ଏମାନେ ହେଲେ ବାବୁ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ!

ଏମାନେ ହେଲେ ବାବୁ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ!

Share :

ସ୍ବତନ୍ତ୍ର ପ୍ରତିନିଧି ପିଆଣ୍ଡଏସ ଡିପାର୍ଟମେଣ୍ଟ ନମ୍ବର ୯୧୬୫/ଜେନ୍‌ ତାରିଖ ୨୮.୪.୧୯୬୭ ଏବଂ ଜିଏ ଡିପାର୍ଟମେଣ୍ଟ ନମ୍ବର ୨୭୭୮୯/ଜେନ୍‌ ତାରିଖ ୧.୭.୧୯୯୨ ବିଜ୍ଞପ୍ତିରେ ଜାରି ହୋଇଥିବା ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ସର୍ବାଧିକ ୩ ବର୍ଷ ରହିବା କଥା। କୌଣସି କର୍ମଚାରୀ ଗୋଟିଏ ସ୍ଥାନରେ ତିନି ବର୍ଷ ପୂରଣ କଲେ ସରକାର ତାଙ୍କୁ ବଦଳି କରିପାରିବେ। କର୍ମଚାରୀମାନେ ଗୋଟିଏ ସ୍ଥାନରେ ଅଧିକ କାଳ ବାହେଲ ରହିଲେ ଦୁର୍ନୀତିର ଆଶଙ୍କା ଅଧିକ ଥାଏ। ତେଣୁ ଗୋଟିଏ ରାଜନୀତିକ ଦଳ ବା କୌଣସି ରାଜନୀତିକ ଦଳର ପ୍ରତିନିଧି ଯଦି ଅଧିକ କାଳ କ୍ଷମତାରେ ରହନ୍ତି ଯେପରି ସରକାରୀ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଏ ଠିକ ସେହିପରି ଜଣେ ସରକାରୀ କର୍ମଚାରୀ ଯଦି ଗୋଟିଏ ସ୍ଥାନରେ ଅଧିକ କାଳ ରହନ୍ତି ତେବେ ସେ ମଧ୍ୟ ଦୁର୍ନୀତି କରିବାକୁ ସୁଯୋଗ ଓ ବାଟ ବାହାର କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କୁ ନିୟମିତ ବଦଳି କରିବାକୁ ନିୟମ ପ୍ରଣୟନ କରିଥିଲେ। ଆଜିକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୨ ମସିହାରେ ଗୋଟିଏ ସ୍ଥାନରେ ଜଣେ ସରକାରୀ କର୍ମଚାରୀ ୩ ବର୍ଷ ପୂରଣ କରିଥିଲେ ତାଙ୍କୁ ତୁରନ୍ତ ବଦଳି କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା। କିନ୍ତୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ କେତେ ଜଣ ନିର୍ଦ୍ଦିଷ୍ଟ ଅଧିକାରୀ ଗୋଟିଏ ସ୍ଥାନରେ ୪-୧୦ ବର୍ଷ କାଳ ରହିଥିଲେ ମଧ୍ୟ ସେମାନଙ୍କର ବଦଳି କରାଯାଉ ନାହିଁ। ଏହି ଅଫିସରମାନଙ୍କ ଜରିଆରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି ଓ ସେହିମାନେ ହିଁ ସରକାରର ସମସ୍ତ ନୀତି ଓ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ବୋଲି