ବିଜୁ ଯୁବ ବାହିନୀର ଚାଷୀ ବିରୋଧୀ ଗୁଣ୍ଡାଗିରି!

ବିଜୁ ଯୁବ ବାହିନୀର ଚାଷୀ ବିରୋଧୀ ଗୁଣ୍ଡାଗିରି!

Share :

ପ୍ରମୁଖ ପ୍ରତିନିଧି ରାଜ୍ୟ ସରକାର ଚାଷୀ ଆନ୍ଦୋଳନ ବିରୋଧରେ ବିଜୁ ଗୁଣ୍ଡା ବାହିନୀ ଓ ସରକାରୀ ଗୁଣ୍ଡା ବାହିନୀ (ପୋଲିସ୍) ଲଗାଇ ଦେଇଛନ୍ତି। ବିଜୁ ଯୁବ ବାହିନୀକୁ ବିଜୁ ଗୁଣ୍ଡା ବୋଲି ଯେଉଁ ଆରୋପ ସାଧାରଣରେ ହେଉଥିଲା ସେକଥା ବରୀ ନିର୍ବାଚନ ମଣ୍ଡଳୀରେ କାମରେ ବିଜୁ ଯୁବ ବାହିନୀ କରି ଦେଖାଇଦେଇଛି। ଏକଥା ଅଭିଯୋଗ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ଏକ ସାମ୍ବାଦିକ ସମ୍ମିଳନୀରେ କୁମାର କହିଛନ୍ତି ଯେ ବରୀ ବିଧାୟକ ଏକ କାର୍ଯ୍ୟକ୍ରମରେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଗଲାବେଳେ ‘ଚାଷୀଙ୍କୁ ରାଜଧାନୀ ମନା ତ ନେତାଙ୍କୁ ଗାଁ ମନା’ ଡ଼ାକରା ଅନୁଯାୟୀ ଅଲିଆବାଦ ଗ୍ରାମରେ ନବ ନିର୍ମାଣ ସଂଗଠନର କର୍ମକର୍ତ୍ତାମାନେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିଥିଲେ। ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମୟରେ ସଂଗଠନର ବ୍ଲକ ସଂଯୋଜକ ମାଧବଶାନ୍ତିଙ୍କ ମୁଣ୍ଡକୁ ପଥରରେ ବିଜୁ ଗୁଣ୍ଡାମାନେ ଛେଚି ଦେଇଥିଲେ। ଏଥିରେ ମାଧବଶାନ୍ତି ଘଟଣାସ୍ଥାଳରେ ଅଚେତ ହୋଇପଡ଼ିଥିଲେ। ଏହାପରେ ହଳଦିଆ ଗଞ୍ଜିପଦା ଯୁବ ବାହିନୀର ଏହି ଗୁଣ୍ଡାବାହିନୀ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବିଧାୟକ ଏବଂ ପୁଲିସର ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ ନୀରବ ରହିଛି। ପୋଲିସ୍ ଆଇନ୍ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ବିଫଳ ହେଲାବେଳେ ଶାସକ ଦଳର ହାତବାରିସି ହୋଇ ସରକାରୀ ଗୁଣ୍ଡାବାହିନୀର ଭୂମିକା ନିଭାଉଛି। ସେହିପରି ଫେବୃଆରୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ବିଜୁ ଯୁବ ବାହିନୀର ଏକ ସମାବେଶକୁ ସମ୍ୱୋଧିତ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନଥିବା ତାଙ୍କର ବ୍ୟାରିକେଡ଼ ପାଖରେ ନବ ନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ଓ ସାଇପ୍ରସାଦ ପଲେଇଙ୍କ ନେତୃତ୍ୱରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସମୟରେ କୌଣସି ହିଂସାତ୍ମକ କାଣ୍ଡ ସଂଗଠନ ତରଫରୁ ପ୍ରଦର୍ଶନ କରାଯାଇନଥିବା ବେଳେ ଖୋର୍ଦ୍ଧାରେ ପୋଲିସ୍ ଅମାନୁଷିକ ଭାବେ ମନୱର ଅଲ୍ଲୀ, ସାଇପ୍ରସାଦ ପଲେଇ, ରଞ୍ଜନ କୁମାର ଓ ଅନ୍ୟ ସହଯୋଗୀଙ୍କ ଉପରେ ଅମାନୁଷିକ ଆକ୍ରମଣ କରିବା ଦ୍ୱାରା ସାଇ ପ୍ରସାଦ ପଲେଇ ଆଘାତପ୍ରାପ୍ତ ହୋଇଛନ୍ତି। ଲୋକଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ ତାର ପ୍ରାଥମିକ କାର୍ଯ୍ୟକୁ ଗୁରୁତ୍ୱ ନଦେଇ ଚାଷୀମାନଙ୍କର ନ୍ୟାୟିକ ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ ଦାବିର ଆନ୍ଦୋଳନକୁ ଦମନ କରିବାର ଦାୟିତ୍ୱ ନେଇଛି ବୋଲି ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ଶ୍ରୀ କୁମାର କହିଛନ୍ତି ଯେ, ଗୋଟେ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କ ବାକ୍ ସ୍ୱାଧୀନତା ଓ ସ୍ୱାଧୀନଭାବେ ମତବ୍ୟକ୍ତ କରିବାର ଅଧିକାର ରହିଛି। ମାତ୍ର ଓଡ଼ିଶା ରାଜ୍ୟରେ ଧାରା ୧୯ର କୌଣସି ଅସ୍ତିତ୍ୱ ନାହିଁ। ଆଗରୁ ପୋଲିସ୍ ଆନ୍ଦୋଳନକୁ ଦବନ କରିବା ପାଇଁ କେବଳ ମିଥ୍ୟା ମକଦ୍ଦମା ଓ ଗିରଫଦାରୀ କରୁଥିଲା ବେଳେ ଏବେ ଆନ୍ଦୋଳନକାରୀ ନେତା ଓ କର୍ମୀଙ୍କୁ ପୋଲିସ୍ ଓ ବିଜୁ ଗୁଣ୍ଡାବାହିନୀ ଆକ୍ରମଣ କରିବା ସଭ୍ୟ ସମାଜରେ ଲଜ୍ଜାଜନକ ଓ ବେଦନାଦାୟକ। ସରକାରୀ ଗୁଣ୍ଡାବାହିନୀ ଓଡ଼ିଶା ପୋଲିସ୍ ଓ ବିଜୁ ଯୁବ ବାହିନୀ ଯଦି ଏଭଳି ମାରାତ୍ମକ କାର୍ଯ୍ୟରୁ ନିବୃତ୍ତ ନରୁହନ୍ତି, ତେବେ ଆଗାମୀ ଦିନରେ ଉତ୍ପନ୍ନ ପରିସ୍ଥିତି ପାଇଁ ଦାୟୀ ରହିବେ। ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ ନିରସ୍ତ୍ର ଆନ୍ଦୋଳନକାରୀଙ୍କୁ ଯେଉଁଭଳି ଭାବରେ ଖୋର୍ଦ୍ଧାର ପୋଲିସ୍ମାନେ ପିଟିଛନ୍ତି ଏହା ପୁରୁଣା ବ୍ରିଟିଶ ପୋଲିସ୍ର ଆଚରଣକୁ ମନେ ପକାଇଦେଇଛି। ସେହିଭଳି କୃଷକ ସମାବେଶ ପୂର୍ବରୁ ସବୁଆଡେ଼ କୃଷକମାନଙ୍କୁ ଆଗୁଆ ଗିରଫଦାରୀ କରିବା ଓ ଯୁବ ସମାବେଶରେ ଯୁବକମାନଙ୍କୁ ପୋଲିସ୍ ଲଗାଇ ବାଡେ଼ଇବା ପ୍ରକୃତରେ ଆମ ରାଜ୍ୟ ସରକାରଙ୍କ କୃଷକ ଓ ଯୁବକାମନଙ୍କ ଉପରେ ଥିବା ମନୋଭାବକୁ ପଦାରେ ପକାଇଦେଇଛି। ନବ ନିର୍ମାଣ ଯୁବଛାତ୍ର ସଂଗଠନରରେ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ କହିଛନ୍ତି ଯେ, ପୋଲିସ୍ ଆକ୍ରମଣରେ ଆମର ଯୁବଛାତ୍ର ସଂଗଠନ କର୍ମୀ ଡ଼ରିଯିବେ ନାହିଁ। ପୋଲିସ୍ର ଏକତରଫା ଗୁଣ୍ଡାଗିରି ବିରୁଦ୍ଧରେ ଆଗାମୀ ଦିନରେ ଖୋର୍ଦ୍ଧା ମାଟିରେ ଜବାବ ଦିଆଯିବ। ଯଦି ପୋଲିସ୍ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତେବେ ଆଗାମୀ ଦିନରେ ବରୀ ଓ ଖୋର୍ଦ୍ଧା ଥାନା ଯଥାକ୍ରମେ ୫ ଓ ୬ ତାରିଖରେ ହଜାର ହଜାର ସଂଖ୍ୟାରେ ଚାଷୀ ଓ ଯୁବକମାନେ ଘେରାଉ କରିବେ ବୋଲି ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ଓ ଉମାକାନ୍ତ ଭାରତ ସୂଚନା ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରୀ ବ୍ଲକ ସଂଯୋଜକ ମାଧବ ଶାନ୍ତି, ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ସାଇ ପ୍ରସାଦ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।

Share :