ଆତଙ୍କବାଦ ବିପକ୍ଷରେ ସମ୍ମିଳିତ ଯୁଦ୍ଧଘୋଷଣା ଜରୁରୀ

ଆତଙ୍କବାଦ ବିପକ୍ଷରେ ସମ୍ମିଳିତ ଯୁଦ୍ଧଘୋଷଣା ଜରୁରୀ

ମାୟାଧର ନାୟକ ୨୦୧୯ର ଆସନ୍ନ ନିର୍ବାଚନୀ ଆବହାୱାର ଉଷୁମ୍ ହାୱାକୁ ହେମାଳ କରିଦେଇ ଯେତେବେଳେ ଜମ୍ମୁକାଶ୍ମୀରକୁ ପୁଲୱାମା ଆତଙ୍କୀ ଆକମଣର ଅତର୍କିକତା, ଭୂସ୍ୱର୍ଗରୁ ପରିଣତ କରାଇଦେଲା ବିଭାଷିକାମୟ ଏକ ନଷ୍ଟସ୍ୱର୍ଗରେ, ଯେତେବେଳେ ସାରାଭାରତ ସ୍ତବ୍ଧ। ତାରିଖଟା ଥିଲା ଫେବୃଆରୀ ୧୪... ଆତଙ୍କୀ ଆକ୍ରମଣ ଥିଲା ଅଚିନ୍ତନୀୟ ଭାବରେ ଅଭାବିତ- ଗୋଟାଏ ବିସ୍ଫୋରକ ବୋଝେଇ ଯାନର ଆଖିପିଛୁଳାକେ ଆତ୍ମଘାତୀ ଅପସଂଘାତ ଫଳରେ ମର୍ମନ୍ତୁଦ ମୃତ୍ୟୁଚିତାନଳରେ ଜୀବନ୍ତ ଜଳଗିଲେ ୪୦ରୁ ଉର୍ଦ୍ଧ୍ୱ ଭାରତୀୟ ବୀରଯବାନ - ବିନା ଯୁଦ୍ଧରେ। ଏ ଭୟଙ୍କର ଘଟଣା ପରେ ଜାତିପ୍ରତି ଏକ ଐତିହାସିକ ପ୍ରଶ୍ନ ଉତ୍ଥାପନ୍ କରି ମୋ ନିବନ୍ଧ ‘ସ୍ୱଦେଶୀ ସାମରିକତା ସଂକଟାପନ୍ନ’ ଗତ ଫେବୃଆରୀ ୧୮ରୁ ତାରିଖ ୨୩ ମଧ୍ୟରେ ଏକାଧିକ ଛୋଟବଡ଼ ଦୈନିକ ଖବରକାଗଜ ଓ ସାମାନ୍ୟକଥନ.କମ୍‌ରେ ପ୍ରକାଶିତ ହୋଇଥିଲା। ଲେଖିଥିଲି, ଗୋଟାଏ ଶୃଙ୍ଖଳିତ ପ୍ରଶିକ୍ଷିତ ସେନାବାହିନୀ ଗୋଟାଏ ମୁହୂର୍ତ୍ତରେ ମଧ୍ୟ ଆତଙ୍କରାଜକୁ ଆଖିପିଛୁଳାକେ ମୂଳପୋଛ କରିଦେବାର ଶକ୍ତି ପ୍ରଦର୍ଶନ କରିପାରେ। ମୋର ଏଇ ନିବନ୍ଧର ବାର୍ତ୍ତା ବହୁ ସମ୍ୱାଦପତ୍ରର ‘ଇ’ ପେପର ଥିବାରୁ ଦେଶବିଦେଶରେ ଛାଇ ହୋଇଗଲା। ଠିକ୍ ୨୬ ତାରିଖ ରାତି ୩ଟା ୩୦ ମିନିଟ୍ରୁ ଆରମ୍ଭ ହୋଇଯାଇଥିବା ମାତ୍ର ୨୧ ମିନିଟ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇ ଆମର ବୀର ସେନାବାହିନୀ ଆତଙ୍କୀ ଆଡ୍ଡାକୁ ଛିନ୍ନଛତ୍ରର କରି ପାଖିପାଖି ୩୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀକୁ ନିପାତ କରିଦେଲେ। ପାକ୍ ଇଲାକା ବାଲାକୋଟ୍, ମୁଜାଫରାବାଦ୍ ଆଉ ଚାକୋଟିରେ ମୁଣ୍ଡ ଟେକିଥିବା ଆତଙ୍କବାଦୀ ଶିବିରଗୁଡିକ ଉପରେ ଭାରତୀୟ ବାୟୁସେନାର ଏକ ଦୁର୍ଦ୍ଧର୍ଷ ଦଳ ପ୍ରାୟ ୧୦୦୦ କିଲୋ ବୋମା ନିକ୍ଷେପ କରିଥିଲେ। ପାକିସ୍ତାନ ଭିତରକୁ ପଶି ମାତ୍ର କୋତୋଟି ମିନିଟ୍ର କାଳିଅନ୍ଧାରଚିରା ଏ ଅପରେସନ୍ରେ ସାମିଲ ଥିଲା ମୋଟେ ୧୨ ମିରାଜ୍-୨୦୦୦ ଜେଟ୍ ବା ଯୁଦ୍ଧବିମାନ। ଏଥିରୁ ଅନୁମେୟ ଯେ ଯଦି ପୂର୍ଣ୍ଣଶକ୍ତି ପ୍ରଦର୍ଶିତ ହୋଇଥାନ୍ତା, ତା’ହେଲେ ପୁଲୱାମା-କାଣ୍ଡ ଘଟାଇଥିବା ଜଘନ୍ୟ ଜୈଶ୍‌ ସଂଗଠନ ଖାଲି କାହିଁକି, ସ୍ୱଳ୍ପ ସମୟ ମଧ୍ୟରେ ସବୁ ବର୍ବର ଆତଙ୍କବାଦୀ ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇ ମାଟି କାମୁଡିବାରେ କୌଣସି ସାମାନ୍ୟତମ ବାଧା ଉପୁଜିବନାହିଁ। ବର୍ତ୍ତମାନ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧର ମାହୋଲକୁ ନେଇ ସୃଷ୍ଟି ହୋଇଛି ତୀବ୍ର ଗୁଞ୍ଜରଣ। ଜାତିସଂଘ ଓ ସମଗ୍ର ବିଶ୍ୱର ବିଭିନ୍ନ ଦେଶ ମତାମତ ପ୍ରକାଶ କରୁଛନ୍ତି। ମାତ୍ର ଅସଲ ସତ୍ୟର କଣ୍ଠସ୍ୱର ହେଉଛି - ଏ ଯୁଦ୍ଧ ଦେଶବିଦେଶ, ସୀମାସୀମାନ୍ତରେ ନଲାଗି ସବୁ ଐକ୍ୟବଦ୍ଧ ଅନମନୀୟ ଯୋଦ୍ଧୃବାହିନୀ ପକ୍ଷରୁ ସବୁଯାକ ଗୁଳି, ବୋମା ମାନବିକତାକୁ ଧ୍ୱସ୍ତବିଧ୍ୱସ୍ତ କରୁଥିବା ଆତଙ୍କବାଦ ବିରୁଦ୍ଧରେ ପ୍ରୟୋଗ ହେବା ଏକାନ୍ତ ଆବଶ୍ୟକ। ଆଦୌ କୌଣସି ଅନ୍ୟ ରାଷ୍ଟ୍ରର ଆୟତନ ନୁହେଁ, ବରଂ ବନ୍ୟ ଆତଙ୍କବାଦର ଅନ୍ତଃ ଘଟାଇବା ଆମ ସମସ୍ତଙ୍କ ଏବଠୁ ହେବା ଉଚିତ୍ ଏକ ନମ୍ୱର ଲକ୍ଷ୍ୟ। କେବଳ ଭାରତ ନୁହେଁ, ସବୁଦେଶର ମୁଖ୍ୟମାନଙ୍କୁ ଆବେଦନ କରୁଛି - ସାମ୍ନାସାମ୍ନି ବସି ଆତଙ୍କବାଦବିରୋଧୀ ମିଳିତ ଚୁକ୍ତିନାମା ଘୋଷଣା କରନ୍ତୁ। ରାଷ୍ଟ୍ରମୁଖ୍ୟମାନେ ଏ ଦେଶ, ସେ ଦେଶ, ସ୍ୱଦେଶ-ବିଦେଶ ମନୋଭାବ ନରଖି ନୀତିଗତ ନିଷ୍ପତି ନିଅନ୍ତୁ - ଆତଙ୍କବାଦର ଅକ୍ଟୋପାସୀ ଆଲିଙ୍ଗନରୁ ପୃଥିବୀବାସୀଙ୍କୁ ପରିତ୍ରାଣ ପ୍ରଦାନ କରିବା। ବର୍ତ୍ତମାନର ସବୁଠୁ ବଡ ବିଡମ୍ୱନା ହେଉଛି- ଆତଙ୍କବାଦ ସାରା ମଣିଷ ଜାତିର, ମାନବିକତାର ଏକ ନମ୍ୱର ଶତ୍ରୃ। ଏବେ ଏହାର ଆମଳଚୂଳ ଅନ୍ତଃ ଘଟାଇବାର ବେଳ ପହଂଚିଯାଇଛି। ଖାଲି ଭାରତ-ପାକିସ୍ତାନ ନୁହେଁ, ତମାମ୍ ଦୁନିଆଁ ପାଇଁ ଦେଶ ବିଦେଶ ନିର୍ବିଶେଷରେ ଅପରିଣାମଦର୍ଶୀ ଆତଙ୍କୀ କାରବାରକୁ ଖତମ୍ କରିବା ଲକ୍ଷ୍ୟରେ ଏକ ଶପଥବଦ୍ଧ ବିଶ୍ୱସେନା ସଂଗଠନର ଜନ୍ମଜାତକ ପ୍ରସ୍ତୁତ କରିବା ପ୍ରଥମ ପ୍ରୟୋଜନ। ଏ ପ୍ରସ୍ତାବ ଜାତିସଂଘରେ ସମ୍ମିଳିତ ଭାବେ ସବୁଦେଶର ଶାସନମୁଖ୍ୟମାନଙ୍କ ସହମତିରେ ହିଁ ଉଠିବା ଦରକାର। ଅମଣିଷମାନଙ୍କ ଆସୁରିକତାର ଅନ୍ତଃ ଘଟାଇବାପାଇଁ ସାରା ମଣିଷଜାତି ତରଫରୁ ବର୍ତ୍ତମାନ ଆରମ୍ଭ ହେଉ ଶାଣିତ ସତ୍ୟପାଠ - ପ୍ରତ୍ୟେକ ପର୍ଯ୍ୟାୟକ୍ରମିକ ବୈଠକି ବସି ଆରମ୍ଭ ହେଉ ନିତ୍ୟନିୟମିତ ସର୍ବଦେଶୀୟ ଶିଖର ସମ୍ମିଳନୀ। ଆଜି ଉତ୍ତର ଏସିଆ ଚାଇନା ସମେତ ଦକ୍ଷିଣ ଏସିଆ ଭାରତ-ପାକିସ୍ତାନ ଏକ ଅଶାନ୍ତ ଏସିଆରେ ପରିଣତ ହୋଇଛି। ଏହି ଅଶାନ୍ତ ଏସିଆ ହିଁ ଏବେ ହୋଇଉଠିଛି ଉତ୍ତପ୍ତ ଆତଙ୍କବାଦର ଅନ୍ଧାରୀ ଅନ୍ତୁଡିଶାଳା। ସବୁଠୁ ବଡ଼ ବିଡମ୍ୱନା ଯେ ଦୃଶ୍ୟମାନ ଯୁଦ୍ଧ ସହିତ ବରାବର ଏକ ଅଦୃଶ୍ୟ ଗୃହଯୁଦ୍ଧ ବିଭିନ୍ନ ଦେଶର ସମାଜଜୀବନ କ୍ଷେତ୍ରରେ ଜାରିରହିଥିବାରୁ ଆତଙ୍କବାଦର ବିଷମଞ୍ଜି ଏବେ ପାଲଟିସାରିଛି ମସ୍ତବଡ଼ ମହାଦ୍ରୁମ! ବର୍ତ୍ତମାନ ସବୁ ଦେଶର ଗୁଇନ୍ଦା ସଂସ୍ଥାର ଏକମୁଖୀ କାର୍ଯ୍ୟକ୍ରମ ହେଉଛି ଆତଙ୍କବାଦର ଆମୂଳଚୂଳ ଉଚ୍ଛେଦ। ଆତଙ୍କବାଦ ନାଁରେ କୋକୁଆଭୟ ସୃଷ୍ଟି କରାଯାଉଛି। ଗୋଟିଏ ବାଣ ଫୁଟିଲେ, ଲୋକେ ଭାବୁଛନ୍ତି ବୋମା ଫୁଟିଲାଣି। ଲୋକେ ପ୍ରାଣଭୟରେ ଅହୋରାତ୍ର ପ୍ରପୀଡିତ। ଏ ଭୟ, ଏ ଯୁଦ୍ଧ, ଏ ଧ୍ୱଂସ, ଏ ମୃତ୍ୟୁର ବିସ୍ତାରିତ ବିଷାକ୍ତ ବାତାବରଣ ମଧ୍ୟରେ ଲାଭବାନ ହେଉଛନ୍ତି କେଉଁମାନେ? ସେହି ଆତଙ୍କୀ-ଅପଦର୍ଶନର ଉଦ୍ବାର୍ଯ୍ୟ ଉଦ୍ଗାତାବର୍ଗ, ଯେଉଁମାନେ ବିଷବଣିକମାନଙ୍କର ବେପାର ବଢାଇ ମାରଣାସ୍ତ୍ର ବିକ୍ରୀ କରୁଛନ୍ତି। ସେମାନେ ଭାରତକୁ, ପାକିସ୍ତାନକୁ, ସବୁଦେଶକୁ, ଏପରିକି ନିଜଦେଶର ଗରଳ-ଗରାଖ ମାନଙ୍କୁ ବି ମାରଣାସ୍ତ୍ର ବିକ୍ରୀ କରନ୍ତି। ସମସ୍ତେ ନିଜ ଦେଶର ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟକରି ମାରଣାସ୍ତ୍ର ଖର୍ଦ୍ଦି କରନ୍ତି। ଯେପରି ନିଶାଦ୍ରବ୍ୟ, ମଦ, ଗଞ୍ଜେଇ, ଅଫିମ, ଚରସ ବିକୁଥିବା ବେପାରୀ କୋଟିପତିଠାରୁ ଭିକାରି ପର୍ଯ୍ୟନ୍ତ ଯିଏ ଟଙ୍କା ଦେବ, ତାକୁ ସେ ନିର୍ଦ୍ବନ୍ଦ୍ବରେ ବିକନ୍ତି। ସେହିପରି ମାରଣାସ୍ତ୍ର ବେପାରୀମାନେ କିଭଳି ଦେଶେଦେଶେ ଯୁଦ୍ଧ ଲାଗିବ, ଆତଙ୍କବାଦର ବିଷମଞ୍ଜି ବୁଣାଯିବ, ସେଥିପାଇଁ ବିଭିନ୍ନ ରାଷ୍ଟ୍ରରେ ଭିତିରିଆ ଟଙ୍କାଦେଇ ପରସ୍ପର ବିରୁଦ୍ଧରେ ଯୁଦ୍ଧ ଲଗାଇବା ପାଇଁ ଉସକାଇ ଥାଆନ୍ତି। ବେପାରୀମାନେ ଚାହାଁନ୍ତି ସବୁବେଳେ ଯୁଦ୍ଧ ଲାଗିରହୁ। ଲୋକ ପୋକମାଛି ଭଳି ମରିଗଲେ, ତାଙ୍କର କିଛି ଯାଏ ଆସେନା। ପୃଥିବୀର ବିଭିନ୍ନ ଦେଶର ବେପାରୀମାନେ ଏ ଘରେ ମାଉସୀ, ସେ ଘରେ ପିଉସୀ ଭଳି ଅଭିନୟ କରୁଛନ୍ତି। ପୃଥିବୀ ସେମାନଙ୍କ ପାଇଁ କେବଳ ମୁନାଫାର ମୁଣିକୁ ମୋଟା କରିବାର ଗୋଟାଏ କାରବାରୀ କାରଖାନା ବା ନିଜ ନିଜ ପସରା ଫିଟାଇବାର ପେଣ୍ଠସ୍ଥଳ। ଆଉ ପ୍ରତ୍ୟେକ ଦେଶର ମଣିଷ ସେମାନଙ୍କ ଆଖିରେ କେବଳ ଗୋଟାଏ ଗୋଟାଏ ଗରାଖ। ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଦୁଷ୍ମନି ସୃଷ୍ଟି କରାଇବାର କୁଟଚକ୍ର ଜରିଆରେ ଏମାନେ ସଂସାରସାରା ଗୁଡ଼ାଏ ଗୁପ୍ତ ଏଜେନ୍ସୀର ଭୟଙ୍କର ଜାଲ ବିଛାଇ ଦେଇଛନ୍ତି। ଏହି ଏଜେଣ୍ଟମାନେ ହିଁ ‘ଲେଡିଜ୍ ଏଣ୍ଡ୍ ଜେଣ୍ଟଲ୍ମ୍ୟାନ୍’ର ମଖମଲିମୁଖା