ଜଳକା ହେବେ ଜମାକାରୀ!

ଜଳକା ହେବେ ଜମାକାରୀ!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଆରେ ଗୋଟେ କଥା ଅଛି- ମାରିନେଲେ ମହାପାତ୍ରେ ଚାହିଁଥାରେ ଜଳକା! ଏହାର ଅର୍ଥ ହେଉଛି ସରଳ ଲୋକଙ୍କୁ ପ୍ରଲୁବ୍ଧ ବା ଜଳକା କରି ଠକିନେବା। ଏଠି ମହାପାତ୍ରେ ବଦଳରେ ପଟ୍ଟନାୟକେ, ପୃଷ୍ଟିଏ, ଦାସେ, ଚୌଧୁରୀଏ ବି ଲେଖାଯାଇପାରେ। ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ଅମଳରେ ଘଟିଥିବା ପ୍ରାୟ ୪୦ ହଜାର କୋଟି ଟଙ୍କାର ଚିଟ୍‌ ଫଣ୍ଡ ଠକେଇରେ ଠିକ ଏହିପରି ହୋଇଛି। ଜମାକାରୀମାନେ ସରକାରଙ୍କ ପ୍ରତିଶ୍ରୁତିରେ ଜଳକା ହୋଇ ଚାହିଁଥିବାବେଳେ ଚିଟ୍‌ ଫଣ୍ଡ ଠକେଇର ମୁଖ୍ୟା କାର୍ପଟଦାର ଏହା ଭିତରେ ଦୁଇ ଦୁଇ ଥର ଭୋଟ ପାଇ କ୍ଷମତାଭୋଗ ସାରି ଆଉ ଥରକ ପାଇଁ ବି ଲୋକମାନଙ୍କୁ ଜଳକା କରିବାର ସମସ୍ତ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଓଡ଼ିଶାର ଲୋମାନେ ଏଇଥିପାଇଁ ଜଳକା ହୋଇଛନ୍ତି ଯେ ସେମାନେ ଚିଟ୍‌ ଫଣ୍ଡରେ ହରେଇଥିବା ଜମା ଟଙ୍କା ଫେରି ପାଇବାକୁ ତଥାପି ଆଶାବାନ୍ଧି ବସିଛନ୍ତି ଓ ବିଚାରପତି ଏମଏମ ଦାସ କମିଶନ ବସାଇଥିବା ସରକାରଙ୍କୁ ସମର୍ଥନ ଅବ୍ୟାହତ ରଖିଛନ୍ତି। ଏହି କମିଶନଙ୍କୁ ମଧ୍ୟ ନବୀନ ସରକାର ଜଳକା କରି ମହାପାତ୍ର ହୋଇ ଖସିଯାଇଛନ୍ତି, ତାହା କମିଶନ ଏଯାଏଁ ରିପୋର୍ଟ କରି ନାହାନ୍ତି। ପ୍ରଥମ କଥା ହେଉଛି ଚିଟ୍‌ ଫଣ୍ଡ ଠକେଇ ପାଇଁ ବସିଥିବା ବିଚାର ବିଭାଗୀୟ କମିଶନ ଜମାକାରୀ ଚିହ୍ନଟ କରିବା ପାଇଁ ଉଦ୍ଦିଷ୍ଟ ନଥିଲା। ରାଜ୍ୟ ସରକାରଙ୍କ ଗୃହ ବିଭାଗର ୧୭୪୩/ଗ ୯.୭.୧୩ ତାରିଖର ବିଜ୍ଞପ୍ତି ଅନୁସାରେ ଯେଉଁ କମିଶନ ଗଠିତ ହୋଇଥିଲା ତାହାର ୫ଟି ଟର୍ମସ ଅଫ ରେଫରେନ୍ସ ବା ନିଯୁକ୍ତି ସର୍ତ୍ତ ମଧ୍ୟରେ ଜମାକାରୀ ଚିହ୍ନଟ କୋ ଆଦୌ ଉଲ୍ଲେଖ ନଥିଲା। ମୂଳ ୫ଟି ଟର୍ମସ ଅଫ ରେଫରେନ୍ସ ହେଉଛି (୧) ଚିଟ୍‌ ଫଣ୍ଡ ଠକେଇର ସମସ୍ତ ଦୋଷୀ ଚିହ୍ନଟ, (୨) ଏହି ଠକେଇରେ ସଂପୃକ୍ତ ପ୍ରଭାବଶାଳୀ ଲୋକଙ୍କ ଚିହ୍ନଟ, (୩) ଏଭଳି ଠକେଇର ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ ପଦକ୍ଷେପ ସୁପାରିଶ, (୪) ଜମାକାରୀଙ୍କ ଜମା କିପରି ସୁରକ୍ଷା ରହିବ ସେ ଦିଗରେ ସୁପାରିଶ ଏବଂ (୫) ଅନ୍ୟାନ୍ୟ ଯାହା ଆବଶ୍ୟକ ପଡ଼ିବ। ଏହି ବିଜ୍ଞପ୍ତି ଅନୁସାରେ ଦୋଷୀ ଚିଟ୍‌ ଫଣ୍ଡ କମ୍ପାନୀ ଚିହ୍ନଟ ଏବଂ ଏଥିରେ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚିହ୍ନଟ କମିଶନଙ୍କର ମୁଖ୍ୟ କାର୍ଯ୍ୟ ଥିଲା। ଅଥଚ ବର୍ତ୍ତମାନର ବିଚାର ବିଭାଗୀୟ ତଦନ୍ତ ଏ ଦିଗରେ ଏଯାଏଁ କୌଣସି କାର୍ଯ୍ୟ ଆରମ୍ଭ କରିନାହାନ୍ତି। ସେହିପରି ତୃତୀୟ ଗୁରୁତ୍ବପୂର୍ଣ୍ଣ କାମ ଜମାକାରୀଙ୍କ ଜମା ସୁରକ୍ଷା ଦିଗରେ ମଧ୍ୟ କମିଶନ କୌଣସି ସୁପାରିଶ କରିନାହାନ୍ତି କି ସରକାର ତଦନୁସାରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଇତିମଧ୍ୟରେ ସାଢ଼େ ୫ ବର୍ଷ ଅତିବାହିତ ହୋଇଗଲାଣି। ସୁପ୍ରିମ କୋର୍ଟ ଚିଟ୍‌ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ୨୦୧୪ ମେ ମାସରେ। ସେତେବେଳକୁ ୨୦୧୪ ସାଧାରଣ ନିର୍ବାଚନ ଶେଷ ହୋଇଥିଲା। ଯଦି ନିର୍ବାଚନର ୨/୩ ମାସ ଆଗରୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଥାନ୍ତେ ତେବେ ହୁଏତ ଓଡ଼ିଶାରେ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ନିର୍ବାଚନ ଜିତିପାରି ନଥାନ୍ତା। ତେବେ ସେ ଯାହା ହେଉ ଓଡ଼ିଶାରେ ଜମାକାରୀମାନେ ଚିଟ୍‌ ଫଣ୍ଡ ଲୁଟେରାଙ୍କ ବିରୋଧରେ ଆନ୍ଦୋଳନ ଓ ବିକ୍ଷୋଭ ଇତ୍ୟାଦି କରିବା ପରେ ଓଡ଼ିଶା ସରକାର ବାଧ୍ୟ ହୋଇ ପ୍ରଥମେ କ୍ରାଇମ ବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ ଓ ଅବସ୍ଥା ଅସମ୍ଭାଳ ହେବାରୁ ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ କମିଶନ ଆଇନ ୧୯୫୨ ଅନୁସାରେ ଗଠିତ ଏହି କମିଶନର ପ୍ରଥମ ଅଧ୍ୟକ୍ଷ ଥିଲେ ବିଚାରପତି