ମାଗଣା ମୋବାଇଲ୍ ହାନିକାରକ!

ମାଗଣା ମୋବାଇଲ୍ ହାନିକାରକ!

Share :

ଓଡ଼ିଆରେ ଗୋଟେ କଥା ଅଛି - ମାଗଣା ପାଇଲେ ଲୋକେ ଆଲକାତରା ବି ଗିଳିଯିବେ! ଆଲକାତରା ଏକ ଖାଦ୍ୟ ନୁହେଁ। କିନ୍ତୁ ଓଡ଼ିଆ ଲୋକଙ୍କର ଏମିତି ଏକ ଗୁଣ ଅଛି। ସେମାନଙ୍କୁ ଯଦି କେହି କିଛି ମାଗଣାରେ ଦିଏ ତେବେ ସେମାନେ ପରମ ଆଗ୍ରହରେ ତାହା ଗ୍ରହଣ କରନ୍ତି, ପଛରେ ସେଥିପାଇଁ ପସ୍ତାନ୍ତୁ ପଛକେ। ଓଡ଼ିଆଙ୍କର ଏହି ଗୁଣ ଯୋଗୁଁ ସେମାନ ବାରମ୍ବାର ଠକେଇର ଶିକାର ହୁଅନ୍ତି। ଚିଟ୍‌ ଫଣ୍ଡ ଜାଲରେ ପଡ଼ିଥିବା ଲୋକମାନେ ଏଇ ଧରଣର। ବ୍ୟାଙ୍କଗୁଡ଼ିକ ଜମା ପାଇଁ ସର୍ବାଧିକ ୯ ପ୍ରତିଶତ ଓ ଋଣ ଉପରେ ସର୍ବାଧିକ ୧୩ ପ୍ରତିଶତ ସୁଧ ହିସାବ କରୁଥିବାବେଳେ ଚିଟ୍‌ ଫଣ୍ଡ ସଂସ୍ଥାଗୁଡ଼ିକ କେଉଁଠୁ ଆଣି ୪୮ ପ୍ରତିଶତ ଯାଏଁ ସୁଧ ଦେବେ ତାହା କେହି ପଚାରିଲେ ନାହିଁ କି ହିସାବ କଲେ ନାହିଁ। ଏବେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଜମାକାରୀ ୨୦ ହଜାର କୋଟି ଟଙ୍କା ହରେଇ ଅଖା ଧୋଉଛନ୍ତି ନବୀନ ସରକାରଙ୍କ ଗୁଣ ଗାଉଛନ୍ତି। ବ୍ୟବସାୟୀମାନେ ଠିକ ଏଇ ଥୋପ ପକେଇ ଲୋକଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ କରି ଫେରାର ହୋଇଯାଆନ୍ତି। ଗୋଟେରେ ଗୋଟେ ଫ୍ରି ପରି ଅଫର୍‌ କେବଳ ଗ୍ରାହକଙ୍କୁ ଭୁତେଇବା ପାଇଁ ଓ ଅଧିକ ଜିନିଷ ବିକି ଅଧିକ ଲାଭ ଉଠାଇବା ପାଇଁ ଉଦ୍ଦିଷ୍ଟ। ଓଡ଼ିଶାର ଅନେକ ଗ୍ରାହକ ଏକଥା ନବୁଝି ଅନେକ ସମୟରେ ଫସିଥାନ୍ତି। ଠିକ ଏହିପରି ଓଡ଼ିଆ ଲୋକମାନେ ଗଲା ଦୁଇ ଦଶନ୍ଧି ମଧ୍ୟରେ ମାଗଣା କମ୍ବଳ, ଜୋତା, ଛତା, ସାଇକେଲ, ପୋଷାକ, କୋକେଇ ବାଉଁଶ ଓ ଜୁଇ କାଠ ଆଦି ପାଇବା ଲୋଭରେ ଯେଉଁ ରାଜନୀତିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସେଥିଯୋଗୁଁ ରାଜ୍ୟର କେତେ ଲକ୍ଷ କୋଟି ଟଙ୍କାର ଖଣିଜ ପଦାର୍ଥ ଲୁଟ୍‌ ହେଲା, କେତେ ଜଙ୍ଗଲ ସଂପଦ ଉଜୁଡ଼ିଗଲା, କେତେ ନଦୀ ଓ କେନାଲ ବନ୍ଧ ମରାମତି ନାଁରେ ମିଛ ବିଲ୍‌ ହେଲା, ବନ୍ୟା ଓ ବାତ୍ୟା ସହାୟତା ନାଁରେ କେତେ ହଜାର କୋଟି ବାଟମାରଣା ହେଲା ତାହାର ହିସାବ ରଖି ନାହାନ୍ତି। ଏସବୁ ମାଗଣା ଜିନିଷ ଯୋଗୁଁ ସେମାନଙ୍କର ଓ ସେମାନଙ୍କର ପିଲାମାନଙ୍କର ବି କ୍ଷତି ହେଲା ତାହା କେହି ତଉଲୁ ନାହାନ୍ତି। ସରକାର କେମିତି ହଜାରେ ଦେଇ ଲକ୍ଷେ ଲୁଟୁଛି ତାହା ବୁଝିବାକୁ ମାଗଣାଖିଆଙ୍କ ମୁଣ୍ଡ ନାହିଁ ବୋଲି କୁହାଯାଇ ପାରେ। ଏବେ ସେହିପରି ଅନ୍ୟ ଏକ ମାଗଣା ଯୋଜନା ଲୋକଙ୍କୁ ଆକର୍ଷିତ କରିବାକୁ ଯାଉଛି। ତାହା ହେଉଛି ମାଗଣା ମୋବାଇଲ। ଭାରତୀୟ ଜନତା ପାର୍ଟିର ଅଭିଯୋଗ ଅନୁସାରେ ଯଦି ସତରେ ବେଆଇନ ଖଣି ଖନନରେ ସଂପୃକ୍ତ ଥିବା କେତେକ କମ୍ପାନୀ ନିର୍ବାଚନ ପୂର୍ବରୁ ଓଡ଼ିଶାର ୨୦ ଲକ୍ଷ ଲୋକଙ୍କୁ ମୋବାଇଲ ହ୍ୟାଣ୍ଡ ସେଟ୍‌ ବଣ୍ଟନ କରନ୍ତି ତେବେ ତାହା ପରବର୍ତ୍ତୀ ସମୟରେ ଏହି ମୋବାଲଇ ଗ୍ରହଣ କରିଥିବା ଲୋକ ତଥା ବଣ୍ଟନକାରୀ କମ୍ପାନୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ। ସେହିପରି ଓଡ଼ିଶାର କେତେକ ବିଭାଗୀୟ ଅଧିକାରୀ ମଧ୍ୟ ଅଡ଼ିଟରେ ଫସିବାର ଆଶଙ୍କା ରହିଛି। ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦାଏର କରିଥିବା ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କେତେକ ଦୁର୍ନୀତିଗ୍ରସ୍ତ କମ୍ପାନୀ ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ସମାନ ସଂଖ୍ୟକ ମୋବାଇଲ ବାଣ୍ଟିବେ। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୭୫୦ କୋଟି ଟଙ୍କା। ବିଜୁ ଯୁବ ବାହିନୀ ଜରିଆରେ ଏସବୁ ମୋବାଇଲ ବଣ୍ଟାଯିବ ବୋଲି ବିଜେପି ଅଭିଯୋଗ କରିଛି। ବିଜେପିର ଅଭିଯୋଗ ଅନୁସାରେ ଖଣି ଦୁର୍ନୀତିରେ ଜଡ଼ିତ ତ୍ରିବେଣୀ ଆର୍ଥ ମୁଭର୍ସ, ଆର୍ଯ୍ୟାନ ମାଇନିଂ, କଲ୍ୟାଣୀ ଟ୍ରେଡର୍ସ ଓ ଧାନ କିଣା ଦୁର୍ନୀତିରେ ଜଡ଼ିତ ଉତ୍ତରାୟଣୀ ମିଲର୍ସ ପରି ଅନେକ କମ୍ପାନୀ ଏହି ମୋବାଇଲ୍ ବଣ୍ଟନ କରିବେ। ମୋବାଇଲ ଗୋଟା ୩୭୫୦ ଟଙ୍କା। ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ କୃଷକମାନଙ୍କୁ ମାଗଣାରେ ମୋବାଇଲ ବଣ୍ଟାଯିବ। ଡିଜିଟାଲ ସଶକ୍ତିକରଣ ସ୍ଲୋଗାନ ଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଏପରି ମୋବାଇଲ ବଣ୍ଟାଯିବ ବୋଲି ଘୋଷଣା ହୋଇଛି। ପୂର୍ବବର୍ଷ କେତେକ ଚାଷୀଙ୍କୁ ମୋବାଇଲ ବଣ୍ଟାଯାଇଥିବାର ଖବର ପ୍ରକାଶ ପାଇଛି। ତେବେ ସେସସବୁ ମୋବାଇଲ କେଉଁ ଚାଷୀ ପାଇଲେ ଓ ତାହାକୁ ସେମାନେ କେଉଁ ଚାଷରେ ଲଗେଇଲେ ତାହାର କିଛି ହିସାବ ନାହିଁ। ଏବେ ଯଦି ସରକାର ପୂର୍ବରୁ ଘୋଷଣା କରିଥିବା ଯୋଜନାରେ ଏହା ବଣ୍ଟାଗଲା ବୋଲି ହିସାବ କରିବେ ତେବେ ସଂପୃକ୍ତ ବିଭାଗର ଅଧିକାରୀମାନେ ନିଶ୍ଚୟ ଅଡିଟ ଖାଲରେ ପଡ଼ିବେ। କାରଣ ସେଥିପାଇଁ ସେମାନଙ୍କୁ ଅନେକ ହିସାବ କସରତ କରିବାକୁ ପଡ଼ିବ। ଏଥିପାଇଁ ବଜେଟରେ ଅର୍ଥ ନାହିଁ। ପରବର୍ତ୍ତୀ ବଜେଟରେ ଅର୍ଥ ବ୍ୟବସ୍ଥା କରିବାକୁ ପଡ଼ିବ। ତାହାକୁ ପୁଣି ହଡ଼ପ କରିବାକୁ ପଡ଼ିବ ବା ଶାସକ ଦଳ ନେତାଙ୍କୁ ହସ୍ତାନ୍ତର କରିବାକୁ ହେବ। କାରଣ କମ୍ପାନୀ ଅର୍ଥରେ ତାହା ସବୁ ବଣ୍ଟା ହୋଇଥିବ। ଯଦି କମ୍ପାନୀଗୁଡ଼ିକ ଏହା ଦେବେ ତେବେ ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସନ୍ଦେହୀ ନଜରରେ ପଡ଼ିବା ନିଶ୍ଚିତ। ଯଦି ମୋବାଇଲ ବାଣ୍ଟି କମ୍ପାନୀ ଖାତାରେ ହିସାବ ନକଲେ ତେବେ ବେଆଇନ ଅର୍ଥ କାରବାର ବା ମନି ଲଣ୍ଡରିଙ୍ଗ ଆଇନ ଅନୁସାରେ ତଦନ୍ତର ସମ୍ମୁଖୀନ ହେବେ। ଏହି ମୋବାଇଲ୍‌ ନେଇଥିବା ଲୋକମାନେ ମଧ୍ୟ ମନି ଲଣ୍ଡରିଙ୍ଗ ଆଇନ ଅନୁସାରେ ଜେରାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଓଡ଼ିଆ ଲୋକମାନେ ବହୁ ପ୍ରଚଳିତ ଏକ ରୁଢ଼ି ମନେ ପକାଇ ନିଷ୍ପତ୍ତି ନେବା ଦରକାର- ବୁଝି ବିଚାରି କାର୍ଯ୍ୟ କଲେ, ବିପଦ ନପଡ଼ଇ ଭଲେ।

Share :