ବୈଜୟନ୍ତଙ୍କ ନିଷ୍ପତ୍ତିରେ ହାରିବ କି ବିଜେଡି?

ବୈଜୟନ୍ତଙ୍କ ନିଷ୍ପତ୍ତିରେ ହାରିବ କି ବିଜେଡି?

Share :

ଦେବେନ୍ଦ୍ର ପୃଷ୍ଟି ଅନେକ ଦିନ ଧରି ଏପଟ ସେପଟ ହୋଇ ଅଙ୍କ କଷିବା ପରେ ଶେଷରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୯ ମାର୍ଚ୍ଚ ୪ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ଫଳରେ ଓଡ଼ିଶାରେ ବିଜେପିକୁ ବଳ ମିଳିଲା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଲା କେଇ ଦିନ ଧରି ‘ଉଭୟ କଂଗ୍ରେସ ଓ ବିଜେପି ନବୀନଙ୍କ ସହିତ ଅଛନ୍ତି’ ମର୍ମରେ ଟୁଇଟ୍‌ କରିଥିବା ଜୟ ପଣ୍ଡା ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। କାରଣ ନୂଆ ଦଳ ଗଢ଼ିବାକୁ ତାଙ୍କ ନିକଟରେ ଆଉ ସମୟ ନାହିଁ। ଓଡ଼ିଶାରେ କଂଗ୍ରେସର ସ୍ଥିତି ଏତେ ଦୁର୍ବଳ ଯେ ଏହି ଦଳର ଅନେକ ନେତା ବିଜେଡିରେ ଯୋଗ ଦେଉଛନ୍ତି ଓ ଆଉ କେତେ ଗୋଡ଼ ଟେକି ବସିଛନ୍ତି। କିନ୍ତୁ ନିରପେକ୍ଷ ଭାବେ ବିଶ୍ଳେଷଣ କଲେ ବିଜେପିରେ ଯୋଗଦେବା ଜୟ ପଣ୍ଡାଙ୍କ ପାଇଁ ରାଜନୀତିକ ଦୃଷ୍ଟିକୋଣରୁ ପରାଜୟ ପରି ବୋଧ ହୋଇପାରେ। ମାର୍ଚ୍ଚ ୨ ତାରିଖରେ ଜୟ ପଣ୍ଡାଙ୍କ ପତ୍ନୀ ଜାଗୀ ମଙ୍ଗତ ପଣ୍ଡାଙ୍କ ପରିଚାଳନାଧୀନ ଓଟିଭିର ଫୋରସାଇଟ୍‌ କାର୍ଯ୍ୟକ୍ରମର ଏକ ଆଲୋଚ୍ୟ ବିଷୟ ଥିଲା ‘ଓଡ଼ିଶା ପାଇଁ ଆଉ ଏକ ଆଞ୍ଚଳିକ ଦଳ ଆବଶ୍ୟକ କି?’ ଆଲୋଚକମାନେ ଥିଲେ ବିଜେଡିରୁ ତଡ଼ା ଖାଇଥିବା ଡାକ୍ତର ଦାମୋଦର ରାଉତ, କଂଗ୍ରେସରୁ ତଡ଼ା ଖାଇଥିବା ଶ୍ରୀକାନ୍ତ ଜେନା, ସମତା କ୍ରାନ୍ତି ଦଳର ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀ ଓ ଉତ୍କଳ ଭାରତ ପାର୍ଟିର ମୁଖ୍ୟ ଖାରବେଳ ସ୍ବାଇଁ। ବ୍ରଜ ତ୍ରିପାଠୀ ବି ପୂର୍ବରୁ ବିଜେଡିରେ ଥିଲେ। ଖାରବେଳ ଥିଲେ ବିଜେପିରେ। ଏହି ଆଲୋଚକ ଗଣ ନୂଆ ଆଞ୍ଚଳିକ ଦଳ ନେଇ ଏପରି ମତାମତ ଦେଲେ ଯେ ତା’ର ଦିନକ ପରେ ବୈଜୟନ୍ତ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ବିଜେପିରେ ବୈଜୟନ୍ତଙ୍କର ଯୋଗଦାନ ପର୍ବ। କିନ୍ତୁ ଏହି ପର୍ବ ପାଳନର ରୀତିରିୱାଜ ଦେଖି ଓଡ଼ିଶା ରାଜନୀତିରେ ଜୟ ପଣ୍ଡାଙ୍କ ଗୁରୁତ୍ବ ବଢ଼ିବା ପରିବର୍ତ୍ତେ କମିଲା ପରି ବୋଧ ହେଲା। ପ୍ରଥମତଃ, ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ବି ଜୟ ପଣ୍ଡାଙ୍କ ମିଶ୍ରଣ ପର୍ବରେ ସାମିଲ ହେଲେ ନାହିଁ। ଜୟଙ୍କୁ ଦଳକୁ ସ୍ବାଗତ କଲେ ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ। ଏହି ନେତାମାନେ ବୈଜୟନ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ସଦସ୍ୟପତ୍ର ଦେଇ ସ୍ବାଗତ କରିବା ପରେ ଗଣମାଧ୍ୟମକୁ ବୟାନ ଦିଆଯାଇଥିଲା। ତା’ପରେ ଓଡ଼ିଶାର ବିଜେପି ନେତାମାନଙ୍କ ଗହଣରେ ଜୟ ପଣ୍ଡା ଉପର ମହଲାରେ ଥିବା ଅମିତ ଶାହାଙ୍କ ପ୍ରକୋଷ୍ଠକୁ ଯାଇଥିଲେ। ସେଠାରେ ସେ ପୁଷ୍ପଗୁଚ୍ଛ ଦେଇ ଜୟ ପଣ୍ଡାଙ୍କୁ ଦଳକୁ ସ୍ବାଗତ କଲେ। ଏକଥାଟା ସେ ପ୍ରଥମ ପର୍ବରେ ଉପସ୍ଥିତ ରହି କରିପାରିଥାନ୍ତେ। ତାଙ୍କର ଏପରି ଆଚରଣ ବିଜେପିର ଜୟ ପଣ୍ଡାଙ୍କର ଗୁରୁତ୍ବ କ’ଣ ତାହା ଜଣେଇଦେଲା। ଏଥିରେ ସେ ଖୁସି କି ଅଖୁସି ସେ ନିଜେ ବୁଝୁଥିବେ। ତେବେ, ଏ କଥାଟା ବଡ଼ ନୁହେଁ। ଭାରତୀୟ ଜନତା ପାର୍ଟି ପରି ଏକ ବୃହତ ଜାତୀୟ ଦଳରେ ଯେ ସମସ୍ତେ ସମାନ ଗୁରୁତ୍ବ ପାଇବେ ତାହା ସମ୍ଭବ ନୁହେଁ। ଦଳୀୟ ଶୃଙ୍ଖଳା ବଡ଼ କଥା। ରାଜ୍ୟ ବିଜେପି ନେତାମାନଙ୍କୁ ସାଙ୍ଗରେ ନନେଇ ତାଙ୍କୁ ଯଦି ସିଧାସଳଖ ଜାତୀୟ ନେତାମାନେ ଦିଲ୍ଲୀରେ ମିଶାଇଥାନ୍ତେ ତେବେ ରାଜ୍ୟର ଦଳୀୟ ନେତାମାନେ ମନ ଊଣା କରିଥାନ୍ତେ। ଏସବୁ କଥା ବିଚାର କରି ବୋଧହୁଏ ଅମିତ ଶାହା ପ୍ରଥମ ପର୍ବରେ ଉପସ୍ଥିତ ହେଲେ ନାହିଁ। ଏକଥାର ସତ୍ୟତା ପରୀକ୍ଷିତ ନୁହେଁ। ଓଡ଼ିଶା ରାଜନୀତି ମହଲରେ ଖେଳି ବୁଲୁଥିବା ଅନୁଶୀଳନର ଏହା ଏକ ପାଖ। ତେବେ ବଡ଼ କଥା ହେଉଛି, ନିଜ ବୟାନ ଜରିଆରେ ବିଜେଡି ଅଭିଯୋଗକୁ ବୈଜୟନ୍ତଙ୍କର ସ୍ପଷ୍ଟ ସ୍ବୀକାର। ସେଠାରେ ବୈଜୟନ୍ତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ବିଜୁ ଜନତା ଦଳ ଗଠନ କରାଯିବା ସମୟରେ ସେ ଏକଥା ଭାବୁଥିଲେ। ଦୁଃଖର କଥା ଏଠିକି ଆସିବା ପାଇଁ ୨୨ ବର୍ଷ ଲାଗିଲା। ଏହାର ଅର୍ଥ ସେ ସ୍ପଷ୍ଟ ଭାବେ ଜଣେଇଦେଲେ ଯେ ସେ ବିଜେଡିରେ ଥିଲେ ମଧ୍ୟ ବିଜେପି ପ୍ରତି ତାଙ୍କର ଆନୁଗତ୍ୟ ରହିଥିଲା। ତାଙ୍କର କେତେକ ଲେଖାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରର ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। ତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ଏଇ ଅଭିଯୋଗ କରିଥିଲା। ଜୟ ପଣ୍ଡା ବିଜେଡିର ଖାଇ ବିଜେପିର ଗାଉଥିଲେ ବୋଲି ବିଜେଡି ପ୍ରବକ୍ତାମାନେ ଅଭିଯୋଗ କରୁଥିଲେ। ଏବେ ଜୟ ପଣ୍ଡା ତାଙ୍କର ବୟାନ ଜରିଆରେ ଏହା ପ୍ରମାଣିତ କରିଛନ୍ତି। ଠିକ ସେହିପରି ଗଲା କିଛି ଦିନ ଧରି ସେ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରି ଓଡ଼ିଶା ସରକାରଙ୍କ ଭ୍ରଷ୍ଟାଚାର ଓ ଅପାରଗତା କଥା ଉଠାଉଥିଲେ। ସେ ତାଙ୍କର ଅନେକ ଟୁଇଟ୍‌ରେ ଲେଖୁଥିଲେ ଯେ ଉଭୟ କଂଗ୍ରେସ ଓ ବିଜେପି ନବୀନ ପଟ୍ଟନାୟକଙ୍କ ସହିତ ଭିତିରି ସଂପର୍କରେ ଅଛନ୍ତି। ଚିଟ୍‌ ଫଣ୍ଡ ଦୁର୍ନୀତିର ତଦନ୍ତରେ ସିବିଆଇର ଭୂମିକା ନେଇ ସେ ଅନେକବାର ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ରାଜନୀତିକ ସ୍ତରରେ ଏପରି ଅଭିଯୋଗ ପାଇଁ ମୋଦି ସରକାର ମଧ୍ୟ ସୁଯୋଗ ଦେଇଛନ୍ତି। ସିବିଆଇ ଅଧିକାରୀମାନେ ଉପଯୁକ୍ତ ଢଙ୍ଗରେ ଚିଟ୍‌ ଫଣ୍ଡ ଦୁର୍ନୀତିର ତଦନ୍ତ ନକରିବା ଫଳରେ ବିଜେପି ଓ ନରେନ୍ଦ୍ର ମୋଦି ସରକାର ବଦନାମ ହୋଇଛି। ଦ୍ବିତୀୟ କଥା ହେଲା, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ପରାସ୍ତ କରିବା ପାଇଁ ଓଡ଼ିଶାରେ ଏକ ନୂଆ ଭରସାଯୋଗ୍ୟ ଆଞ୍ଚଳିକ ଦଳର ଆବଶ୍ୟକତା ଅନୁଭବ କରୁଥିଲେ ଅନେକ ବରିଷ୍ଠ ନେତା। ସେମାନଙ୍କ ଯୁକ୍ତି ଅନୁସାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେଡି ଭୋଟ ଅସନ୍ତୁଷ୍ଟ କଂଗ୍ରେସ ଭୋଟ ସିଧାସଳଖ ବିଜେପିକୁ ଯିବର ସମ୍ଭାବନା କମ୍‌। ସେଥିପାଇଁ ଅନ୍ୟ ଏକ ଆଞ୍ଚଳିକ ଦଳର ଉପସ୍ଥିତି ଜରୁରୀ। ଯେପରି ୧୯୯୭ ମସିହାରେ ଜନତା ଦଳକୁ ଦୁର୍ବଳ କରିବା ପାଇଁ ବିଜେଡି ଗଠିତ ହୋଇଥିଲା ଓ ଏହି ଦଳ ପରେ ବିଜେପି ସହିତ ମେଣ୍ଟ ବାନ୍ଧିଥିଲା ଠିକ ସେହିପରି ଭରସାଯୋଗ୍ୟ ନେତାମାନଙ୍କୁ ନେଇ ଏକ ଆଞ୍ଚଳିକ ଦଳ ଗଢ଼ାଯାଇଥିଲେ ସେହି ଦଳରେ ଟିକଟରୁ ବଂଚିତ ଅନେକ ବିଜେଡି ନେତା ଯୋଗଦେବାର ସମ୍ଭାବନା ଥିଲା। ଏହି ଦଳର ପ୍ରାର୍ଥୀମାନେ ମଧ୍ୟ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସର ଭୋଟ ପାଇ ନଜିତିଲେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କୁ ହରାଇବାର ସମ୍ଭାବନା ଥିଲା। ପରେ ଏହି ଦଳ ବିଜେପି ସହିତ ବୁଝାମଣା କରିପାରିଥାନ୍ତା। ଏହି ରାଜନୀତିକ ଅଙ୍କ କଷୁଥିବା ନେତାମାନେ ବୈଜୟନ୍ତଙ୍କ ଉପରେ ଭରସା ରଖିଥିଲେ। ବୈଜୟନ୍ତ ନୂଆ ଦଳ ଗଢ଼ିଥିଲେ ସେଥିରେ ଡାକ୍ତର ଦାମୋଦର ରାଉତ, ବ୍ରଜ ତ୍ରିପାଠୀ, ଖାରବେଳ ସ୍ବାଇଁ ତ ମିଶିବାର ସମ୍ଭାବନା ଥିଲା। ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ମଧ୍ୟ ଏହି ଦଳରେ ଯୋଗଦେବା ଅସମ୍ଭବ ନଥିଲା। ପଞ୍ଚାନନ କାନୁନଗୋ ନୂଆ ଦଳକୁ ଅପେକ୍ଷ କରି କରି କଂଗ୍ରେସରେ ମିଶଗିଲେ। ସେହିପରି ନୂଆ ଦଳକୁ ଅପେକ୍ଷ କରିଥିବା ବିଜେଡିର ଅନେକ ଅସନ୍ତୁଷ୍ଟ ନେତାଙ୍କ ପାଇଁ ଦଳ ଛାଡ଼ିବାର ବାଟ ମଧ୍ୟ ବନ୍ଦ ହୋଇଗଲା। ବିଜେପିରେ ଯୋଗଦେବା ଫଳରେ ବୈଜୟନ୍ତଙ୍କର ବ୍ୟକ୍ତିଗତ ଲାଭ ହୋଇପାରେ। ମାତ୍ର ତାଙ୍କର ଏହି ନିଷ୍ପତ୍ତି ଓଡ଼ିଶାରୁ ନବୀନ ଶାସନ ହଟେଇବାରେ ସହାୟକ ହେବ କି ନାହିଁ ତାହା ଭବିଷ୍ୟତ କହିବ।

Share :