ଆରକେ ପାତ୍ର। କିନ୍ତୁ ତାଙ୍କର ଦେହାନ୍ତ ପରେ ସରକାର ୨୦୧୫ ଫେବୃଆରୀ ୫ ତାରିଖରେ ବିଚାରପତି ମଦନ ମୋହନ ଦାସଙ୍କୁ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ। ତାହାର କେଇ ଦିନ ପରେ ୨୦୧୫ ଫେବୃଆରୀ ୨୦ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ସରକାର ତଦନ୍ତ କମିଶନଙ୍କ ଟର୍ମସ ଅଫ ରେଫରେନ୍ସରେ ଆଉ ଗୋଟିଏ ସର୍ତ୍ତ ଯୋଡ଼ିଲେ। ସେହି ସର୍ତ୍ତ ହେଉଛି କମିଶନ ଚିଟ୍‌ ଫଣ୍ଡ ସଂସ୍ଥାଗୁଡ଼ିକର କ୍ଷୁଦ୍ର ଜମାକରୀ ଚିହ୍ନଟ କରିବେ। କମିଶନ ତିନି ବର୍ଷ ହେଲା କେବଳ ଏଇ କାମ କରୁଛନ୍ତି। ସରକାର ଯେତେବେଳେ ଚିଟ୍‌ ଫଣ୍ଡ ତଦନ୍ତ କମିଶନ ଗଠନ କଲେ ସେତେବେଳେ କମିଶନଙ୍କୁ ଜଣେ ସଚିବ, ଜଣେ ସେକ୍ସନ ଅଫିସର, ଜଣେ ସହାୟକ, ଜଣେ ବରିଷ୍ଠ ସହାୟକ ଓ ଦୁଇ ଜଣ ପିଅନ ଏହିପରି ମୋଟ ୬ ଜଣ କର୍ମଚାରୀ ଯୋଗାଇଥିଲେ। ପରେ କମିଶନ ଜଣେ ଷ୍ଟେନୋ, ଜଣେ ଟାଇପିଷ୍ଟ ଓ ୨ ଜଣ ପିଅନଙ୍କୁ ନିଯୁକ୍ତି ଦେଇଥିଲେ। ପରେ ପୁଣି ୫ ଜଣ ବରିଷ୍ଠ ସହାୟକ ଓ ୫ ଜଣ ପିଅନଙ୍କୁ କମିଶନରେ ନିଯୁକ୍ତି ଦିଆଯାଇଛି। ଏମାନେ ସମସ୍ତେ ମିଶି ସରକାରଙ୍କୁ ଏଯାଏଁ ୬ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ଷଷ୍ଠ ରିପୋର୍ଟରେ ୧,୪୩,୪୬୬ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ମୋଟ ଉପରେ କମିଶନ ଏଯାଏଁ ୩,୬୧,୮୧୭ ଜଣ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏମାନଙ୍କ ମଧ୍ୟରୁ ମୋଟ ଉପରେ ୧୭୧୪ ଜଣ ଜମାକାରୀ ଜମା ଫେରି ପାଇଛନ୍ତି। ଏହା ସରକାରଙ୍କ ତରଫରୁ ନୁହେଁ। ବିବାଦରେ ଫସିବା ପରେ କେତେକ ଚିଟ୍‌ ଫଣ୍ଡ ସଂସ୍ଥା ନିଜ ଆଡ଼ୁ ଅଳ୍ପ କେତେକ ଜମାକାରୀଙ୍କୁ ଟଙ୍କା ଫେରେଇଥିଲେ। କମିଶନରେ ସେହି ତାଲିକା ରହିଛି। କମିଶନଙ୍କୁ ସରକାର କହିଛନ୍ତି କ୍ଷୁଦ୍ର ଜମାକରୀ ଅର୍ଥାତ ୧୦ ହଜାର ଟଙ୍କାରୁ କମ୍‌ ଜମା ରଖିଥିବା ଜମାକାରୀ ଚିହ୍ନଟ କରିବା ପାଇଁ। କିନ୍ତୁ ଅନେକ ଚିଟ୍‌ ଫଣ୍ଡ ସଂସ୍ଥାରେ ଏହାଠାରୁ ଯଥେଷ୍ଟ ଅଧିକ ଟଙ୍କା ଜମା ରଖିଥିବା ଲୋକଙ୍କ ସଂଖ୍ୟା ବି କିଛି କମ୍‌ ନୁହେଁ। କିଛି ଲୋକ ଲକ୍ଷାଧିକ ଟଙ୍କା ଜମା ରଖିଛନ୍ତି। ଓଡ଼ିଶା ସରକାର ଯେଉଁ ଉପାୟ କରିଛନ୍ତି ଚିଟ୍‌ ଫଣ୍ଡର ବଡ଼ ଜମାକାରୀଙ୍କ ଟଙ୍କା ପାଣିରେ ପଡ଼ିବା ନିଶ୍ଚିତ। ପ୍ରଥମେ ଚିଟ୍‌ ଫଣ୍ହ ଦୁର୍ନୀତି ନେଇ ହୋହାଲ୍ଲା ହେବା ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଲୋକ ବିଭିନ୍ନ ଚିଟ୍‌ ଫଣ୍ଡ ସଂସ୍ଥାରେ ପ୍ରାୟ ୪୦ ହଜାର କୋଟି ଟଙ୍କା ଜମା ରଖିଥିଲେ। ଚିଟ୍‌ ଫଣ୍ଡ କମିଶନ ପ୍ରକାଶ କରିଥିବା ତଥ୍ୟ ଅନୁସାରେ କମିଶନରେ ପ୍ରଥମେ ୮,୧୭,୨୫୩ ସତ୍ୟପାଠ ଦାଖଲ ହୋଇଥିଲା। ଏଥିରୁ ୭୯,୦୫୯ଟି ସତ୍ୟପାଠ ପୂର୍ଣ୍ଣାଙ୍ଗ ନଥିବାରୁ କମିଶନ ତାହାକୁ ଖାରଜ କରିଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ କମିଶନଙ୍କ ଆହ୍ବାନରେ ପୁଣି ୬ ଲକ୍ଷ ସତ୍ୟପାଠ ଦାଖଲ ହୋଇଛି। ଏଭଳି ମୋଟ ଉପରେ ୧୪ ଲକ୍ଷ ସତ୍ୟପାଠ ଦାଖଲ ହୋଇଛି। ଯଦି ଏସବୁ ସତ୍ୟପାଠ ଦାଖଲକାରୀ ଜମାକାରୀ ହୋଇଥାନ୍ତି ତେବେ ସେମାନଙ୍କ ମଧ୍ୟରୁ କମିଶନ ଏଯାଏଁ ୩.୬୧ ଲକ୍ଷଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଛନ୍ତି ଓ ଟଙ୍କା ଫେରିପାଇଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧୭୧୪ ଜଣ। କମିଶନ ବସିବାର ୫ ବର୍ଷ ପରେ ଯଦି ମାତ୍ର ୨ ହଜାର ଲୋକ ଜମା ଫେରିପାଇଲେ ତେବେ ୨୦ ଲକ୍ଷ ଲୋକ ଜମା ଟଙ୍କା ଫେରିପାଇବାକୁ କେତେ ବର୍ଷ ଲାଗିବ? ଏବେ ଜମାକାରୀମାନେ ପ୍ରଶ୍ନ କଲେଣି ଭୋଟ ପୂର୍ବରୁ ଲାଞ୍ଚ ଦେଇ ସନ୍ତୁଷ୍ଟ କରିବା ଯୋଜନା କାଳିଆରେ ୩୦ ଲକ୍ଷ ଚାଷୀଙ୍କୁ ମାସକ ଭିତରେ ଯଦି ଟଙ୍କା ଦିଆଯାଇ ପାରିଲା ତେବେ ୨୦ ଲକ୍ଷ ଜମାକାରୀଙ୍କୁ କାହିଁକି ୫ ବର୍ଷ ଭିତରେ ଟଙ୍କା ଫେରସ୍ତ ମିଳିଲା ନାହିଁ? ସୁପ୍ରିମ କୋର୍ଟ ମୋଟ ୪୪ଟି ଚିଟ୍‌ ଫଣ୍ଡ ସଂସ୍ଥା ଚିହ୍ନଟ କରି ସେମାନଙ୍କ ଠକେଇର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେତେକ ବଡ଼ ଠକ ସଂସ୍ଥା ହେଲେ ଶରଧା, ରୋଜ ଭ୍ୟାଲୀ, ସି ଶୋର, ଗ୍ରୀନ ରେ ଇଣ୍ଟର୍ନେସନାଲ, ଅର୍ଥ ତତ୍ତ୍ବ, କୋଲକାତା ୱେଆର ହାଉସ, ଆସ୍ଥା। ଓଡ଼ିଶାର ଚିଟ୍‌ ଫଣ୍ଡ କମିଶନ କିନ୍ତୁ ୭୦୦ ଉପରେ ଚିଟ୍‌ ଫଣ୍ଡ ସଂସ୍ଥାଙ୍କ ଉପରେ ନୋଟିସ ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କମିଶନ ୬୦୦ ଉପରେ ଚିଟ୍‌ ଫଣ୍ଡ ସଂସ୍ଥାଙ୍କୁ ନୋଟିସ ଜାରି କରିଥିଲେ। ସେମାନଙ୍କ ମଧ୍ୟରୁ ୫୨୨ ସଂସ୍ଥା କମିଶନରେ ରିପୋର୍ଟ ଦାଖଲ କରିଥିଲେ। ଅନ୍ୟମାନଙ୍କର ପତ୍ତା ମିଳିନଥିଲା। ରାଜ୍ୟ ସରକାର ବି ସେମାନଙ୍କ ଠିକଣା ଯୋଗାଇ ନାହାନ୍ତି। ଏବେ କମିଶନ ପୁଣି ୭୦୦ ଉପରେ ସଂସ୍ଥାଙ୍କୁ ନୋଟିସ କରିଛନ୍ତି। ଏହାର ଅର୍ଥ ଓଡ଼ିଶାରେ ୪୪ ନୁହେଁ ୭୦୦ ଉପରେ ଚିଟ୍‌ ଫଣ୍ଡ ସଂସ୍ଥା ଲୋକଙ୍କୁ ଠକିବା କାମରେ ବ୍ୟାପୃତ ଅଛନ୍ତି। ଏସବୁ ସଂସ୍ଥାଙ୍କର ସୃଷ୍ଟି ପୁଣି ଏଇ ନବୀନ ସରକାରଙ୍କ ସମୟରେ ହିଁ ହୋଇଛି। ବିଚାରପତି ମଦନ ମୋହନ ଦାସଙ୍କ କମିଶନ ଏଯାଏଁ ଚିଟ୍‌ ଫଣ୍ଡ ଠକମାନଙ୍କୁ ଠାବ କରିନାହାନ୍ତି। ଏହି ଠକମାନଙ୍କୁ ରାଜନୀତିକ ଓ ପ୍ରାଶାସନିକ ସୁରକ୍ଷା ଓ ସମର୍ଥନ ଯୋଗାଇ ଦେଇଥିବା ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ଚିହ୍ନଟ କରିନାହାନ୍ତି। କ୍ରାଇମ ବ୍ରାଞ୍ଚ, ସିବିଆଇ ଓ କମିଶନଙ୍କ ତଦନ୍ତ ପରେ ମଧ୍ୟ ଜାରି ରହିଥିବା ଚିଟ୍‌ ଫଣ୍ଡ ବେପାରରେ ଜମାକାରୀଙ୍କ ଜମାଟଙ୍କା କିପରି ସୁରକ୍ଷିତ ରହିବ ସେ ବିଷୟ ମଧ୍ୟ ସ୍ଥିର ହୋଇନାହିଁ। ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ। ସିବିଆଇ ତଦନ୍ତ ଢିଲା। କ୍ରାଇମ ବ୍ରାଞ୍ଚ ତଦନ୍ତ ଫସରଫାଟି ଯାଇଛି। ଦୋଷୀ ନେତା ଓ ବାବୁମାନେ ନିଶରେ ଘିଅମାରି ବୁଲୁଛନ୍ତି। ସଂସ୍ଥା ମାଲିକମାନେ ଜାମିନରେ ଖଲାସ ହୋଇ ପବନ ଖାଉଛନ୍ତି। ଏଭଳି ସ୍ଥିତିରେ ଜମାକାରୀମାନେ ଜଳକା ହେବେନି ତ ଆଉ କିଏ ହେବେ?

Share :