ଅନେକ ସମୟରେ ବିପକ୍ଷ ଦଳର ନେତାମାନେ ଅଭିଯୋଗ କରିଥାନ୍ତି। ଏପରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ସରକାରଙ୍କର ବିଭିନ୍ନ ବିଭାଗକୁ ତଥ୍ୟ ମଗାଯାଇଥିଲା। ୨୦୧୮ ଡିସେମ୍ବର ମାସରେ ସରକାର ଯୋଗେଇଥିବା ତଥ୍ୟ ଅନୁସାରେ ଏଭଳି ୧୩ ଜଣ ଆଇଏଏସ ଅଫିସରଙ୍କ କାର୍ଯ୍ୟକାଳ କେତେ ଅଧିକ ଜଣାପଡ଼ିଛି। ମୁଖ୍ୟତଃ ଏହି ଆଇଏଏସ ଅଫିସରମାନେ ସବୁ ପ୍ରମୁଖ ବିଭାଗର ଦାୟିତ୍ବରେ ଅଛନ୍ତି। ସେମାନଙ୍କ ବିଭାଗରେ ହିଁ ସରକାରଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଏ। ସେହିସବୁ ବିଭାଗ ଜରିଆରେ ହିଁ ରାଜ୍ୟର ପ୍ରାକୃତିକ ସଂପଦ ଓ ରାଜକୋଷ ଖାଲି ହୁଏ କିମ୍ବା ସଂରକ୍ଷିତ ରହେ। ଏହି ଅଧିକାରୀମାନେ ରାଜ୍ୟର ସଂପଦ ଓ ସାଧନର ସୁପରିଚାଳନା କରିଛନ୍ତି କି ତାହା ଧ୍ବଂସ କରି ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସାରଣ କରିଛନ୍ତି ତାହା ବିଚାର କରିବାର କଥା। ମିଳିଥିବା ତଥ୍ୟ ଅନୁସାରେ ଆଇଏଏସ ଅଧିକାରୀ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପଦରେ ୨୦୧୧ ମେ ୨ ତାରିଖରୁ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ପ୍ରାୟ ୮ ବର୍ଷ ବିତିଗଲାଣି। ତାଙ୍କର ବଦଳି ହୋଇନାହିଁ। ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମାର୍ଗଦର୍ଶକ ଓ ପ୍ରମୁଖ ପରାମର୍ଶଦାତା ପ୍ୟାରୀ ମୋହନ ମହାପାତ୍ରଙ୍କ ସହିତ ନବୀନ ପଟ୍ଟନାୟକଙ୍କର ମତାନ୍ତର ଓ ମନାନ୍ତର ବୃଦ୍ଧି ପାଇଥିଲା ଓ ପରେ ତାହା ୨୦୧୨ ମେ ୨୯ ତାରିଖର ବିଫଳ ବିଦ୍ରୋହର ରୂପ ଗ୍ରହଣ କରିଥିଲା। ଏହି ପାଣ୍ଡିଆନ ହିଁ ଏବେ ବିଜୁ ଜନତା ଦଳ, ସରକାର ଓ ରାଜ୍ୟ ପରିଚାଳନା କରୁଛନ୍ତି ବୋଲି ବିଭିନ୍ନ ସମୟରେ ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଏବଂ ନିରଂଜନ ପଟ୍ଟନାୟକ ପ୍ରମୁଖ ଅଭିଯୋଗ କରିଆସିଛନ୍ତି। ରାଜନୀତିକ ସ୍ତରରେ ହୋଇଥିବା ଅଭିଯୋଗ ଅନୁଯାୟୀ ପାଣ୍ଡିଆନ ହେଉଛନ୍ତି ପ୍ରକୃତ ମୁଖ୍ୟମନ୍ତ୍ରୀ। ନବୀନ କେବଳ ନାଁକୁ ମାତ୍ର! ପାଣ୍ଡିଆନଙ୍କ ଯୋଗୁଁ ହିଁ କେତେ ଜଣ ନିର୍ଦ୍ଦିଷ୍ଟ ଆଇଏଏସ ଅଫିସର ନିର୍ଦ୍ଦିଷ୍ଟ କେତେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହି ସରକାର ପରିଚାଳନା କରୁଛନ୍ତି। ସେମାନେ କ୍ୟାବିନେଟ ମନ୍ତ୍ରୀଙ୍କଠାରୁ ଅଧିକ କ୍ଷମତା ଉପଭୋଗ କରୁଛନ୍ତି। ଏହିପରି ଅନ୍ୟ ଜଣେ ଅଫିସର ହେଲେ ରାଜକୁମାର ଶର୍ମା। ସେ ଏବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଅଛନ୍ତି। କିନ୍ତୁ ୨୦୧୪ ଡିସେମ୍ବର ୨୨ ତାରିଖରୁ ସେ ଓଡ଼ିଶା ପାଇଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଇସ୍ପାତ ଓ ଖଣି ବିଭାଗର ସଚିବ ପଦ ଉପଭୋଗ କରୁଛନ୍ତି। ଏହି ବିଭାଗରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ୬ ଲକ୍ଷ କୋଟି ଟଙ୍କାର ଖଣିଜ ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି। ଏହି ଦୁର୍ନୀତି ଉପରେ ସିବିଆଇ ତଦନ୍ତ ପାଇଁ ଜଷ୍ଟିସ ଏମବି ଶାହା କମିଶନ ସୁପାରିଶ କରିଛନ୍ତି। ସୁପ୍ରିମ କୋର୍ଟ ମଧ୍ୟ ଓଡ଼ିଶାରେ ବ୍ୟାପକ ଖଣି ଦୁର୍ନୀତି ହୋଇଥିବା ରାୟ ଦେଇଛନ୍ତି। ଖଣି ଲିଜଧାରୀ କମ୍ପାନୀଙ୍କ ଚାନ୍ଦାରେ ବିଜୁ ଜନତା ଦଳ ନିର୍ବାଚନ ଲଢ଼େ ଓ ଏହାର ନେତାମାନଙ୍କର ଅଟ୍ଟାଳିକା ନିର୍ମିତ ହୁଏ ବୋଲି ଅଭିଯୋଗ ନୂଆ ନୁହେଁ। ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଜରିଆରେ ହିଁ କଂଗ୍ରେସ ସଂପୃକ୍ତ ପରିବାରର ଖଣି କାରବାର ସମେତ ସେମାନଙ୍କ ରାଜନୀତିକୁ ମଧ୍ୟ ପ୍ରଭାବିତ ଓ ନିୟନ୍ତ୍ରିତ କରାଯାଏ। ସରକାର ଓ ଜନ ସାଧାରଣଙ୍କ ପାଇଁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ଗୃହ ବିଭାଗ। ପୁଲିସ ଓ ଗୁଇନ୍ଦା ବ୍ୟବସ୍ଥା ଏହି ବିଭାଗ ଅଧୀନରେ କାର୍ଯ୍ୟ କରିଥାନ୍ତି। ଏହି ବିଭାଗର ଗାଡ଼ିରେ ନିର୍ବାଚନ ସମୟରେ ଟଙ୍କା ବଣ୍ଟାଯାଉଥିବା ସମୟରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଧରିବାରୁ ତାଙ୍କୁ ତୁରନ୍ତ ହଟେଇ ଦିଆଯାଇଥିଲା। ପରେ ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେବା ପାଇଁ ଏହି