ସ୍ୱଦେଶୀ ସାମରିକତା ସଂକଟାପନ୍ନ

ସ୍ୱଦେଶୀ ସାମରିକତା ସଂକଟାପନ୍ନ

Share :

ମାୟାଧର ନାୟକ ଖବରକାଗଜ ହେଡଲାଇନ୍ ରେ ଏବେ ହା...ହା...କାରର ହରଫ୍ଳ। ବହୁ କାନ୍ଦଣା, ଅନୁଦାନ ଘୋଷଣା। ଜାତୀୟ ପତାକାର ଅର୍ଦ୍ଧନମିତ ମୁଦ୍ରାରଚନା। ମାଳମାଳ ମହମବତିର ଦୁଃଖୀ ଚେହେରା ନେଇ ରାତିରେ ପୁଣି ନାଗରିକ ଦଳ, ନାନାସଂଗଠନର ଶୋଭାଯାତ୍ରା, ଦୋକାନବଜାର ବନ୍ଦର ବାତାବରଣ ସାରାଦେଶରେ ସୃଷ୍ଟି କରିଛି ଯେଉଁ ସାମାଜିକ ଶୋକାକୁଳତା। ତାକୁ ନେଇ ଗୋଟିଏ କଥା କିନ୍ତୁ ଭୁଲିଗଲେ ଚଳିବନାହିଁ। ସେ କଥା ଖଣ୍ଡାଧାରଠୁଁ ଆହୁରି ଶାଣଦିଆ, ସେ କଥା ବନ୍ଧୁକର ସଂଗୀନ ମୂନଠୁ ଆହୁରି ସାଂଘାତିକ। କଥାଟା ହେଉଛି, ଏ ଶ୍ମଶାନୀ ଶାସନରେ ଆମ ଦେଶର ସାମରିକତା ସଂପୂର୍ଣ୍ଣ ସଂକଟାପନ୍ନ। କହିବାକୁ କୁଣ୍ଠା ନାହିଁ ଯେ ଆମର ବୀର ସେନାବାହିନୀ ଆଗରେ ବର୍ତ୍ତମାନ ବିଶ୍ୱତ୍ରାସ ଉପୁଜାଇଥିବା ଆତଙ୍କବାଦ କିଛି ନୁହେଁ। କାରଣ ଗୋଟାଏ ଶୃଙ୍ଖଳିତ ପ୍ରଶିକ୍ଷିତ ସେନାବାହିନୀ ଗୋଟାଏ ମୁହୂର୍ତ୍ତରେ ମଧ୍ୟ ଆତଙ୍କରାଜକୁ ଆଖି ପିଛୁଳାକେ ମୂଳପୋଛ କରିଦେବାର ଶକ୍ତି ପ୍ରଦର୍ଶନ କରିପାରେ, ଯଦି ସେମାନଙ୍କୁ ରାଜନୈତିକ ଶାସନର ଛକାପଞ୍ଝା ଖେଳ ଭିତରେ ନିର୍ଦ୍ଦେଶ ପାଇବା ପାଇଁ ଆଦୌ କୌଣସି କୂଟନୀତିଜନିତ ବିଳମ୍ୱିତ ବିଘ୍ନ ସୃଷ୍ଟି ନହୁଏ। ଗଭୀର କ୍ଷୋଭର ବିଷୟ ଯେ ବିନାଯୁଦ୍ଧରେ ଆମର ସୈନ୍ୟମାନେ ଯଦି ଶହୀଦ ହେବେ ଏବଂ ସେମାନଙ୍କ ପରିବାର ରାଜନେତା ଓ ଶାସକମାନଙ୍କର ତୁହାକୁତୁହା ଶୋକାର୍ତ୍ତ ଭାଷଣବାଜିର ସ୍ୱର ଶୁଣୁଥିବେ, ତା’ହେଲେ ବିଚାରିବାକୁ ହେବ ଯେ ଏ ଦେଶ ଆଜି ସବୁଠୁ ଗୋଟାଏ ବଡ ଐତିହାସିକ ବିଡମ୍ୱନାକୁ ସାମନା କରିବାକୁ ଯାଉଛି। ଶହୀଦ ପରିବାରକୁ ଦଶଲକ୍ଷ, ପଚିଶ ଲକ୍ଷ କି ପଚାଶ ଲକ୍ଷ ଅନୁଦାନ ଯୋଗାଇଦେଇ ସରକାର ଯଦି ଭାବୁଥାନ୍ତି ଯେ ଏହା ଦ୍ୱାରା ଜନସାଧାରଣଙ୍କ ଆଗରେ ଦେଶପ୍ରେମର ନଜିର ଛାଡ଼ିଗଲେ, ତା’ହେଲେ ଏହା ତ ଅଲାଜୁକତାକୁ ଏକପ୍ରକାର ଅନ୍ଧ ଆଲିଙ୍ଗନ। ଯେଉଁଠି ଫିଲ୍ମ୍େ ଷ୍ଟାରଠୁ ଆରମ୍ଭକରି କ୍ରିକେଟ୍ତ ଷ୍ଟାରଙ୍କ ପର୍ଯ୍ୟନ୍ତ ଦିନକର ବିଜ୍ଞାପନୀ ପାଉଣା କୋଟିକୋଟି ଟଙ୍କା, ସେଠି ଶହୀଦ ସୈନିକ ପରିବାରକୁ ଏ କେଇଟି ଲକ୍ଷ ଟଙ୍କାର ଅନୁଦାନ କ’ଣ ଏ ଦେଶର କୌଣସି ନାଗରିକଙ୍କ ଶ୍ରବଣେନ୍ଦ୍ରିୟ ପାଇଁ ଲଜ୍ଜାକର ନୁହେଁ - ଧିକ୍ । ଏ ନିର୍ଲଜ୍ଜ ଘୋଷଣା, ଯେତେବେଳେ ଆମର ଲହୁଲୁହାଣ ଶହୀଦର ଶବ ହିମାଳୟର ବରଫଖଣ୍ଡଠାରୁ ବି ଆହୁରି ଶୀତଳ ହୋଇ ଆମକୁ ଉପହାସ କରୁଛି। ଚାଳିଶ ଜଣ ବୀରସେନା ଗୋଟିଏ ଆତଙ୍କବାଦୀ ସଂଗଠନର ବିଷ୍ଫୋରକ ବୋଝେଇ ଗାଡ଼ିର ଅତର୍କିତ ଚଢଉରେ ଚଳୁ ହୋଇଗଲେ ଅଥଚ ପୃଥିବୀର ସର୍ବବୃହତ୍ନ ଗଣତନ୍ତ୍ର ବୋଲି ଡିଣ୍ଡିମ ପିଟୁଥିବା ଏ ଦେଶର ଶାସନମୁଖ୍ୟ ଏ ଜଘନ୍ୟ ଅଘଟଣର ଚରମ ପ୍ରତିଶୋଧ ନିଆଯିବ ବୋଲି ମାତ୍ର କେତୋଟି ଘଂଟାପରେ ଚିଲ୍ଲେଇବାରେ ଲାଗିଛନ୍ତି। ଖବରକାଗଜର ପ୍ରଥମଫର୍ଦ୍ଦରେ ଆମର ସ୍ୱରାଷ୍ଟ୍ରମନ୍ତ୍ରୀ ଶହୀଦ ସେନାଙ୍କ କଫିନ୍ବ କାନ୍ଧେଇବାର ସଚିତ୍ର ବିବରଣୀ ଆଖିରେ ପଡୁଛି। ଏହାଦ୍ୱାରା ଗୋଟିଏ କଥା ହିଁ ମନକୁ ଆସୁଛି ଯେ ସାରାଦେଶ ଏକପ୍ରକାର ଶ୍ମଶାନୀ ଶାସନର ଅସହାୟ ଶିକାର, ଏପରିକି ଆତଙ୍କବାଦୀ ସଂଗଠନ ତରଫରୁ ଏହା ଏଇ ଦଶକର ସବୁଠାରୁ ବଡ଼ ସାମରିକ ବିପର୍ଯ୍ୟୟ ବୋଲି ସୂଚାଉଥିବା ମିଡିଆ ମଧ୍ୟ ଏବଠୁ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରହିପାରେ ବୋଲି ସଂବାଦ ପ୍ରକାଶ କରିବାପାଇଁ କୁଣ୍ଠିତ ହେଉନାହାଁନ୍ତି। ତା’ହେଲେ ଜନସାଧାରଣଙ୍କ ଆଗରେ କି ସତ୍ୟ ପ୍ରକାଶ କରାଯାଉଛି - ଶହୀଦଙ୍କ ପାଇଁ ସମ୍ମାନ ନା ଗୋଟାଏ ଅପାରଗ ଶାସନର ନିର୍ବାଚନ - କେଉଁଟା ବଡ଼? ଦେଶ କ’ଣ ସ୍ୱାଧୀନତାର ୭୩ ବର୍ଷ ପରେ ବି ସେଇ ଗୋଲକ ଧନ୍ଦାରେ ଘୂରିବୁଲୁଛି? ଠିକ୍ ଅଛି - ଯୁଦ୍ଧ ଲାଗିବ ତ ଲାଗୁ - ଭାରତର ଉତ୍ପୀଡିତ କ୍ରନ୍ଦନଧ୍ୱନି ଭିତରେ ଶିଶୁସନ୍ତାନର ନିଦ ଭାଙ୍ଗିବ ତ ଭାଙ୍ଗୁ - ଡେଙ୍ଗାବାହିନୀ ମୁଣ୍ଡରେ ଠେଙ୍ଗାର ପ୍ରହାର ଜୋରଦାର ଭାବରେ ଲାଗୁ ତ ଲାଗୁ, କିନ୍ତୁ ଏ ପ୍ରକାର ବାହୁନାର ବାହାଦୁରି ଭିତରେ ଭୂଆଁ ନବୁଲୁ ଆମର ଭାରତବର୍ଷ। ସୀମାନ୍ତରେ ଆମ ସୈନ୍ୟ ଶତ୍ରୁଘେରରେ ପ୍ରାଣମୂର୍ଚ୍ଛା ଲଢ଼ି ଯଦି ମୃତ୍ୟୁବରଣ କରିଥାନ୍ତେ ତା’ହେଲେ ସେମାନଙ୍କ ବୀରତ୍ୱ ପାଇଁ ତୋପ ସଲାମୀ ଦେଇ ପତାକା ଅର୍ଦ୍ଧନମିତ କରି ତମାମ୍ି ଦେଶ ନତମସ୍ତକ ଭାବରେ ନେଇଥାଆନ୍ତା ଆସନ୍ତାକାଲିର ବଜ୍ରଶପଥ। କ୍ରୋଧରୁ କୁହୁଳିଥାଆନ୍ତା କ୍ରାନ୍ତି। ବଂଧୁକନଳୀର ଧୂଆଁଧାରରୁ ନିର୍ଗତ ହୋଇଥାନ୍ତା ବିପ୍ଳବ ଯାହା ଆଗରେ ଯେକୌଣସି ଆତଙ୍କବାଦୀ ରାଷ୍ଟ୍ରର ଭଡ଼ାଟିଆ ବାହିନୀ ବରଡ଼ାପତ୍ର ପରି ଥରହର ହୋଇଉଠିଥାନ୍ତେ। ପୃଥିବୀରୁ ଆତଙ୍କବାଦରୂପକ ବିଷବୃକ୍ଷର ମୂଳୋତ୍ପାଟନ ପାଇଁ ସମଗ୍ର ବିଶ୍ୱବିବେକର ନିଦ୍ରାଭଙ୍ଗ ନିମନ୍ତେ ଶପଥବଦ୍ଧ ସେନାବାହିନୀର ଆତ୍ମବଳିଦାନ ଏକ ଚିରକାଳୀନ ଐତିହାସିକ ପ୍ରେରଣାର ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରୁଥାନ୍ତା। କିନ୍ତୁ ଏବେ ହେଉଛି କ’ଣ? ଶହୀଦର ସଂଗ୍ରାମୀ ସଂସ୍କୃତି ଆମର ଲୁହ ଚାହେଁ ନା ଲହୁବୋଳା ଅଂଗୀକାର? ଏ ପ୍ରଶ୍ନ ଇତିହାସର