ନଗଡ଼ା ଗଡ଼ିନି, ସମୟ ଗଡ଼ିଛି!

ନଗଡ଼ା ଗଡ଼ିନି, ସମୟ ଗଡ଼ିଛି!

ଦେବେନ୍ଦ୍ର ପୃଷ୍ଟି ଭୁବନେଶ୍ବରରୁ ସକାଳ ୮ଟାରେ ବାହାରିଲୁ। ବିବିସି ଓ ଆଉଟ୍‌ଲୁକ୍‌ ଆଦି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ଗଣମାଧ୍ୟମ ପାଇଁ କାମ କରୁଥିବା ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କ ସହିତ ମୁଁ ସହଯାତ୍ରୀ ଥିଲି। ଆମ ହିସାବରେ ରାସ୍ତାରେ ତିନି ଘଣ୍ଟା ଲାଗିବ। ଯିବା ତିନି ଘଣ୍ଟା, ଆସିବା ତିନି ଘଣ୍ଟା। ନଗଡ଼ାରେ ମାତ୍ର ଘଣ୍ଟାକର କାମ। ତେଣୁ ସକାଳ ୮ରେ ବାହାରି ଅପରାହ୍ନ ୪ଟା ସୁଦ୍ଧା ଭୁବନେଶ୍ବର ଫେରି ହେବ। ନଗଡ଼ାକୁ ତ ବସ୍‌ ଚାଲିଛି। ରାସ୍ତା ଭଲ ଥିବ। କିନ୍ତୁ ଚୁଙ୍ଗୁଡ଼ିପାଳରେ ପହଂଚିଲାବେଳକୁ ଆମ ଧାରଣା ବଦଳିଗଲା। ଏଇ ହେଉଛି ଗ୍ରାମ ପଂଚାୟତ ସଦର ମହକୁମା। ଏଇ ପଂଚାୟତ ଅଧୀନରେ ନଗଡ଼ା ଏକ ମୌଜା। ଏଇଠୁ ନଗଡ଼ାର ଦୂରତା ପ୍ରାୟ ୧୮ କିଲୋମିଟର! ଅଙ୍କାବଙ୍କା ଘାଟି ରାସ୍ତାରେ ଚୁଙ୍ଗୁଡ଼ିପାଳରୁ ନଗଡ଼ା ପହଂଚିବାକୁ ଲାଗିଲା ଘଣ୍ଟାଏ ଉପରେ। ରାସ୍ତାରେ ପିଚୁ କି କଂକ୍ରିଟର ଦର୍ଶନ ନାହିଁ। ସୁଦ୍ଦୁ ଖଣ୍ଡ ଖଣ୍ଡ ପଥର। ବର୍ଷା ପରେ ରାସ୍ତା ଧୋଇ ଯାଇଛି। ଆଉ ମରାମତି ହୋଇନାହିଁ। ବାଟରେ କୌଣସି ବସ୍‌ ଯିବା ଆସିବା କରିବା ନଜରକୁ ଆସିଲା ନାହିଁ। ଦୁଇ ଖଣ୍ଡ ମୋଟର ସାଇକେଲ୍‌ ତଳକୁ ଓହ୍ଲାଇଉଥିବା ଦେଖିଲୁ। ସେମାନେ ନଗଡ଼ାର ଲୋକ ନୁହନ୍ତି। ଜଙ୍ଗଲ ବିଭାଗର କର୍ମଚାରୀ। ସ୍ଥାନୀୟ ସାମ୍ବାଦିକ ବିଶ୍ବନାଥ ପାତ୍ର ଓ ବିକାଶ ଆମ ସହିତ ଥିଲେ। ତାଙ୍କୁ ପଚାରିଲୁ, ଆଉ କ’ଣ ବସ୍‌ ଚାଲୁ ନାହିଁ। ସେମାନେ କହିଲେ, ବସ୍‌ ମାତ୍ର ମାସେ ଖଣ୍ଡେ ଚାଲିଥିଲା। ୨୦୧୭ ଅଗଷ୍ଟ ମାସରେ ବସ୍‌ ଚାଲିଲା। ସେପ୍ଟେମ୍ବର ଅକ୍ଟୋବରରୁ ବନ୍ଦ। ଆଉ ଚାଲି ନାହିଁ। ମଝି ନଗଡ଼ା, ଉପର ନଗଡ଼ା ଦେଇ ତଳ ନଗଡ଼ାରେ ପହଞ୍ଚିଲୁ। ନଗଡ଼ା କହିଲେ ଗୋଟିଏ ଗାଁ। ଏ ତିନିଟି ସାହି। ମୋଟ ଉପରେ ୬୨ ଘର। ୨୦୧୬ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ପାଢ଼ୀ କହିଥିଲେ ମୋଟ ଉପରେ ୨୪ ଘରେ ୧୧୯ ଛୁଆ। କିନ୍ତୁ ଆମେ ଦେଖିଲୁ ୬୦ ଉପରେ ଘର। ସରକାରୀ ବିଜ୍ଞପ୍ତି ବୋର୍ଡ଼ ମରାଯାଇଛି। କେବଳ ତଳ ନଗଡ଼ାରେ ବିଜୁ ପକ୍କା ଘର ହିତାଧିକାରୀଙ୍କ ସଂଖ୍ୟା ୩୧। ବିଜୁ ପକ୍କା ଘର ଯୋଜନାରେ ସବୁ ପରିପାର ପାଇଁ ବଖରେ ଲେଖାଏଁ ଘର ହୋଇଛି। ବୋର୍ଡ଼ରେ ଲେଖାଯାଇଛି ଜିଲ୍ଲା ଖଣିଜ ପାଣ୍ଠି ଓ ବିଜୁ ପକ୍କା ଘର ମାଇନିଂରୁ ପ୍ରତି ଘର ପାଇଁ ୨ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି। ଜଣଙ୍କୁ ପଚାରିଲୁ, ତୁମକୁ କେତେ ଟଙ୍କା ମିଳିଲା? ସେ କହିଲେ, ଠିକାଦାର କରିଛି ଆଜ୍ଞା। ଆମକୁ ଟଙ୍କା ମିଳି ନାହିଁ। ଆମେ ଯେଉଁସବୁ ଘର ଦେଖିଲୁ, ସେଥିରେ ସର୍ବାଧିକ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଥିବ। ଦେଖିଲୁ, ଗାଁ’କୁ ବିଜୁଳି ଖୁଣ୍ଟ ପଡ଼ିଛି। ତାର ଟଣା ଯାଇଛି। ଖୁଣ୍ଟିରୁ ସବୁ ଘରକୁ ତାର ଯୋଡ଼ା ଯାଇଛି। କାନ୍ଥରେ ମିଟର ବି ବସିଛି। ଏମିତିକୁ ପୁରୁଣା ଚାଳ ଘରେ ମଧ୍ୟ ମିଟର ବସିଛି ଓ ତାର ଟଣା ଯାଇଛି। ପଚାରିବାରୁ ଲୋକେ କହିଲେ, ଏତିକିରେ ସରକାରଙ୍କ ବିଜୁଳି ସେବା ଶେଷ। ଲୋକେ କେବେ ବିଜୁଳି ଆଲୁଅ ଦେଖି ନାହାନ୍ତି। ଦି’ ବର୍ଷ ହେଲାଣି ତାର ଟଣା ସରିଛି। ଗାଁରେ କେତେଟା ଜାଗାରେ ସୌର ପ୍ୟାନେଲ ଖଞ୍ଜା ଯାଇଛି। ଲୋକେ ସେଇ ଆଲୁଅ ଦେଖିଛନ୍ତି। ତାହା ପୁଣି ସବୁ ଦିନ ଜଳେ ନାହିଁ। ବର୍ଷା ଦିନେ ଗାଁ ପ୍ରାୟ ଅନ୍ଧାର ଭିତରେ ହଜିଯାଏ। ପାହଡ଼ି ରାସ୍ତାରୁ ତଳ ନଗଡ଼ାକୁ ସିମେଣ୍ଟ ପାହାଚରେ ଓହ୍ଲାଇବାକୁ ପଡ଼ିଲା। ସରକାର କରିଛନ୍ତି। ଗାଁ ଭିତରକୁ ପଶିଲାବେଳେ ଜଣେ ବୃଦ୍ଧ ମାଟିପିଣ୍ଢାରେ ବସି ଖାଉଥିଲେ। ଦେଖିଲି, ଥାଳିରେ ଥାଳିଏ ଭାତ। କିନ୍ତୁ ଗୋଟେ ଛୋଟ ଗିନାରେ ଟିକିଏ ମାତ୍ର ଚୁଡ଼ଚୁଡ଼ା ପରି ବ୍ୟଞ୍ଜନ। ଭାତ ତୁଳନାରେ ଅତି ସାମାନ୍ୟ। ବଢ଼ ବଡ଼ ଗୁଣ୍ଡା