କାମ ଆମର, ନାମ ତୁମର!

କାମ ଆମର, ନାମ ତୁମର!

Share :

ଶ୍ରୀକାନ୍ତ ଜେନା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ   ପାରାଦ୍ବୀପ ତୈଳ ବିଶୋଧାନାଗାର ଉଦ୍ଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବ୍ୟାପକ ଭାବେ ପ୍ରଚାରିତ ହେଉଛି | ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସ୍ବାଭାବିକ | ଏହି କାର୍ଯ୍ୟର ଶ୍ରେୟ କାହା ପାଖକୁ ଯିବ ସେଥିପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଛକାପଂଝା ଜୋରଦାର୍ | ପ୍ରାୟ 60କୋଟି ଟଙ୍କା ଏହି ଉତ୍ସବ ପାଇଁ ଖର୍ଚ୍ଚ ହେଉଥିବାର ଚର୍ଚ୍ଚା ସାଧାରଣରେ ହେଉଛି | ସହର, ବଜାର, ଗାଁ ଗାଁରେ ପ୍ରଚାର ବ୍ୟାପକ ଭାବେ ଚାଲିଛି | କେଉଁଠୁ କେତେ ଲୋକ ଆସିବେ ଉଭୟ ଦଳ ଦିନ ରାତି ଲାଗିପଡ଼ିଛନ୍ତି | ସଭାରେ ପ୍ରଧାନମନ୍ତ୍ରୀ କହିଲାବେଳେ ଅଧିକ ତାଳି ବାଜିବ କି ମୁଖ୍ୟମନ୍ତ୍ରୀ କହିଲାବେଳେ ଅଧିକ ତାଳି ବାଜିବ ତା’ର ପ୍ରତିଦ୍ବନ୍ଦିତା ହେବ | ତେବେ ସେ ଯାହା ହେଉ - ଏସବୁ  ଆଜିର ପ୍ରଚାର ସର୍ବସ୍ବ ରାଜନୀତିର ଅଂଶ ବିଶେଷ ହୋଇଯାଇଛି | ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ କିପରି ଶାଳୀନତାର ସହ ପରାଦ୍ବୀପ ବନ୍ଦର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ ତାହା ଇତିହାସ ପୃଷ୍ଠାରେ ରହିଛି | ଯିଏ କାମ କରେ ସେ ପ୍ରଚାର କରେ ନାହିଁ | କାମ ହିଁ ତା’ର ପ୍ରଚାର | କିଛି ନ କରି ଆଜି କିପରି ନାଁ ନେବାକୁ ହୁଏ, ଓଡ଼ିଶା ଏବେ ହୋଇଛି ତା’ର ପରୀକ୍ଷାଗାର | ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହି ଦୁଇଟି କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବକୁ ସୁରୁଖୁରରେ କରନ୍ତୁ, ଏଥିରେ କାହାର ଆପତ୍ତି ନାହିଁ | କିନ୍ତୁ ଉଦ୍ଘାଟନ ଉତ୍ସାବରେ ପ୍ରକଳ୍ପର ଇତିହାସ ଓ ତା’ର ପ୍ରତିଷ୍ଠା ସଂପର୍କରେ ସତ କୁହନ୍ତୁ, ଏତିକି ମୋର ନିବେଦନ | ପାରାଦ୍ବୀପ ତୈଳ ବିଶୋଧାନଗାରର ଇତିହାସ ୧୯୯୨ ମସିହାରେ କେନ୍ଦ୍ର ସରକାର ଏକ ଯୁଗ୍ମ ପ୍ରକଳ୍ପ ଭାବେ ପାରାଦ୍ବୀପ ରିଫାଇନେରୀ ପ୍ରତିଷ୍ଠାର ନିଷ୍ପତ୍ତି ଗ୍ରହଣ କରିଥିଲେ | ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ କଂଗ୍ରେସର ପିଭି ନରସିଂହ ରାଓ | ୧୯୯୬-୯୭ ବର୍ଷ ଏହି ପ୍ରକଳ୍ପର ଉତ୍ପାଦନ କ୍ଷମତା ବାର୍ଷିକ ୯ ନିୟୁତ ଟନ୍ ହେବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି କଲେ | ସେତେବେଳେ କେନ୍ଦ୍ରରେ ମିଳିତ ସାମ୍ମୁଖ୍ୟ ସରକାର ଥିଲା ଏବଂ ପ୍ରଧାନମନ୍ତ୍ରୀ ଥିଲେ ଦେବେଗୌଡ଼ା | ୧୯୯୭-୯୮ ମସିହାରେ ରାଜ୍ୟର କଂଗ୍ରେସ ସରକାର ଏହି ପ୍ରକଳ୍ପକୁ ସମସ୍ତ ପ୍ରୋତ୍ସାହନ ଦେବାକୁ ରାଜି ହେଲେ | ଜମି ଅଧିଗ୍ରହଣ ଓ ସ୍ଥାନ ନିରୂପଣ ପାଇଁ ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ବୈଠକ ହେଲା | ରାଜ୍ୟର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ | ବୈଠକରେ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଟି.ଆର୍ ବାଲଙ୍କ ସହିତ ମୁଁ ମଧ୍ୟ ଉପସ୍ଥିତ ଥିଲି | ୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ରିଫାଇନେରୀର ଶୁଭ ଦେଲେ | ୨୦୦୨ ମସିହାରେ କେନ୍ଦ୍ରର ଏନଡିଏ ସରକାର ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଘ୍ଷଣା କଲେ | ଆଳ ହେଲା ରାଜ୍ୟ ସରକାର ପ୍ରକଳ୍ପକୁ ଟିକସ ରିହାତି ଦେବାକୁ ରାଜି ନହେବ | ସେହି ବର୍ଷ ରାଜ୍ୟ ସରକାର ପ୍ରକଳ୍ପକୁ ଦେଇଥିବା ସମସ୍ତ ପ୍ରୋତ୍ସାହନ ପ୍ରତ୍ୟାହାର କରିଥିଲେ | ୨୦୦୪ ମସିହାରେ ଉପା ସରକାର ଆସିଲାପରେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଲେ, ରାଜ୍ୟ ସରକାର ଟିକସ ରିହାତି ନଦେଲେ ପ୍ରକଳ୍ପ ଅନ୍ୟ ରାଜ୍ୟକୁ ସ୍ଥାନାସ୍ତରିତ ହେବ ବୋଲି କହିଲେ | ଏହା ପରେ ରାଜ୍ୟ ସରକାର ରାଜି ହୋଇ ପ୍ରୋତ୍ସାହନ ଚୁକ୍ତି ନାମା ସ୍ବାକ୍ଷର କଲେ | ୨୦୦୬ କେନ୍ଦ୍ର ସରକାର ପ୍ରକଳ୍ପର ଉତ୍ପାଦନ କ୍ଷମତା ବାର୍ଷିକ ୧୫ ନିୟୁତ ଟନ କରିବା ସହ ଅନ୍ୟ କେମିକାଲ୍ ପ୍ରଡ଼କ୍ଟସନ୍କୁ ମିଶାଇ କାର୍ଯ୍ୟ ଆରମ୍ଭର ଘୋଷଣା କଲେ | ୨୦୦୯ ମସିହାରେ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂଙ୍କ ମନ୍ତ୍ରୀସଭା ପାରାଦ୍ବୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ କଲେ | ୨୦୧୨-୧୩ ବର୍ଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସରିବା କଥା | କିନ୍ତୁ ଓଡ଼ିଶା ସରକାରଙ୍କ ଅସହଯୋଗ ପାଇଁ ଏହା ଆଉ ୨ ବର୍ଷ ଗଢ଼ିଗଲା | ୨୦୧୬ରେ ଏହା ଉଦ୍ଘାଟନ ହେଉଛି | ଏହି ପ୍ରକଳ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ମୁଖ୍ୟ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୧ ଟଙ୍କାର ଯୋଗଦାନ ନାହିଁ | ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରକଳ୍ପ ୨ ବର୍ଷ ବିଳମ୍ବ ହେବାରୁ ଅଧିକ ୫ହଜାର କୋଟି ଖର୍ଚ୍ଚ ହେଲା | ପାରାଦ୍ବୀପ ତୈଳ ବିଶୋଧନାଗାର ପ୍ରକଳ୍ପର ଏହି ଇତିହାସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫାଇଲରେ ରହିଛି | କିନ୍ତୁ ଏବେକାର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ଇତିହାସକୁ ଲୋକଙ୍କ ସମ୍ମୁଖକୁ ନଆଣି ବ୍ୟକ୍ତି-ନେତୃତ୍ବର ପ୍ରଚାର ପାଇଁ ସରକାରୀ ତହବିଲରୁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରାଉଛନ୍ତି |

Share :