘ସର୍ବ ସାଧାରଣ ଉଦ୍ଦେଶ୍ୟ’ (ପବ୍ଲିକ ପରପସ), ଜରୁରୀ (ଇମର୍ଜେନ୍ସି) ପ୍ରାବଧାନଗୁଡିକର ଭୁଲ ପ୍ରୟୋଗ କରିବା, କ୍ଷତିପୂରଣର ସଠିକ ନିର୍ଦ୍ଧାରଣ ନହେବା, ଜମିମାଲିକଙ୍କୁ ଅଧିଗ୍ରହଣ ବିରୁଦ୍ଧରେ ଆପତ୍ତି ଦାଖଲ କରିବାକୁ ସୁଯୋଗ ନ ଦେବା, କୌଣସି ସର୍ଭେ ନ କରି ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପ ସଂସ୍ଥାଙ୍କ ଚିହ୍ନିତ ସ୍ଥାନରେ ଜମି ଯୋଗାଇ ଦେବା ପାଇଁ ସରକାର ରାଜି ହେବା, ଶିଳ୍ପ ସଂସ୍ଥାଙ୍କୁ ଆବଶ୍ୟକତାଠାରୁ ଅଧିକ ଜମି ଯୋଗାଇ ଦେବା, ପ୍ରାୟ ୨୦୦୦ ଏକର ଜଳସେଚିତ ଜମି ଅଧିଗୃହୀତ ହୋଇ ପାଖାପାଖି ୨୩୦୦ ଏକର ଜଳସେଚନ କ୍ଷମତା ହ୍ରାସ ହେବା ଭଳି ଅନିୟନିତତା ପରିଲକ୍ଷିତ ହୋଇଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନାମରେ ସରକାରଙ୍କ ପ୍ରଚେଷ୍ଟାରେ ଚାଷୀଙ୍କ ନିକଟରୁ ବିଭିନ୍ନ ସ୍ଥାନରେ ଯେଉଁ ପରିମାଣର ଚାଷ ଜମି ଅଧିଗୃହୀତ ହୋଇଛି ସେଥିରୁ ଅନେକ ଜମି ଏବେ ମଧ୍ୟ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ବେଳେ କିଛି ଜମି ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି। ଗୋପାଳପୁରଠାରେ ଟାଟା କମ୍ପାନୀର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ ବାତିଲ ହେବା ପରେ ସେଥିପାଇଁ ଅଧିଗୃହୀତ ଜମି ଫେରାଇ ଆଣିବା ପାଇଁ ଅନେକ ସମୟରେ ଦାବି ଉଠିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କମ୍ପାନୀ ତରଫରୁ ସେଠାରେ ୨୫୭୦ ଏକର ପରିମିତ ଅଂଚଳରେ ଏକ ବହୁବିଧ ଏସଇଜେଡ ଓ ଶିଳ୍ପ ପାର୍କ, ଏକ କୌଶଳ ବିକାଶ କେନ୍ଦ୍ର ଓ ୪୦୦ ଏକର ପରିମିତ ଅଂଚଳରେ ଏକ ଫେରୋକ୍ରୋମ କାରଖାନା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଅଧିଗୃହୀତ ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ପୂର୍ବରୁ ଜନଶୁଣାଣି କରିବା କ’ଣ ଉଚିତ ନୁହେଁ ? ତା’ଛଡ଼ା ପରିବର୍ତ୍ତିତ ଉଦ୍ଦେଶ୍ୟ ପାଇଁ କେତେ ପରିମାଣର ଜମି ଅଧିଗୃହୀତ ହେବା ଯୁକ୍ତିସଙ୍ଗତ, ତାହା ମଧ୍ୟ ଜନ ସାଧାରଣଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ସେମାନଙ୍କୁ ବିଶ୍ୱାସକୁ ନେବା ଦରକାର। ଚାଷ ଜମି ଏକ ବିରଳ ସମ୍ୱଳ ଓ ବିଭିନ୍ନ କାରଣରୁ କ୍ରମଶଃ ଏହା ହ୍ରାସ ହେବାରେ ଲାଗିଛି। ତେଣୁ ଯଥା ସମ୍ଭବ ଚାଷ ଜମିର ପୁନରୁଦ୍ଧାର ହୋଇ ତାହା ଚାଷ କାର୍ଯ୍ୟରେ ବିନିଯୋଗ ହେବା ଉଚିତ। ବିଗତ ବର୍ଷମାନଙ୍କରେ ବିଭିନ୍ନ ଶିଳ୍ପାନୁଷ୍ଠାନଙ୍କୁ ଦିଆଯାଇଥିବା ଜମି ମଧ୍ୟରୁ କେତେ ଜମି ପାଂଚ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ଅବସ୍ଥାରେ ପଡି ରହିଛି ସେଗୁଡିକୁ ଚିହ୍ନଟ କରାଯାଇ ତନ୍ମଧ୍ୟରୁ ଚାଷୀଙ୍କ ନିକଟରୁ ଅଧିଗୃହୀତ ଜମିଗୁଡିକୁ ସମ୍ପୃକ୍ତ ଚାଷୀଙ୍କୁ ଫେରାଇବା ପାଇଁ ତୁରନ୍ତ ଉଦ୍ୟମ ହେବା ବାଞ୍ଛନୀୟ। ଯେପରି ଛତିଶଗଡ଼ ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରି ଲୋହାଣ୍ଡିଗୁଡ଼ାରେ ଚାଷୀମାନଙ୍କୁ ଅଧିଗୃହୀତ ଚାଷଜମି ଫେରାଇ ଦେଲେ, ଓଡ଼ିଶାରେ ମଧ୍ୟ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଅବ୍ୟବହୃତ ଜମିକୁ ଫେରାଇ ଦେବା ପାଇଁ ପ୍ରତିଶ୍ରୁତି ଦେବେ ବୋଲି ଆଶା କରାଯାଏ। ପୁନଶ୍ଚ, ଆରଏଫସିଟିଏଲଏଆରଆର ଆକ୍ଟ, ୨୦୧୩ ଆଇନ ଆଧାରରେ ଓଡିଶାରେ ୨୦୧୬ରେ ପ୍ରସ୍ତୁତ ନିୟମକୁ ସଂଶୋଧନ କରି ଅଧିଗୃହୀତ ଜମି ପାଂଚ ବର୍ଷ ମଧ୍ୟରେ ବ୍ୟବହୃତ ନହେଲେ ତାକୁ ସମ୍ପୃକ୍ତ ଜମି ମାଲିକଙ୍କୁ ଫେରାଇ ଦିଆଯିବାର ପ୍ରାବଧାନଟିକୁ ରାଜ୍ୟ ସରକାର ଯୋଡିବାର ଆବଶ୍ୟକତା ରହିଛି। ରାଜନୈତିକ ଦଳମାନେ ଏ ନେଇ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ତାହା ସେମାନଙ୍କ ଘୋଷଣାପତ୍ରରେ ସ୍ଥାନିତ କରିବା ଉଚିତ। ଔଦ୍ୟୋଗିକ ଭୂ ବ୍ୟାଙ୍କ ପାଇଁ ଅଧିଗୃହୀତ ଜମି ଶିଳ୍ପାନୁଷ୍ଠାନକୁ ଦିଆ ନ ଯିବା ପର୍ଯ୍ୟନ୍ତ ତାହା ଇଡକୋ ନିକଟରେ ବର୍ଷ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ି ରହୁଥିବାରୁ ସେଥିମଧ୍ୟରୁ ଚାଷୋପଯୋଗୀ ଜମିକୁ କୃଷି ବିଭାଗ ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ଗୁଡିକୁ କୃଷି ଉଦ୍ଦେଶ୍ୟରେ ଅସ୍ଥାୟୀ ଭାବେ ସ୍ୱଳ୍ପକାଳୀନ ଲିଜ୍‌ ଆକାରରେ ଦିଆଯିବା କଥା ବିଚାର କରାଯାଇ ପାରେ। ଏହା ଦ୍ୱାରା ସମ୍ୱଳର ସଦୁପଯୋଗ ହେବା ସଙ୍ଗେ ସଙ୍ଗେ ଆବଶ୍ୟକତା ଉପୁଜିଲେ ତାହା ସେମାନଙ୍କଠାରୁ ତୁରନ୍ତ ପ୍ରତ୍ୟାହାର କରି ଶିଳ୍ପାନୁଷ୍ଠାନକୁ ଦିଆଯାଇପାରିବ। ରାଜ୍ୟର ସମସ୍ତ ସମ୍ୱଳ, ବିଶେଷ କରି ଜମି ଭଳି ସୀମିତ ସମ୍ୱଳଗୁଡିକର ସଦୁପଯୋଗ ପ୍ରତି ଉଚିତ ଧ୍ୟାନ ଦିଆଗଲେ ଯେ ତାହା ରାଜ୍ୟର ଆୟ ବୃଦ୍ଧି ସହ ସାଧାରଣ ଜନତାଙ୍କ ଜୀବନ-ଜୀବିକାର ପ୍ରଶ୍ନକୁ ସମାଧାନ କରିବାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ। ଭୁବନେଶ୍ୱର, ମୋ-୯୪୩୭୦୩୮୦୧୫

Share :