ଭାତ ସହିତ ସେଇଥିରୁ ନଖରେ ନଖେ ମାତ୍ର ନେଇ ରହି ରହି ଖାଉଥାନ୍ତି ବୟସ୍କ ବ୍ୟକ୍ତି ଜଣକ। ଫଟୋ ଉଠାଇବାକୁ ଇଚ୍ଛା ହେଲା ନାହିଁ। ଗାଁ ଭିତରେ ପଶିଲୁ। ପିଲାଛୁଆଙ୍କ ସହିତ ଯୁବକଯୁବତୀ ବୁଢ଼ାବୁଢ଼ୀ ଅନେକ ଲୋକ ଦେଖାହେଲେ। ସମସ୍ତଙ୍କ ମୁହଁରେ ଗୋଟିଏ କଥା- ସରକାର ଘର ଦେଲା ଯେ ରୋଜଗାର ନେଇଗଲା। ପ୍ରଥମେ ବୁଜିପାରିଲି ନାହିଁ। ପଚାରିବାରୁ ଜଣାପଡ଼ିଲା, ନଗଡ଼ା ଲୋକମାନେ ଆଗରୁ ପୋଡ଼ୁ ଚାଷ କରୁଥିଲେ। ଧାନ, ମୁଗ, ବିରି, କୋଳଥ, ଭେଣ୍ଡି, ବରଗୁଡ଼ି, ବାଇଗଣ, କଲରା, ଶିମ୍ବ, ଲଙ୍କା ପରି ଅନେକ ପ୍ରକାର ପନିପରିବା ଚାଷ କରୁଥିଲେ। କିନ୍ତୁ ସରକାର ଗାଁରେ ବିକାଶ କାମ କରିବା ପରେ ତାହା ବନ୍ଦ। ଜଙ୍ଗଲ ବିଭାଗର କର୍ମଚାରୀମାନେ ତାଗିଦ କରିଛନ୍ତି, ପୋଡ଼ୁ ଚାଷ କଲେ ଜିଅଲ ଯିବ। ଏବେ ଲୋକମାନେ ସରକାରଙ୍କ ଦୟାରୁ ଅନ୍ତ୍ୟୋଦୟ ଯୋଜନାରେ ପରିବାର ପିଛା ମାସକୁ ୩୫ କିଲୋ ଚାଉଳ ପାଉଛନ୍ତି। କିନ୍ତୁ ପନିପରିବା ନାହିଁ। ଗୋଟେ ଗୋଟେ ଘରେ ୪-୫ ଜଣ ଲୋକ। ଚାଉଳ ମାସକୁ ପାଉ ନାହିଁ। ପରିବା କହିଲେ ଜଙ୍କଲୀ ଶାଗ ଓ ଛୁଇଁ। ଏବେ ବି ଲୋକେ ତୋଙ୍ଗାବଏଙ୍ଗା ବା ଜଙ୍ଗଲୀ କନ୍ଦ ଓ ଆଳୁ ଆଦି ଖୋଳି ଖାଉଛନ୍ତି। ଦେଖିଲି, ଗାଁ ପଛ ପଟରେ ଜଣକ ଘରକୁ ଲାଗି କିଛି ଚାଷ ହୋଇଛି। ଜଣକୁ ନେଇ ସେଠିକି ଗଲି। ଅଳ୍ପ କିଛି ଜମିରେ ବିଲାତି ଆଳୁ ଲାଗିଛି। ପାଖରେ ଆଉ କ’ଣ ପରିବା ଲାଗିଥିଲା, ଗଛ ମରିଗଲାଣି। ଗାଁର ଜଣେ ବୟସ୍କ ବ୍ର୍ୟକ୍ତି ଏତକ କରିଛନ୍ତି। ଆଉ କାହାରି ବାଡ଼ି ନାହିଁ କି ଚାଷ ନାହିଁ। ୨୦୧୬ ମାର୍ଚ୍ଚ-ଅଗଷ୍ଟ ମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚହଳ ପକେଇଥିଲା ନଗଡ଼ା। ସେହି ସମୟ ଭିତରେ ଗାଁର ୨୧ ଜଣ ଶିଶୁ ପୁଷ୍ଟି ଅଭାବରୁ ବିଭିନ୍ନ ରୋଗରେ ପଡ଼ି ମରିଯାଇଥିଲେ। ଆଖପାଖରେ ଚିକିତ୍ସା ସୁବିଧା ନଥିଲା। ଆଜି ବି ନାହିଁ। ମରଦଙ୍କର ରୋଜଗାର ନଥିଲା। ଆଜି ବି ନାହିଁ। ବଦଳିଛି କେବଳ ଚିତ୍ର। ସ୍ଥିତି କିନ୍ତୁ ସମାନ। ନଗଡ଼ା ପୁଷ୍ଟିହୀନତା ମୃତ୍ୟୁ କଥା ଦେଶବିଦେଶରେ ଆଲୋଚିତ ହେବା ପରେ ଚେତିଥିଲେ ଓଡ଼ିଶା ସରକାର। ଗାଁରେ ପ୍ରାଥମିକ ସ୍କୁଲଟିଏ ହେଲା। ମଧ୍ୟାହ୍ନ ଭୋଜନ ମିଳିଲା। ଗାଁକୁ ରାସ୍ତା ନଥିଲା, ରାସ୍ତା ହେଲା। ବିଜୁଳି ଖୁଣ୍ଟ ଓ ତାର ଟଣାଗଲା। ସମସ୍ତଙ୍କୁ ବିଜୁ ପକ୍କା ଘର ଓ ଅନ୍ତ୍ୟୋଦୟ ଚାଉଳ ମିଳିଲା। ବୁଢ଼ାବୁଢ଼ିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଗଲା। ଚାଉଳ ଓ ଭତ୍ତା ଟଙ୍କା ଆଣିବାକୁ ଏବେ ବି ଗାଁ ଲୋକଙ୍କୁ ୧୮ କିଲୋମିଟର ଦୂର ଚୁଙ୍ଗୁଡ଼ିପାଳ ଯିବାକୁ ପଡ଼ୁଛି, ଚାଲିଚାଲି। ଡାକ୍ତରଖାନା ଆହୁରି ଦୂର, କାଳିଆପାଣିରେ, ଟିସ୍କୋର। ଗାଁର ସମସ୍ତଙ୍କୁ ନିକଟସ୍ଥ କ୍ରୋମାଇଟ୍‌ ଖଣିରେ କାମ ଦିଆଯାଇ ନାହିଁ। ପ୍ରାୟ ସବୁ ଯୁବକ କ୍ରୋମ ଖଣିରେ ଲୋଡିଂ ଅନ୍‌ଲୋଡ଼ିଂ କାମ କରିବାକୁ ଦରଖାସ୍ତ କରିଛନ୍ତି। କିନ୍ତୁ କଂପ୍ୟୁଟର ନେଉନି କହି ସମସ୍ତଙ୍କୁ କାମ କରାଇ ଦିଆଯାଉନି। ଲୋଡ଼ିଂ ଅନ୍‌ଲୋଡ଼ିଂ କାମରେ ବାହେଲ ଅଛନ୍ତି ଶାସକ ଦଳର କର୍ମୀ ଓ ସମର୍ଥକ। କ୍ରୋମାଇଟ୍‌ ବହୁଥିବା ଟ୍ରକ ବି ସେଇ ଦଳର ଆଗଧାଡ଼ିର କର୍ମୀ ବା ନେତାଙ୍କର। ଯେଉଁ ତିନି ଚାରି ଜଣ କାମ କରୁଛନ୍ତି ସେମାନ ଭୋର୍‌ ୪ଟାରୁ ଉଠି ଚାଲିଚାଲି ଖଣି ପାଖରେ ପହଂଚିଲାବେଳକୁ ସକାଳ ୯ କି ୧୦। ସେତେବେଳକୁ ଅନ୍ୟ ଶ୍ରମିକମାନେ ଟ୍ରକ୍‌ରେ କ୍ରୋମାଇଟ୍‌ ବୋଝେଇ କାମରେ ଲାଗିଥାନ୍ତି। ନଗଡ଼ା ଶ୍ରମିକଙ୍କୁ ପଛରେ ଗୋଟେ କି ଦି’ଟା ଟ୍ରକ ବୋଝେଇର ସୁଯୋଗ ମିଳେ। ସେଥିରୁ ଅଧିକ ମଜୁରୀ ମିଳେ ନାହିଁ। ଗାଁ ସ୍କୁଲରେ ପଢ଼ାପଢ଼ି କେମିତି ହେଉଛି? ପଚାରିଲାରୁ ଜଣାଗଲା ଯେ ମାଷ୍ଟର ଦିନ ୧୨ଟା କି ଗୋଟାଏରେ ପହଞ୍ଚନ୍ତି। ମଧ୍ୟାହ୍ନ ଭୋଜନ ପରେ ଉପସ୍ଥାନ ନେଇ ପଳାନ୍ତି। ସବୁ ଦିନ ଆସନ୍ତି ନାହିଁ, ମଧ୍ୟାହ୍ନ ଭୋଜନ ଦାୟିତ୍ବ ଅଙ୍ଗନବାଡ଼ି ଦିଦିଙ୍କୁ ଦେଇ ଘରେ ରହିଯା’ନ୍ତି। ବାଟ ବହୁତ। ଯିବାଆସିବା ପାଇଁ ଗାଡ଼ି