ସରକାରଙ୍କ ସୁରକ୍ଷାରେ ଡଙ୍କାରୀ ଡକାୟତ

ସରକାରଙ୍କ ସୁରକ୍ଷାରେ ଡଙ୍କାରୀ ଡକାୟତ

Share :

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ଦୀର୍ଘ ୧୫ ବର୍ଷ ମଧ୍ୟରେ ହାରାହାରି ୧୫,୦୦୦ କୋଟି ଟଙ୍କାର ଲୁଟ୍ ହୋଇଛି। ଏହି ଲୁଟ୍ରେ ସମ୍ପୃକ୍ତ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତ ରାୟ, ଖଣି ମାଫିଆ ଶ୍ରୀବତ୍ସ ଜେନା ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ସହ ଉପରୋକ୍ତ ଲୁଟ୍ର ଅର୍ଥ ସେମାନଙ୍କଠାରୁ ଆଦାୟ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସିଭିଲ୍ ସୋସାଇଟିର ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ଡକ୍ଟର ଦାମୋଦର ରାଉତ, ବରିଷ୍ଠ ସାମ୍ୱାଦିକ ଶ୍ରୀ ରବି ଦାସ, ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ, ବରି ଆଇନ୍ଜୀବୀ ସୁଧୀର ମହାନ୍ତି, ସମାଜସେବୀ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ପ୍ରମୁଖ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଥିଲେ। ସୂଚନାଧିକାର କର୍ମୀ ଶ୍ରୀ ସର୍ବେଶ୍ୱର ବେହେରାଙ୍କ ଅଭିଯୋଗ ସଂଖ୍ୟା ୬୦୪/୨୦୧୮ର ଶୁଣାଣି କରି ଏନ୍ଜିଟି ଗତ ୪.୧.୧୯ରିଖରେ ଖଣି ଲୁଟ୍ର ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ପରିବେଶ କ୍ଷତି ପାଇଁ ୨୫ କୋଟି ଦାଖଲ ପାଇଁ ରାଜ୍ୟ ସରକାରୀ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଗତ ୧୮.୨.୧୯ରିଖରେ ସିଭିଲ୍ ସୋସାଇଟିର ଏକ ପ୍ରତିନିଧି ଦଳ ଏବଂ ଡକ୍ଟର ଦାମୋଦର ରାଉତ ଡଙ୍କାରୀ ପଥର ଲୁଟ୍ର ତଥ୍ୟ ଅନୁସନ୍ଧାନ କରିବା ପାଇଁ ଉକ୍ତ ଅଞ୍ଚଳ ଗସ୍ତ କରିଥିଲେ ଏବଂ ସମଗ୍ର ଡଙ୍କାରୀ ପାହାଡ଼ରେ କିପରି ଶହ ଶହ କ୍ରସର ବସି ବେଆଇନ୍ ଭାବେ ପଥର ଉତ୍ତୋଳନ ହେଉଛି, ତାହା ଅନୁଧ୍ୟାନ କରିଥିଲେ। ଏହି ପ୍ରତିନିଧି ଦଳରେ ଶ୍ରୀ ପ୍ରଦୀପ ପ୍ରଧାନଦ, ସଂଯୁକ୍ତା ପାଣିଗ୍ରାହୀ, ସୁଧୀର ମହାନ୍ତିଙ୍କ ସମେତ ୧୫ଜଣ ସାମାଜିକ କର୍ମୀ ଗସ୍ତ କରିଥିଲେ। ଅନୁଧ୍ୟାନ ସମୟରେ ପ୍ରତିନିଧି ମଣ୍ଡଳୀଙ୍କୁ ବ୍ୟାପକ ଖଣି ଉତ୍ତୋଳନ, ପରିବେଶ ଏବଂ ପାଣି ବିଷାକ୍ତ ହେବା ସମ୍ପର୍କରେ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଏହି ଖଣି ଲୁଟ୍ରେ ଶାସକ ଶ୍ରେଣୀର ବିଧାୟକ ଏବଂ ସରକାରୀ ଅଧିକାରୀମାନଙ୍କ ପ୍ରୋତ୍ସାହନରେ ହୋଇଛି ବୋଲି ସିଭିଲ୍ ସୋସାଇଟିର ପ୍ରତିନିଧିମାନେ ଉପଲବ୍ଧ କରିପାରିବେ। ତେଣୁ ରାଜ୍ୟାପାଳଙ୍କୁ ପ୍ରତିନିଧି ଦଳ ଭେଟି ସମ୍ପୃକ୍ତ ରାଜନେତା ଏବଂ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ। ଖଣି ଲୁଟ୍କୁ ନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସିଭିଲ୍ ସୋସାଇଟି ତରଫରୁ ନିଷ୍ପତ୍ତି ହୋଇଛି।

Share :