କାଶ୍ମୀର ସମସ୍ୟା ଓ ସମାଧାନ

କାଶ୍ମୀର ସମସ୍ୟା ଓ ସମାଧାନ

ରିତେଶ ପୃଷେଠ ଭାରତୀୟ ସ୍ବାଧୀନତା ଆଇନ-୧୯୪୭ ବ୍ରିଟିଶ ସଂସଦରେ ୧୮ ଜୁଲାଇ ୧୯୪୭ରେ ସ୍ୱୀକୃତ ହେଲା। ଏହି ଅଧିନିୟମ ଦ୍ୱାରା ବ୍ରିଟିଶ ସରକାର ତାଙ୍କ ଅଧିକୃତ ଭାରତ ଉପମହାଦେଶକୁ ନେଇ ସ୍ୱତନ୍ତ୍ର ଦେଶ ଭାରତ ଓ ପାକିସ୍ଥାନ ଭାବେ ବିଭାଜିତ କଲେ ଓ ପରୋକ୍ଷଭାବେ ଶାସିତ ୫୬୫ଟି ଦେଶୀୟ ରାଜ୍ୟ ଯାହା ବିଭିନ୍ନ ରାଜାମାନଙ୍କ ଅଧୀନରେ ଥିଲା, ସେମାନେ ନିଜ ଇଚ୍ଛାରେ ଭାରତ କିମ୍ୱା ପାକିସ୍ତାନ ସହିତ ମିସିପାରିବେ ବୋଲି ସ୍ୱତନ୍ତ୍ରତା ଦେଲେ। ଯେହେତୁ ପାକିସ୍ତାନର ସୃଷ୍ଟି କଟ୍ଟର ଇସଲାମି ବିଚାରଧାରାକୁ ନେଇ ତେଣୁ ସେହି ସମୟରେ ଅନେକ ରାଜ୍ୟର ଶାସକ ଯେଉଁମାନେ ମୁସଲମାନ ଥିଲେ ସେମାନେ ପାକିସ୍ତାନ ସହିତ ଯୋଡ଼ିହେବା ପାଇଁ ଚାହିଁଲେ। ସେହିପରି ହିନ୍ଦୁ ଶାସକ ଭାରତ ସହିତ ରହିବାକୁ ଇଚ୍ଛାକଲେ। କିନ୍ତୁ କିଛି ରାଜ୍ୟ ନିଜେ ସ୍ୱତନ୍ତ୍ର ହୋଇ ଏକ ଦେଶ ଗଠନ କରିବା ପାଇଁ ଉଦ୍ୟମ କଲେ। ସେପରି କେତେକ ରାଜ୍ୟ ହେଲେ କାଶ୍ମୀର, ହାଇଦ୍ରାବାଦ ଓ ଟ୍ରାଭାଙ୍କୋର। ହାଇଦ୍ରାବାଦରେ ନିଜାମ ଓସମାନ ଅଲି ଖାଁ ଶାସନ କରୁଥିଲେ। ସେ ମହମ୍ମଦ ଅଲି ଜିନ୍ନାଙ୍କ ଦୃଢ ସମର୍ଥକ ଓ ହାଇଦ୍ରାବାଦକୁ ପାକିସ୍ତାନ ସହିତ ମିଶାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହାଇଦ୍ରାବାଦର ୮୧% ଜନତା ହିନ୍ଦୁ। ସେମାନେ ଭାରତ ସହିତ ମିଳିତ ହେବା ପାଇଁ ଚାହୁଁଥିଲେ। ଜନତାଙ୍କ ଇଚ୍ଛାକୁ ଦମନ କରିବା ପାଇଁ ଅତ୍ୟାଚାରୀ ନିଜାମ ନିଜର ଦୁଇ ଲକ୍ଷ ରଜାକର ସୈନ୍ୟବାହିନୀକୁ ଲଗାଇ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା ଓ ଅନେକ ମହିଳାଙ୍କୁ ବଳାତ୍କାର କରାଇଲେ। ଜନତାଙ୍କ ଇଚ୍ଛାକୁ ନେଇ ଭାରତର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅପରେସନ୍ ପୋଲୋ ୧୩ ସେପ୍ଟେମ୍ୱର ୧୯୪୮ରେ ଆରମ୍ଭ କଲେ। ଏହି ଯୁଦ୍ଧ କେବଳ ୫ ଦିନ ଚାଲିଲା। ୧୭ ସେପ୍ଟମ୍ୱରରେ ହାଇଦ୍ରାବାଦ ଭାରତ ଆଗରେ ଆତ୍ମସମର୍ପଣ କଲା ଓ ଶେଷ ଶାସକଭାବେ ନିଜାମ ଓସମାନ ଅଲି ଖାଁ ଭାରତ ସହିତ ସନ୍ଧିପତ୍ରରେ ସ୍ୱାକ୍ଷର କଲେ। ଫଳରେ ହାଇଦ୍ରାବାଦ ଭାରତର ଅଂଶ ହେଲା। ଜମ୍ମୁ ଓ କାଶ୍ମୀରର ପରିସ୍ଥିତି ହାଇଦ୍ରାବାଦର ବିପରୀତ। ଜମ୍ମୁ ଓ କାଶ୍ମୀରରେ ହିନ୍ଦୁ ରାଜା ହରି ସିଂ ଶାସନ କରୁଥିବା ବେଳେ, ୭୭% ଜନତା ମୁସଲମାନ। ଜମ୍ମୁ ଓ କାଶ୍ମୀରର ଭୌଗୋଳିକ ପରିସ୍ଥିତି ଜଟିଳ। ଜମ୍ମୁ ଅଂଚଳରେ ହିନ୍ଦୁ ରାଜପୁତ ସଂଖ୍ୟାଧିକ ଥିବାବେଳେ କାଶ୍ମୀର ଉପତ୍ୟକାରେ ହିନ୍ଦୁ ଅଳ୍ପସଂଖ୍ୟକ ଓ ଲଦାଖରେ ବୌଦ୍ଧଧର୍ମାବଲମ୍ୱୀଙ୍କ ସଂଖ୍ୟା ଅଧିକ। କାଶ୍ମୀରର ଉତ୍ତର-ପଶ୍ଚିମ ପଟେ ଆଫଗାନିସ୍ତାନ, ଉତ୍ତରରେ ସୋଭିଏତ୍ ରୁଷ ଓ ପୂର୍ବରେ ଚୀନକୁ ରାସ୍ତା ଥିଲା। ଭୌଗୋଳିକ ସ୍ଥିତିର ସୁଯୋଗ ନେଇ ରାଜା ହରି ସିଂ ଜମ୍ମୁ ଓ କାଶ୍ମୀରକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଗଠନ କରିବା ପାଇଁ ଚେଷ୍ଟା କରୁଥିଲେ। ସେହି ସମୟରେ କଶ୍ମୀରର ପରିସ୍ଥିତି ଭିନ୍ନଥିଲା। ଇସଲାମୀ ଧାର୍ମିକ କଠୋରତା ଓ ହିନ୍ଦୁମାନଙ୍କ ପ୍ରତି ଘୃଣାଭାବ ପାକିସ୍ଥାନ ଦାବିର ମୂଳ ଉତ୍ସ ଥିଲା। ସେହି ଭାବନା କାଶ୍ମୀରରେ ଧୀରେ ଧୀରେ କାୟା ବିସ୍ତାର କଲା। ୧୫ ଅକ୍ଟୋବର, ୧୯୩୨ରେ ଶେଖ ଅବଦୁଲ୍ଲା, ମିରୱେଜ ୟୁସୁଫ ଶାହା ଓ ଚୌଧୁରୀ ଗୁଲାମ ଆବାସ ତିନି ଜଣ ମିଶି ଅଲ ଜମ୍ମୁ ଆଣ୍ଡ କାଶ୍ମୀର ମୁସଲିମ କନଫେରେନ୍ସ୍ ଗଠନ କରିଥିଲେ। ଏହି ସଂଗଠନ ଜମ୍ମୁ ଓ କାଶ୍ମୀରରେ ହିନ୍ଦୁ ରାଜା, ମହାରାଜା ହରି ସିଂଙ୍କ ଶାସନ ବିରୁଦ୍ଧରେ ମୁସଲିମମାନଙ୍କୁ ସଂଗଠିତ କଲା ତଥା ହିନ୍ଦୁମାନଙ୍କ ଶାସନ କ୍ଷେତ୍ରରେ ଅତ୍ୟଧିକ ପ୍ରବେଶ ଓ ରାଜ୍ୟର ସରକାରୀ ଚାକିରୀରେ ହିନ୍ଦୁମାନଙ୍କ ନିଯୁକ୍ତି ବିରୁଦ୍ଧରେ ଆନ୍ଦୋଳନ କଲା। ୧୯୩୯ ମସିହାରେ ଜବାହାରଲାଲ ନେହେରୁ ଅଲ୍ ଇଣ୍ଡିଆ ଷ୍ଟେଟସ୍ ପିପୁଲସ୍ କନଫେରେନ୍ସ୍ ଅଧ୍ୟକ୍ଷ ହେଲେ। ସାରା ଦେଶର ଦେଶୀୟ ରାଜ୍ୟରେ ହେଉଥିବା ଆନ୍ଦୋଳନକୁ ଏହି ସଂଗଠନ ପରିଚାଳନା କରୁଥିଲା। ଜବାହାରଲାଲ ନେହେରୁଙ୍କ ସହିତ ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ବ୍ୟକ୍ତିଗତ ସମ୍ପର୍କ ଥିଲା। ତେଣୁ ତାଙ୍କ ପ୍ରରୋଚନାରେ ଶେଖ୍ ହିନ୍ଦୁ ବିରୋଧୀ ଆନ୍ଦୋଳନକୁ ଶାସକ ବିରୋଧୀ ଆନ୍ଦୋଳନ ଭାବେ ମୋଡିଲେ ଓ ୧୧ ଜୁନ୍ ୧୯୩୯ରେ ତାଙ୍କ ସଂଗଠନର ନାମ ଅଲ୍ ଜମ୍ମୁ ଅଣ୍ଡ୍ କାଶ୍ମୀର ମୁସଲିମ୍ କନଫରେନ୍ସ୍ରୁ ପରିବର୍ତ୍ତନ କରି ଅଲ୍ ଜମ୍ମୁ ଅଣ୍ଡ କାଶ୍ମୀର ନେସ୍‌ନାଲ କନଫରେନ୍ସ୍ କଲେ। ୨୩ ମାର୍ଚ୍ଚ ୧୯୪୦, ଲାହୋରର ମିନ୍ଟୋ ପାର୍କରେ ହୋଇଥିବା ମୁସଲିମ ଲିଗ୍ର ୩ ଦିବସୀୟ ବାର୍ଷିକ ଅଧିବେଶନରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଯାହା ଆଧାରରେ ମୁସଲିମ ଲିଗ୍ ଭାରତରେ ମୁସଲମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦେଶ ପାଇଁ ଦାବିକରିଥିଲା। ଏହି ଅଧିବେଶନରେ ନେସ୍ନାଲ କନଫରେନ୍ସ୍ର ସଦସ୍ୟ ଉପସ୍ଥିତଥିଲେ ଯେଉଁମାନେ ଅଧିବେଶନରୁ ଫେରିଲା ପରେ ଜମ୍ମୁ ଓ କାଶ୍ମୀରରେ ପାକିସ୍ଥାନ ଆନ୍ଦୋଳନକୁ ଉଗ୍ରରୂପ ଦେଲେ। ଚୈାଧୁରୀ ଗୁଲାମ୍ ଆବାସ ଓ ଆଘା ସୌକତ୍ ଅଲ୍ଲି ଏହି ଆନ୍ଦୋଳନକୁ ନେତୃତ୍ୱ ଦେଲେ। ସାରା ରାଜ୍ୟରେ ଏକ ଧାର୍ମିକ ଅସହିଷ୍ଣୁତାର ବାତାବରଣ ନିର୍ମାଣ ହେଲା ଫଳରେ ଅନେକ ସ୍ଥାନରେ ଦଙ୍ଗା ହେଲା। ଯେହେତୁ ଅଲ୍ ଜମ୍ମୁ ଆଣ୍ଡ କାଶ୍ମୀର ମୁସଲିମ୍ କନଫରେନ୍ସ୍ ଗଠନ ମୁସଲିମ୍ କଟ୍ଟରପନ୍ଥୀ ଓ ହିନ୍ଦୁ ବିରୋଧୀ ଚିନ୍ତାଧାରାକୁ ନେଇ ହୋଇଥିଲା, ତେଣୁ ଯେତେବେଳେ ଶେଖ୍ ଅବ୍ଦୁଲ୍ଲା ସଂଗଠନର ନାମ ଓ ଉଦ୍ଦେଶ୍ୟରେ ପରିବର୍ତ୍ତନ ଆଣିଲେ ତେଣୁ ତାଙ୍କ ସାଥୀ ଚୌଧୁରୀ ଗୁଲାମ୍ ଆବାସ ଏହାକୁ ବିରୋଧ କଲେ ଓ ତାଙ୍କ ନେତୃତ୍ୱରେ ୧୩ ଜୁନ୍ ୧୯୪୧ ପାର୍ଟି ବିଭାଜିତ ହେଲା। ଆବାସ ପୁଣି ମୁସଲିମ କନଫରେନ୍ସ୍କୁ ପୁନଃଜୀବିତ କଲେ। ମୁସଲିମ୍ କନଫରେନ୍ସ୍କୁ ସଂଗଠିତ କରିବା ପାଇଁ ଗୁଲାମ୍ ଆବସ ପାକିସ୍ଥାନ ଆନ୍ଦୋଳନକୁ ଜମ୍ମୁ ଓ କାଶ୍ମୀରରେ ଉଗ୍ରରୂପ ଦେଲେ ଓ ମୁସଲିମ୍ ଜନତାଙ୍କୁ ହିନ୍ଦୁ ଡୋଗ୍ରା ଶାସକଙ୍କ ଅପେକ୍ଷା ପାକିସ୍ଥାନରେ ତାଙ୍କର ଭବିଷ୍ୟତ ଉଜ୍ୱଳ ବୋଲି ବୁଝାଇଲେ। ୧୯୪୨ ପୁନଃଗଠିତ ମୁସଲିମ୍ କନଫରେନ୍ସ୍ର ପ୍ରଥମ ଅଧିବେଶନରେ ଚୌଧୁରୀ ଗୁଲାମ୍ ଆବାସ ଅଧ୍ୟକ୍ଷ ହେଲେ। ସେ ସଂଗଠନର ଲକ୍ଷ୍ୟ ପାକିସ୍ଥାନ ଗଠନ ଓ ଏହା ପାଇଁ ସେମାନେ ସଂଘର୍ଷ କରିବେ ବୋଲି କହିଲେ। ସେହି ସମୟରେ କାଶ୍ମୀରର ମିରୱେଜ, ମୌଲବୀ ୟୁସୁଫ୍ ସାହା ଓ ମହମ୍ମଦ ୟୁସୁଫ୍ କ୍ୟୁରେସି ନେସ୍ନାଲ୍ କନଫରେନ୍ସ୍ ଦ୍ୱାରା ଉପେକ୍ଷିତ ହେବାରୁ ସେମାନେ କାଶ୍ମୀରରେ ମୁସଲିମ୍ ଲିଗ୍ ପାଇଁ କାମ କଲେ। ୧୬ ଅଗଷ୍ଟ ୧୯୪୬, ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଦ୍ୱାରା ଡାଇରେକ୍ଟ ଆକ୍ସନ୍ର ଡାକରା ଦିଆଗଲା। ସେ ତାଙ୍କ ବକ୍ତବ୍ୟରେ କହିଲେ ‘ଭାରତକୁ ବିଭାଜିତ କରିବା ନହେଲେ ଧ୍ବଂସ’। ସାରା ଦେଶରେ ଦଙ୍ଗା ଆରମ୍ଭ ହୋଇଗଲା। ଏହି ଦିନ ସାରା ଭାରତରେ ମୁସଲିମ୍ ଲିଗ୍ ନେତାଙ୍କ ଦ୍ୱାରା ପାକିସ୍ଥାନ ନାଁରେ ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରାଗଲା। ଏହା ଦ୍ୱାରା ସବୁଠୁ ବେଶି କ୍ଷତି କଲିକତାରେ ହୋଇଥିଲା। କେବଳ କଲିକତାରେ ଲକ୍ଷ୍ୟାଧିକ ହିନ୍ଦୁମାନଙ୍କର ସଂହାର ହେଲା। ସରକାରୀ ହିସାବ ଅନୁସାରେ ୫୦୦୦ ଲୋକଙ୍କ ହତ୍ୟା ୨୦,୦୦୦ ଲୋକ ଆହତ ଓ ୧,୦୦,୦୦୦ ଲୋକ ବାସହରା ହେଲେ ତଥା ହଜାର ହଜାର ମହିଳା ଦୁଷ୍କର୍ମର ଶିକାର ହେଲେ। ସାରା କଲିକତା ସହରର ରାଜରାସ୍ତା ହିନ୍ଦୁଙ୍କ ଶବ ଦ୍ୱାରା ଢାଙ୍କି ହୋଇଯାଇଥିଲା। ଏହାଥିଲା କେବଳ କଲିକତା ସହରର ଦୃଶ୍ୟ। ବଙ୍ଗଳା, ବିହାର, ଆସାମ, ମଧ୍ୟପ୍ରାନ୍ତ ଓ ପଞ୍ଜାବରେ ମଧ୍ୟ ଦଙ୍ଗା ବ୍ୟାପିଲା। ଏହି ଦଙ୍ଗା ଏକ ପ୍ରକାର ଭାରତର ବିଭାଜନ ସ୍ଥିର କରିଦେଲା। ୧୯୪୭ ବିଭାଜନ ପରେ ଜମ୍ମୁ ଓ କାଶ୍ମୀର ଉପରେ ଚାପ ବଢିଲା। ପାକିସ୍ଥାନ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ମହାରାଜା ହରି ସିଂହଙ୍କୁ ନିଜ ସପକ୍ଷରେ ଆଣିବାକୁ ଚାଁହିଲା। କିନ୍ତୁ ସଫଳ ହେଲାନାହିଁ। ମହାରାଜା ହରି ସଂିଙ୍କ ସ୍ୱାଧୀନ ରହିବା ନିଷ୍ପତ୍ତିକୁ ମୁସଲିମ୍ କନଫରେନ୍ସ୍କୁ ଛାଡି ଜମ୍ମୁ ଓ କାଶ୍ମୀରର ସମସ୍ତ ରାଜନୈତିକ ଦଳ ସମର୍ଥନ କରୁଥିଲେ। ୧୯ ଜୁଲାଇ ୧୯୪୭ ସ୍ୱାଧୀନତା ପୂର୍ବରୁ ମୁସଲିମ୍ କନଫରେନ୍ସ୍ ଜମ୍ମୁ ଓ କାଶ୍ମୀରକୁ ପାକିସ୍ଥାନ ସହିତ ମିଶାଇବା ପାଇଁ ଦାବିକଲା। ୨୨ ଜୁନ୍ ୧୯୪୭ ମୁସଲିମ୍ କନଫରେନ୍ସ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଚୌଧୁରୀ ହମିଦୁଲ୍ଲା ପାକିସ୍ଥାନର ରାବଲ୍କୋଟରେ ଜମ୍ମୁ ଅଂଚଳରେ ବିଦ୍ରୋହ ପାଇଁ ଯୋଜନା କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମିର୍ପୁର, ପୁଞ୍ଚ ଓ ମୁଜାଫରାବାଦ ଅଂଚଳର ଅନେକ ମୁସଲିମ୍‌ ଯୁବକ ବ୍ରିଟିଶ-ଭାରତୀୟ ସେନାରେ ସାମିଲ ହୋଇଥିଲେ, ଯେଉଁମାନେ ବିଶ୍ୱଯୁଦ୍ଧ ପରେ ନିଜ ଅସ୍ତ୍ର ନେଇ ଆସିଥିଲେ। ଏକ ସ୍ୱତନ୍ତ୍ର ମୁସଲିମ୍ ରାଷ୍ଟ୍ରର ସ୍ୱପ୍ନ ଦେଖାଇ ମୁସଲିମ୍ କନଫରେନ୍ସ୍ର ନେତା ଏମାନଙ୍କୁ ଉତ୍ତେଜିତ କଲେ। ଫଳରେ ୬ ଅକ୍ଟୋବରକୁ ପୁଞ୍ଚରେ ବିଦ୍ରୋହ ହେଲା। ସ୍ୱାଧୀନତା ପରେ ମହାରାଜା ହରି ସିଂହଙ୍କ ଅନିଶ୍ଚିତତାର ସୁଯୋଗ ନେଇ ୨୨ ଅକ୍ଟୋବର ୧୯୪୭ରେ କବାଇଲି ମୁସଲିମ୍ମାନଙ୍କୁ ଜିହାଦ୍ କରିବା ନାଁରେ ସଂଗଠିତ କରି ପାକିସ୍ଥାନୀ ସେନା କାଶ୍ମୀର ଉପରେ ଆକ୍ରମଣ କଲା। ୬୦,୦୦୦ ପୂର୍ବତନ ମୁସଲିମ୍ ସୈନିକ, କବାଇଲି ପଠାନ୍, ମୁସଲିମ୍ ଲିଗ୍ ନେସ୍ନାଲ ଗାର୍ଡ ଓ ପାକିସ୍ଥାନୀ ସେନା ମିଶି ପୁଞ୍ଚ, ମିରପୁର ଓ ମୁଜାଫରାବାଦ ଅଂଚଳରେ ୪ ଲକ୍ଷରୁ ଅଧିକ ହିନ୍ଦୁଙ୍କୁ ହତ୍ୟା କଲେ। ହଜାର ହଜାର ମହିଳାଙ୍କୁ ଜିହାଦ୍ ନାଁରେ ଧର୍ଷଣ କଲେ ଓ ଅନେକ ହିନ୍ଦୁ ମହିଳାଙ୍କୁ ରାୱଲପିଣ୍ଡିର ବେଶ୍ୟାଳୟରେ ବିକ୍ରି କରାଗଲା। ସର୍ଦ୍ଦାର ଇବ୍ରାହିମ୍, ପାକିସ୍ଥାନ ଅଧିକୃତ କାଶ୍ମୀରର ରାଷ୍ଟ୍ରପତି ନିଜେ ମିରପୁରରେ ହିନ୍ଦୁଙ୍କ ସାମୂହିକ ନରସଂହାର ବିଷୟରେ ସ୍ପଷ୍ଟ କଲେ। ପାକିସ୍ଥାନୀ ଆକ୍ରମଣକୁ ରୋକିବାର କ୍ଷମତା ହରି ସିଂଙ୍କ ସେନାବାହିନୀ ପାଖରେ ନଥିଲା। ଭାରତ ସରକାରଙ୍କୁ ହରି ସିଂ ସାମରିକ ସହାୟତା ପାଇଁ ନିବେଦନ କଲେ। କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସର୍ତ୍ତ ରଖିଲେ ପ୍ରଥମେ ଭାରତ ସହିତ ଜମ୍ମୁ ଓ କାଶ୍ମୀରର ବିଲୟ ହେଉ। ୨୬ ଅକ୍ଟୋବର ୧୯୪୭, ହରି ସିଂ ଇନ୍ଷ୍ଟୁମେଣ୍ଟ ଅଫ୍ ଆକ୍ସେସନ୍ରେ ଦସ୍ତଖତ କଲେ। ଫଳରେ ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହେଲା। ୨୭ ଅକ୍ଟୋବର ୧୯୪୭ରେ ଭାରତୀୟ ସେନା କାଶ୍ମୀରର ପ୍ରବେଶ କଲା। ଫଳରେ ପାକିସ୍ଥାନୀ ସେନା ସହ ଭାରତୀୟ ସେନା ପ୍ରତ୍ୟକ୍ଷ ଭାବେ ଯୁଦ୍ଧରେ ନିୟୋଜିତ ହେଲା। ପାକିସ୍ଥାନ ସେନା ଦ୍ୱାରା ଅଧିକୃତ ମିରପୁର, ପୁଞ୍ଚ, ମୁଜାଫରାବାଦ ଅଂଚଳକୁ ନେଇ ୩ ଅକ୍ଟୋବର ୧୯୪୭ ରାୱଲପିଣ୍ଡିଠାରେ ଗୁଲାମ୍ ନବୀ ଗିଲକରଙ୍କ ନେତୃତ୍ୱରେ ପ୍ରଥମେ ଅସ୍ଥାୟୀ ଆଜାଦ ଜମ୍ମୁ ଓ କାଶ୍ମୀର ସରକାର ଗଠନ କରାଗଲା। କିନ୍ତୁ ପରେ ଗୁଲାମ ନବୀ ଗିଲକର ଶ୍ରୀନଗରରେ ବନ୍ଦୀ ହେଲେ। ଫଳରେ ସରକାର ଭାଙ୍ଗିଗଲା। ୨୪ ଅକ୍ଟୋବର ୧୯୪୭, ପଳାନ୍ଦ୍ରୀଠାରେ ସର୍ଦ୍ଦାର ଇବ୍ରାହିମ୍ ଖାଁନଙ୍କ ନେତୃତ୍ୱରେ ଦ୍ୱିତୀୟ ସରକାର ଗଠନ କରାଗଲା ଓ ସେହି ଅଂଚଳ ଆଜି ପାକିସ୍ଥାନ ଅଧିକୃତ କାଶ୍ମୀର ନାଁରେ ପରିଚିତ। ପାକିସ୍ଥାନ ଅଧିକୃତ କାଶ୍ମୀରର ଅନ୍ୟ ଏକ ଅଂଚଳ ହେଉଛି ଗିଲ୍ଗିଟ-ବଲ୍ଟିସ୍ଥାନ। ଗିଲ୍ଗିଟ-ବଲ୍ଟିସ୍ଥାନ ଉତ୍ତରରେ ଭାରତର ପ୍ରବେଶ ଦ୍ୱାର ଭାବେ କାମକରେ। ଏହି ଅଂଚଳର ସାମରିକ ମହତ୍ୱକୁ ବୁଝି ୧୯୩୫ରେ ଇଂରେଜ ସରକାର ଗିଲ୍ଗିଟକୁ ଜମ୍ମୁ ଓ କାଶ୍ମୀରର ମହାରାଜାଙ୍କଠାରୁ ଲିଜ୍ରେ ନେଲେ। କିନ୍ତୁ ଭାରତ ସ୍ୱାଧୀନ ହେଲା ପରେ ବ୍ରିଟିଶ ସରକାରଙ୍କ ଗିଲ୍ଗିଟ ଉପରେ ଅଧିକାର ସମାପ୍ତ ହେଲା। ମହାରାଜା ହରି ସିଂ ବ୍ରିଗେଡିୟର ଘନସାରା ସିଂଙ୍କୁ ଗିଲ୍ଗିଟ-ବଲ୍ଟିସ୍ଥାନର ଗଭର୍ଣ୍ଣରଭାବେ ନିଯୁକ୍ତି କଲେ। ସେହି ସମୟରେ ଗିଲ୍ଗିଟ-ବଲ୍ଟିସ୍ଥାନର ସୁରକ୍ଷାର ଦାୟିତ୍ୱ ଗିଲ୍ଗିଟ ସ୍କାଉଟ ଉପରେ ଥିଲା ଯାହା ଜମ୍ମୁ ଓ କାଶ୍ମୀର ସେନାର ଏକ ଅଙ୍ଗ ଓ ମେଜର ଉଇଲିୟମ୍ ବ୍ରାଉନ୍ ଏହାର ନେତୃତ୍ୱ ନେଉଥିଲେ। ଗିଲ୍ଗିଟ ସ୍କାଉଟର ୯୦ ଭାଗ ସୈନ୍ୟ ମୁସଲିମ୍। ୨୬ ଅକ୍ଟୋବର ମହାରାଜା