ଓଡିଶାର ନବଜାଗରଣ ପାଇଁ ଘଣ୍ଟଧ୍ୱନୀ!

ଓଡିଶାର ନବଜାଗରଣ ପାଇଁ ଘଣ୍ଟଧ୍ୱନୀ!

ସାରା ଓଡ଼ିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସମ୍ମିଳନୀ ରାଜଧାନୀ ଗୀତଗୋବିନ୍ଦ ସଦନରେ ଫେବୃଆରୀ ୨୩ ଓ ୨୪ ଦୁଇଦିନ ଧରି ଅନୁଷ୍ଠିିତ ହୋଇଯାଇଛି। ଫେବୃଆରୀ ୨୩ ଅପରାହ୍ନ ଠିକ୍ ୫ ଘଟିକା ୫୦ ମିନିଟ୍ରେ ଉଦ୍ଘାଟକ ବର୍ଷିୟାନ ବୁଦ୍ଧିଜୀବୀ, ଲେଖକ, ସ୍ତମ୍ଭକାର ଭୂପେନ ମହାପାତ୍ର, ମୁଖ୍ୟବକ୍ତା ବରିଷ୍ଠ ଶ୍ରମିକନେତା, ଲେଖକ ମାୟାଧର ନାୟକ, ସମ୍ମାନୀତବକ୍ତା ବର୍ଷିୟାନ ଗାନ୍ଧିବାଦୀ କବି କୃଷ୍ଣ ସିଂ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ପ୍ରମୂଖ ଘଂଟ ବାଦନ କରି ନବଜାଗରଣ ଶପଥମଂଚ ଶୁଭାରମ୍ଭ କରିଥିଲେ। ପ୍ରଗତିଶୀଳ କବି ପ୍ରଶାନ୍ତ ମିଶ୍ର ପୌରୋହିତ୍ୟ କରିଥିଲେ। ସମାନ୍ତରାଳ ସର୍ଜନାର ସବିଶେଷ ସତ୍ୟପାଠ ‘ଓଡିଶା ଭୂଇଁ’ ୨୦୧୯ ବିଷ୍ଫୋରକ ବିଶେଷାଙ୍କ ଏହି ମଂଚାସୀନ ମହାମାନ୍ୟ ଅତିଥିବର୍ଗଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି ମହାସମ୍ମିଳନୀର ଆୟୋଜକ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇ କହିଲେ - ଆଜିର ଅଭିନବ ଉଦ୍ଘାଟନ ଓଡିଶା ଇତିହାସରେ ନବଜାଗରଣର ଶୁଭସୁପ୍ରଭାତ ପାଇଁ ମୁଳଦୂଆ ସୃଷ୍ଟି କଲା। ଓଡିଶାର ସମସ୍ତ ଜିଲ୍ଲାରୁ ଆସିଥିବା ପ୍ରଗତିଶୀଳ ଶିଳ୍ପୀ-ଲେଖକ-ଚିନ୍ତକମାନେ ଆମ ସମୟର ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ର ବିରୁଦ୍ଧରେ ରାଜଧାନୀରୁ ମହାସଂଗ୍ରାମର ଏକ ନିଆରା ନାରା ଓ ଧାରା ଆରମ୍ଭ କରିବାପାଇଁ ସମସ୍ୱରରେ ସଂକଳ୍ପ ଘୋଷଣା କରିଥିଲେ। ମୁଖ୍ୟବକ୍ତା ମାୟାଧର ନାୟକ ଅର୍ନ୍ତଜାତୀୟ, ଜାତୀୟ, ଆଂଚଳିକ ଭାଷା-ସାହିତ୍ୟ-କଳା-ସଂସ୍କୃତି କିଭଳି ଭୟଙ୍କର ସଂକଟଦେଇ ଗତିକରୁଛି ତା’ର ମୁକାବିଲା କରି ବିଶ୍ୱବ୍ୟାପି ନବଜାଗରଣ ପର୍ବ ଏହି ମାହେନ୍ଦ୍ର ମୁହୂର୍ତ୍ତରେ ଓଡିଶା ମାଟିରୁ ଆରମ୍ଭ କରିବାପାଇଁ ମାର୍ମିକ ଆହ୍ୱାନ ଦେଇଥିଲେ। ସେ କହିଲେ - ଆଗେ ଭାଷା, ତା’ପରେ ଭୂମି। ଆଗେ ସଂସ୍କୃତି, ତା’ପରେ ସାହିତ୍ୟ। ଆଗେ ସତ୍ତା, ତା’ପରେ ଯାଇ ସ୍ଥିତି ପାଇଁ ସଂଗ୍ରାମ ଓ ସ୍ୱାତନ୍ତ୍ର୍ୟ। ଓଡିଶାକୁ ସରଳ ଭାଷାରେ ଗୋଟିଏ ଚିତ୍ରକଳ୍ପରେ ଆଙ୍କିବାକୁ ଗଲାବେଳେ ଆମ ଆଖି ଆଗରେ ଯେଉଁ ଐତିହ୍ୟ ନିଷ୍ଠ ସାମୂହିକ ସ୍ମୃତିର ତ୍ରିଭୂଜଟିଏ ଆପେ ଆପେ ଫୁଟି ଉଠୁଛି, ତା’ର ତିନୋଟି ବାହୁ ହେଉଛନ୍ତି ଯଥାକ୍ରମେ ଏହି ଓଡିଆ ଭାଷା, ଓଡିଆ ସଂସ୍କୃତି ଓ ଓଡିଆ ସତ୍ତା। ଭାଷା ହିସାବରେ ଓଡିଆ ଏକ ମହାଭାଷା, ସଂସ୍କୃତି ଭାବରେ ଓଡିଆ ଏକ ସଂଘାତ ସଂସ୍କୃତି ଓ ସତ୍ତା ଭାବରେ ଓଡିଆ ଏକ ବିସ୍ମୟକର ମଧ୍ୟଭାରତୀୟ ମହାସତ୍ତା। ଓଡିଶା ଭାଷା-ସାହିତ୍ୟର ସ୍ଥିତି ଦୁର୍ଗତିର ଗୋଟିଏ ଦାରୁଣ ବାସ୍ତବତାକୁ ସାମନା କରୁଛି। ଭାଷା ଓ ସାହିତ୍ୟ ଏ ଉଭୟ ମଧ୍ୟରେ ଏବେ ସ୍ପଷ୍ଟ ଦିଶୁଛି ଏକ ସାଂଘାତିକ ସ୍ୱବିରୋଧ। ଭାଷାକୁ ଭଲ ନ ପାଇ ଓଡିଶାରେ ଆଜିକାଲି ଯେଉଁ ଭାବଲେଶହୀନ ସାହିତ୍ୟର ସୁଆଙ୍ଗ ଚାଲିଛି, ଦିନେ ତା’ର କଳାକୁ ନେଇ କାରବାର କରୁଥିବା କପଟପଶା ଖେଳାଳି ମାନଙ୍କର ନିର୍ଲଜ ସଭା ସାଙ୍ଗ ହେବ। ଆଦିବାସୀ ଓ ଅଧିବାସୀ ଓଡିଆ ଭାଷାର ଯେଉଁ ଐତିହାସିକ ମହାମିଳନ ଘଟିବାର ଥିଲା, ତାହା ଘଟି ନପାରିବା ଯୋଗଁୁ ଓଡିଆ ଏକ ମହାଭାଷା ସତା ହୋଇପାରିଲା ନାହିଁ ଏବଂ ଗୋଟାଏ ଦୋଛକି ରାସ୍ତାର ଦୁର୍ଘଟଣା ପାଲଟିଗଲା ଆମର ସମ୍ଭାବ୍ୟ ଭାଷାସାହିତ୍ୟର ଭବିଷ୍ୟତ। ଓଡିଶାର ପୂର୍ବ-ପଶ୍ଚିମ, ଉତର-ଦକ୍ଷିଣ ଚର୍ତୁଦିଗରୁ ପ୍ରଗତିଶୀଳ ଲେଖକ-ଚିନ୍ତକମାନେ ପ୍ରଖର ପ୍ରତିବାଦ ଓ ପ୍ରତିଜ୍ଞାର ପରିଭାଷାରେ ଦୀକ୍ଷିତ କରିପାରିଲେ ହିଁ ଆମର ଜାଗରଣ ହେବ ଯୁଗଜୟୀ ଏବଂ ସଂଗ୍ରାମ ହେବ ବିଜୟ ବିମଣ୍ଡିତ। ସମ୍ମାନୀତ ବକ୍ତା କୃଷ୍ଣ ସିଂ କହିଲେ, ସାଧାରଣ ମଣିଷ ମନର କଥା, ବ୍ୟଥା, ଅଭାବ, ଅନାଟନ, ସଂଘର୍ଷର କାହାଣୀକୁ ସାହିତ୍ୟରେ ପରିସ୍ପୁଟନ କରିବା ହିଁ ସାହିତ୍ୟର ଅସଲ ଦାୟିତ୍ୱ। ଓଡିଶାରେ ଆଦିବାସୀମାନଙ୍କ ସାହିତ୍ୟ ହିଁ ଆଧୁନିକ ସାହିତ୍ୟ। ଓଡିଆ ଭାଷା-ସଂସ୍କୃତି-କଳା-ସାହିତ୍ୟର ତୁଳନା ନାହିଁ। ଆମ ଓଡିଶାର କବି, ଲେଖକ ମାନେ ମଣିଷ ମନର କଥା ଲେଖିବା ଏକାନ୍ତ ଆବଶ୍ୟକ। ଆମ ଭାଷା ମହାଭାଷା। ଏହି ଭାଷାକୁ ଆମେ ଓଡିଆ ମାନେ ମଧ୍ୟ ଶୁଦ୍ଧ ଭାବରେ କହିପାରୁନା। ଆମର ପିଲାମାନେ ଦି’ପଦ ଶୁଦ୍ଧ ଓଡିଆ କହିବା କଷ୍ଟକର ହେଇଯାଉଛି। ସରକାରୀ କ୍ଷେତ୍ରରେ ଓଡିଆ ଭାଷାର ପ୍ରଚଳନ ପାଇଁ ନିଷ୍ପତି ହୋଇଥିଲେ ବି ବଡବଡ ଅଫିସରମାନେ ଶୁଦ୍ଧ ଓଡିଆ ଜାଣିନଥିବାରୁ ଏବେବି ଇଂରାଜୀ ଭାଷାକୁ ଆପଣେଇ ନେଇଛନ୍ତି। ଯାହାଫଳରେ ଆମର ଭାଷା ଏକ ସଂକୀର୍ଣ୍ଣ, ନ୍ୟସ୍ତସ୍ୱାଥ. ଉଚ୍ଚବର୍ଗି ତଥାକଥିତ ଉଚ୍ଚଶିକ୍ଷିତ ଗୋଷ୍ଠୀର କୁଟଚକ୍ରାନ୍ତରେ କବଳିତ ହୋଇପଡିଛି। ଆମେ ସମସ୍ତେ ଆମ ମା’ର ଭାଷା, ମାଟିର ଭାଷା, ଆମ ମଣିଷ ମାନଙ୍କର ଭାଷାକୁ ଏହି ଦୁଃଶାସନୀ ପ୍ରଶାସନୀକ ଗୋଷ୍ଠୀ ଦ୍ୱାରା ବିବସ୍ତ୍ରା ଦ୍ରୌପଦୀ ହେବାର ଲାଂଛନାକୁ ଆମନ୍ତ୍ରଣ କରିଆଣିବା ନାହିଁ। ଉଦ୍ଘାଟକ ଭୂପେନ ମହାପାତ୍ର କହିଲେ - ଯୁଗଯୁଗରୁ କବି, ଲେଖକ, ସମାଜ ସଂସ୍କାରକମାନେ ହିଁ ମଣିଷ କଥା ଚିନ୍ତା କରି ଆସୁଛନ୍ତି। ମଣିଷର ଉତ୍ଥାନ ତା’ର ମାନସିକ ତଥା ସାମଗ୍ରିକ ବିକାଶ କଥା ତା’ର ଏକମାତ୍ର ଧ୍ୟେୟ। ବହୁ ମହାପୁରୁଷ ମଣିଷର ମୁକ୍ତି ପାଇଁ ସୃଷ୍ଟି କରୁଥିଲେ ଅସୁମାରୀ ସାହିତ୍ୟ, କିନ୍ତୁ ତା’ର ମୁକ୍ତି କାହିଁ ? ମୁକ୍ତି, ସ୍ୱାଧୀନତା, ସତ୍ୟ, ନ୍ୟାୟ ପାଇଁ ଯେଉଁ ସାହିତ୍ୟ ରଚନା ହୁଏ ତାହାହିଁ ପ୍ରଗତିଶୀଳ। ଆଜି କିନ୍ତୁ ଆମେ ପ୍ରତିକ୍ରିୟାଶୀଳ ସାହିତ୍ୟକୁ ତଥାକଥିତ ଆଧୁନିକ ସାହିତ୍ୟ ବୋଲି ଡିଣ୍ଡିମ ପିଟୁଛୁ। ଓଡିଶାରେ ଭାଷା-ସାହିତ୍ୟ-କଳା-ସଂସ୍କୃତି କ୍ଷେତ୍ରରେ ଉଦ୍ଦିପନାମୟ ନବଜାଗରଣ ଆଣିବାପାଇଁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ଏହି ଉଦ୍ୟମ ଉଲ୍ଲେଖନୀୟ। ଶେଷରେ ପ୍ରକୃତିପ୍ରେମୀ ଡଃ. ଗୌରାଙ୍ଗ ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅଟୋରିକ୍ସା ଚାଳକଙ୍କୁ ଶ୍ରେଷ୍ଠ ପାଠକ ପୁରସ୍କାର ଫେବୃଆରୀ ୨୪ ତାରିଖ ପୂର୍ବାହ୍ନରେ ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଡଃ. ବିଦ୍ୟୁତପ୍ରଭା ସାହୁ, ଡଃ. ବାସନ୍ତୀ ମହାନ୍ତି, ଶିକ୍ଷାବିଦ୍ ଇନ୍ଦିରା ଦାସ ମଂଚ ପରିଚାଳନା କରିଥିଲେ। ପ୍ରଥମେ ଶ୍ରୀ କୃଷ୍ଣ ସିଂ ଅଟୋରିକ୍ସା ଚାଳକ ପୁର୍ଣ୍ଣଚନ୍ଦ୍ର ନାୟକଙ୍କୁ ଶ୍ରେଷ୍ଠ ପାଠକ ପୁରସ୍କାର ଭାବେ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରିଥିଲେ। ପରେ ପରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ବୈପ୍ଳବିକ ଅଭିବାଦନିକା ‘ମହାନାୟକ ମାୟାଧର’ ପୁସ୍ତକକୁ ବରିଷ୍ଠ ପତ୍ରକାର ସୁଜ୍ଞାନ ଚୌଧୁରୀ ଉନ୍ମୋଚନ କରି କହିଲେ, ସଂକଳ୍ପ ଓ ସଂଗ୍ରାମର ସୁଦୀର୍ଘ ପଦଯାତ୍ରା ହେଉଛି ମାୟାଧର ନାୟକଙ୍କ ପୃଥକ୍ ସାରସ୍ୱତ ସର୍ଜନାର ପୃଷ୍ଠଭୂମି। ସେ ଲେଖିଛନ୍ତି ଲହୁଲୁହାଣ ମଣିଷର ମର୍ମକଥା, ସମାଜ ପରିବର୍ତ୍ତନର ସଂଦେଶାତ୍ମକ ତତ୍ୱଶାସ୍ତ୍ର, କ୍ରାନ୍ତିକାରୀ କଥାସାହିତ୍ୟ - ଅନନ୍ୟ ଉପଲବ୍ଧିର ଅନେକ ଉପନ୍ୟାସ। ଆହ୍ୱନ ଅଙ୍ଗୀକାର ପାଇଁ ଉତ୍ତରପିଢ଼ି ପ୍ରତି ଶ୍ରୀ ନାୟକଙ୍କ ଆବେଦନରେ ଅଛି ଆବେଗଭରା ଆନ୍ତରିକତା। ଯଶପ୍ରାର୍ଥୀ ସୌଖୀନ ଲେଖକର ଆତ୍ମମ୍ଭରୀ ଅଭିଧର୍ମ ନୁହେଁ, ବଂର ଜନଜୀବନତନ୍ତ୍ରର ମହାମନ୍ତ୍ରଦିକ୍ଷୀତ ଜଣେ ଯୁଧ୍ୟମାନ ନାୟକର ଅକୁତୋଭୟ ଅଭିବ୍ୟକ୍ତି ହିଁ ହେଉଛି ମାୟାଧର ନାୟକଙ୍କ ପରିବର୍ତନକାମୀ ସୃଜନୀକର୍ମର ପରିଶୁଦ୍ଧ ପରିଭାଷା। ମାୟାଧର ନାୟକ ସାରାଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭାର ଭିତିପତ୍ର, ସମ୍ୱିଧାନ, ଆଗାମୀ କାର୍ଯ୍ୟକ୍ରମର ଚୁଡାନ୍ତ ଚିଠାପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତାବ ଉପରେ ମୁଖ୍ୟବକ୍ତା ଶିକ୍ଷାବିଦ୍ ଡଃ. ବାସନ୍ତୀ ମହାନ୍ତି ଏକ ଗବେଷଣାମୂଳକ ତଥ୍ୟ ଉତ୍ଥାପନ କରି