ସୁବିଧା ନାହିଁ। ରାସ୍ତାର ଅବସ୍ଥା ଯାହା ମୋଟର ସାଇକେଲରେ ଆସିଲେ ବି କଷ୍ଟକର ଯାତ୍ରା। ସାଇକେଲରେ ପାହାଡ଼ ଚଢ଼ିବା ଦୁରୁହ। ଗଡ଼ିବାବେଳେ ଟିକେ ସୁବିଧା। ସମୟ ଗଡ଼ି ଯାଇଛି ତିନି ବର୍ଷ। ୨୦୧୬ରୁ ୨୦୧୯। କିନ୍ତୁ ନଗଡ଼ାର ନିଷ୍ଠୁର ବାସ୍ତବତା ରହିଯାଇଛି ପୂର୍ବପରି। ଏବେ ବି ଜଣେ ଜଣେ ଝିଅର ତିନି ଚାରି ପିଲା। ବାଲ୍ୟ ବିବାହ ପ୍ରଥା ସଂପୂର୍ଣ୍ଣ ଦୂର ହୋଇନି। ଆମେ ଯାଇଥିଲୁ ଫେବୃଆରୀ ୨୫ ତାରିଖରେ। ସେହି ଦିନ ଖବରକାଗଜରେ ରିପୋର୍ଟ ଥିଲା ବାହା ହେଲେ ନଗଡ଼ା ସୁନ୍ଦରୀ। ନଗଡ଼ାର ତାହା ଥିଲା ପ୍ରଥମ ବୈଧ ବିବାହ। ଅର୍ଥାତ ବିବାହ ଯୋଗ୍ୟ ବୟସ ୧୮ ବର୍ଷ ପରେ ଜଣେ ଯୁବତୀ ବିବାହ କଲେ। ଏଇ ବିବାହରେ ଅତିଥି ଥିଲେ ସ୍ଥାନୀୟ ବିଧାୟକ ପ୍ରୀତିରଂଜନ ଘଡ଼େଇ ଏବଂ ଅନ୍ୟ କେତେକ ଜନ ପ୍ରତିନିଧି ଓ ସରକାରୀ ପଦାଧିକାରୀ। ସେହି ବାହାଘର ପାଇଁ ଭଡ଼ାରେ ଆସିଥିବା ମାଇକ୍‌ ବାଜୁଥିଲା। ଜଣକୁ ପଚାରିଲି, କାଲି ଭୋଜିରେ କ’ଣସବୁ ହେଇଥିଲା। ଉତ୍ତର ମିଳିଲା, ଭାତ ଟିକେ, ମାଂସ ଟିକେ ଓ ହାଣ୍ଡିଆ। ସେମାନେ ସ୍ବପ୍ନ କ’ଣ ଜାଣି ନାହାନ୍ତି। ଆଶା କ’ଣ ଜାଣି ନାହାନ୍ତି। ଜୀବନ ଓ ମୃତ୍ୟୁ ଭିତରେ ବ୍ୟବଧାନ ବହୁତ କମ୍‌। କେମିତି କ’ଣ କରି ଦିନ ଗଡ଼ିଗଲେ ଯାଏ। ଜୀବନ ବଂଚିଗଲେ ଯାଏ। ଜୀବନ ଯେମିତି ସୁଖର ସମୟ ନୁହେଁ, ମୃତ୍ୟୁ ବି ସେମିତି ଦୁଃଖର କାହାଣୀ ନୁହେଁ। ସମୟ ଚକରେ ଯେମିତି ଅଟକି ଯାଇଛି ନଗଡ଼ା- ପାହାଡ଼ ଘେରା ଗାଁକୁ ଏବେ ବି ଖୋଲିନି ବିକାଶର ବାଟ। ଖଣିରେ ନହେଲେ ମଧ୍ୟ ନଗଡ଼ାର ଜୁଆଙ୍ଗମାନଙ୍କ ରୋଜଗାର ପାଇଁ ସେମାନଙ୍କ ପାହାଡ଼କୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଇ ପାରନ୍ତା। ପର୍ଯ୍ୟଟନର ଅନେକ ସମ୍ଭାବନା ରହିଛି ସେଠି। ଜଙ୍ଗଲ ଜଗି, ଗଛ ଲଗାଇ, ପରିବେଶ ପର୍ଯ୍ୟଟନର ସୁବିଧା କରାଗଲେ ନଗଡ଼ା ଲୋକଙ୍କ ପାଇଁ ସେହି ଗାଁରେ ନିଯୁକ୍ତି ଓ ରୋଜଗାରର ସୁବିଧା ହୋଇପାରନ୍ତା।

Share :