ନିର୍ବାଚନ ପରେ କଂଗ୍ରେସ ଭାଙ୍ଗିବ ବିଜେଡି!

ନିର୍ବାଚନ ପରେ କଂଗ୍ରେସ ଭାଙ୍ଗିବ ବିଜେଡି!

Share :

ରାଜନୀତିକ ସମ୍ବାଦଦାତା ୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ କଂଗ୍ରେସ ଦଳ ସରକାର ଗଠନ କରିବ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ। କିନ୍ତୁ ତାଙ୍କ ଦଳ କେତେ ଆସନ ପାଇବ ତାହା ସେ କହିପାରି ନାହାନ୍ତି। ସେ କେବଳ କହିଛନ୍ତି ଯେ ଦଳ କେତେ ଆସନ ପାଇବ କହି ହେବ ନାହିଁ। ମାତ୍ର ତାଙ୍କ ଦଳ ସରକାର ଗଠନ କରିବ। ନିରଂଜନଙ୍କର ଏହି ଦମ୍ଭୋକ୍ତିରୁ ଜଣାପଡ଼ୁଛି ଯେ ସେ ସମ୍ଭବତଃ ନିର୍ବାଚନ ପରେ ବିଜେଡି ବିଧାୟକ ଦଳରେ ବିଭାଜନ ଘଟାଇବା ଯୋଜନାରେ ଅଛନ୍ତି। ଏହି ଯୋଜନାର ଅଂଶ ସ୍ବରୂପ କଂଗ୍ରେସର ବହୁ ନେତା ପୂର୍ବରୁ ବିଜେଡିରେ ଯୋଗ ଦେଇଛନ୍ତି। ଏପରିକି ତାଙ୍କ ନିଜ ଭାଇ ସୌମ୍ୟ ରଂଜନ ପଟ୍ଟନାୟକ ମଧ୍ୟ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ବିଜେଡିରେ ଥିବା ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସଂପର୍କୀୟ ଓ ଅନୁଗତମାନେ ନିର୍ବାଚନ ପରେ ବିଜେଡି ବିଧାୟକ ଦଳରେ ବିଭାଜନ ଘଟାଇବାକୁ ଯୋଜନା କରିବେ ଓ ସେଥିରେ ସେମାନେ ସଫଳ ହେଲେ ବିଭାଜିତ ବିଜେଡି ଗୋଷ୍ଠୀ କଂଗ୍ରେସକୁ ସରକାର ଗଠନ ପାଇଁ ସମର୍ଥନ ଦେବ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଏବେ ବିଜୁ ଜନତା ଦଳରେ କଂଗ୍ରେସ ମୂଳୋଦ୍ଭବ ଅନେକ ନେତା ଅଛନ୍ତି। ପିନାକୀ ମିଶ୍ର, ଭୂପିନ୍ଦର ସିଂହ, ରୋହିତ ପୂଜାରୀ, ଅନୂପ ସାଏ, ଚିନ୍ମୟ ସାହୁ, ସୌମ୍ୟ ରଂଜନ ପଟ୍ଟନାୟକ, ନବ କିଶାର ଦାସ, ନୃସିଂହ ସାହୁ, ଯୋଗେଶ ସିଂହ, ଚନ୍ଦ୍ର ଶେଖର ସାହୁ, ବିକ୍ରମ ପଣ୍ଡା, ଜିତୁ ପଟ୍ଟନାୟକ, ପ୍ରଣୟ ସାହୁ ପ୍ରମୁଖ ପ୍ରାୟ ଦୁଇ ଡଜନ ପୂର୍ବତନ କଂଗ୍ରେସ ନେତା ଏବେ ବିଜେଡିରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଛନ୍ତି। ସେମାନେ ନିଜନିଜ ଭିତରେ ସମନ୍ବୟ ରଖି ବିଜେଡି ବିଧାୟକମାନଙ୍କୁ ପ୍ରଲୁବ୍ଧ ଓ ପ୍ରରୋଚିତ କରିବାରେ ସଫଳ ହେଲେ ନବୀନ ପଟ୍ଟନାୟକଙ୍କ ବଦଳରେ ଅନ୍ୟ କେହି ନେତା ନିର୍ବାଚିତ ହୋଇପାରନ୍ତି ବା ବିଜେଡି ବିଧାୟକ ଦଳରେ ବିଭାଜନ ଘଟି କଂଗ୍ରେସ ସହିତ ମିଶି ନୂଆ ସରକାର ଗଠିତ ହୋଇପାରେ। ୨୦୧୯ ଫେବୃଆରୀ ୧୮ ତାରିଖରେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କଂଗ୍ରେସ ସରକାର ନେଇ ଯେପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସେଥିରୁ ସେ ଏହିପରି ଯୋଜନା କରିଥିବା ଅନେକ ବିଶ୍ବାସ କରିବାକୁ ବାଧ୍ୟ। ନହେଲେ ସଂପ୍ରତି ରାଜ୍ୟ ରାଜନୀତିରେ ତିନି ନମ୍ବର ସ୍ଥାନକୁ ଖସି ଯାଇଥିବା କଂଗ୍ରେସ ଦଳ କିପରି ସରକାର ଗଠନ କରିବ ତାହା କେହି ବିଶ୍ବାସ କରିପାରୁ ନାହାନ୍ତି। ୨୦୧୭ ପଂଚାୟତିରାଜ ନିର୍ବାଚନରେ କଂଗ୍ରେସକୁ ଢେର ତଳକୁ ଠେଲି ଭାରତୀୟ ଜନତା ପାର୍ଟି ରାଜ୍ୟର ଦୁଇ ନମ୍ବର ଦଳ ଭାବେ ପ୍ରତିଷ୍ଠା ଲାଭ କରିଛି। ଏହା ସହିତ ସର୍ବଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ଯୋଡ଼ି ରାଜ୍ୟରେ ୧୨୦ରୁ ଅଧିକ ଆସନ ପାଇବାକୁ ବିଜେପି ଯୋଜନା କରିଛି। ଦଳର ଏହି ମିଶନ ସଫଳ ହେଉ କି ନହେଉ, ଦଳର ବିଧାୟକ ସଂଖ୍ୟା ବହୁଗୁଣିତ କରିବାକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ସେମାନେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହିତ ସାଧାରଣ ଲୋକମାନଙ୍କୁ ବିଜେପି ପ୍ରତି ଆକୃଷ୍ଟ କରୁଛନ୍ତି। ଏହି ସ୍ଥିତିରେ ବିଜେପିର ବିଧାୟକ ସଂଖ୍ୟା ବୃଦ୍ଧି ପାଇବା ନିଶ୍ଚିତ। ଏକାଦିକ୍ରମେ ଦୁଇ ଦଶନ୍ଧି ଧରି ଶାସନ କ୍ଷମତାରେ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳର ଆକର୍ଷଣ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି। ତାଙ୍କ ନିଜ ଦଳର ନେତାଙ୍କ ଉପରେ ନବୀନଙ୍କର ଭରସା ପାଉ ନଥିବାରୁ କଂଗ୍ରେସ ଓ ଅନ୍ୟ ଦଳର ନେତାମାନଙ୍କୁ ଦଳରେ ମିଶାଇ ସେମାନଙ୍କ ଲୋକପ୍ରିୟତା ଆଧାରରେ ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଚାହୁଁଛନ୍ତି। ସେହିପରି ତାଙ୍କ ସରକାରର ଲୋକପ୍ରିୟତା ଉପରେ ତାଙ୍କର ଭରସା ନାହିଁ ବୋଲି ଼ଫି ହାଟପାଳିରେ ନୂଆ ନୂଆ ଯୋଜନା ଘୋଷଣା କରି ସମାଜର ବିଭିନ୍ନ ବର୍ଗର ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଆପ୍ରାଣ ଚେଷ୍ଟା ଚଳେଇଛନ୍ତି। ସେ ଯଦି ଏହି ମର୍ମରେ ଗୁଇନ୍ଦା ରିପୋର୍ଟ ପାଇନଥାନ୍ତେ ତେବେ ହୁଏତ ଏତେ ଯୋଜନା କରି ନଥାନ୍ତେ କି ଅନ୍ୟ ଦଳର ଏତେ ଲୋକଙ୍କୁ ନିଜ ଦଳରେ ସାମିଲ କରି ନଥାନ୍ତେ। ତାଙ୍କରି ଅଧୀନରେ ଥିବା ଗୁଇନ୍ଦା ବିଭାଗର ରିପୋର୍ଟ ସେ ଦେଖି ପରାଜୟର ଆଶଙ୍କା କରୁଥାଇପାରନ୍ତି। ନବୀନ ଯଦି ନିଜେ ନିଜର ହିସାବ କରିସାରିଛନ୍ତି ତେବେ ବୁଝିବାକୁ ହେବ ଯେ ସେ ବାସ୍ତବରେ ବିଜେପିର ଅଭ୍ୟୁତ୍ଥାନକୁ ଭୟ କରୁଛନ୍ତି। ଜାତୀୟ ସ୍ତରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଆକ୍ରମଣାତ୍ମକ ରାଜନୀତିରେ ସେ ଛାନିଆ ହୋଇଥାଇପାରନ୍ତି। ସେଥିପାଇଁ ବିଜେପିର କଟ୍ଟର ବିରୋଧୀ କଂଗ୍ରେସ ନେତାମାନଙ୍କ ସହିତ ମିଶି ସେ ରଣକୌଶଳ ସ୍ଥିର କରିଥାଇ ପାରନ୍ତି। ପ୍ରଦେଶ ନେତାମାନେ ବି ବାରମ୍ବାର ପରାସ୍ତ ହୋଇ ହତାଶ। ସେମାନେ ବିଜେପି ସହିତ ଯିବା ଅପେକ୍ଷା ନବୀନଙ୍କ ସହିତ ରହିବାକୁ ଅଧିକ ପସନ୍ଦ କରିବା ସ୍ବାଭାବିକ। କାରଣ ତାଙ୍କ ସହିତ ରହିଲେ ରାଜ୍ୟର ଅମଲାମାନଙ୍କର ସହଯୋଗ ମିଳିବ ଓ ଖଣି ଇତ୍ୟାଦି ଦୁର୍ନୀତିରେ ଭାଗବସି ହେବ। ଏହି ଫର୍ମୁଲାରେ ଉଭୟ ବିଜେଡି ଓ କଂଗ୍ରେସ ନେତାମାନେ ଯଦି କାର୍ଯ୍ୟ କରୁଥିବେ ତେବେ ନିର୍ବାଚନ ପରେ କଂଗ୍ରେସ ସରକାର କରିବ ବୋଲି ନିରଂଜନ ପଟ୍ଟନାୟକ ଯେଉଁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ତାହା ସମ୍ଭବ ହୋଇପାରେ। ନହେଲେ ଏହା ଏକ ଫାଙ୍କା ଗୁଳି ଚାଳନା ଭାବେ ପରିଗଣିତ ହେବ।

Share :