ତାଙ୍କର ସୁଚିନ୍ତିତ ପରାମର୍ଶ ଦେଇଥିଲେ। ବରିଷ୍ଠ ସ୍ତମ୍ଭକାର ବାସୁଦେବ ଦାସ, ପ୍ରଫେସର ଡଃ. ରବିନାରାୟଣ ମିଶ୍ର, କବି ପ୍ରଫେସର ଅଭିନ ଚନ୍ଦ୍ର ସାହୁ, ଜଳଧର ସ୍ୱାଇଁ, ହାଡିବନ୍ଧୁ ମାଳି, ପ୍ରମୋଦ ରାଉଳ, ସୁକର୍ଣ୍ଣ ରାଉତ, ଭୂବନ ମୋହନ ମହାନ୍ତି, ଦିବ୍ୟଲୋଚନ ସାହୁ, ନାରାୟଣ ପଣ୍ଡା, ସବିତା ମହାରଣା, ବଳରାମ ପଣ୍ଡା, ପ୍ରଦୀପ ସାହୁ, ପ୍ରହଲ୍ଲାଦ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ଆକାଶ ଦାସନାୟକ ପ୍ରମୂଖ ବକ୍ତବ୍ୟ ରଖିଥିଲେ। ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାପରେ ତା’ର ଉତ୍ତରୋତ୍ତର ବିକାଶ ପାଇଁ ଯେଉଁ ଶହେ କୋଟି ଟଙ୍କାର ଅନୁଦାନ, ତାକୁ ସରକାର, ଓଡିଶା ସାହିତ୍ୟ ଏକାଡେମୀ ବା ସରକାରଙ୍କ ପ୍ରଶାସକ, ସାହିତ୍ୟିକମାନେ ନିଜ ରୁଚି ମୁତାବକ ଖର୍ଚ୍ଚ କରିବାକୁ ଦିଆଯିବ ନାହିଁ। ଓଡିଶାର ସମସ୍ତ ସାହିତ୍ୟିକ ଓ ସାହିତ୍ୟ ଅନୁଷ୍ଠାନର ମତାମତ ନେଇ ଖର୍ଚ୍ଚ କରିବାକୁ ଆମେ ଆଜିର ମହାସମ୍ମିଳନୀରେ ପ୍ରସ୍ତାବ ଆଗତ କରିଥିଲେ। ଅନ୍ୟ ଏକ ପ୍ରସ୍ତାବ କୃଷ୍ଣ ସିଂ ଆଗତ କରି କହିଲେ ପ୍ରତିବର୍ଷ ଶିଶୁ ସାହିତ୍ୟର ବିକାଶ ପାଇଁ ପ୍ରତିବର୍ଷ ଜଣେ ସାହିତ୍ୟିକ/ସାହିତ୍ୟିକାଙ୍କୁ ‘ମାୟାଧର ନାୟକ ଶିଶୁ ସାହିତ୍ୟ ପୁରସ୍କାର’ ଦିଆଯିବ ଏବଂ ୨୫ ହଜାର ଟଙ୍କା ପୁରସ୍କାର ରାଶି ସେ ବହନ କରିବେ। ଶେଷରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମିଶ୍ର ସଂଗଠନର ନାମ ‘ସାରା ଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି ମହାସଭା’ ରଖାଯିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏହାର କର୍ମକର୍ତ୍ତା ଭାବେ ଉପଦେଷ୍ଟା ଭୂପେନ ମହାପାତ୍ର, କୃଷ୍ଟ ସିଂ, ସୁଜ୍ଞାନ ଚୌଧୁରୀ, ସଭାପତି ମାୟାଧର ନାୟକ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମିଶ୍ର, ବାସୁଦେବ ଦାସ, ଡଃ. ବିଦ୍ୟୁତ୍ପ୍ରଭା