ଧର୍ମପଦ ଗାଁକୁ ପୋଲ କେବେ?

ଧର୍ମପଦ ଗାଁକୁ ପୋଲ କେବେ?

Share :

ରାଜ୍ୟ ସରକାର କୋଣାର୍କ ପାଖ ନଦୀରେ ପୋଲ ବନାଇ ପାରୁନାହାନ୍ତି। ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାପାଇଁ ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି। ୧୯ ବର୍ଷର ଶାସନରେ ଧର୍ମପଦ ଗାଁରେ ପୋଲ ହୋଇପାରିନାହିଁ। ଯିଏ ଲୋକଙ୍କ ଗମନାଗମନ ପାଇଁ ପୋଲଟିଏ କରିପାରେ ନାହିଁ, ସମୁଦ୍ର କୂଳର ଆବର୍ଜନାକୁ ସଫା କରିପାରୁନାହିଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପାରଗତା ଓ ସ୍ଥାଣୁତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ପୁରୀ ଜିଲ୍ଲା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କଳାପାହାଡ଼ର ସମ୍ପର୍କ ଓଡ଼ିଶା ସହ ଯୋଡ଼ିହୋଇ ରହିଛି। ଓଡ଼ିଆ ସଭ୍ୟତା ସଂସ୍କୃତିକୁ ଭୂଲୁଣ୍ଠିତ କରିବା ପାଇଁ କଳାପାହାଡ଼ ଅପଚେଷ୍ଟା କରିଥିଲା। ସେହିପରି ଆଜି ମଧ୍ୟ ଦଳେ କଳା ପାହାଡ଼ ସେଭଳି ଭାବେ ଓଡ଼ିଶାର ସଭ୍ୟତା ଓ ସଂସ୍କୃତିକୁ ଭୂଲୁଣ୍ଠିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ନବକଳେବର ପାଇଁ ନରେନ୍ଦ୍ର ମୋଦି ସରକାର ୫୦ କୋଟି ଟଙ୍କା ପୁରୀର ବିକାଶ ପାଇଁ ଦେଇଥିଲେ। ଘର, ପାଇଖାନା, ଏଲପିଜି ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ, ବିମାନ ସେବା, ରେଳ ଓ ଓଡ଼ିଶାକୁ ମୋଦି ପ୍ରାଥମିକତା ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଯେଉଁ ସହଯୋଗର ଦାୟିତ୍ୱ ଦେବାକଥା ତାହା ଦେଉନାହାନ୍ତି। ନରେନ୍ଦ୍ର ମୋଦି ସରକାର ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରି ଏ ଅଂଚଳରେ ତଟ ରାଜପଥ କରିବାର ବ୍ୟବସ୍ଥା କଲେ। ମାତ୍ର ରାଜ୍ୟ ସରକାର ତାହାକୁ ବିରୋଧ କରୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ନବୀନ ବାବୁ ବିଚିତ୍ର ବ୍ୟବସ୍ଥାରେ ବିଚାରକୁ ନେଇଯାଇଛନ୍ତି। ପ୍ରତିଦିନ ସୈନିକମାନଙ୍କ ପାଇଁ ଟ୍ୱିଟ୍ କରୁଛନ୍ତି। ମାତ୍ର ତାଙ୍କ ବିଧାୟକ ଶହୀଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ତଈଟିଆ ମାରି ଫୁଲମାଳ ଦେଉଥିବା ଗଣମାଧ୍ୟମ ଦେଖାଇଲା। ଏହା ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଲା। ଏହାସତ୍ତ୍ବେ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁଲ ମାଗିଲେ ନାହିଁ। ଶସ୍ତାରେ ନାଁ ନେବାରେ ମୁଖ୍ୟମନ୍ତ୍ରୀ ପାରଙ୍ଗମ। ସ୍ୱାମୀ ପଛେ ମରୁ ସଉତୁଣୀ ବିଧବା ହେବା ଦରକାର। ଓଡିଆମାନେ’ ଦୁଃଖ, କଷ୍ଟରେ ରୁହନ୍ତୁ କିନ୍ତୁ ନରେନ୍ଦ୍ର ମୋଦିଙ୍କ ପ୍ରଦତ୍ତ ସୁବିଧା ଓଡିଶାରେ ଲାଗୁ କରିବେ ନାହିଁ ଏହି ମନୋବୃତ୍ତିରେ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି।

Share :