ହରି ସିଂ ଭାରତ ସହ ଜମ୍ମୁ ଓ କାଶ୍ମୀରର ବିଲୟ ନିଷ୍ପତ୍ତି ନେଲେ। ଫଳରେ ଗିଲ୍ଗିଟ ସ୍କାଉଟର ମୁସଲିମ୍ ସୈନ୍ୟ, ୧ ନଭେମ୍ୱର ୧୯୪୭ରେ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରି ଗିଲ୍ଗିଟ-ବଲ୍ଟିସ୍ଥାନର ଗଭର୍ଣ୍ଣର ଘନସାରା ସିଂଙ୍କୁ ବନ୍ଦୀକଲେ ଓ ଗିଲ୍ଗିଟ-ବଲ୍ଟିସ୍ଥାନକୁ ଦଖଲ କଲେ। ଏହିପରି ଭାବେ ଜମ୍ମୁ ଓ କାଶ୍ମୀରର ଅନ୍ୟ ଏକ ଅଂଶ ପାକିସ୍ଥାନ ଅଧିକୃତ ହେଲା। ମହାରାଜା ହରି ସିଂ ସଂପୂର୍ଣ୍ଣ ଜମ୍ମୁ ଓ କାଶ୍ମୀରକୁ କୌଣସି ସର୍ତ୍ତ ନରଖି ଭାରତ ସହିତ ବିଲୟ କରିଥିଲେ। ତେଣୁ ପାକିସ୍ଥାନ ଦ୍ୱାରା ବେଆଇନ ଭାବେ ଅଧିକୃତ କାଶ୍ମୀର ଓ ଗିଲ୍ଗିଟ-ବଲ୍ଟିସ୍ଥାନ ଉପରେ ଇସଲାମାବାଦର କୌଣସି ଅଧିକାର ନାହିଁ। ସଂପୂର୍ଣ୍ଣ ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଗିଲ୍ଗିଟ-ବଲ୍ଟିସ୍ଥାନ ହେଉ ବା ମିରପୁର, ମୁଜାଫରାବାଦ, ପୁଞ୍ଚ- ଯେଉଁଠି ହିନ୍ଦୁ ଅଳ୍ପ ସଂଖ୍ୟକ ସେଠି ଭାରତକୁ ବିରୋଧ କରାଯାଇଛି। ପାକିସ୍ଥାନର ଗଠନ ମଧ୍ୟ ଧାର୍ମିକ ଆଧାରରେ ହୋଇଛି। ଯେଉଁ ଅଂଚଳରେ ହିନ୍ଦୁ ଅଳ୍ପ ସଂଖ୍ୟକ ତାହା ପାକିସ୍ଥାନରେ ମିଶିଲା ଓ ଯେଉଁ ଅଂଚଳ ପାକିସ୍ଥାନରେ ମିଶିଲା ସେଠାରେ ହିନ୍ଦୁମାନଙ୍କର ଧର୍ମ ପରିବର୍ତ୍ତନ କରି କିମ୍ୱା ହତ୍ୟାକରି ଅଳ୍ପସଂଖ୍ୟକ କରାଗଲା। ଠିକ୍ ଏହା ହୋଇଥିଲା କାଶ୍ମୀରରେ ୧୯୮୯-୧୯୯୦ ମଧ୍ୟରେ। କାଶ୍ମୀରର କଟ୍ଟରପନ୍ଥୀ ଇସଲାମୀ ଗୋଷ୍ଠୀମାନଙ୍କ ଦ୍ୱାରା କାଶ୍ମୀରର ହିନ୍ଦୁ (କାଶ୍ମୀରୀ ପଣ୍ଡିତ)ମାନଙ୍କୁ ମସଜିଦ୍‌ରୁ ଘୋଷଣା କରି କାଶ୍ମୀର ଘାଟି ଛାଡ଼ି ଚାଲିଯିବାକୁ ଧମକ ଦିଆଗଲା। ଶହ ଶହ କାଶ୍ମୀରୀ ପଣ୍ଡିତ ଲୋକଙ୍କୁ ହତ୍ୟାକରି ଗଛରେ ଟାଙ୍ଗି ଦିଆଗଲା, ମହିଳାମାନଙ୍କୁ ଧର୍ଷଣ କରାଗଲା। ସ୍ୱାଧୀନ ଭାରତରେ ମଧ୍ୟ ଲୋକେ ନିଜ ସଂସ୍କୃତି, ନିଜ ମାତୃଭୂମିକୁ ଛାଡ଼ିଯିବାକୁ ବାଧ୍ୟ ହେଲେ। ୬ ଲକ୍ଷ କାଶ୍ମୀରୀ ପଣ୍ଡିତ ଓ ଶିଖ୍ କାଶ୍ମୀର ଘାଟିଛାଡ଼ି ନିଜ ଦେଶରେ ଶରଣାର୍ଥୀର ଜୀବନ ଅତିବାହିତ କରିବାପାଇଁ ବାଧ୍ୟ ହେଉଛନ୍ତି। ଭାରତ ସହିତ ଜମ୍ମୁ ଓ କାଶ୍ମୀର ମିଶ୍ରଣ ପରେ କାଶ୍ମୀର କ୍ଷେତ୍ରରେ ହିନ୍ଦୁ ବିରୋଧୀ ମାନସିକତାକୁ ନେଇ ଶେଖ୍ ଅବଦୁଲ୍ଲା ନେହେରୁଙ୍କ ସହାୟତରେ ଭାରତୀୟ ସଂବିଧାନରେ ଧାରା ୩୭୦କୁ ଯୋଡ଼ିଲେ ଯାହାଫଳରେ ଜମ୍ମୁ ଓ କାଶ୍ମୀର ଏକ ସ୍ୱତନ୍ତ୍ର ରାଜ୍ୟର ପାହ୍ୟା ଦେଇ ଜମ୍ମୁ ଓ କାଶ୍ମୀର ଏକ ସ୍ୱତନ୍ତ୍ର ସଂବିଧାନକୁ ସ୍ବୀକୃତି ଦିଆଗଲା। ଏହାଫଳରେ ଜମ୍ମୁ ଓ କାଶ୍ମୀରରେ କୌଣସି ଭାରତୀୟ ନାଗରିକ ସ୍ଥାୟୀ ନାଗରିକ ହୋଇପାରିବେ ନାହିଁ ତଥା ଜମି ମଧ୍ୟ କିଣି ପାରିବେନାହିଁ। ଭାରତୀୟ ସଂସଦ ଜମ୍ମୁ ଓ କାଶ୍ମୀରରେ କୌଣସି ଆଇନ ସିଧାସଳଖ ଭାବେ ଲାଗୁକରିପାରିବ ନାହିଁ। କାଶ୍ମୀର ମହିଳାମାନଙ୍କ ଉପରେ ଶରିୟତ୍ କାନୁନ ଲାଗୁହେବ। ଭାରତର ସର୍ବୋଚ୍ଚ ନ୍ୟାୟାଳର ଆଦେଶ ମଧ୍ୟ ଜମ୍ମୁ ଓ କାଶ୍ମୀରେ ଲାଗୁହେବ ନାହିଁ। କାଶ୍ମୀରରେ ହିନ୍ଦୁ ଓ ଶିଖ୍ ଅଳ୍ପସଂଖ୍ୟକ ହୋଇ ମଧ୍ୟ ତାଙ୍କୁ ସଂରକ୍ଷଣ ମିଳିବ ନାହିଁ। ଜମ୍ମୁ ଓ କାଶ୍ମୀର କୌଣସି ମହିଳା ଯଦି ଭାରତର କୌଣସି ରାଜ୍ୟର ନାଗରିକଙ୍କୁ ବିବାହ କରନ୍ତି ତେବେ ତାଙ୍କର ଜମ୍ମୁ ଓ କାଶ୍ମୀରର ନାଗରିକତା ସମାପ୍ତ ହେବ। କିନ୍ତୁ ସେ କୌଣସି ପାକିସ୍ଥାନୀଙ୍କୁ ବିବାହ କରନ୍ତି ତେବେ ତାଙ୍କ ସ୍ୱାମୀଙ୍କୁ ଜମ୍ମୁ ଓ କାଶ୍ମୀର ନାଗରିକତା ମିଳିଯିବ। ଧାରା ୩୭୦ ସ୍ୱାଧୀନତା ପରେ କାଶ୍ମୀର ବିବାଦର ମୁଖ୍ୟ କାରଣ। କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁୂ ଏହାର କୌଣସି ସମାଧାନ ହୋଇପାରୁ ନାହିଁ। ଧାରା ୩୭୦ର ଶୀର୍ଷକ ଶଦ୍ଦ ହେଉଛି ‘ଜମ୍ମୁ ଓ କାଶ୍ମୀର ସମ୍ୱନ୍ଧରେ ଅସ୍ଥାୟୀ ପ୍ରାବଧାନ’। ଏହି ପ୍ରାବଧାନକୁ ଭାରତୀୟ ସଂସଦକୁ ଅନ୍ଧାରରେ ରଖି ଜବାହାରଲାଲ ନେହେରୁ କେବଳ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଲାଗୁ କରାଇଥିଲେ ଯାହା ଅସଂବିଧାନିକ। ଏହି ଅସ୍ଥାୟୀ ପ୍ରାବଧାନକୁ ଭାରତୀୟ ସଂସଦ ଏକମତ ହୋଇ ରଦ୍ଦକଲେ କଶ୍ମୀର ସମସ୍ୟାର ସମାଧାନ ପାଇଁ ବାଟ ଫିଟିଯିବ। ମୋ- ୯୧୭୮୦୯୧୫୩୦

Share :