ମୁଣ୍ଡବିକା ସାମ୍ବାଦିକତା!

ମୁଣ୍ଡବିକା ସାମ୍ବାଦିକତା!

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକ ଜୟନ୍ତୀ। ଏହି ଦିନ ବିଜୁ ଜନତା ଦଳର ଲୋକସଭା ସଦସ୍ୟ ତଥାଗତ ସତପଥୀ ଘୋଷଣା କଲେ ଯେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ସେ ତାଙ୍କ ମୂଳ ବୃତ୍ତି ସାମ୍ବାଦିକତା ପ୍ରତି ଧ୍ୟାନ ଦେବେ। ଓଡ଼ିଶାରେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ଅଭାବ ରହିଛି। ସମସ୍ତେ ମୁଣ୍ଡ ବିକି ଦେଇଛନ୍ତି। ତେଣୁ ସେ ଏହା କରିବାକୁ ଚେଷ୍ଟା କରିବେ ବୋଲି ତଥାଗତ କହିଛନ୍ତି। ତଥାଗତ ଯାହା କହିଛନ୍ତି ତାହା ମିଛ ନୁହେଁ। ଓଡ଼ିଶାରେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ହେଉନାହିଁ। ଅନେକ ବର୍ଷ ପୂର୍ବରୁ ଏହା ହରଣଚାଲ୍‌ ହୋଇସାରିଛି। ମୁଖ୍ୟତଃ ରାଜନେତାମାନେ ହିଁ ଓଡ଼ିଶାରେ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ଅଧୋପତନ ପାଇଁ ଦାୟୀ। ସେମାନେ ହିଁ ଓଡ଼ିଶାର ସାମ୍ବାଦିକମାନଙ୍କୁ ନପୁଂସକ କରି ରଖିଛନ୍ତି। ଚାକିରି ଓ ଅନୈତିକ ସହାୟତା ଜରିଆରେ ସେମାନଙ୍କ ମୁଣ୍ଡ କିଣି ନେଇଛନ୍ତି। ଏହା ତଥାଗତବାବୁ ଡେରିରେ ହେଜିଲେ। ତେବେ ଠିକ ହେଜିଲେ। ବିଶ୍ବ ଓ ଦେଶ ସ୍ତରରେ ଯେଉଁ ଉଦ୍ଦେଶ୍ୟ ରଖି ସମ୍ବାଦପତ୍ର ଓ ଗଣମାଧ୍ୟମ ସଂସ୍ଥା ଆରମ୍ଭ ହୋଇଥାଉ ନା କାହିଁକି ଓଡ଼ିଶାରେ କିନ୍ତୁ ମୂଳତଃ ରାଜନୀତିକ ଉଦ୍ଦେଶ୍ୟରେ ଅନେକ ଗଣମାଧ୍ୟମ ସଂସ୍ଥା ଗଢ଼ାଯାଇଛି। ‘ଦୈନିକ ଆଶା’ ଓ ’ସମାଜ’ ସ୍ବାଧୀନତା ପୂର୍ବରୁ ଆରମ୍ଭ ହୋଇଛି। ଏ ଦୁଇ ସଂସ୍ଥା ସେ ସମୟର ଅନ୍ୟାନ୍ୟ ପତ୍ରପତ୍ରିକା ପରି ଜାତୀୟ ସ୍ବାଧୀନତା ସଂଗ୍ରାମର ବାର୍ତ୍ତା ପ୍ରଚାର ପାଇଁ ଉଦ୍ଦିଷ୍ଟ ଥିଲା। ଏହା ସହିତ ଘଟଣା ଓ ଦୁର୍ଘଟଣା ସମେତ ଆଞ୍ଚଳିକ ସ୍ତରର ଜନ ସମସ୍ୟା ସଂପର୍କରେ ମଧ୍ୟ ଲୋକମାନଙ୍କୁ ଖବର ଦେବା ଏ ଦୁଇ ସଂସ୍ଥାର ଉଦ୍ଦେଶ୍ୟ ଥିଲା। ତେବେ ଦୈନିକ ଆଶାର ପ୍ରତିଷ୍ଠାତା ଶଶିଭୂଷଣ ରଥ ମଧ୍ୟ ଜଣେ ରାଜନେତା ଓ ବ୍ୟବସାୟୀ ଥିଲେ। ସେ ବ୍ରହ୍ମପୁର ପୌରପାଳିକାର ଉପାଧ୍ୟକ୍ଷ ଥିଲେ। ପରେ ସେ ମାନ୍ଦ୍ରାଜ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀରେ ମଧ୍ୟ ସେ କିଛି କାଳ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଠିକ ସେହିପରି ‘ସାମଜ’ର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ କଂଗ୍ରେସ ଦଳ ଜଡ଼ିତ ଥିଲେ। ସେ ସ୍ବାଧୀନତା ସଂଗ୍ରାମ ସହିତ ସମାଜସେବାରେ ଜଡ଼ିତ ଥିଲେ। ଓଡ଼ିଶାର ଶିକ୍ଷା ଓ ସାହିତ୍ୟ ପ୍ରସାରଣ ସହିତ ଜାତୀୟ ମୁଖ୍ୟସ୍ରୋତରେ ଓଡ଼ିଶାକୁ ସାମିଲ କରିବା ଦିଗରେ ସେ ତ୍ୟାଗପୂର୍ଣ୍ଣ ଉଦ୍ୟମ ଅବ୍ୟାହତ ରଖିଥିଲେ। ‘ପ୍ରଜାତନ୍ତ୍ର’ର ପ୍ରତିଷ୍ଠାତା ଡକ୍ଟର ହରେକୃଷ୍ଣ ମହତାବ ସ୍ବାଧୀନତା ସଂଗ୍ରାମୀ ଓ କଂଗ୍ରେସ ନେତା ଥିଲେ। ଓଡ଼ିଶାରେ କଂଗ୍ରେସର କର୍ଣ୍ଣଧାର ଗୋପବନ୍ଧୁ ଦାସଙ୍କର ସମାଜ ନିୟମିତ ପ୍ରକାଶ ପାଉଥିଲେ ହେଁ ହରେକୃଷ୍ଣ ମହତାବ କାହିଁକି ପ୍ରଜାତନ୍ତ୍ର ପ୍ରକାଶ କଲେ ତାହାର ଉଦ୍ଦେଶ୍ୟ ଅଜଣା ନୁହେଁ। ଡକ୍ଟର ମହତାବଙ୍କର ଅନ୍ୟତମ ରାଜନୀତିକ ଶିଷ୍ୟ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ‘କଳିଙ୍ଗ’। ସେ ଥିଲେ ପ୍ରଖ୍ୟାତ ରାଜନେତା ଓ ଶିଳ୍ପପତି। ତାଙ୍କ ସହଯୋଗୀ ବୀରେନ ମିତ୍ର ମଧ୍ୟ ପ୍ରତିଷ୍ଠା କରିଥିଲେ ‘ଜନଶକ୍ତି’ ନାମରେ ଏକ ଖବରକାଗଜ। ତଥାଗତବାବୁଙ୍କ ‘ଧରିତ୍ରୀ’ ଆତ୍ମପ୍ରକାଶ କଲାବେଳେ ତାଙ୍କର ମାତା ନନ୍ଦିନୀ ଶତପଥୀ ଓଡ଼ିଶା କଂଗ୍ରେସର ପ୍ରଭାବଶାଳୀ ନେତ୍ରୀ। ମୁଖ୍ୟମନ୍ତ୍ରୀ ଥିଲାବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ ଜ୍ବାଇଁ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜରିଆରେ ପ୍ରତିଷ୍ଠା କରିଥିଲେ ‘ସମ୍ବାଦ’। ଏକଦା ଜାନକୀବାବୁଙ୍କ ଘନିଷ୍ଠ ସହଯୋଗୀ ଥିବା ବସନ୍ତ ବିଶ୍ବାଳ ମଧ୍ୟ ‘ସମୟ’ ନାମରେ ଏକ ଦୈନିକ ଆରମ୍ଭ କରିଥିଲେ। ଏସବୁ ଖବରକାଗଜର ଉଦ୍ଦେଶ୍ୟ କ’ଣ ଥିଲା? ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ନା ରାଜନୀତିକ ଓ ବ୍ୟାବସାୟିକ ସ୍ବାର୍ଥର ବିକାଶ ଓ ସୁରକ୍ଷା। ଏବେକା ଓଡ଼ିଶାର ଗଣମାଧ୍ୟମ ସଂସ୍ଥାଗୁଡ଼ିକର ମାଲିକ, ଅଂଶୀଦାର ଓ ସଂପାଦକମାନେ ମଧ୍ୟ ଭିନ୍ନଭିନ୍ନ ରାଜନୀତିକ ଦଳ ବା ଶିଳ୍ପୋଦ୍ୟୋଗ ସହିତ ସଂପୃକ୍ତ। ଓଡ଼ିଶାର ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ବ ସୌମ୍ୟରଂଜନ ପଟ୍ଟନାୟକ ଏବେ ବିଜେଡି ସାଂସଦ। ତାଙ୍କର ସମ୍ବାଦ ଓ କନକଟିଭି କେତେ ନିରପେକ୍ଷ ଓ କେତେ ପରିମାଣରେ ରାଜନୀତିକ ପକ୍ଷଭୁକ୍ତ ଲୋକେ ତାହା ବିଚାର କରିବେ। କଳିଙ୍ଗଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ। ବର୍ଷକ ତଳ ପର୍ଯ୍ୟନ୍ତ ଓଟିଭି ପ୍ରତିଷ୍ଠାତା ଜାଗୀ ମଙ୍ଗତ ପଣ୍ଡାଙ୍କ ସ୍ବାମୀ ବୈଜୟନ୍ତ ପଣ୍ଡା ଥିଲେ ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ସଦସ୍ୟ। ୨୦୧୯ ମାର୍ଚ୍ଚ ୪ ତାରିଖରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପ୍ରଜାତନ୍ତ୍ରର ସଂପାଦକ ଭର୍ତ୍ତୃହରି ମହତାବ ପ୍ରଥମ କଂଗ୍ରେସରେ ଥିଲେ, ଦୁଇ ଦଶନ୍ଧି ହେଲାଣି ବିଜେଡିରେ, ଏବେ କଟକ ଲୋକସଭା ସଦସ୍ୟ। ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଜନତା ପାର୍ଟିର ସାଂସଦ ଥିଲେ। ପ୍ରମେୟ ଓ ନ୍ୟୁଜ୭ର ପ୍ରତିଷ୍ଠାତା ମନୋଜ ନାୟକ ଏଯାଏଁ କୌଣସି ରାଜନୀତିକ ଦଳରେ ଯୋଗ ଦେଇନାହାନ୍ତି। ତେବେ ତାଙ୍କର ବ୍ୟାବସାୟିକ ସ୍ବାର୍ଥ ବିଷୟରେ କାହାକୁ ଅଛପା ନାହିଁ। ତାଙ୍କ ଉଦ୍ୟୋଗରେ ଚାଲିଛି ସୋଆ ବିଶ୍ବବିଦ୍ୟାଳୟ ଓ ସମ୍‌ ହସ୍ପିଟାଲ। ଓଡ଼ିଶା ଗଣମାଧ୍ୟମର ତୁଙ୍ଗ ବ୍ୟକ୍ତିତ୍ବମାନଙ୍କ ମଧ୍ୟରୁ ସୌମ୍ୟରଂଜନ, ଅଚ୍ୟୁତ ସାମନ୍ତ, ମନୋଜ ନାୟକ ପ୍ରମୁଖ ବିଭିନ୍ନ ବ୍ୟବସାୟ ସହିତ ସଂପୃକ୍ତ। ସେହିପରି ନିତିଦିନ ଓ ନକ୍ଷତ୍ର ପରି ରାଜ୍ୟର ଅନେକ ଛୋଟଛୋଟ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ମଧ୍ୟ ବିଭିନ୍ନ ବ୍ୟବସାୟ ସହିତ ସଂପୃକ୍ତ। ରାଜନୀତି ଓ ବ୍ୟବସାୟ ସହିତ ସଂପର୍କ ରଖିଥିବା କୌଣସି ଗଣମାଧ୍ୟମ ସଂସ୍ଥା ସଂପୂର୍ଣ୍ଣ ନିର୍ଭୀକ ଓ ନିରପେକ୍ଷ ହୋଇପାରିବେ ନାହିଁ। ଏହା ଏକ କଠୋର ବାସ୍ତବତା। ଆର୍ଥନୀତିକ ଓ ବ୍ୟାବସାୟିକ କାରଣରୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଶାସକ ଗୋଷ୍ଠୀ ଓ କର୍ପୋରେଟ୍‌ ସଂସ୍ଥାମାନଙ୍କ ସହିତ ବୁଝାମଣା କରିଥାନ୍ତି। ଅଧୁନାତନ ଓଡ଼ିଶାରେ ଏହି ସମସ୍ୟା ଟିକେ ଅଧିକ ଉତ୍କଟ। ଏହି ପରିପ୍ରେକ୍ଷୀରେ ତଥାଗତ ସତପଥୀ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ନହୋଇ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ବ ଦେବାକୁ ଯେଉଁ ଘୋଷଣା କରିଛନ୍ତି ତାହାକୁ ସେ କେତେଦୂର କାର୍ଯ୍ୟକାରୀ କରିବେ ବା କରିପାରିବେ ତାହା ଭବିଷ୍ୟତ କହିବ। କିନ୍ତୁ ତାଙ୍କର ଏହି ସାହସ ପ୍ରଦର୍ଶନ ନିଶ୍ଚୟ ଧନ୍ୟବାଦାର୍ହ। ତାଙ୍କର ବକ୍ତବ୍ୟ ଓଡ଼ିଆ ସାମ୍ବାଦିକତାର ଅସଲ ପରିଚୟ ପଦାରେ ପକେଇଦେଇଛି। ଯଦି ତଥାଗତଙ୍କର ବକ୍ତବ୍ୟକୁ ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଭୁଲ ବୋଲି ଭାବୁଥିବେ ତେବେ ନିଶ୍ଚୟ ସେମାନେ ମିଳିତ ଭାବେ ତଥାଗତଙ୍କ ବୟାନକୁ ଖଣ୍ଡନ କରିବେ ଓ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ପ୍ରଦର୍ଶନ କରିବେ। କିନ୍ତୁ ଯଦି ସମସ୍ତେ ନୀରବ ରହିବେ ତେବେ ଏହା ନିଶ୍ଚୟ ସାବ୍ୟସ୍ତ ହେବ ଯେ ତଥାଗତବାବୁ ଯାହା କହିଲେ ତାହା ହିଁ ସତ୍ୟ- ଓଡ଼ିଶାରେ ‘ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା’ ଗରିବୀ ହଟାଓ ପରି କେବଳ ଏକ ସ୍ଲୋଗାନ, ଓଡ଼ିଶାରେ ସମସ୍ତ ସାମ୍ବାଦିକ ମୁଣ୍ଡ ବିକି ସାରିଛନ୍ତି!

Share :