ଯୁଦ୍ଧ ଯଦି ଶାନ୍ତିର ବାହକ ହୋଇଥାନ୍ତା ତେବେ ଦୁଇ ଦୁଇଟି ବିଶ୍ବ ଯୁଦ୍ଧ ପରେ ପୃଥିବୀରେ କେବଳ ଶାନ୍ତି ହିଁ ଶାନ୍ତି ବିରାଜମାନ କରିଥାନ୍ତା। ଯୁଦ୍ଧର ଆଶଙ୍କା ହିରୋସିମା ଓ ନାଗାଶାକିର ପରମାଣୁ ବିସ୍ଫୋରଣରେ ଧୂଆଁ ହୋଇ ଉଡ଼ିଯାଇଥାନ୍ତା। ଏବେ ଯେଉଁମାନେ କାଶ୍ମୀରର ପୁଲୱାମାରେ ଜଇଶ୍ ଇ ମହମ୍ମଦ ଆତଙ୍କବାଦୀର ଆତ୍ମଘାତୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧର ପ୍ରବକ୍ତା ସାଜିଛନ୍ତି ସେମାନେ ହୁଏତ ଉଗ୍ର ଦେଶପ୍ରେମର ହାୱାରେ ଉଡ଼ୁଥିବେ। ମାନବିକତାର ଶୀତଳ ବାସ୍ତବତା କିନ୍ତୁ କେବେ ବି କେଉଁଠି ଯୁଦ୍ଧର ଜୟଗାନ କରେ ନାହିଁ। ଭାରତୀୟ ସ୍ବାଧୀନତା ଓ ସାର୍ବଭୌମତାର ପ୍ରଚଣ୍ଡ ପ୍ରଦର୍ଶକ ଜାତିର ଜନକ ମହାତ୍ମା ଗାନ୍ଧୀ ଥିଲେ ଚିରନ୍ତନ ଶାନ୍ତିର ପୂଜାରୀ। ଅହିଂସା ଥିଲା ତାଙ୍କର ଅସ୍ତ୍ର। ସେ ସବୁବେଳେ ଗୋଟେ କଥା କହୁଥିଲେ, ଆମେ ଯଦି ଗୋଟିଏ ଆଖି ବଦଳରେ ଗୋଟିଏ ଆଖି ନେବା ତେବେ ଦିନେ ସାରା ପୃଥିବୀ ଅନ୍ଧ ହୋଇଯିବ। ପାକିସ୍ତାନ କାଶ୍ମୀରର ପୁଲୱାମାରେ ଆମର ୪୦ ସିଆରପିଏଫ ଯବାନଙ୍କୁ ଆତଙ୍କବାଦୀଙ୍କ ଜରିଆରେ ହତ୍ୟା କରିବା ପରେ ଭାରୀତୟ ବାୟୁସେନା ଖାଇବର ପାଖ୍ତୁନଖାୱାର ବାଲାକୋଟରେ ତା’ର ୩୫୦ ଜିହାଦୀଙ୍କୁ ବିସ୍ଫୋରଣରେ ଉଡ଼ାଇଦେବା ଯଦି ଉଚିତ ପ୍ରତିଶୋଧ ତେବେ ଆଉ ଯୁଦ୍ଧର ବାତାବରଣ ପ୍ରସାରଣ କରାଯିବା ଉଚିତ ନୁହେଁ। ଯୁଦ୍ଧ ହେଲେ ପାକିସ୍ତାନୀ ମରିବେ। ଭାରତୀୟ ବି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଠିକ କହିଛନ୍ତି, ଯୁଦ୍ଧର ଭୁଲ ହିସାବ ଉଭୟ ପକ୍ଷ ପାଇଁ କ୍ଷତିକାରକ। ଯୁଦ୍ଧ ଆରମ୍ଭ ହେଲେ ତାହା ନା ପାକ୍ ପ୍ରଧାନମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରହିବ ନା ଭାରତର ପ୍ରଧାନମନ୍ତ୍ରୀଙ୍କ ନିୟନ୍ତ୍ରଣରେ। ଉଭୟ ଦେଶ ପରମାଣୁ ଶକ୍ତିର