ମରାଇ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ, ଏପରିକି ସାମରିକ ଉଚ୍ଚକର୍ମକର୍ତ୍ତାମାନଙ୍କୁ ମଧ୍ୟ ଘୁସଖୋର୍ କରିବାର ହୀନପ୍ରକ୍ରିୟା ବଜାୟ ରଖିଥାନ୍ତି। ରାଷ୍ଟ୍ରଭକ୍ତିର ଦ୍ୱାହିଦେଇ ଧର୍ମଯୁଦ୍ଧ ତଥା ଜିହାଦିର ନାରା ଏବେ ପାଲଟିଛି ଏହି ଅସ୍ତ୍ରଯୋଗାଣକାରୀ ଦର୍ଶନର ଅନ୍ତର୍ଜାତୀୟ ସଂଗୀତ। ସମାଜକୁ ଗୋଟାଏ ବିଯୁକ୍ତିବାଦୀ ବିଭୀଷିକା ଆଡ଼କୁ ମୁହାଁଇନେବାକୁ ଏମାନେ ନିଯୁକ୍ତିହୀନ ଯୁବପିଢିକୁ ତୁହାକୁତୁହା ଦେଇଚାଲିଛନ୍ତି ତତଲା ତାଲିମ୍। ଆମ କ୍ୟାଲେଣ୍ଡରର ତାରିଖଗୁଡାକ ଖାଲି ନିରୀହ ମଣିଷର ରକ୍ତରେ ଲାଲ୍ ନୁହେଁ, ଲକ୍ଷଗୋଟି ବିଧବାଙ୍କ ଦୀର୍ଘଶ୍ୱାସରେ ବି ଧୂମଧୂସର, କେବଳ ଏହି କାଣ୍ଡଜ୍ଞାନହୀନ କୁଳାଙ୍ଗାରବର୍ଗ ପାଇଁ। ପ୍ରତ୍ୟେକ ଦେଶର ନାଗରିକ-ସମାଜ-ମାନସରେ ଭରିଦିଅନ୍ତି ଭୟ, ସଂଶୟ-ଡାକିଆଣନ୍ତି ଅକାଳଧ୍ୱଂସର ନଷ୍ଟ ସକାଳ। ଦେଶଦେଶ ମଧ୍ୟରେ ଯୁଦ୍ଧ ଲାଗିଲେ କି ଧର୍ମଧର୍ମରେ ଭାଗଭାଗ ହୋଇଯାଇଥିବା ମଣିଷର ସମାଜ ମଧ୍ୟରେ ବାଦବିବାଦ ବଢିଲେ ସିନା ଏମାନଙ୍କ ବିଷଭଣ୍ଡାର ଭରିବ! କିଏ ନଜାଣେ ଏ କଥା? କିନ୍ତୁ ମଣିଷ ଜାତିର ମାଙ୍ଗଳିକ ମନ୍ତ୍ରପାଠ ପାଇଁ ଏ ଅମଣିଷ-ଅପସଂସ୍କୃତିର ଅପକର୍ମାମାନଙ୍କୁ ଆମେ ବରଦାସ୍ତ କରିଚାଲିଥିବା ଆଉ କେତେ ଦିନ? ଏ ଦୁନିଆର ଦିନରାତି କାହାପାଇଁ? ଏ ପୃଥିବୀର ଫୁଲଫସଲ କାହାପାଇଁ? ଏ ମୂଲକର ମାନଚିତ୍ର କାହାପାଇଁ? ମାଟି କେଉଁଠି, ମଣିଷ କେଉଁଠି? ଆମେ ଆଜି ଚିନ୍ତା କରୁଛେ, ବିଶ୍ୱବାଣୀ ମଧ୍ୟ ପ୍ରଚାର କରୁଛେ, ସମଗ୍ର ବିଶ୍ୱ ଏକ ପରିବାର। ସବୁ ମଣିଷର ଏ ବିଶ୍ୱ ଉପରେ ଅଧିକାର ଅଛି। ଅବଶ୍ୟ ଆମେ ଆମ ସାମାଜିକ ଓ ସାମରିକ ସୁରକ୍ଷାକଳ୍ପେ ଭୌଗୋଳିକ ଦୃଷ୍ଟିକୋଣରୁ ସୀମାନ୍ତରେ ତାରବାଡ଼ ଘେରାଇଛେ। କିନ୍ତୁ ବିଚାର କରନ୍ତୁ, ଯଦି ଆତଙ୍କବାଦର ଉତ୍ପାଟନପାଇଁ ବିଶ୍ୱବାସୀ ବଦ୍ଧମୁଷ୍ଟିରେ ସ୍ୱରଉତ୍ତୋଳନ କରିବାର ଶପଥବଦ୍ଧ ସକାଳସବୁକୁ ପାଛୋଟି ଆଣିବେ, ତା’ହେଲେ ଏ ଦୁନିଆ ଆଉ ବାରୁଦ ଧୂଆଁର ବିଚ୍ରାସ୍ତାରେ ଛୋଟୀ, କେମ୍ପୀ, କାଣୀ, କୁଜୀ, ଦରବୁଢୀ ପରି ବାଟ ଅଣ୍ଡାଳି ଅଣ୍ଡାଳି ଚାଲୁଥିବ କି? ପ୍ରଥମ ଆଉ ଦ୍ୱିତୀୟ ବିଶ୍ୱଯୁଦ୍ଧର ବର୍ଷ ବର୍ଷ ଧରି ଲାଗିରହିଥିବା କୁପରିଣାମ ଏବେବି ଆମେ ଅନୁଭବ କରୁଛୁ। ଏବେ ବି ପରମାଣୁ ବୋମାର ଆଘାତପ୍ରାପ୍ତ ମଣିଷମାନେ ବିକଳାଙ୍ଗ ପୁତ୍ରକନ୍ୟା ଜନ୍ମ କରୁଛନ୍ତି। ଥରେ ଯୁଦ୍ଧ ଲାଗିଲେ କେତେବର୍ଷ ଚାଲିବ କହିହେବ ନାହିଁ। ଯୁଦ୍ଧ ସମୟରେ ସାଧାରଣ ଲୋକଙ୍କ ବହୁତ କ୍ଷତି ହେବ। କିଛି ବେପାରୀଙ୍କର ହିଁ କେବଳ ବିତ୍ତକୋଷ ବୃଦ୍ଧି ହେବ। ଆଜିର ଅଙ୍ଗୀକାର ଏଣୁ ଏକ ଆତଙ୍କରହିତ ବିଶ୍ୱ। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଭଳି ବିଶ୍ୱସେନା ସଂଗଠନ ଗଠନ କରାଯାଉ। ଆମେ ସବୁଦେଶର ମଣିଷମାନେ ଆମ ଶାସକ ଓ ପ୍ରଶାସକମାନଙ୍କୁ ବାଧ୍ୟ କରିବା କ୍ଷୁଧା, ବ୍ୟାଧି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା। ଜନପ୍ରତିନିଧିର ଯୁଗ ପ୍ରାୟ ସରିଆସୁଛି, ଏବେ ଆରମ୍ଭ ହେଉ ମଣିଷ-ପ୍ରତିନିଧିର ମହାଯୁଗ - ଏ ସ୍ୱପ୍ନ ମିଥ୍ୟା ନୁହେଁ। ପୃଥିବୀ ମାରଣାସ୍ତ୍ର ମୁକ୍ତ ହେବ- ମରଣମୁକ୍ତ ପୃଥିବୀ ଆଡକୁ ତିଆରି ହେବ ପ୍ରଥମ ପାହାଚ। ମଣିଷ ବଂଚିବାକୁ ଚାହେଁ! ଅଶାନ୍ତ ଏସିଆର ଅନ୍ତର୍ଜାଗରଣ ଏକାନ୍ତ ଆବଶ୍ୟକ। ଏସିଆକୁ ଖଣ୍ଡ ଖଣ୍ଡ କରନାହିଁ। ଏହି ଏସିଆର ଆକାଶରେ ଉଏଁ ପୃଥିବୀପାଇଁ ପୂର୍ବଦିଗର ପ୍ରଭାତୀସୂର୍ଯ୍ୟ। ଏବେ ସାରା ଦୁନିଆ ଦୀପତଳ ଅନ୍ଧାର ଭିତରେ ବାଟବଣା ହେଉଥିବାବେଳେ ଏସିଆ ଶାନ୍ତିଶିଖାର ସ୍ୱପ୍ନପାଠ କରୁ। ଏଇଠୁ ଆରମ୍ଭ ହେଉ ଅନ୍ଧାରକୁ କାଟିବାର ଆଲୋକିତ ଅଭିଯାତ୍ରା। ଏକ୍ ହୁଅ ଏସିଆ ! ଯାଜପୁର ରୋଡ, ଯାଜପୁର- ୭୫୫୦୧୯ ମୋ : ୯୮୬୧୦୩୪୧୬୩

Share :