ଓଡ଼ିଆ ସ୍କୁଲରେ ଓଡ଼ିଆ ପଢ଼ାନ୍ତି ଗଣିତ ଶିକ୍ଷକ!

ଓଡ଼ିଆ ସ୍କୁଲରେ ଓଡ଼ିଆ ପଢ଼ାନ୍ତି ଗଣିତ ଶିକ୍ଷକ!

ଦିଲ୍ଲୀ ପ୍ରତିନିଧି ଓଡ଼ିଆ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଭାଷାର ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏସବୁ ସ୍କୁଲରେ ଇଂରାଜୀ ପଢ଼େଇବା ପାଇଁ ଇଂରାଜୀ ଶିକ୍ଷକ ଅଛନ୍ତି। ହିନ୍ଦୀ ପଢ଼େଇବା ପାଇଁ ହିନ୍ଦୀ ଶିକ୍ଷକ ଅଛନ୍ତି। ସଂସ୍କୃତ ପଢ଼େଇବା ପାଇଁ ସଂସ୍କୃତ ଶିକ୍ଷକ ଅଛନ୍ତି। କେଉଁଠି କେଉଁଠି ଉର୍ଦ୍ଦୁ ପଢ଼େଇବା ପାଇଁ ଉର୍ଦ୍ଦୁ ଶିକ୍ଷକ ବି ଅଛନ୍ତି। କିନ୍ତୁ ଓଡ଼ିଆ ପଢ଼େଇବା ପାଇଁ ଓଡ଼ିଆ ଶିକ୍ଷକ ନାହାନ୍ତି। ଓଡ଼ିଶାର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ପଢ଼େଇବା ପାଇଁ ଓଡ଼ିଆ ଶିକ୍ଷକ ନାହାନ୍ତି। ଏହାକୁ ଅନ୍ୟ ବିଷୟର ଶିକ୍ଷକମାନେ ପଢ଼ାଇଥାନ୍ତି। ଓଡ଼ିଆ ହେଉଛି ଓଡ଼ିଆ ପିଲାଙ୍କର ପ୍ରଥମ ଭାଷା ବା ମାତୃଭାଷା। ସରକାରୀ ସ୍କୁଲଗୁଡ଼ିକର ସବୁ ଓଡ଼ିଆ ପିଲା ଏହାକୁ ନିଜର ପ୍ରଥମ ଭାଷା ଭାବେ ପଢ଼ିଥାନ୍ତି। କିନ୍ତୁ ସେମାନଙ୍କୁ ଏ ଭାଷା ପଢ଼େଇବା ପାଇଁ ଓଡ଼ିଆ ଭାଷାର ଶିକ୍ଷକ ନାହାନ୍ତି। ଓଡ଼ିଶା ସରକାରଙ୍କର ଏକ ଅଜବ ନିୟମ ଅନୁସାରେ ଓଡ଼ିଆ ସ୍କୁଲରେ ଓଡ଼ିଆ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ସରକାରଙ୍କ ଯୁକ୍ତି ଅନୁସାରେ ଓଡ଼ିଆ ଯେହେତୁ ଓଡ଼ିଶାବାସୀଙ୍କର ମାତୃଭାଷା ତେଣୁ ଅନ୍ୟ ବିଷୟର ଶିକ୍ଷକମାନେ ଏହା ପଢ଼େଇପାରିବେ। ଏହି ନିୟମ ଅନୁସାରେ ଓଡ଼ିଆ ସ୍କୁଲରେ ଗଣିତ ଶିକ୍ଷକ ଓଡ଼ିଆ ପଢ଼ାନ୍ତି, ହିନ୍ଦୀ ଶିକ୍ଷକ ଓଡ଼ିଆ ପଢ଼ାନ୍ତି, ବିଜ୍ଞାନ ଶିକ୍ଷକ ଓଡ଼ିଆ ପଢ଼ାନ୍ତି। ଏଭଳି ବ୍ୟବସ୍ଥା ଯୋଗୁଁ ଓଡ଼ିଆ ପିଲାଙ୍କର ମାତୃଭାଷା ପିଢ଼ିକୁ ପିଢ଼ି ଦୁର୍ବଳ ହୋଇଚାଲିଛି। ଅବସ୍ଥା ଏପରି ହେଲାଣି ଯେ ହାଇସ୍କୁଲ ଓ କଲେଜ ସ୍ତରରେ ଓଡ଼ିଆ ଭାଷାରେ ଓଡ଼ିଆ ପିଲାମାନେ ଫେଲ୍‌ ହେବା ଭଳି ଲଜ୍ଜାକର ପରିସ୍ଥିତି ସୃଷ୍ଟି ହେଲାଣି। ଏହି ଦୁର୍ଭାଗ୍ୟଜନକ ବିଷୟକୁ ପ୍ରସଙ୍ଗ କରିଛି ନୂଆଦିଲ୍ଲୀର ‘ଦ ଇଣ୍ଟେଲେକ୍ଟ’ ନାମକ ଅନୁଷ୍ଠାନ। ଫେବୃଆରୀ ୨୧ ତାରିଖରେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ ଅଫ୍‌ ଇଣ୍ଡିଆର ବୋର୍ଡ ରୁମ୍‌ରେ ଅନୁଷ୍ଠିତ ଏକ ଗୋଲ ଟେବ୍‌ଲ ବୈଠକରେ ଏ ବିଷୟ ଉପରେ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ଉପସ୍ଥିତ ଥିଲେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାର ପ୍ରାଧ୍ୟାପକ ଡକ୍ଟର ଉଦୟନାଥ ସାହୁ, ଓଡ଼ିଆ ଭାଷାବିତ ପ୍ରାଧ୍ୟାପକ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରାଧ୍ୟାପକ ଦୁଃଖୀଶ୍ୟାମ ପଟ୍ଟନାୟକ, ପ୍ରାଧ୍ୟାପକ ପଞ୍ଚାନନ ମହାନ୍ତି, ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ, ଅଧ୍ୟାପକ ତଥା ସ୍ତମ୍ଭକାର ଦାଶ ବେନହୁର, ଭଗବାନ ପ୍ରକାଶ, ଡକ୍ଟର ବାସୁଦେବ ସୁନାନୀ, ଡକ୍ଟର ଦେବାଶିଷ ଜେଠୀ, ଦେବେନ୍ଦ୍ର ପୃଷ୍ଟି, ଶୁଭାଶିଷ ପାଣିଗ୍ରାହୀ, ସୁଧୀର ପଟେଲ, ବିରଜା ମହାପାତ୍ର ପ୍ରମୁଖ ଅନେକ ଭାଷାପ୍ରେମୀ। ଏ ସଂପର୍କରେ ବିସ୍ତୃତ ଆଲୋଚନା ହେଲା ପରେ ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଏ ବିଷୟରେ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ଓଡ଼ିଆ ଭାଷାର ଲିପି ସଂଖ୍ୟା ଓ କ୍ରମ ନେଇ ରହିଥିବା ଦ୍ବନ୍ଦ୍ବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଭିନ୍ନ ସମୟରେ ବିଭିନ୍ନ ଲେଖକ ଓଡ଼ିଆ ଭାଷାର ଲିପି ସଂଖ୍ୟା ଭିନ୍ନ ଭିନ୍ନ ଦର୍ଶାଇଥିବାରୁ ତାହା ଅନେକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଓଡ଼ିଆ ଭାଷାର ଲିପି ସଂଖ୍ୟା ପ୍ରକୃତରେ ୩୯, ୪୪, ୪୬, ୪୭, ୪୯ ନା ୫୪ ସେ ନେଇ କେତେକ ସ୍ତରରେ ଦ୍ବନ୍ଦ୍ବ ରହିଛି। ସେହିପରି ବ ଓ ୱ ନେଇ ରହିଥିବା ଦ୍ବନ୍ଦ୍ବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଲିପିର କ୍ରମ ନେଇ ରହିଥିବା କେତେକ ସମସ୍ୟା ଉପରେ ବି ଆଲୋଚନା କରାଯାଇଥିଲା। ଆଲୋଚନାର ନିଷ୍କର୍ଷ ଓ ନିଷ୍ପତ୍ତି ସଂପର୍କରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇବାକୁ ଅନୁଷ୍ଠାନର କର୍ମକର୍ତ୍ତାମାନ ଆଗ୍ରହ ପ୍ରକାଶ କରିଥିଲେ।

Share :