ଅଧିକାରୀ। ଉଭୟ ଦେଶରେ ଧର୍ମାନ୍ଧମାନଙ୍କର ପ୍ରଭାବ ଓ ପତିଆରା ଚଳନ୍ତି ସମୟର ମୁଖ୍ୟ ପ୍ରସଙ୍ଗ। ବର୍ଷବର୍ଷ ଧରି ଧର୍ମଯୁଦ୍ଧର ଆବାହନୀ ଗାଇ ଚାଲିଛନ୍ତି ଉଭୟ ପକ୍ଷର ଅନେକ ଧର୍ମଗୁରୁ ଓ ଧର୍ମଯାଜକ। ଏଭଳି ପରିସ୍ଥିତିରେ କେଉଁ ମୁହୂର୍ତ୍ତରେ ବି ଯୁଦ୍ଧ ଲାଗିଯାଇପାରେ। ଥରେ ବନ୍ଧୁକରୁ ଗୁଳି ଫୁଟିଗଲେ ତାହା ଆଉ ଫେରେ ନାହିଁ। ଭିଡ଼ତନ୍ତ୍ରର ପତାକା ଉଡ଼ାଉଥିବା ଜନ ସାଧାରଣ ହୁଏତ ଏହା ବୁଝି ବି ବୁଝି ନାହାନ୍ତି, ମାତ୍ର ଭାରତ ଓ ପାକିସ୍ତାନର ନିର୍ବାଚିତ ନେତୃତ୍ବ ନିଶ୍ଚୟ ଏହା ବୁଝିଛନ୍ତି। ସେଥିପାଇଁ ପୁଲୱାମା ପରି ହିଂସ୍ର ଘଟଣା ପରେ ମଧ୍ୟ ଭାରତ ସଂଯମ ହରାଇନାହିଁ, ବାଲାକୋଟରେ ଭାରତର ସକାଳୁଆ ବୋମା ବର୍ଷଣ ପରେ ମଧ୍ୟ ପାକିସ୍ତାନ ତାହାର ତତ୍ତୁଲ୍ୟ ଜବାବ ଦେଇନାହିଁ। ବାଲାକୋଟରେ ଭାରତ କେତେ ଆତଙ୍କବାଦୀଙ୍କୁ ସଫା କଲା ତାହାର ପ୍ରମାଣ ମିଳି ନାହିଁ ସତ ମାତ୍ର ପ୍ରତ୍ୟାକ୍ରମଣ କରିବାକୁ ଆସିଥିବା ପାକିସ୍ତାନର ଏଫ-୧୬ ବିମାନକୁ ଭାରତୀୟ ବାୟୁସେନା ଖସାଇ ଦେଇ ନିଜ ଶକ୍ତି ଓ କୌଶଳର ପରିଚୟ ଦେଇଛି। ସେତିକିରେ ପାକିସ୍ତାନ ଭୟଭୀତ। ଅନ୍ତର୍ଜତୀୟ ସ୍ତରରେ କୂଟନୈତିକ ଚାପ ଓ ଭାରତର କଠୋର ଆଭିମୁଖ୍ୟ ଆଗରେ ନରମ ପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ଶାନ୍ତି ଓ ଆଲୋଚନାର ପ୍ରସ୍ତାବ ଦେବା ସହିତ ନିଃସର୍ତ୍ତରେ ଭାରତୀୟ ପାଇଲଟ୍ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧନଙ୍କୁ ମୁକ୍ତ କରିଛନ୍ତି। ଏଇଠୁଁ ଆରମ୍ଭ ହେବା କଥା ଭାରତ ଓ ପାକିସ୍ତାନର ଇତିହାସରେ ଏକ ନୂଆ ଅଧ୍ୟାୟ। ‘ସବ୍ କା ସାଥ୍ ସବ୍ କା ବିକାଶ’ର ସ୍ଲୋଗାନ ଦେଉଥିବା ଭାରତୀୟ ପ୍ରଧାନମନ୍ତ୍ରୀ, ‘ବସୁଧୈବ କୁଟୁମ୍ବକମ’ର ମନ୍ତ୍ରପାଠ କରୁଥିବା ଭାରତ ନିଜର ସହୋଦର ଭାଇ ପାକିସ୍ତାନ ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାର ବାଟ ବାହାର କରିବା ଦରକାର। ପାକିସ୍ତାନ ମଧ୍ୟ ନିଜର ଆର୍ଥନୀତିକ, ରାଜନୀତିକ ଓ ସାମରିକ ବାସ୍ତବତା ପ୍ରତି ସଚେତନ ରହି ଭାରତର ସହଯୋଗରେ ଜନ ସାଧାରଣଙ୍କର ସର୍ବାଙ୍ଗୀନ ବିକାଶ ଅଭିଯାନ ଆରମ୍ଭ କରିବା ଉଚିତ। ଆଉ ଏଥିପାଇଁ ପାକିସ୍ତାନ କବ୍ଜାରେ ଥିବା କାଶ୍ମୀର ଅଂଶରେ ଖୋଲିଥିବା ଆତଙ୍କବାଦର କାରଖାନାଗୁଡ଼ିକୁ ତୁରନ୍ତ ନିଶ୍ଚିହ୍ନ କରାଯିବା ଦରକାର। ଠିକ ସେହିପରି ଆତଙ୍କବାଦୀଙ୍କୁ ଦମନ କରିବା ଆଳରେ ନିୟନ୍ତ୍ରଣ ରେଖା ଏପଟେ ଭାରତୀୟ ନିରାପତ୍ତା ବାହିନୀ କରିଚାଲିଥିବା ମାନବାଧିକାର ଉଲ୍ଲଙ୍ଘନରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିବା ଜରୁରୀ। ଉଭୟ ଦେଶର ରାଜନୀତିକ ନେତୃତ୍ବ ପରସ୍ପର ମଧ୍ୟରେ ଆଲୋଚନା କରି କାଶ୍ମୀର ସମସ୍ୟାର ସବୁଦିନିଆ ସମାଧାନ ବାହାର କରିବା ମଧ୍ୟ ସ୍ଥାୟୀ ଶାନ୍ତିର ପ୍ରମୁକ ସର୍ତ୍ତ। ଯେ ପର୍ଯ୍ୟନ୍ତ ପାକ୍ ଅଧିକୃତ କାଶ୍ମୀର ଓ ଭାରତର ଜାମ୍ମୁକାଶ୍ମୀର ଦୁଇଟି ଦେଶର ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚିତ ନହୋଇଛନ୍ତି ବା ବିପରୀତରେ ଯେଯାଏଁ ଏ ଦୁଇଟି ଅଞ୍ଚଳ ଗୋଟିଏ ଦେଶ ବା ରାଜ୍ୟରେ ପରିଣତ ହୋଇ ନିଜର ସ୍ବତନ୍ତ୍ରତା କିମ୍ବା ସ୍ବାୟତ୍ତତାର ଧ୍ବଜା ଉଡ଼ାଇ ନାହାନ୍ତି ସେଯାଏଁ ଉଭୟ ପାକିସ୍ତାନ ଓ ଭାରତ ଏ ଦୁଇ ଅଞ୍ଚଳକୁ ନେଇ ପରସ୍ପର ବିରୋଧରେ ଯୁଦ୍ଧ ଆଶଙ୍କାକୁ ଦୃଢ଼ୀଭୂତ କରିଚାଲିଥିବେ। ଯଦି ଦୁଇ ଜର୍ମାନ ଏକ ହୋଇପାରିଲା, ଯଦି ଦୁଇ କୋରିଆ ଏକାଠି ବସି ପାରିଲେ, ତେବେ ଭାରତ ଓ ପାକିସ୍ତାନ କାହିଁକି ନିଜ ନିଜ ମଧ୍ୟରେ ଥିବା ଏକ ମୌଳିକ ସମସ୍ୟାର ସମାଧାନ କରିପାରିବେ ନାହିଁ? ଏ ଦୁଇ ଦେଶର ରାଜନୀତିକ ନେତୃତ୍ବ କ’ଣ ଏତେ ଦୁର୍ବଳ? (ନିତିଦିନ ନଜରରେ ପ୍ରଥମେ ଏହାର ସଂକ୍ଷିପ୍ତ ପ୍ରକାଶିତ।)