ପ୍ରଶ୍ନ, ଆଜିର ଉପରଠାଉରିଆ ମନ୍ତବ୍ୟଦାତାମାନଙ୍କୁ। ଆମର ବୀରସେନା ଯେତେବେଳେ ତିନି ବାହିନୀରେ ସାମିଲ ହୁଅନ୍ତି ସେମାନେ ଦେଶପାଇଁ, ଜାତି ପାଇଁ ପ୍ରାଣ ବିସର୍ଜନ କରିବାକୁ ଶପଥବଦ୍ଧ ସତ୍ୟପାଠରେ ବଞ୍ଚିବାବେଳୁ ହିଁ ଦସ୍ତଖତ ଲେଖିଦେଇଥାନ୍ତି। ମୃତ୍ୟୁର ଭୟ ସେମାନଙ୍କୁ କବଳିତ କରିପାରେନା କେବେ। ସେମାନେ ଲଢୁଆ, ସେମାନେ ଆଗୁଆ, ଅଥଚ ବିନା ଲଢେଇରେ ବର୍ବର ଆତଙ୍କବାଦର ଅଚାନକ ଚଢଉରେ କ’ଣ ଏପରି ଅଙ୍ଗୀକାରବଦ୍ଧ ଜୀବନକୁ ଅଯଥାରେ ଅପଚୟ କରିଦେବାକୁ ସେମାନେ କେବେହେଲେ ରାଜି ହେବେ? ଆମର ମୋଟାବେତନ ସହ ବିଭିନ୍ନ ଭତ୍ତା ଓ ସୁବିଧାସୁଯୋଗ ପାଇ ରାଜରାସ୍ତାରେ ଚାରିଚକିଆର ଆରାମୀ ଆରୋହୀ ହୋଇଚାଲିଥିବା ଗୁଇନ୍ଦାବିଭାଗର ବଡ଼ବଡ଼ ଅଫିସରମାନେ କ’ଣ ଏ ପ୍ରକାର ଦୁର୍ଘଟଣା ଘଟିବା ପୂର୍ବରୁ କୌଣସି ପ୍ରକାର ସୁରାକ୍ଖ ବା ସୂଚନାର ଛୋଟ ଚିରୁକୁଟିଟିଏ ସୁଦ୍ଧା ପାଇପାରିଲେନି? ତା’ହେଲେ ସେମାନେ କରୁଛନ୍ତି କ’ଣ? ଗାଦି ଉପରେ ବସିଥିବା ଆମ ଦେଶୀନେତାମାନେ ଏତେ ବେଶୀ ଅଶ୍ରୁ ବିସର୍ଜନ କରି ନିଜ ନିଜକୁ କ’ଣ ଦରଦୀମରମୀ ଜନପ୍ରତିନିଧି ବିଜ୍ଞପ୍ତି ଦେଇ ସବୁ କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ଭାବୁଛନ୍ତି କି? ମଁୁ ଅତି କ୍ଷୋଭର ସହିତ ଆଜି ଏକ ଜବରଦସ୍ତ ପ୍ରଶ୍ନ ଏ ଦେଶର ଜନସାଧାରଣଙ୍କୁ ଶୁଣାଇବାକୁ ଯାଉଛି ଆମେ ଏପରି ଅପାରଗ ଶାସନର ଧାରାବାହିକ ଭୋଟର ହେବାକୁ ରାଜି ହେଉଥିବା ଆଉ କେତେକାଳ? ସେନାମାନଙ୍କ ଶରୀରାଂଶର ଖଣ୍ଡବିଖଣ୍ଡିତ ଛବିକୁ କେତେକ ଘୃଣ୍ୟବ୍ୟକ୍ତି, ଖବରକାଗଜ, ଫେସ୍ ବୁକ୍ ରେ ପ୍ରକାଶ କରି ସାରାଦେଶରେ ଆଗୁଆ ଯୁଦ୍ଧ ଉତ୍ତେଜନା ସୃଷ୍ଟି କରୁଛନ୍ତି। ଏହା