ସୂର୍ଯ୍ୟ ପାତ୍ର ଭାଣ୍ଡିଆ, ସଚିବ ହେଲେ ମନ୍ତ୍ରୀ!

ସୂର୍ଯ୍ୟ ପାତ୍ର ଭାଣ୍ଡିଆ, ସଚିବ ହେଲେ ମନ୍ତ୍ରୀ!

Share :

ପ୍ରମୁଖ ପ୍ରତିନିଧି ଚାଷୀଙ୍କୁ ଶୋଷଣ କରିବା ପାଇଁ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଧାନ ସଂଗ୍ରହ କରନ୍ତି ସରକାର। ସେଥିରେ ପୁଣି ମିଲରଙ୍କୁ ଭର୍ତ୍ତି କରି ଅଧିକ ଶୋଷଣ ପାଇଁ ବାଟ ଫିଟାଇଥାନ୍ତି। ଏବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଏକ ନିଷ୍ପତ୍ତି ପରେ ନବୀନ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟା କିପରି ଚାଷୀଙ୍କ ସ୍ବାର୍ଥ ପରିବର୍ତ୍ତେ ମିଲର, ନେତା ଓ ବାବୁଙ୍କ ଫାଇଦାରେ ଲାଗେ ତାହା ଲୋକଲୋଚନକୁ ଆସିଛି। କଥା ପଦାକୁ ଆସିବା ପରେ ଦୁଇ ଦିନ ମଧ୍ୟରେ ସରକାର ନିଜ ଛେପ ନିଜେ ଢୋକିଥିଲେ ବି ସରକାରଙ୍କ ଚାଲ୍‌ ଓ ଚରିତ୍ର ପଦାରେ ପଡ଼ିଯାଇଛି। ଆଉ ଏହି ପ୍ରକ୍ରିୟାରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଭାଣ୍ଡିଆ ହୋଇଛନ୍ତି ଏବଂ ତାଙ୍କ ବିଭାଗର ସଚିବ ମନ୍ତ୍ରୀ ଭାବେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦି’ ଦିନ ତଳେ ନବୀନ ପଟ୍ଟନାୟକଙ୍କ ସରକାର ନିଷ୍ପତ୍ତି ଘୋଷଣା କଲେ ଯେ ଖରିଫ ଋତୁ ପାଇଁ ଆଉ ଧାନ କିଣା ହେବ ନାହିଁ। ଚଳିତ ବର୍ଷର ଖରିଫ ଋତୁ ପାଇଁ ପ୍ରାୟ ୪୫ ପ୍ରତିଶତ ଅଧିକ ଧାନ କିଣା ହୋଇସାରିଛି। ତେଣୁ ଆଉ ମଣ୍ଡ ନଖୋଲିବାକୁ ନିଜେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଥିଲେ। ଏକଥା ଗଣମାଧ୍ୟମ ଜରିଆରେ ପ୍ରକାଶ ପାଇଲା ପରେ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା। ବିପକ୍ଷ ରାଜନୀତିକ ନେତାମାନେ ମଧ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ସମାଲୋଚନା କଲେ। ଆଗରେ ଭୋଟ। ଚାଷୀଙ୍କୁ ଅସନ୍ତୁଷ୍ଟ କଲେ ନିର୍ବାଚନ ହାରିବାର ଆଶଙ୍କା। ତେଣୁ ସରକାର ଦୁଇ ଦିନ ଭିତରେ ହିଁ ନିଷ୍ପତ୍ତି ବଦଳାଇଲେ ଓ ପୂର୍ବ ପରି ଧାନକିଣା ପ୍ରକ୍ରିୟା ଜାରି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ। ତେବେ ସରକାରଙ୍କର ଏହି ଆଗକୁ ପାଦେ ପଛକୁ ପାଦେ ବ୍ରେକ୍‌ ଡ୍ୟାନ୍ସ ଭିତରେ ଧାନସଂଗ୍ରହ ନୀତି କିପରି ବେପାରୀ, ବାବୁ ଓ ନେତାମାନଙ୍କ ଫାଇଦା ପାଇଁ ପ୍ରଣୀତ ହୋଇଛି ତାହା ଧରାପଡ଼ି ଯାଇଛି। ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଖରିଫ ଧାନ କିଣିବା ପାଇଁ ଏପ୍ରିଲ ଯାଏଁ ମଣ୍ଡି ଖୋଲାଯିବା କଥା। ମାତ୍ର ଅଧିକ ଧାନ କିଣା ହୋଇଛି ବୋଲ କହି ମନ୍ତ୍ରୀ ଫେବୃଆରୀ ୨୮ ତାରିଖ ସୁଦ୍ଧା ମଣ୍ଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନିଷ୍ପତ୍ତି ନେଇଥିଲେ ନିଜେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ଦୁଇ ଦିନ ପରେ ଏହାକୁ ଖାରଜ କରି ବିଭାଗୀୟ ସଚିବ ରାଜ୍ୟର ୧୯ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଣ୍ଡ ଖୋଲା ରଖି ଧାନ କିଣା ପ୍ରକ୍ରିୟା ଅବ୍ୟାହତ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ନିଜ ନିଷ୍ପତ୍ତି ବଦଳାଇଛନ୍ତି ବୋଲି କୁହାଯାଉଛି। ତେବେ ତଥ୍ୟାଭିଜ୍ଞ ମହଲ ସହିତ ଆଲୋଚନାରୁ ଜଣାପଡ଼ିଛି ଯେ ଖାସ ମିଲର ଓ ବେପାରୀମାନଙ୍କୁ ମୁନାଫା ଦେବା ପାଇଁ ସରକାର ଧାନ କିଣା ପାଇଁ ସମୟ ସୀମା ଧାର୍ଯ୍ୟ କରିଥାନ୍ତି। ବର୍ଷ ସାରା ବଜାରରେ ଆଳୁ, କୋବି, ଟମାଟୋ ବିକ୍ରି ହେଉଥିବାବେଳେ ସରକାର କାହିଁକି ୩-୪ ମାସ ସମୟ ଭିତରେ ଧାନ କିଣା କାରବାର ଶେଷ କରନ୍ତି ତାହା ସନ୍ଦେହଜନକ। ସରକାର ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଧାନ କିଣା ନିର୍ଦ୍ଦେଶ ଦେଉଥିବାର ଅନେକ ଚାଷୀ ଏହି ସମୟ ଭିତରେ ଧାନ ଅମଳ କରିପାରନ୍ତି ନାହିଁ, ତେଣୁ ସରକାରୀ ମଣ୍ଡିରେ ବିକ୍ରି କରିପାରନ୍ତି ନାହିଁ। ଅନେକ ଚାଷୀ ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ତରବର ହୋଇ ଧାନ ଅମଳ କରନ୍ତି, ତେଣୁ ଅନେକ ଧାନ ନଶୁଖି କଞ୍ଚା ରହିଯାଏ। ଅଗାଡ଼ି ମଧ୍ୟ ଠିକ ଭାବେ ବଛାଯାଇ ପାରେ ନାହିଁ। ଏହାକୁ ଆଳ କରି ମିଲର ଓ ମଣ୍ଡିରେ କଟ୍‌ନିଛଟ୍‌ନି ଚାଲେ ଓ ଚାଷୀ କୁଇଣ୍ଟାଲେ ଧାନ ଦେଲେ ୯୦-୯୫ କିଲୋର ଦାମ୍‌ ପାଏ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଧାନ କିଣା ନିର୍ଦ୍ଦେଶ ଥିବାରୁ ବେପାରୀ ଓ ମିଲରମାନେ ଏହି ସମୟ ମଧ୍ୟରେ ଧାନ ନକିଣିବାକୁ ଫେର କରନ୍ତି। ଫଳରେ ଧାନ ଅବିକ୍ରି ରହିଯିବ ଭାବି ଚାଷୀମାନେ ଛାନିଆ ହୋଇଯାନ୍ତି। ମଣ୍ଡିରେ ବି କେତେ ଚାଷୀ କେତେ ଦିନ ଯାଏଁ ଅପେକ୍ଷା କରିପାରିବେ? ତେଣୁ ସେମାନେ ବାଧ୍ୟ ହୋଇ ମିଲର ଓ ବେପାରୀଙ୍କ କଥାରେ ସରକାରୀ ଦରଠାରୁ କମ୍‌ ଦରରେ ଧାନ ବିକି ଦିଅନ୍ତି। ବର୍ଷ ବର୍ଷ ଧରି ଏଭଳି ଅଭିଜ୍ଞତା ରଖିଥିବା ଚାଷୀମାନେ ମଣ୍ଡିକୁ ଯାଇ ହଇରାଣ ହେବା ଅପେକ୍ଷା କୁଇଣ୍ଟାଲ ୧୭୫୦ ଟଙ୍କା ବଦଳରେ ୧୪୦୦ ଟଙ୍କାରେ ଧାନ ବିକି ଦେଉଛନ୍ତି। ସରକାର ଯଦି ବର୍ଷକ ସାରା ଧାନ କିଣିବା ଅବ୍ୟାହତ ରଖିଥାନ୍ତେ ତେବେ ଚାଷୀମାନେ ଏଭଳି ଅଭାବୀ ବିକ୍ରିର ଶିକାର ହୁଅନ୍ତେ ନାହିଁ। ପୂର୍ବରୁ ଏଭଳି ଅନେକ ଅଭିଯୋଗ ରହିଥିବାରୁ ସୂର୍ଯ୍ୟ ପାତ୍ରଙ୍କ ଘୋଷଣା ପରେ ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଏହାକୁ ସମାଲୋଚନା କରି କହିଥିଲେ ଯେ ଓଡ଼ିଶା ସରକାର ଧାନ ଖରିଦ କରିବାକୁ ଖୋଲା ଯାଇଥିବା ମଣ୍ଡିଗୁଡ଼ିକୁ ଦୁଇମାସ ପୂର୍ବରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇବା ଫଳରେ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବେ ଏବଂ ପ୍ରକୃତ ମୂଲ୍ୟ ନପାଇ ଋଣ ବୋଝ ପରିଶୋଧ କରି ନପାରି ଆତ୍ମହତ୍ୟା କରିବେ। ଏକ ପ୍ରେସ୍ ବିବୃତ୍ତିରେ ସେ କହିଥିଲେ ଯେ ୨୦୧୮-୧୯ ଖରିଫ ଋତୁରେ ରାଜ୍ୟ ସରକାର ୫୫ ଲକ୍ଷ ଟନ୍ ଧାନ ଖରିଦ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ୨୦୧୮ ନଭେମ୍ୱରରେ ଆରମ୍ଭ ହୋଇ ୨୦୧୯ ଏପ୍ରିଲରେ ଶେଷ ହେବା କଥା। କିନ୍ତୁ ସରକାର ଦୁଇମାସ ପୂର୍ବରୁ ଅର୍ଥାତ୍ ଫେବୃଆରୀ ଶେଷ ସୁଦ୍ଧା ମଣ୍ଡିଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ମଣ୍ଡିରେ ଧାନବସ୍ତା ସହିତ ଫସି ରହୁଥିବା କୃଷକମାନେ ସେମାନଙ୍କ ଧାନ କିଣିବାକୁ ନେହୁରା ହେଉଥିଲେ ମଧ୍ୟ ସରକାରୀ ସଂସ୍ଥା ଗୁଡ଼ିକ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ତରୀୟ ନେତାମାନେ ମଧ୍ୟ ସମାନ ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ବ ନଦେଇ ମିଲର ଓ ବେପାରୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ବୋଲି ଦଳ ତରଫରୁ ଅଭିଯୋଗ ହୋଇଥିଲା। ଏହା ପରେ ବିଭାଗୀୟ ସଚିବ ମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇ ସାନି ଚିଠି ଲେଖିଛନ୍ତି। ତଥ୍ୟାଭିଜ୍ଞ ମହଲରେ ଆଲୋଚନାରୁ ଜଣାପଡ଼ିଛି ଯେ ବାସ୍ତବରେ ଏହି ସମୟ ମଧ୍ୟରେ ଅଧିକ ଧାନ କିଣା ଯାଇନାହିଁ। ପାଣ୍ଠି ହେରଫେର କରିବା ପାଇଁ ସରକାରୀ ଅଧିକାରୀମାନେ ୪୫ ପ୍ରତିଶତ ଅଧିକ ଧାନ କିଣା ହୋଇଛି ବୋଲି ଦର୍ଶାଇଛନ୍ତି। ଧାନ ସଂଗ୍ରହରେ ବହୁ ପ୍ରଚଳିତ ଦୁର୍ନୀତି କୌଶଳ ‘ଅଖା ବଦଳ’ ଯୋଗୁଁ ଧାନ କିଣାଯାଇ ନଥିଲେ ବି ଖାତାରେ ଚଢ଼ିବାରେ କିଛି ଅସୁବିଧା ନାହିଁ। ମୁଖ୍ୟତଃ ମିଲର୍‌ମାନେ ହିଁ ଏହି ‘ଅଖା ବଦଳ’ର ମୁନାଫା ଅର୍ଜନ କରିଥାନ୍ତି। ଧାନ କିଣା, ପରିବହନ, ପେଶା ଓ ଚାଉଳ ପରିବହନ ବାବଦରେ ମିଲର୍‌ମାନେ ସରକାରଙ୍କଠାରୁ ଟଙ୍କା ପାଇଥାନ୍ତି। ବିଲ୍‌କୁଲ ନକିଣି ଯଦି ଖାତାପତ୍ରରେ ହିସାବ ହୋଇପାରୁଛି ତେବେ ବି ନେତା ଓ ବାବୁମାନଙ୍କର ପ୍ରିୟ ମିଲର୍‌ମାନେ ଏସବୁ ଖର୍ଚ୍ଚ ପାଇଥାନ୍ତି। ପର ବର୍ଷ ସେମାନେ ନେଇଥିବା ଧାନ ବାବଦକୁ ଉପଯୁକ୍ତ ପରିମାଣର ଚାଉଳ ଦାଖଲ କରନ୍ତୁ ବା ନକରନ୍ତୁ ତାହା ମଧ୍ୟ କେହି ଦେଖନ୍ତି ନାହିଁ। ଅନେକ ମିଲର କୁଣ୍ଡା ସହିତ ଚାଉଳ ମଧ୍ୟ ଖାଇଯାନ୍ତି। ମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସଚିବ ବଦଳାଇଲା ପରେ ଏବେ ଏହି ମିଲରଙ୍କ ପାଇଁ ବେପାର ସମୟ ବଢ଼ି ଯାଇଛି। ଯଦ୍ୟପି ଚାଷୀଙ୍କ ପାଇଁ ଏଭଳି ନିଷ୍ପତ୍ତି ଫାଇଦାଜନକ ତଥା ଚାଷୀଙ୍କ ସ୍ବାର୍ଥ ଆଳରେ ବେପାରୀ ଓ ମିଲର୍‌ମାନେ ମଧ୍ୟ ଅଧିକ ମୁନାଫା ଉଠାଇବେ।

Share :