ପିଲାର ପ୍ରଥମ ଭାଷା ମାତୃଭାଷା

ପିଲାର ପ୍ରଥମ ଭାଷା ମାତୃଭାଷା

Share :

ଦିଲ୍ଲୀ ପ୍ରତିନିଧି କେଉଁ ଭାଷାରେ ଶିଶୁ ଶିକ୍ଷା ଗ୍ରହଣ କରିବା ଉଚିତ? କେଉଁ ଭାଷାରେ ଶିଶୁ ସବୁଠୁ ଭଲ ବୁଝିପାରେ? କେଉଁ ଭାଷାରେ ତା’ର ଭାବବୋଧ ଓ ଭାବ ପ୍ରକାଣ ସହଜ ଓ ସାବଲୀଳ ହୁଏ? କେଉଁ ଭାଷାରେ ଶିକ୍ଷାର ବିକାଶ ଓ ପ୍ରସାର ହେଲେ ଦେଶ ଓ ଜାତିର ସମୃଦ୍ଧି ଆସେ? ଲୋକ ଭାଷା ଓ ଶାସ୍ତ୍ରୀୟ ଭାଷା କ’ଣ? ଉଭୟ ମଧ୍ୟରେ କିଛି ପାର୍ଥକ୍ୟ ଅଛି କି? ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ଓଡ଼ିଆ ଭାଷା ଓ ସାହିତ୍ୟର ଶିକ୍ଷା କ୍ଷେତ୍ରରେ କିଛି ଉନ୍ନତି ହୋଇଛି କି? ଏମିତି ଅନେକ ପ୍ରଶ୍ନ ଓ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଅନେକ ଭାଷାବିତ୍, ଭାଷା କର୍ମୀ ଓ ଗବେଷକ। ୨୦୧୯ ଫେବୃଆରୀ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ଅବସରରେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବ ଅଫ୍‌ ଇଣ୍ଡିଆରେ ଆୟୋଜିତ ହୋଇଥିଲା ଦୁଇ ଦିନିଆ ଆଲୋଚନା ସଭା ଓ ପୁରସ୍କାର ବିତରଣୀ ଉତ୍ସବ। ଦ ଇଣ୍ଟେଲେକ୍ଟ ନାମକ ସଂସ୍ଥା ତରଫରୁ ଆୟୋଜିତ ଏହି ସଭାର ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଷୟ ଥିଲା ‘ଶାସ୍ତ୍ରୀୟ ମାନ୍ୟତା’ରେ ଭାଗ ନେଇଥିଲେ ପ୍ରଖ୍ୟାତ ଭାଷାବିତ୍‌ ତଥା ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପଞ୍ଚାନନ ମହାନ୍ତି, ଦିଲ୍ଲୀ ବିଶ୍ବବିଦ୍ୟାବିଦ୍ୟାଳୟ ସଂସ୍କୃତ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଦିପ୍ତୀ ତ୍ରିପାଠୀ, ତାମିଲ ଭାଷାର ବିଶିଷ୍ଟ ଗବେଷକ ଶ୍ରୀନିବାସନ ସୁବ୍ରମଣିୟମ, ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର କନ୍ନଡ଼ ବିଭାଗ ମୁଖ ପ୍ରଧ୍ୟାପକ ପୁରୁଷୋତ୍ତମ ବିଲିମାଲେ, ଦିଲ୍ଲୀ ବିଶ୍ବବିଦ୍ୟାଳୟ ତେଲୁଗୁ ବିଭାଗର ପ୍ରାଧ୍ୟାପକ ଇ. ମୁରଲୀଧର ରାଓ, ମାଲୟଲାମ ଭାଷାର ଗବେଷକ ପ୍ରାଧ୍ୟାପକ କୃଷ୍ଣନ ଉନ୍ନି ଏବଂ ବିଶିଷ୍ଟ ଭାଷାବିତ୍ ତଥା ଲେଖକ ପ୍ରାଧ୍ୟାପକ ଅନ୍ତର୍ଯ୍ୟାମୀ ମିଶ୍ର। ସେହିପରି ଆଲୋଚନାର ଦ୍ବିତୀୟ ଭାଗର ବିଷୟ ଥିଲା ‘ବିକାଶ ଓ ଆତ୍ମସମ୍ମାନର ପ୍ରବେଶ ଦ୍ବାର ମାତୃଭାଷା’। ଏହି ବିଷୟ ଉପରେ ଆଲୋକପାତ କରିଥିଲେ ବିଶିଷ୍ଟ ଓଡ଼ିଶୀ ଓ ଛଉ ନୃତ୍ୟଶିଳ୍ପୀ ଶ୍ରୀମତୀ ଶାରୋନ ଲୋୟେନ, ବିଶିଷ୍ଟ ପଂଜାବୀ କବି ଓ ଶିକ୍ଷାବିତ ଡକ୍ଟର ମୋହନଜିତ ସିଂହ, କବି ଓ ପ୍ରଶାସକ କୁଳମଣି ବିଶ୍ବାଳ, ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ବଙ୍ଗଳା ଭାଷାର ପ୍ରଖ୍ୟାତ ଲେଖକ ଡକ୍ଟର ଅମିତାଭ ଚକ୍ରବର୍ତ୍ତୀ ଏବଂ ଓଡ଼ିଆ ଭାଷାର ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଦାଶ ବେନହୁର। ସେହିପରି ପ୍ରଥମ ଦିନର ତୃତୀୟ ଚରଣରେ ଭାଷା ସଂପର୍କରେ ସନ୍ଦର୍ଭ ପାଠ କରିଥିଲେ ବିଶିଷ୍ଟ ଲେଖିକା ତଥା ଜ୍ଞାନପୀଠ ପୁରସ୍କାର ଚୟନ କମିଟିର ମୁଖ୍ୟ ଶ୍ରୀମତୀ ପ୍ରତିଭା ରାୟ। ଏହି ପର୍ଯ୍ୟାୟର ବୈଠକରେ ଅଧ୍ୟକ୍ଷତା କରିଥିଲେ ଡକ୍ଟର ଭଗବାନ ପ୍ରକାଶ। ଏ ପର୍ଯ୍ୟାୟର ଅନ୍ୟ ବକ୍ତାମାନେ ହେଲେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାରର ପ୍ରାଧ୍ୟାପକ ଉଦୟନାଥ ସାହୁ, ହରିଜନ ସେବକ ସଂଘର ସଭାପତି ଡକ୍ଟର ଶଙ୍କର କୁମାର ସାନ୍ୟାଲ ଏବଂ ଦ ଇଣ୍ଟେଲେକ୍ଟର ଆବାହକ ଦେବେନ୍ଦ୍ର ନାଥ ରାଉତ। ଫେବୃଆରୀ ୨୧ ତାରିଖରେ ‘ଓଡ଼ିଆ ଭାଷାର ଲିପି ସଂଖ୍ୟା ଓ କ୍ରମ’ ସଂପର୍କରେ ଏକ ଗୋଲ ଟେବ୍‌ଲ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଡକ୍ଟର ଶ୍ରୀମତୀ ପ୍ରତିଭା ରାୟ, ଡକ୍ଟର ଉଦୟନାଥ ସାହୁ, ଡକ୍ଟର ଭଗବାନ ପ୍ରକାଶ, ଡକ୍ଟର ପଞ୍ଚାନନ ମହାନ୍ତି, ଦାଶ ବେନହୁର, ଡକ୍ଟର ବାସୁଦେବ ସୁନାନୀ, ଡକ୍ଟର ଦେବାଶିଷ ଜେଠି, ସୁଧୀର ପଟେଲ, ଦୁଃଖୀଶ୍ୟାମ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ମିଶ୍ର, ଡକ୍ଟର ବିଜୟଲକ୍ଷ୍ମୀ ନାୟକ, ଦେବେନ୍ଦ୍ର ପୃଷ୍ଟି, ଶୁଭାଶିଷ ପାଣିଗ୍ରାହୀ ଓ ବିରଜା ମହାପାତ୍ର ପ୍ରମୁଖ ଯୋଗ ଦେଇ ନିଜନିଜର ମତ ପ୍ରଦାନ କରିଥିଲେ। ଏହି ବିଶିଷ୍ଟ ଭାଷାବିତ୍‌, ଗବେଷକ, ଲେଖକ ଓ ଭାଷା କର୍ମୀମାନେ ନିଜନିଜର ବକ୍ତବ୍ୟ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଅବତାରଣା କରିଥିଲେ। ୧. ପିଲାର ପ୍ରଥମ ଭାଷା ଶିକ୍ଷକ ହେଉଛନ୍ତି ତା’ର ଜନ୍ମଦାୟୀ ମା’। ମା’ଙ୍କ ଭାଷା ହିଁ ପିଲାର ମାତୃଭାଷା। ମା’ ଯେଉଁ ଭାଷାରେ ପିଲା ସହିତ ଭାବ ବିନିମୟ କରନ୍ତି ତାହା ହିଁ ପିଲାର ମାତୃଭାଷା ହୋଇଯାଏ। ପରିବାର ଭିତରୁ ଆରମ୍ଭ ହୁଏ ପିଲାର ଭାଷା ଶିକ୍ଷା। ପରିବାରର ସଦସ୍ୟମାନେ ଯଦି ଭିନ୍ନଭିନ୍ନ ଭାଷା ବ୍ୟବହାର କରିବେ ତେବେ ପିଲା ମଧ୍ୟ ସେହିସବୁ ଭାଷା କିଛି କିଛି ଶିଖିଯାଏ। ପିଲାର ପିତାମାତା ଯଦି ସେମାନଙ୍କ ନିଜ ମାତୃଭାଷା ନକହି ସ୍ଥାନୀୟ ଅଂଚଳର ଭାଷା କହୁଥାନ୍ତି ତେବେ ପିଲା ମଧ୍ୟ ସେହି ଭାଷା ଶିଖିଯାଏ। ୨. ପିଲା ତା’ ମା’ଙ୍କ ଭାଷାରେ ହିଁ ସହଜରେ ଶିକ୍ଷା ଗ୍ରହଣ କରେ। ଅର୍ଥାତ ପିଲା ତା’ ପରିବାରର କଥିତ ଭାଷାରେ ସ୍କୁଲରେ ପଢ଼ିଲେ ଅଧିକ କଥା ବୁଝିପାରେ। ଅନ୍ୟ ବା ବିଦେଶୀ ଭାଷାରେ ତା’ର ବୋଧଗମ୍ୟତା ବାଧାପ୍ରାପ୍ତ ହୁଏ। ଅନ୍ୟ ଭାଷାରେ ପାଠ ପଢ଼ିଲେ ତା’ର କିଛି କଥା ଅବୁଝା ରହିଯାଏ। ୩. ଭାରତ ପରି ଏକ ବିବିଧ ଭାଷା ଓ ସଂସ୍କୃତିର ଦେଶରେ ଆନ୍ତଃରାଜ୍ୟ ଓ ଆନ୍ତଃରାଷ୍ଟ୍ର ଭାବ ବିନିମୟ ପାଇଁ ତ୍ରିଭାଷୀ ସୂତ୍ରର ଆବଶ୍ୟକତା ଅଧିକ। ଭାରତର ପିଲାମାନେ ମାତୃଭାଷା ସହିତ ଜାତୀୟ ସରକାରର ରାଜଭାଷା ହିନ୍ଦୀ ଓ ଅନ୍ତର୍ଜାତୀୟ ଭାଷା ଇଂରାଜୀ ଶିକ୍ଷା କରିବା ବିଧେୟ। ବହୁ ଭାଷା ଜାଣିଥିବା ପିଲାମାନଙ୍କର ବୁଦ୍ଧି ଓ ଜ୍ଞାନ ସ୍ବାଭାବିକ ଭାବେ ଅଧିକ ଉଜ୍ଜ୍ବଳ ଓ ପ୍ରଖର। ୪. କୃଷି ଅର୍ଥନୀତିରେ ସ୍ଥାୟୀ ବସତି ଯୋଗୁଁ ସ୍ଥାନୀୟ ସ୍ତରେ ଗୋଟିଏ ଭାଷାରେ ଭାବ ବିନିମୟ କରିବାକୁ ପଡ଼ୁଥିଲା। ଆଧୁନିକ ଯୁଗର ବିବିଧ ବୃତ୍ତିର ଦୁନିଆରେ ମଣିଷ ଅନେକ ସମୟରେ ପ୍ରବାସୀ। ବୃତ୍ତିଗତ କାରଣରୁ ସ୍ଥାନାନ୍ତର ଓ ଦେଶାନ୍ତର ମଣିଷକୁ ଭାଷାଗତ ଯାଯାବର ହେବାକୁ ବାଧ୍ୟ କରିଛି। ଯେ ଦେଶେ ଯାଇ ସେ ଫଳ ଖାଇ ନ୍ୟାୟରେ ବୃତ୍ତି ପାଇଁ ମଣିଷ ଯେଉଁଠି ରହିବ ସେହି ଭାଷା ଶିଖିବା ଦରକାରୀ। ଜାତୀୟ ଓ ଅନ୍ତର୍ଜାତୟ ସ୍ତରରେ ଇଂରାଜୀ ଭାଷାର ପ୍ରଚଳନ ଯୋଗୁଁ ଅଧିକ ଲୋକ ଇଂରାଜୀ ପ୍ରତି ଆକୃଷ୍ଟ ହେବା ସ୍ବାଭାବିକ। ବାପାଙ୍କ ଭାଷା, ମା’ଙ୍କ ଭାଷା ଓ ସ୍ଥାନୀୟ ଭାଷା ଅଲଗା ଅଲଗା ହେଲେ ପିଲା ଯେଉଁ ଭାଷାରେ ପାଠ ପଢ଼େ ତାହା ହିଁ ତା’ର ଭାଷା ହୋଇଯାଏ। ୫. ଭାଷାର ଶାସ୍ତ୍ରୀୟ ମାନ୍ୟତା ଏକ ବିଭ୍ରାନ୍ତି। ଏହା ଏକ ସରକାରୀ କାର୍ଯ୍ୟକ୍ରମ। ଏହା ସହିତ ଭାଷାର ସୃଷ୍ଟି, ବିକାଶ ଓ ବ୍ୟବହାରର କିଛି ସଂପର୍କ ନାହିଁ। ଭାରତର ଯେଉଁ ସବୁ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି ତାହା ଦିନେ ଲୋକଙ୍କ ଭାଷା ଥିଲା ବା ଅଛି। ଲୋକ ଭାଷା ଓ ଶାସ୍ତ୍ରୀୟ ଭାଷା ଯଦି ସମାନ ତେବେ ଏ ପ୍ରକାର ମାନ୍ୟତାର ଅର୍ଥ କିଛି ନାହିଁ। ଶାସ୍ତ୍ରୀୟ ମାନେ ପ୍ରାଚୀନ ହେଲେ ଏହି ମାନ୍ୟତା ପାଇଥିବା ଭାଷାଗୁଡ଼ିକ ପ୍ରାଚୀନ ଭାବେ ଗୃହୀତ ହେବ। ଶାସ୍ତ୍ରୀୟ ଭାଷାର ପରିକଳ୍ପନା ଇଂରାଜୀ ଭାଷା ବା ପାଶ୍ଚାତ୍ୟ ସଭ୍ୟତାର ଚିନ୍ତାଧାରା। ଯେଉଁ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଏ ସେହି ଭାଷାରେ ଯେ ଲୋକମାନେ ସବୁବେଳେ କଥା ହେବେ, ଲେଖିବେ, ପଢ଼ିବେ ଓ ତାହା ସରକାରୀ ଭାଷା ହୋଇଯିବ ତାହାର କିଛି ନିଶ୍ଚିତତା ନାହିଁ। ସରକାର ଚାହିଁଲେ କୌଣସି ଭାଷାର ପ୍ରଚଳନକୁ ପ୍ରୋତ୍ସାହିତ କରିପାରିବେ। ରାଜ୍ୟ ବା ରାଷ୍ଟ୍ରର ଶାସନତନ୍ତ୍ର ଯେଉଁ ଭାଷାରେ ଚାଲେ ସରକାରୀ ଚାକିରି ଆଶାୟୀମାନେ ସେହି ଭାଷା ଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଭାଷା ଯଦି ରୋଜଗାର ଓ ଜ୍ଞାନର ଭାଷା ନହୁଏ ତେବେ ତା’ ପ୍ରତି ଆଗ୍ରହ କମେ। ୬. ତାମିଲ, ମାଲୟଲାମ ଓ କନ୍ନଡ଼ ଆଦି ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ସେସବୁ ଭାଷାରେ ଅନେକ ପ୍ରକାର ଗବେଷଣା ଜାରି ରହିଛି। ସେହିସବୁ ଭାଷାର କେତେକ ପ୍ରାଚୀନ କାବ୍ୟ ଓ ଗ୍ରନ୍ଥକୁ ଶାସ୍ତ୍ରୀୟ ବର୍ଗରେ ବର୍ଗୀକୃତ କରାଯାଇଛି। ଓଡ଼ିଆ କ୍ଷେତ୍ରରେ ତାହା ହୋଇନାହିଁ। ଶାସ୍ତ୍ରୀୟ ତାମିଲ ଓ ଆଧୁନିକ ତାମିଲ ବା ଶାସ୍ତ୍ରୀୟ କନ୍ନଡ଼ ଓ ଆଧୁନିକ କନ୍ନଡ଼ ପରି ଶାସ୍ତ୍ରୀୟ ଓଡ଼ିଆ ଓ ଆଧୁନିକ ଓଡ଼ିଆ ଭାଷା ମଧ୍ୟରେ ଅନେକ ତଫାତ ରହିଛି। ୭. ବେଦର ଭାଷାଠାରୁ ପ୍ରାଚୀନ ସଂସ୍କୃତ ଭିନ୍ନ। ଲିପି ଓ ବ୍ୟାକରଣ କେବଳ ନୁହେଁ ବନାନ ଓ ଲିଖନ ଶୈଳୀରେ ମଧ୍ୟ ପ୍ରାଚୀନ ଭାଷା ଓ ଆଧୁନିକ ଭାଷା ମଧ୍ୟରେ ଅନେକ ତଫାତ। ୮. ଭାଷାର ପ୍ରାଚୀନ ଲିପି ଓ ବ୍ୟାକରଣକୁ ବାଦ ଦେଲେ ପ୍ରାଚୀନ ସାହିତ୍ୟ ଅବୋଧ୍ୟ ରହିଯିବ। ଭାଷା ଓ ସାହିତ୍ୟର ପ୍ରାଚୀନ ସମୃଦ୍ଧି ପ୍ରାଚୀନ ଜ୍ଞାନର ସମାହାର। ତେଣୁ ଭାଷା ସଂସ୍କାର ନାମରେ ପ୍ରାଚୀନତାକୁ ସଂପୂର୍ଣ୍ଣ ଖାରଜ କରିବା ବା ବାଦ ଦେବା ଜ୍ଞାନ ଓ ଐତିହ୍ୟ ବିରୋଧୀ ସାବ୍ୟସ୍ତ ହେବ। ୯. ଓଡ଼ିଆ ଭାଷା ନଜାଣିଥିବା କତିପୟ ପେସାଦାରଙ୍କ ଯୋଗୁଁ ଓଡ଼ିଆ ଭାଷାର ଧ୍ବନିତତ୍ତ୍ବ ଓ ବନାନ ଶୈଳୀ ବଦଳିଯିବାରେ ଲାଗିଛି। ଏ ସଂପର୍କରେ ସଚେତନତା ପ୍ରସାରଣର ଆବଶ୍ୟକତା ରହିଛି। ଓଡ଼ିଆ ଗଣମାଧ୍ୟମ ଜରିଆରେ ଓଡ଼ିଆ ଭାଷାର ଶୁଦ୍ଧତା ନଷ୍ଟ ହେଉଛି। ୧୦. ଆଧୁନିକ ପିଢ଼ିକୁ ଓଡ଼ିଶାର ଐତିହ୍ୟ, ସମୃଦ୍ଧି ଓ ସାହିତ୍ୟ ସହିତ ପରିଚିତ କରାଇବା ପାଇଁ ଓଡ଼ିଆ ଭାଷାର ସୁରକ୍ଷା, ବିକାଶ ଓ ପ୍ରସାର ଏକାନ୍ତ ଆବଶ୍ୟକ। ସେଥିପାଇଁ ଓଡ଼ିଆ ଭାଷାକୁ ନେଇ ରହିଥିବା କେତେକ ବିଭ୍ରାନ୍ତି ଦୂର ହେବା ଉଚିତ। ଓଡ଼ିଆ ଭାଷାର ଲିପି ସଂଖ୍ୟା ଓ କ୍ରମ ନିର୍ଦ୍ଧାରଣ ସଂପର୍କରେ ସହମତିର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀମତୀ ପ୍ରତିଭା ରାୟଙ୍କୁ ଆମ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ପଞ୍ଚାନନ ମହାନ୍ତି, ଡକ୍ଟର ଉଦୟନାଥ ସାହୁ, ଦାଶ ବେନହୁର, ସୁସ୍ମିତା ଦାସ, ଶାରୋନ ଲୋୟେନ, ଦୁଃଖିଶ୍ୟାମ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ମିଶ୍ର, ଡକ୍ଟର ବିଜୟଲକ୍ଷ୍ମୀ ନାୟକ, ସୁଧୀର ପଟେଲ, ପ୍ରାଧ୍ୟାପକ ଭାଗିରଥୀ ନନ୍ଦ, ଦେବେନ୍ଦ୍ର ପୃଷ୍ଟି, ରଂଜନ ପ୍ରଧାନ, ଅକ୍ଷୟ ଓଝା ପ୍ରମୁଖ ବ୍ୟକ୍ତି ଓ ସମ୍ବାଦ, ନାଲକୋ, କଳିଙ୍ଗ ଲିଟେରାରି ଫେଷ୍ଟିଭାଲ ଓ ନିଖିଳ ଉତ୍କଳ ଓଡ଼ିଆ ଅନର୍ସ ଛାତ୍ର ପରି ସଂଗଠନଙ୍କୁ ଭାଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Share :