ଦେଶଦ୍ରୋହୀ କାର୍ଯ୍ୟକଳାପ, ହୁସିଆର, ଏ ଲୁଚାଣିଆ ଶତ୍ରୁକୁ ଦମନ କର। ସୁରକ୍ଷାରେ ତ୍ରୁଟି ବୋଲି ପୂର୍ବତନ ‘ର’ ମୁଖ୍ୟ କହିଛନ୍ତି। ଏହା ସତ୍ୟ ହୋଇଥିଲେ ସାଂଘାତିକ। ଏ ଦେଶ ଗଣତନ୍ତ୍ର କ’ଣ ଶେଷକୁ ଗୁରୁଣ୍ଡି ଗୁରୁଣ୍ଡି ଏକ ସାମରିକ ଏକଛତ୍ରବାଦର ଏରୁଣ୍ଡିବନ୍ଧ ଆଡ଼କୁ ଆଗେଇଯିବ? ଯେଉଁ ବୀରସେନାବର୍ଗ ଶାସକ-ଶୋଷକ-ରାଜନେତା ଏବଂ ଭିନ୍ନଭିନ୍ନ ବିଭାଗୀୟ ମୁଖ୍ୟ କର୍ମକର୍ତ୍ତାମାନଙ୍କ ସମେତ ଭିଆଇପିମାନଙ୍କୁ ସୁରକ୍ଷାବଳୟ ଯୋଗାଇ ଏ ଦେଶରେ ଘଡ଼ିଘଡ଼ି ନିଜକୁ ନିୟୋଜିତ କରିବାପାଇଁ ପଛଘୁଂଚା ଦିଅନ୍ତିନାହିଁ ଆଜି ସେମାନଙ୍କ ସୁରକ୍ଷା ବ୍ୟବସ୍ଥାର ସୂତ୍ରଗୁଡ଼ିକୁ କଡ଼ାକଡ଼ି କରିବାପାଇଁ ଆମେ ଏଥର ଉଦ୍େବିଗ୍ନ ହେବାକୁ ବଦ୍ଧପରିକର ହେବା ବାଞ୍ଛନୀୟ। ଏ ମାଟି କୁଟିଳକୁବେରମାନଙ୍କର ମୁନାଫାର ମଞ୍ଜି ବୁଣିବାପାଇଁ ଫୁଙ୍ଗୁଳା ଫସଲ କିଆରି ନୁହେଁ। ତାରବାଡ଼ ଆରପଟେ ଯେତେବେଳେ ଶତ୍ରୁ ଶିବିରର ରାତ୍ରି ନିଷ୍ପ୍ରଦୀପ, ସେତେବେଳେ ଏ ଦେଶର ମାଟି ଓ ଘାଟିରେ ଆତଙ୍କବାଦୀ ସଂଗଠନର ଆତସବାଜି ଆମର ନିଦ ଉଡ଼ାଇବାକୁ କ’ଣ ଯଥେଷ୍ଟ ନୁହେଁ? ଆଉ କେତେ ରକ୍ତପାତ, କେତେ ଅମାନୁଷିକ ଆକ୍ରୋଶ, କେତେ ବର୍ବର ବନ୍ୟତାର ବିଭୀଷିକା ଆମ ଦିବାନିଦ୍ରାର ଅନ୍ତଃ ଘଟାଇବାକୁ ଦରକାର? କେବଳ ଯବାନ ଜାଗିଲେ ହେବନାହିଁ। ଜବାବ ଚାହଁୁଥିବା ଏ ଜାତିର ଶତକୋଟି ସନ୍ତାନ ବି ଜାଗି ଉଠିବା ଦରକାର। ସେମାନେ ପ୍ରଶ୍ନ ପଚାରନ୍ତୁ, ଅଦୃଶ୍ୟ ବଂଧୁକନଳୀର ଗୁଳିଗୁଡ଼ାକୁ। ପ୍ରଶ୍ନ ପଚାରନ୍ତୁ, ଆମକୁ ଆଲିଙ୍ଗନମୁଦ୍ରାରେ କୟଦ୍ଜ କରିବାକୁ ଉହଁୁକି ଆସୁଥିବା ତୀକ୍ଷ୍ଣ ବାଘନଖଗୁଡ଼ାକୁ ଦେଶର ସୈନ୍ୟମାନଙ୍କ ପାଇଁ ଯେତେବେଳେ ରସଦ୍, ଆଉ ରେସନରେ ଗଫଲତିର ଗୁମର ଖବରକାଗଜର ଖୋଲାଫର୍ଦକୁ ଛିଟିକି ଆସେ, ଆମେ କପାଳରେ କରତାଡୁ। ମାତ୍ର ନିଜ କ୍ଷୁବ୍ଧ ପ୍ରଶ୍ନଗୁଡ଼ାକୁ କ୍ଷୁରଧାର କରି ଏକ ନିର୍ଭୀକ ନାଗରିକ ଆନ୍ଦୋଳନ ଗଢି ତୋଳିବାର ଅଙ୍ଗୀକାରକୁ ବିଳମ୍ୱିତ କରି ରଖୁ। ନେତାମାନଙ୍କର ବେହିସାଦୀ ବିଦେଶ ଗସ୍ତର ଖର୍ଚ୍ଚରେ ଅସ୍ତମୁଖୀ ହୁଏ ଏ ଦେଶର ଅର୍ଥନୀତି, ଅଥଚ ଭାରତୀୟ ନାଗରିକ ସମାଜର ପ୍ରଶ୍ନ ଏବେବି ଅଥର୍ବ - ଅଚଳ - ଅକର୍ମଣ୍ୟ ଅବସ୍ଥାରେ ଥାଇ ମହାଶାନ୍ତିର ଯଜ୍ଞୋତ୍ସବ ପାଇଁ ଘୃତଦୀପ କ୍ରୟ କରିବାରେ ବଡ଼ ଆଗ୍ରହୋଦ୍ଦୀପକ ଆଚରଣ ପ୍ରଦର୍ଶନ କରେ। ମଂଚରେ ମଂଚରେ ଆମ ପ୍ରବଂଚକ ନେତୃବର୍ଗ ଜନଦରବାରରେ ଜାତୀୟ ସଂଗୀତ ଗାନବେଳେ ଦଣ୍ଡାୟମାନ ମୁଦ୍ରାରେ ନୀରବତା ଅବଲମ୍ୱନ କରି ଶେଷରେ ମାଇକ୍ରମୁହାଁ ଅବସ୍ଥାରେ ଶୁଣାଇ ଚାଲନ୍ତି ‘ଓଃ ଶାନ୍ତିଃ ଶାନ୍ତିଃ ଶାନ୍ତିଃ’। ମୋର ମନେହୁଏ, ଆମ ଶାସନର ଏ ତଥାକଥିତ ‘ମହାଶାନ୍ତି’ର ମନ୍ତ୍ରପାଠ ଅଦୂର ଭବିଷ୍ୟତ ପାଇଁ କେବଳ ନିସ୍ତବ୍ଧତମ ଶ୍ମଶାନୀ ଶାସନର ହିଁ ଶୁଷ୍କଶାନ୍ତିପାଠ ମାତ୍ର। ମୋର ସବୁଠୁ ପ୍ରିୟକବି ଗିରିଜା ବଳୀୟାରସିଂହଙ୍କ ଗୋଟିଏ କବିତାର ଧାଡ଼ିକୁ ମୁଁ ଏଠାରେ ପ୍ରଶ୍ନ ରୂପରେ ହିଁ ଉତ୍୍ଥାପନ କରୁଛି : ଏ ଦେଶରେ ଫୁଲ କ’ଣ ଶେଷରେ ଇତିହାସର କବର ଉପରେ ଚଢ଼ାହେବାକୁ ହିଁ ଫୁଟିଥାଏ କେବଳ? କଳି ଯଦି କଂଟକିତ, ତା’ହେଲେ ବଗିଚାର ମାଳୀ ଆଉ ଜଗୁଆଳିକୁ ତଲବ ନକଲେ ଆଜି ଏ ଦେଶର ଉତ୍ତରପିଢି ନିକଟରେ ଆମେ ନିଜର ଦାୟିତ୍ୱହୀନତାକୁ ହଁି ନିନ୍ଦନୀୟ ନଜିର୍ଗ ଭାବରେ ଯେ ଛାଡିଯାଉଛୁ, ଏଥିରେ ଅଣୁମାତ୍ର ସନ୍ଦେହନାହିଁ। ଯାଜପୁରରୋଡ଼, ଯାଜପୁର ମୋ : ୯୮୬୧୦୩୪୧୬୩

Share :