ବିଜେଡି ନେତାଙ୍କ କବ୍ଜାରେ ପୁଲିସ ପ୍ରଶାସନ!

ବିଜେଡି ନେତାଙ୍କ କବ୍ଜାରେ ପୁଲିସ ପ୍ରଶାସନ!

Share :

ପ୍ରମୁଖ ପ୍ରତିନିଧି ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସୁପାରିଶ ଭିତ୍ତିରେ ରାଜ୍ୟରେ ପୋଲିସ୍ ଅଧିକାରୀଙ୍କର ବିଭିନ୍ନ ଥାନା ଏବଂ ଜିଲ୍ଲାରେ ନିଯୁକ୍ତି ବା ବଦଳି ହୋଇଥିବାର ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ଲୋକଲୋଚନକୁ ଆସିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ବିଜେଡି ଶାସନରେ ପୁଲିସ ବିଭାଗରେ ରାଜନୀତିକ ହସ୍ତକ୍ଷେପ ରହିଛି ଓ ପୁଲିସ ଆଇନ ଅନୁସାରେ କାମ କରିବା ପରିବର୍ତ୍ତେ ନେତାଙ୍କ କଥାରେ କାମ କରୁଛି। ଓଡ଼ିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ତଥା ସୂଚନାଧିକାର କର୍ମୀ ବିଶ୍ୱଜିତ୍ ମହାନ୍ତି ୨୦୧୫ ମସିହାରେ ପୋଲିସ୍ ଅଫିସରମାନଙ୍କ ନିଯୁକ୍ତି ଏବଂ ବଦଳି ସମ୍ପର୍କରେ ଗୃହ ବିଭାଗକୁ ତଥ୍ୟ ମାଗିଥିଲେ। କିନ୍ତୁ ପୋଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଏହି ତଥ୍ୟ ଦେବାକୁ ମନା କରିଦେଇଥିଲେ। ଏହାପରେ ଶ୍ରୀ ମହାନ୍ତି ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା କମିଶନର ଏହି କେସ୍ର ଶୁଣାଣି କରି ଜନ ସୂଚନା ଅଧିକାରୀଙ୍କୁ ତୁରନ୍ତ ସୂଚନା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ୍ ମହାନିର୍ଦ୍ଦେଶକକଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୧.୫.୨୦୧୫ରୁ ୧୫.୧୨.୨୦୧୬ ମଧ୍ୟରେ ବିଭିନ୍ନ ଥାନାର ଥାନା ଅଧିକାରୀ, ଡ଼ିଏସ୍‌, ଅତିରିକ୍ତ ଏସ୍‌ପି ଏବଂ ଓଏସ୍‌ଏପି ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡରଙ୍କର ବଦଳି ପାଇଁ ରାଜନେତାମାନଙ୍କଠାରୁ ୮୧ଟି ସୁପାରିଶ କରାଯାଇଥିଲା। ଏହା ମଧ୍ୟରୁ ଅଣ ବିଜେଡ଼ି ଦଳର ୫ ଜଣ ନେତା ପୋଲିସ୍ ଅଫିସରଙ୍କର ବଦଳି ଏବଂ ନିଯୁକ୍ତି ପାଇଁ ଚିଠି ଲେଖିଥିଲେ। ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି କେବଳ ୭ଟି ଚିଠି ଲେଖିଥିଲେ। ଏହା ବ୍ୟତୀତ ବିଜେଡ଼ିର ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ୭୧ଟି ଚିଠି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦେଇଛନ୍ତି। ସେହିପରି ୨୧.୬.୨୦୧୭ରୁ ୧୨.୧୨.୨୦୧୮ ମଧ୍ୟରେ ଶାସକ ଦଳର ବିଧାୟକ, ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ପୋଲିସ୍ ଅଫିସରଙ୍କ ବଦଳି ପାଇଁ ସମୁଦାୟ ୮୨ଟି ଚିଠି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦେଇଥିଲେ। ତିର୍ତ୍ତୋଲ ବିଧାୟିକା ଡଃ ରାଜଶ୍ରୀ ମଲ୍ଲିକ ପାରାଦ୍ୱୀପରେ ଏସ୍ଡ଼ିପିଓ ଭାବେ ଜଣେ ପୋଲିସ୍ ଅଫିସରଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ। ଉକ୍ତ ପୋଲିସ୍ ଅଫିସରଙ୍କ ନାମରେ ଭିଜିଲାନ୍ସ କେସ୍ ଥିବାବେଳେ ଡକ୍ଟର ମଲ୍ଲିକ ତାଙ୍କୁ ଦକ୍ଷ ପୋଲିସ୍ ଅଫିସର ଏବଂ ସେ ବହୁତ ମେଡ଼ାଲ ପାଇଛନ୍ତି ବୋଲି ତାଙ୍କ ସୁପାରିଶରେ ଯୁକ୍ତି ବାଢିଥିଲେ। ସେହିପରି ଓଏସ୍ଏପି ବାଟାଲିୟନରେ ମଧ୍ୟ ନିଯୁକ୍ତି ଏବଂ ବଦଳିରେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକମାନେ ହସ୍ତକ୍ଷେପ କରିଛନ୍ତି। ୮.୫.୨୦୧୫ରୁ ୨୦.୬.୨୦୧୭ ମଧ୍ୟରେ ବିଜେଡ଼ିର ମନ୍ତ୍ରୀ, ବିଧାୟକ ଏବଂ ଏମ୍ପିମାନେ ୫୭ଟି ସୁପାରିଶ ପଠାଇଛନ୍ତି। ଏଥିମଧ୍ୟରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ସମୁଦାୟ ୧୧ଟି ଚିଠି ଲେଖି ବାଟାଲିୟନର ବିଭିନ୍ନ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ଏବଂ ନିଯୁକ୍ତି ପାଇଁ ଚିଠି ଲେଖିଛନ୍ତି। ବିଜୟଶ୍ରୀ ରାଉତରାୟ, ପ୍ରଫୁଲ୍ଲ ମଲ୍ଲିକ ଏବଂ ପ୍ରଦୀପ ମହାରଥୀ ପ୍ରମୁଖ ୩୨ ଜଣ ମନ୍ତ୍ରୀ ମଧ୍ୟ ବଦଳି ପାଇଁ ଅନେକ ଚିଠି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଲେଖିଛନ୍ତି। ପୋଲିସ୍ ଅଧିକାରୀମାନଙ୍କ ନିଯୁକ୍ତିରେ ଶାସକ ଦଳର ବିଧାୟକ ଏବଂ ମନ୍ତ୍ରୀମାନଙ୍କର ଅଯଥା ହସ୍ତକ୍ଷେପ ଯୋଗୁଁ ଅନେକ ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ପୋଲିସ୍ ପ୍ରଶାସକ ମୁକାବିଲା କରିବାରେ ସମର୍ଥ ହୋଇପାରି ନାହିଁ। ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କେଉଁଝର ଜିଲ୍ଳାରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପଜ୍ଜନକ ଅବସ୍ଥାରେ ପହଞ୍ଚିବା ସମ୍ପର୍କରେ ଉଲ୍ଲେଖ କରି ୨୩.୨.୧୮ରେ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ, ପୋଲିସ୍ ଦୋଷୀମାନଙ୍କୁ ବର୍ଷ ବର୍ଷ ଧରି ଗିରଫ କରୁନାହାଁନ୍ତି। କଳାଟଙ୍କାର ବ୍ୟାପକ ପ୍ରସାର ଯୋଗୁଁ ଅସାମାଜିକ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସାଧାରଣ ଲୋକ ସୁରକ୍ଷିତ ନୁହଁନ୍ତି। ଏହା ସହିତ ସେ ଜଣେ ପୋଲିସ୍ ଅଧିକାରୀଙ୍କୁ ଏସ୍ଡ଼ିପିଓ ଭାବେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ। ରାଜ୍ୟରେ ପୋଲିସ୍ କାର୍ଯ୍ୟକଳାପ ବା ପୋଲିସ୍ ତଦନ୍ତ କେତେ ଦୟନୀୟ ସ୍ଥିତିରେ ପହଞ୍ଚିଛି, ତାହା ନିମ୍ନମତେ ପ୍ରଦାନ କରାଗଲା। ୨୦୧୫ ମସିହାରେ ୨,୨୮୬ଟି ନାରୀ ଧର୍ଷଣ ଉପରେ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୮୦୫ ଟି ଅଭିଯୋଗ ବିଚାରାଧୀନ ଥିଲା। ସେହିପରି ୧,୪୭୩ଟି ହତ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୬୯୮ଟି ଅଭିଯୋଗ ଚାଲୁ ରହିଥିଲା। ସେହିପରି ୨୦୧୬ ମସିହାରେ ୨,୧୪୪ଟି ନାରୀ ଧର୍ଷଣ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୭୯୪ଟି ବିଚାରାଧୀନ ଥିଲା ଏବଂ ୧,୩୨୮ଟି ହତ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ୬୭୪ଟି ବିଚାରାଧୀନ ଥିଲା। ୨୦୧୭ ମସିହାରେ୨,୨୧୨ଟି ନାରୀ ଧର୍ଷଣ ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୮୨୦ଟି ଚାଲୁ ରହିଥିଲା ଓ ୨୦୧୮ ମସିହାରେ ୧, ୨୬୭ଟି ହତ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୬୨୪ଟି ତଦନ୍ତ ଚାଲୁରହିଛି। ରାଜ୍ୟରେ ପୋଲିସ୍ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ୨୦୧୫ ଏବଂ ୨୦୧୬ରେ ରାଜ୍ୟରେ ପୋଲିସ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪୨୨ ଅପରାଧୀ ଏବଂ ୨୭୫ ଧର୍ଷଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଥିଲା। ତଥ୍ୟ ଅନୁଯାୟୀ ୨୦୧୬ରେ ଦେଶରେ ମହିଳାଙ୍କ ବିରୁଦ୍ଧରେ ନିର୍ଯ୍ୟାତନାରେ ଓଡ଼ିଶା ତୃତୀୟ ପ୍ରମୁଖ ରାଜ୍ୟ ଭାବେ ସ୍ଥାନ ପାଇଥିଲା। ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ସଂହିତା ନିୟମାବଳୀ ୧୯୫୯ର ୨୩ ଧାରା ଅନୁଯାୟୀ ‘କୌଣସି ସରକାରୀ କର୍ମଚାରୀଙ୍କର ବଦଳି, ନିଯୁକ୍ତି ଏବଂ ପଦୋନ୍ନତି ପାଇଁ କୌଣସି ସରକାରୀ ବା ବେସରକାରୀ ବ୍ୟକ୍ତି ପ୍ରଭାବ ପକାଇ ପାରିବେ ନାହିଁ। କିନ୍ତୁ ଏହି ନିୟମାବଳୀରେ ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ଏବଂ କୌଣସି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ସୂଚନାଧିକାର କର୍ମୀମାନେ ଅଭିଯୋଗ କରିଥିଲେ। ତେଣୁ ପୋଲିସ୍ ଅଧିକାରୀମାନଙ୍କ ନିଯୁକ୍ତି ଏବଂ ବଦଳି ରାଜନୈତିକ ପ୍ରଭାବରୁ ମୁକ୍ତ କରି ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ନିଯୁକ୍ତି ଦେବାକୁ ଓସା ତରଫରୁ ଦାବୀ ହୋଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ ତଥା ସୂଚନାଧିକାର କର୍ମୀ ବିଶ୍ୱଜିତ୍ ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ ଏବଂ ଅଶୋକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Share :