ବିଭାଗ ଜରିଆରେ ମିଛ ଭିଜିଲାନ୍ସ ମାମଲା ଦାଏର ହୋଇଥିଲା। ୨୦୧୫ ଏପ୍ରିଲ ୨୨ ତାରିଖରୁ ଏହି ବିଭାଗର ଦାୟିତ୍ବରେ ଅଛନ୍ତି ଅସିତ କୁମାର ତ୍ରିପାଠୀ। ଓଡ଼ିଶାରେ ସାଧାରଣତଃ ଗୃହ ବିଭାଗ ସଚିବ ପଦରେ ୪ ବର୍ଷ କାର୍ଯ୍ୟ କରିବା ଅଫିସରଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ଅସିତ ବାବୁ ଏବେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ କାର୍ଯ୍ୟ କରୁଛନ୍ତି। ଗ୍ରାମାଞ୍ଚଳ ବିକାଶ ଓ ତୃଣମୂଳ ସ୍ତରର ଗଣତନ୍ତ୍ର ପାଇଁ ପଞ୍ଚାୟତିରାଜ ବିଭାଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାରେ ହେଉଥିବା ବ୍ୟାପକ ଦୁର୍ନୀତି ରୋକିବାରେ ଏହି ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା କଥା। କିନ୍ତୁ ଓଡ଼ିଶାରେ ଏହି ବିଭାଗ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ଯୋଗାଉଥିବାରୁ ନବୀନ ପଟ୍ଟନାୟକଙ୍କ ସରକାରକୁ ପିସି ସରକାର ଭାବେ ଅଭିହିତ କରାଯାଉଛି। ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ସରକାରରେ ଚାଲିଥିବା ପର୍ସେଣ୍ଟ ରାଜ ନେଇ ଏକଦା ଚିନ୍ତା ପ୍ରକଟ କରିଥିଲେ। ଏ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଣ୍ଠିର ସର୍ବନିମ୍ନ ୨୫ ପ୍ରତିଶତରୁ ସର୍ବାଧିକ ୪୫ ପ୍ରତିଶତ ଯାଏଁ ଲାଞ୍ଚ, ଦୁର୍ନୀତି ଓ ବାଟମାରଣା ଭାବେ ହଡ଼ପ ହୋଇଥାଏ। ୨୦୧୩ ଜୁନ ପହିଲାରୁ ଏହି ବିଭାଗର ପ୍ରମୁଖ ସଚିବ ଦାୟିତ୍ବରେ ରହିଛନ୍ତି ଆଇଏଏସ ଅଫିସର ଦେଓରଂଜନ କୁମାର ସିଂହ। କୃଷି ପ୍ରଧାନ ଓଡ଼ିଶାର ବିକାଶରେ ଜଳସଂପଦ ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଅନ୍ୟାନ୍ୟ ବିଭାଗ ତୁଳନାରେ ଜଳସଂପଦ ବିଭାଗର ବଜେଟ ମଧ୍ୟ ଅଧିକ। ଏ ବିଭାଗରେ ମଧ୍ୟ ତଳୁ ଉପର ଯାଏଁ ଦୁର୍ନୀତି ହେଉଥିବାର ଅଭିଯୋଗ ଅନେକ ପୁରୁଣା। ବନ୍ୟା ସମୟରେ ବାଲି ବସ୍ତାକୁ ୫୦୦ ଟଙ୍କାରେ ବିଲ୍‌ ହେବା, ବର୍ଷା ପରେ ରେନ୍‌ କଟ୍‌ ମରାମତି ନାଁରେ ପାଛିଏ ମାଟି ପକେଇ ୨୦୦ ଟଙ୍କା ବିଲ୍‌ କରିବା, ପ୍ରତି ବର୍ଷ ଘାଇ ଓ କେନାଲ ମରାମତି