ସାହୁ, ଡଃ. ବାସନ୍ତୀ ମହାନ୍ତି, ସାଧାରଣ ସଂପାଦକ ଦଣ୍ଡପାଣି ମହାପାତ୍ର, ସାଂଗଠନିକ ସଂପାଦକ ଡଃ. ଗୌରାଙ୍ଗ ରାଉତ, ଡଃ. ଝାନସୀ ସିଂ, ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷା ଇନ୍ଦିରା ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ/ସଦସ୍ୟାରେ ନାରାୟଣ ପଣ୍ଡା (ନବରଙ୍ଗପୁର), ବିଜୟ ପ୍ରଧାନ (କୋରାପୁଟ), ସୁବାସ ପଣ୍ଡା (ଗଞ୍ଜାମ), ଅକ୍ଷୟ କୁମାର କର୍ଣ୍ଣ (ଫୁଲବାଣୀ), ହିଂମାଚଳ ସାହୁ (କେଶିଙ୍ଗା), ରାମହରି ସାହୁ (ମାଲକାନଗିରି), ରଙ୍କନିଧି ସେଠୀ (ଖୋର୍ଦ୍ଧା), ପ୍ରଦୀପ ସାହୁ (ପୋଲସରା), ପ୍ରମୋଦ ରାଉଳ (ଜୟପୁର), ସୁକାନ୍ତ ରାଉତ, ଭୂବନ ମୋହନ ମହାନ୍ତି, ସୁକର୍ଣ୍ଣ ରାଉତ (ଯାଜପୁର), ହାଡିବନ୍ଧୁ ମାଳି (ବ୍ରହ୍ମପୁର), ରେବତୀ ନାୟକ (ବାଲେଶ୍ୱର), ଜଳଧର ସ୍ୱାଇଁ (କୋରାପୁଟ), ରାଧାମୋହନ ପଣ୍ଡା, ରବୀନ୍ଦ୍ରନାଥ ଆଚାର୍ଯ୍ୟ (ଭଞ୍ଜନଗର), ସୁଦର୍ଶନ ପ୍ରଧାନ (ପୁରୀ) ପ୍ରମୁଖ ୪୧ ଜଣଙ୍କ ନାମ ଘୋଷଣା କରିଥିଲେ। ମହାସଭାର ମୁଖପତ୍ର ନାମ ‘ଶପଥପତ୍ର’ ପ୍ରସ୍ତାବ ମାୟାଧର ନାୟକ ଆଗତ କରିଥିଲେ। ସମସ୍ତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା ଏବଂ ୨୦୧୯-୨୦ ମଧ୍ୟରେ ଓଡିଶାର ଦକ୍ଷିଣ, ଉତ୍ତର, ପୂର୍ବ, ପଶ୍ଚିମ ଓ ମଧ୍ୟ ଓଡିଶାରେ ୫ଟି ସ୍ଥାନରେ ସମ୍ମିଳନୀ କରାଯାଇ ସମଗ୍ର ଓଡିଶାର ପ୍ରଗତିଶୀଳ କବି-ଲେଖକ-ଚିନ୍ତକ ମାନଙ୍କ ମହାମେଳିରେ ଭାଷା-ସାହିତ୍ୟ-କଳା-ସଂସ୍କୃତି ଜଗତରେ ନୂତନ ଜାଗରଣ ସୃଷ୍ଟି କରାଯିବ। ଏହି ମହାସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ଡଃ. ବିଦ୍ୟୁତପ୍ରଭା ସାହୁ ସମସ୍ତଙ୍କୁ ଗୃହିତ ନିଷ୍ପତି ଗୁଡିକୁ ନିରବଛିନ୍ନ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବାପାଇଁ ଆବେଦନ କରିଥିଲେ। ଡଃ. ଗୌରାଙ୍ଗ ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Share :