ନାଁରେ ଶହଶହ କୋଟି ଟଙ୍କା ହଡ଼ପ ହେବା, ନଦୀବନ୍ଧ ସୁଦୃଢ଼ୀକରଣ ଓ ସଂପ୍ରସାରଣ ନାମରେ କୋଟି କୋଟି ଟଙ୍କାର ଠିକା ଦିଆଯିବା, ବିନା ଟେଣ୍ଡରରେ କେ-୨ ଫର୍ମୁଲାରେ ହଜାର ହଜାର କୋଟି ଟଙ୍କାର ଠିକା କାମ ଦଳୀୟ କର୍ମୀଙ୍କୁ ବଣ୍ଟାଯିବା ଆଦି କାମ ମୁଖ୍ୟତଃ ଏଇ ବିଭାଗର ଯନ୍ତ୍ରୀ ଓ ଅଫିସରମାନଙ୍କ ଜରିଆରେ ହୋଇଥାଏ। ମହାନଦୀ, ଋଷିକୂଲ୍ୟା, ବଂଶଧାରା ଆଦି ନଦୀର ଜଳ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପାଇଁ ବି ଏହି ବିଭାଗ ସଂପୂର୍ଣ୍ଣ ଭାବେ ଦାୟୀ। ୨୦୧୪ ଅଗଷ୍ଟ ୨୦ ତାରିଖରୁ ଏହି ବିଭାଗର ପ୍ରମୁଖ ସଚିବ ପଦରେ ଅଛନ୍ତି ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା। ରାଜ୍ୟରେ ଦୁଇ ବୃହତ ଇସ୍ପାତ ପ୍ରକଳ୍ପ ପସ୍କୋ ଓ ମିତ୍ତଲ ନହୋଇପାରିବାର ବିଫଳତା ପାଇଁ ଯଦି କୌଣସି ବିଭାଗ ସର୍ବାଧିକ ଦାୟୀ ତେବେ ତାହା ହେଉଛି ଶିଳ୍ପ ବିଭାଗ। ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସ୍ଲୋଗାନ ଯଦି ବିଫଳ ହୋଇଥାଏ ଏବଂ ପ୍ରତି ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ଯଦି ନିୟମ ମୁତାବକ ନିଯୁକ୍ତି ମିଳୁ ନଥାଏ ତେବେ ଏହି ବିଭାଗ ହିଁ ଦାୟୀ। ଯଦି ଇସ୍ପାତ କାରଖାନା ନାମରେ ରାଜ୍ୟରେ ପ୍ରଦୂଷଣକାରୀ ସ୍ପଞ୍ଜଲୁହା କାରଖାନା ସ୍ଥାପିତ ହୋଇଥାଏ, ଯଦି ସେମାନ ପ୍ରଦୂଷଣ ନିୟମ ମାନୁ ନଥାନ୍ତି, ଯଦି ଭୂଷଣ କାରଖାନା ଭଳି ଅନେକ କାରଖାନାରେ ନିୟମିତ ଦୁର୍ଘଟଣା ଘଟି ଶହଶହ ଲୋକଙ୍କ ଜୀବନ ଯାଇଥାଏ, ଯଦି ଶିଳ୍ପ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନଙ୍କର ସ୍ବାସ୍ଥ୍ୟହାନୀ ଓ ଅର୍ଥହାନୀ ଘଟୁଥାଏ ତେବେ ଏହି ବିଭାଗଟି ସର୍ବୋତଭାବେ ଦାୟୀ। ଏହି ବିଭାଗରେ କାମ ଥିବାରୁ ଶିଳ୍ପପତିମାନେ ଲାଞ୍ଚ ଓ ଚାନ୍ଦା ଆକାରରେ ଶହଶହ କୋଟି ଟଙ୍କା ଦଳୀୟ ପାଣ୍ଠିକୁ ପ୍ରଦାନ କରିଥାନ୍ତି। ୨୦୧୫ ଅଗଷ୍ଟ ୧୮ ତାରିଖରୁ ଏହି ବିଭାଗର ପ୍ରମୁଖ ସଚିବ ଅଛନ୍ତି ଆଇଏଏସ ଅଫିସର ସଂଜୀବ ଚୋପ୍ରା। ରାଜ୍ୟରେ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବଣ୍ଟନ ବ୍ୟବସ୍ଥା ପରିଚାଳନା ଦାୟିତ୍ବ ହେଉଛି ଶକ୍ତି ବିଭାଗର। ଆଜି ବି ଯଦି ରାଜ୍ୟର ଅନେକ ଗାଁ ବିଦ୍ୟୁତ ସଂଯୋଗରୁ ବଞ୍ଚିତ, ଅନେକ ଗ୍ରାହକ ବିଦ୍ୟୁତ ସେବା ନପାଇ ମଧ୍ୟ ବିଲ୍‌ ଦେଇ ତଣ୍ଡ ଗଣୁଛନ୍ତି, ବଳକା ବିଦ୍ୟୁତ ରାଜ୍ୟ ହୋଇ ମଧ୍ୟ ଦିନକୁ ୮-୧୨ ଘଣ୍ଟା ବିଦ୍ୟୁତ କାଟ୍‌ ହେଉଛି, ଟ୍ରାନ୍ସଫର୍ମର ଆଦି ଠିକ ସମୟରେ ସଜଡ଼ା ଯାଉନାହିଁ, ଘରୋଇକରଣ ପରେ ମଧ୍ୟ ପରିବହନ ଓ ବଣ୍ଟନ କ୍ଷତି ଆଶାନୁରୂପକ କମି ନାହିଁ, ଅମ୍ବାନୀଙ୍କ ବିଦ୍ୟୁତ ବଣ୍ଟନ କମ୍ପାନୀ ଓଡ଼ିଶାର ୩ ହଜାର କୋଟି ଟଙ୍କା ଠକି ନେଇ ପାର୍‌ ହୋଇଯାଇଛି, ଆମେରିକାର ଏଇଏସ ମଧ୍ୟ ଠକିବାର ସୁଯୋଗ ଓ ସୁବିଧା ପାଇଛି, ଗ୍ରାମାଞ୍ଚଳ ବିଦ୍ୟୁତକରଣରେ ଯାଜପୁର ପରି ଅନେକ ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି, ଦିଲ୍ଲୀରେ ବିଦ୍ୟୁତ ଉତ୍ପାଦନ ହେଉନଥିଲେ ମଧ୍ୟ ସେଠାରେ ୟୁନିଟ ପିଛା ୧ ଟଙ୍କାରେ ବିଦ୍ୟୁତ ମିଳୁଥିବାବେଳେ ଓଡ଼ିଶା ଏକ ବିଦ୍ୟୁତ ବଳାକ ରାଜ୍ୟ ହୋଇ ମଧ୍ୟ ଗ୍ରାହକଙ୍କୁ ୟୁନିଟ ପିଛା ୫ ଟଙ୍କା ଦେବାକୁ ପଡ଼ୁଛି, ତେବେ ଏତେସବୁ ଅବ୍ୟବସ୍ଥା, ଦୁର୍ନୀତି ଓ ଅପାରଗତା ପାଇଁ ନିଶ୍ଚୟ ଏହି ବିଭାଗ ସଂପୂର୍ଣ୍ଣ ଭାବେ ଦାୟୀ। ୨୦୧୫ ଜୁନ ୫ ତାରିଖରୁ ଏହି ବିଭାଗର ସଚିବ ଅଛନ୍ତି ଆଇଏଏସ ଅଫିସର ହେମନ୍ତ ଶର୍ମା। ସେ ମଧ୍ୟ ଏହି ବିଭାଗ ଅନ୍ତର୍ଗତ ଗ୍ରୀଡ଼କୋ ଏବଂ ଓପିଟିସିଏଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ରାଜ୍ୟର ବିକାଶରେ ସହର ବିକାଶ ଓ ଗୃହନିର୍ମାଣ ବିଭାଗର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସହର ଯୋଜନା, ପୌର ପରିଚାଳନା, ପ୍ରଦୂଷଣ ନିୟନ୍ତ୍ରଣ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଆଦି କ୍ଷେତ୍ରରେ ଯଦି ଓଡ଼ିଶା ସରକାର ବିଫଳ ହୋଇଥାନ୍ତି, ପ୍ରତିବର୍ଷ ବର୍ଷା ଋତୁରେ ଯଦି କଟକ, ଭୁବନେଶ୍ବର, ପୁରୀ ପରି ଅନେକ ସହର ଜଳାର୍ଣ୍ଣବରେ ପରିଣତ ହେଉଥାଏ, ସହର ଜମି ଯଦି ପ୍ରଭାବଶାଳୀ ନେତା ଓ ବାବୁମାନେ ହଡ଼ପ କରୁଥାନ୍ତି, ଗରୀବ ଲୋକପାଇଁ ଯଦି ସହରରେ ସୁବିଧା ମିଳୁ ନଥାଏ ତେବେ ସେଥିପାଇଁ ଏହି ବିଭାଗର ଦୁର୍ନୀତି ଓ ଅପାରଗତା ହିଁ ଦାୟୀ। ୨୦୧୪ ଅଗଷ୍ଟ ୧୯ ତାରିଖରୁ ଏହି ବିଭାଗର କମିଶନର ତଥା ସଚିବ ପଦରେ ରହିଛନ୍ତି ଆଇଏଏସ ଅଧିକାରୀ ଜି. ମାଥିଭାତନନ। ସେହିପରି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ପଦରେ ୨୦୧୫ ଜାନୁଆରୀ ପହିଲାରୁ ବାହେଲ ଅଛନ୍ତି ଡକ୍ଟର କୃଷନ କୁମାର। ଓଡ଼ିଶାରେ ବାଣିଜ୍ୟ କର ବା ଅଧୁନା ଜିଏସଟି ଆଦାୟ, ଟିକସ ବ୍ୟବସ୍ଥାରେ ବ୍ୟବସାୟ ପଂଜୀକରଣ ଏବଂ ଟିକସ ଆଦାୟ ଓ ଛାଡ଼ ଆଦି କାର୍ଯ୍ୟ ପରିଚାଳନା ସହିତ ସଂପୃକ୍ତ ବାଣିଜ୍ୟ କର କମିଶନର ପଦରେ ୨୦୧୫ ଅଗଷ୍ଟ ୧୯ ତାରିଖରୁ ରହିଛନ୍ତି ଆଇଏଏସ ଅଫିସର ଶାଶ୍ବତ ମିଶ୍ର। ସେ କଳାହାଣ୍ଡି ଜିଲ୍ଳାପାଳ ଥିଲାବେଳେ ବେଦାନ୍ତକୁ ବେଆଇନ ଭାବେ ନିୟମଗିରି ପାହାଡ଼ ଦେବା ପାଇଁ ଜୋରଦାର ପ୍ରୟାସ ହୋଇଥିଲା। ସେ ଯାଜପୁର ଜିଲ୍ଲାପାଳ ଥିଲାବେଳେ ଟାଟା କାରଖାନା ପାଇଁ କଳିଙ୍ଗନଗର ଗୁଳିକାଣ୍ଡ ଘଟିଥିଲା। ସେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଥିଲାବେଳେ ଘରୋଇ ଲିଜ୍‌ଧାରୀଙ୍କ ସ୍ବାର୍ଥ ସପକ୍ଷରେ ସେଠାରେ ଅନେକ ବିବାଦୀୟ ନିଷ୍ପତ୍ତି ନିଆଯାଇଥିବାର ଅଭିଯୋଗ ରହିଛି। ବ୍ୟବସାୟୀଙ୍କଠାରୁ ଉପଯୁକ୍ତ ଟିକସ ଆଦାୟ ନକରି ନେତାଙ୍କ ପାଇଁ କିଛି ଚାନ୍ଦା ଆଦାୟ କରିବା କ୍ଷେତ୍ରରେ ଏହି ପଦ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏମାନଙ୍କ ପରି ଦିଲ୍ଲୀରେ ଓଡ଼ିଶା ସରକାରଙ୍କର ମୁଖ୍ୟ ଆବାସିକ କମିଶନର ପଦରେ ଡକ୍ଟର ସୁନୀଏ କୁମାର ଭାର୍ଗବ ୨୦୧୦ ଜୁନ ୨୫ ତାରିଖରୁ ଏବଂ ଆବାସିକ କମିଶନର ପଦରେ ସଂଜୀବ କୁମାର ମିଶ୍ର ୨୦୧୫ ଅଗଷ୍ଟ ୧୯ ତାରିଖରୁ ବାହେଲ ଅଛନ୍ତି। ନିଜ ଦଳର ନେତା, ଜନ ପ୍ରତିନିଧି ଏପରିକି ନିଜ କ୍ୟାବିନେଟର ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମ୍‌ ଭରସା କରନ୍ତି ଓ ଅଫିସରଙ୍କ ଜରିଆରେ ରାଜ୍ୟ ଶାସନ କରନ୍ତି ବୋଲି ଅନେକ ସମୟରେ ହେଉଥିବା ଅଭିଯୋଗକୁ ଖୋରାକ ଯୋଗାଇଛି ଗୋଟିଏ ସ୍ଥାନରେ ଏହିପରି ଅନେକ ଅଫିସରଙ୍କର ଦୀର୍ଘସ୍ଥାୟୀ ନିଯୁକ୍ତି।

Share :